Advertisment

‘ମୋଦି ଗ୍ୟାରେଣ୍ଟି ସମାବେଶ’ରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ଆଜି ଦେଶରେ ଅନେକ ବିକାଶ କାର୍ଯ୍ୟ ହେଉଛି। ଏହା ପୂର୍ବରୁ ବି ହୋଇପାରିଥା’ନ୍ତା। କିନ୍ତୁ ୨୦୧୪ ପୂର୍ବରୁ ବର୍ଷ ବର୍ଷ ଧରି ସରକାରରେ ଥିବା କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକର ପୂରା ଧ୍ୟାନ କେବଳ ନିଜ ସିନ୍ଦୁକରେ ଟଙ୍କା ଭରିବା ଉପରେ ରହିଥିଲା।

BJP Leaders

BJP Leaders

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସି ଫେରି ଯାଇଛନ୍ତି। ଏହି ଅବସରରେ ଚଣ୍ଡିଖୋଲ ଠାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମ ‘ମୋଦିଙ୍କ ଗ୍ୟାରେଣ୍ଟି ସମାବେଶ’ରେ ସେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଆଜି ଦେଶରେ ଅନେକ ବିକାଶ କାର୍ଯ୍ୟ ହେଉଛି। ଏହା ପୂର୍ବରୁ ବି ହୋଇପାରିଥା’ନ୍ତା। କିନ୍ତୁ ୨୦୧୪ ପୂର୍ବରୁ ବର୍ଷ ବର୍ଷ ଧରି ସରକାରରେ ଥିବା କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକର ପୂରା ଧ୍ୟାନ କେବଳ ନିଜ ସିନ୍ଦୁକରେ ଟଙ୍କା ଭରିବା ଉପରେ ରହିଥିଲା। ଯେଉଁ କଂଗ୍ରେସ ସରକାର କୋଇଲାକୁ ଲୁଟି ଖାଇଯାଏ, ସେ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଦେବା କଥା କେମିତି ଚିନ୍ତା କରିପାରିବ। ଯେଉଁ କଂଗ୍ରେସ ସରକାର ୟୁରିଆରେ ଘୋଟାଲା କରେ, ସେ କୃଷକମାନଙ୍କୁ ଶସ୍ତାରେ ୟୁରିଆ କେମିତି ଯୋଗାଇଥା’ନ୍ତା। ଯେଉଁ କଂଗ୍ରେସ ସରକାର ନିଯୁକ୍ତିରେ ବି ଘୋଟାଲା କରେ, ସେ ଦେଶର ଯୁବକଯୁବତୀମାନଙ୍କୁ କେମିତି ଚାକିରି ଦେଇଥା’ନ୍ତା।

ସେ କହିଥିଲେ, ଦେଶ ସ୍ୱାଧୀନ ହେବା ପରଠୁ ହିଁ କଂଗ୍ରେସ ଦେଶରେ ଏମିତି ସବୁ ବ୍ୟବସ୍ଥା ତିଆରି କଲା, ଯେଉଁଥିରେ ଗରିବ, ଯୁବ ପିଢ଼ି ଓ ଆଦିବାସୀଙ୍କ ଉପରେ ଅବିଶ୍ୱାସ ଜନ୍ମ ହେବ। ଗରିବମାନେ କଂଗ୍ରେସ ସରକାର ପାଖକୁ ଯେକୌଣସି ପ୍ରକାର ସହାୟତା ପାଇଁ ଗଲେ, ସେମାନଙ୍କୁ ଗ୍ୟାରେଣ୍ଟି ମଗା ଯାଉଥିଲା। ସେତେବେଳେ ସମସ୍ତଙ୍କୁ ଗ୍ୟାରେଣ୍ଟି ମଗାଯାଉଥିଲା। ବ୍ୟାଙ୍କରେ ଖାତା ଖୋଲିବା ପାଇଁ କଂଗ୍ରେସ ଗ୍ୟାରେଣ୍ଟି ମାଗୁଥିଲା। ସ୍ୱାବଲମ୍ବୀ ହେବା ପାଇଁ ବ୍ୟାଙ୍କରୁ ଋଣ ମାଗିବାକୁ ଗଲେ ଗ୍ୟାରେଣ୍ଟି ମାଗୁଥିଲା କଂଗ୍ରେସ। ଚାକିରି ପାଇଁ ଆବେଦନ କଲେ କୌଣସି ଅଫିସରଙ୍କ ଠାରୁ ଗ୍ୟାରେଣ୍ଟି ଆଣ ବୋଲି କୁହାଯାଉଥିଲା। କିନ୍ତୁ ୨୦୧୪ ପରେ ଜଣେ ଗରିବ ଲୋକର ପୁଅ କେନ୍ଦ୍ର ସରକାରକୁ ଆସିଲା। ଆଉ ଯେତେବେଳେ ଜଣେ ଗରିବର ପୁଅ ପ୍ରଧାନମନ୍ତ୍ରୀ ହୋଇଗଲା, ସେ କହିଲା- ମୋଦି ହେବ ଗରିବର ସବୁଠୁ ବଡ଼ ଗ୍ୟାରେଣ୍ଟି।

Advertisment

ଯେଉଁ ଗରିବ ପାଖରେ ଗ୍ୟାରେଣ୍ଟି ଦେବା ପାଇଁ କିଛି ନଥିଲା, ତା’ର ଗ୍ୟାରେଣ୍ଟି ମୋଦି ବନିଲା। ଆମେ ଜନଧନ ଖାତା ଖୋଲିଲୁ। ମୋଦି ସମସ୍ତଙ୍କ ଗ୍ୟାରେଣ୍ଟି ବନିଲା। ଗରିବ, ଦଳିତ, ଓବିସି, ଆଦିବାସୀଙ୍କ ପାଖରେ ବ୍ୟାଙ୍କକୁ ଦେବାକୁ କ’ଣ ଥିଲା? ଆମେ ବିନା ଗ୍ୟାରେଣ୍ଟିରେ ଋଣ ଦେବା ପାଇଁ ମୁଦ୍ରା ଯୋଜନା ଆରମ୍ଭ କଲୁ। ପୂର୍ବରୁ ଆମର ବିଶ୍ୱକର୍ମା ଭାଇମାନଙ୍କର ଗ୍ୟାରେଣ୍ଟି ବନିବା ପାଇଁ କେହି ନଥିଲେ। ଆମେ ପିଏମ୍‌ ବିଶ୍ୱକର୍ମା ଯୋଜନାରେ ସେମାନଙ୍କ ଗ୍ୟାରେଣ୍ଟି ନେଲୁ। ସେମାନଙ୍କୁ ବ୍ୟାଙ୍କରୁ ସହାୟତା ଦେଲୁ। ଏମିତି ଯୋଜନାଗୁଡ଼ିକ ସହାୟତାରେ ହିଁ ଆଜି ଗରିବଙ୍କ ଆତ୍ମବିଶ୍ୱାସ ବଢ଼ିଛି। ସେ ଅନୁଭବ କରୁଛି ଯେ ସରକାର ତା’ ସହିତ ଅଛନ୍ତି। ସେ ଅନୁଭବ କରୁଛି ଯେ ମୋଦି ଗରିବଙ୍କ ସହିତ ଅଛି। ଯେଉଁମାନଙ୍କୁ କେହି ପଚାରୁ ନଥିଲେ, ସେମାନଙ୍କ କଥା ମୋଦି ବୁଝିଥିଲା ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଓଡ଼ିଶାରେ ଏମିତି ଅନେକ ଜନଜାତି ଅଛନ୍ତି, ଯେଉଁମାନେ ସମସ୍ତଙ୍କଠାରୁ ପଛରେ ରହିଯାଇଛନ୍ତି। ଏହି ଜନଜାତିଙ୍କ କଥା କେହି ଶୁଣି ନଥିଲେ। ମୋଦି ପ୍ରଥମ ଥର ପାଇଁ ଏହି ଆଦିବାସୀ ଭାଇଭଉଣୀଙ୍କ ପାଇଁ ୨୪ ହଜାର କୋଟି ଟଙ୍କାର ପିଏମ୍ ଜନ୍‌ମନ୍ ଯୋଜନା ଆରମ୍ଭ କରିଥିଲା। ଫୁଟ୍‌ପାଥ୍ ଓ ଠେଲାରେ ଯେଉଁ ଲୋକମାନେ କାମ କରୁଛନ୍ତି, ସେମାନଙ୍କୁ କେହି ପଚାରୁ ନଥିଲେ। ଆଜି ସେମାନେ ପିଏମ୍ ସ୍ୱନିଧି ଯୋଜନାରୁ ବ୍ୟାଙ୍କରୁ ସିଧା ଲାଭ ଉଠାଉଛନ୍ତି। ଆମର କ୍ଷୁଦ୍ର ଚାଷୀଙ୍କ ପାଖରେ ସରକାରୀ ଯୋଜନାଗୁଡ଼ିକ କେବେ ପହଞ୍ଚି ପାରୁ ନଥିଲା। ଆଜି ପିଏମ୍‌ ସ୍ୱନିଧି ଯୋଜନାରେ ସେମାନଙ୍କୁ ବି ଟଙ୍କା ମିଳୁଛି। ଆମ ମତ୍ସ୍ୟଜୀବୀମାନେ କିଛି ପାଉ ନଥିଲେ। ପ୍ରଥମ ଥର ପାଇଁ ସେମାନଙ୍କ ପାଇଁ ପୃଥକ ମନ୍ତ୍ରଣାଳୟ କରାଯାଇଥିଲା। ସେମାନଙ୍କ ପାଇଁ ପୃଥକ ବଜେଟ୍ ପ୍ରସ୍ତୁତ କରାଗଲା। ସେମାନଙ୍କ ପାଇଁ ପିଏମ୍‌ ମତ୍ସ୍ୟ ସଂପଦ ଯୋଜନା କରାଗଲା। ପକ୍କା ଘର, ଘରକୁ ନଳରେ ଜଳ ଓ ଗ୍ୟାସ ସଂଯୋଗ ଗରିବ ପାଇଁ ସ୍ୱପ୍ନ ହୋଇ ରହିଥିଲା। ଆଜି ତାହା ବାସ୍ତବର ରୂପ ନେଉଛି। ଯେତେବେଳେ ଏମିତି କାର୍ଯ୍ୟ ହୁଏ, ସେତେବେଳେ ଲୋକେ କହନ୍ତି, ଯେଉଁଠି ଅନ୍ୟମାନଙ୍କଠାରୁ ପାଇବାର ସବୁ ଆଶା ମଉଳି ଯାଏ, ସେଇଠାରୁ ମୋଦିଙ୍କ ଗ୍ୟାରେଣ୍ଟି ଆରମ୍ଭ ହୋଇଥାଏ।

‘ମୋଦିଙ୍କ ଗ୍ୟାରେଣ୍ଟି ସମାବେଶ’ରେ ଲୋକଙ୍କ ଭିଡ଼ ଦେଖି ମୋଦି କହିଥିଲେ, ଏତେ ବିଶାଳ ସଂଖ୍ୟା ମୁଡ୍‌ କ’ଣ ଜଣାଇ ଦେଉଛି। ଓଡ଼ିଶାର ସଂକଳ୍ପ କ’ଣ ତାହା ସ୍ପଷ୍ଟ ଭାବେ ଜଣାପଡୁଛି। ଅବ୍‌କି ବାର୍‌ ଚାର୍‌ଶୋ ପାର୍‌ ସଂକଳ୍ପ ସ୍ପଷ୍ଟ ହେଉଛି। ଓଡ଼ିଶାରେ ଅଧିକରୁ ଅଧିକ ପଦ୍ମ ଫୁଟୁ ବୋଲି ଆଶା ଅଛି ବୋଲି ସେ କହିଥିଲେ।  

‘ମୋଦିଙ୍କ ଗ୍ୟାରେଣ୍ଟି ସମାବେଶ’ରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ମନମୋହନ ସାମିଲ, ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପଲ ସିଂହ ତୋମାର ଓ ସହ ନିର୍ବାଚନ ପ୍ରଭାରୀ ଲତା ଉସେଣ୍ଡି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସାଂସଦ ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ।

Bjp Congress PM Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe