Advertisment

ମା ଓ ଝିଅମାନେ ଆଘାତ ପାଇଛନ୍ତି: କଂଗ୍ରେସ ଓ ଇଣ୍ଡିଆ ମେଣ୍ଟକୁ ଧୋଇଲେ ମୋଦି

ଝାରଖଣ୍ଡରେ ଆୟୋଜିତ ଏକ ନିର୍ବାଚନ ରାଲିରେ ମୋଦି କହିଛନ୍ତି ଯେ “ବିରୋଧୀ ଜଣେ ମହିଳା ନେତ୍ରୀଙ୍କ ପ୍ରତି ଅତ୍ୟନ୍ତ ଅଭଦ୍ର ଟିପ୍ପଣୀ କରିଛନ୍ତି।”

author-image
Hemant Lenka
PM Modi

PM Modi

ଶିବସେନା(ୟୁବିଟି) ନେତା ଅରବିନ୍ଦ ସାୱନ୍ତଙ୍କ ବିବାଦୀୟ ବୟାନକୁ ଆଜି ପ୍ରସଙ୍ଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ଇଣ୍ଡିଆ ଉପରେ ବର୍ଷିଛନ୍ତି। ନଭେମ୍ବର ୨୦ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗ ଦେଇଥିବା ବିଜେପି ନେତ୍ରୀ ଶାଇନା ଏନସିଙ୍କ ପ୍ରତି ସାୱନ୍ତ ଅରୁଚିକର ବୟାନ ଦେଇଥିଲେ। ଏ ପ୍ରସଙ୍ଗରେ ଇଣ୍ଡିଆ ମେଣ୍ଟର ନେତାମାନେ ନୀରବତା ଅବଲମ୍ବନ କରିଥିବାରୁ ମୋଦି ସେମାନଙ୍କୁ ଟାର୍ଗେଟ କରିଛନ୍ତି।

Advertisment

ଝାରଖଣ୍ଡରେ ଆୟୋଜିତ ଏକ ନିର୍ବାଚନ ରାଲିରେ ମୋଦି କହିଛନ୍ତି ଯେ “ବିରୋଧୀ ଜଣେ ମହିଳା ନେତ୍ରୀଙ୍କ ପ୍ରତି ଅତ୍ୟନ୍ତ ଅଭଦ୍ର ଟିପ୍ପଣୀ କରିଛନ୍ତି।” ମହାରାଷ୍ଟ୍ର ଭଳି ଝାରଖଣ୍ଡରେ ମଧ୍ୟ ବିଧାନସଭା ନିର୍ବାଚନ ପ୍ରାୟ ଗୋଟିଏ ସମୟରେ ହେବାକୁ ଯାଉଛି। ଏଠାରେ ନିଜ ଦଳ ବିଜେପି ପାଇଁ ମୋଦି ଜୋରଦାର ପ୍ରଚାର କରିଛନ୍ତି।

ସେ କହିଛନ୍ତି, “ମା ଓ ଝିଅମାନେ ଏବେ ଆଘାତ ପାଇଛନ୍ତି ଓ ଲୋକମାନେ ସେମାନଙ୍କୁ ଉଚିତ ଶିକ୍ଷା ଦେବେ।” କଂଗ୍ରେସ ସୀତା ସୋରେନଙ୍କୁ ଅପମାନିତ ଓ ହଇରାଣ କରିଥିବା ମଧ୍ୟ ମୋଦି ଅଭିଯୋଗ କରିଛନ୍ତି।

Advertisment

ସୀତା ସୋରେନ ହେଉଛନ୍ତି କଂଗ୍ରେସ ସହଯୋଗୀ ଜେଏମଏମର ମୁଖ୍ୟ ତଥା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ। ସେ ଝାରଖଣ୍ଡରେ ବିଜେପି ଟିକେଟରେ ଏଥର ନିର୍ବାଚନ ଲଢ଼ୁଛନ୍ତି। ତେଣୁ ମୋଦି ତାଙ୍କ ପାଇଁ ଭୋଟ ମାଗି ଉଭୟ କଂଗ୍ରେସ ଓ ଜେଏମଏମକୁ ଟାର୍ଗେଟ କରିଛନ୍ତି। ନିକଟରେ କଂଗ୍ରେସ ନେତା ଇରଫାନ ଅନସାରୀ ବିଜେପି ପ୍ରାର୍ଥୀ ସୀତା ସୋରେନଙ୍କୁ ଟାର୍ଗେଟ କରିଥିଲେ।

ମୋଦି କହିଛନ୍ତି, “ସେମାନେ ଆମ ସୀତା ସୋରେନଙ୍କ ସହ ଯାହା ସବୁ କରିଛନ୍ତି, ସେସବୁ ଆମେ ଦେଖିଛୁ। କଂଗ୍ରେସର ଜଣେ ନେତା ଭଉଣୀ ସୀତା ସୋରେନଙ୍କ ସମ୍ପର୍କରେ ଯେଉଁ ବୟାନ ଦେଇଛନ୍ତି, ତାହା ସମସ୍ତ ଆଦିବାସୀ, ମା’ ଓ ଝିଅମାନଙ୍କ ପ୍ରତି ଅପମାନ। ସେହିପରି ମହାରାଷ୍ଟ୍ରରେ ମଧ୍ୟ ନିର୍ବାଚନ ଲଢ଼ୁଥିବା ଜଣେ ଭଉଣୀଙ୍କ ପ୍ରତି ସେମାନେ ଯେଉଁ ଭଳି ଅଭଦ୍ର ଭାଷା ପ୍ରୟୋଗ କରିଥିଲେ, ସେକଥା ମଧ୍ୟ ସମସ୍ତେ ଦେଖିଛନ୍ତି।

ଏପରି ଭାଷା ପ୍ରୟୋଗ କରିବା ସେମାନଙ୍କ ଅଭ୍ୟାସ। ହେଲେ ଏଠାରେ ଥିବା ମୁଖ୍ୟମନ୍ତ୍ରୀ ଏପରି ବୟାନ ବିରୋଧରେ ପଦୁଟିଏ ମଧ୍ୟ କହିଲେ ନାହିଁ। ଏହା ହେଉଛି ଜେଏମଏମର ଅସଲ ଚେହେରା। କ୍ଷମତା ଲୋଭରେ ଜେଏମଏମ ଆଦିବାସୀ ମହିଳାଙ୍କ ଅପମାନ ମଧ୍ୟ ସ୍ୱୀକାର କରି ନେଉଛି।

କଂଗ୍ରେସ ଠାରୁ ଦେଶକୁ କୌଣସି ଆଶା ହିଁ ନାହିଁ। ମହାରାଷ୍ଟ୍ରରେ ମଧ୍ୟ ମହିଳା ନେତ୍ରୀଙ୍କ ପ୍ରତି କଂଗ୍ରେସର ସାଥୀମାନେ ଯେଉଁ ଭଳି କଥା ସବୁ କହୁଛନ୍ତି, ତା’କୁ ପୂରା ଦେଶ ଦେଖିଛି। ମା’ ଓ ଝିଅମାନେ ପୂରେ ଚମକି ପଡ଼ିଛନ୍ତି। ଦେଶର ମା’ ଓ ଝିଅମାନଙ୍କ ପ୍ରତି କଂଗ୍ରେସ ଏବଂ ତା’ର ସାଥୀମାନେ ଏପରି ଭାଷା ପ୍ରୟୋଗ କରୁଛନ୍ତି କଥା ଭାବି ସେମାନେ ପୂରା ସ୍ତବ୍ଧ। ଏଥିପାଇଁ ମହାରାଷ୍ଟ୍ରର ଲୋକମାନେ କଂଗ୍ରେସ ଓ ତା’ର ସାଥୀମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବାକୁ ଅପେକ୍ଷା କରି ରହିଛନ୍ତି।”

PM Modi Jharkhand Maharashtra Politics