Advertisment

୨୪ ଘଣ୍ଟା ପରେ ବି ଏତଲା ରୁଜୁ କରୁନି ପୁଲିସ, ବର୍ଷିଲା ବିଜେପି

ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ୍ ଆଚାର୍ଯ୍ୟଙ୍କ ସମେତ ୨୨ଜଣଙ୍କ ଯୁବ କର୍ମକର୍ତ୍ତାଙ୍କୁ ପୁଲିସ ଅଟକ ରଖି ୩୦୭ ଭଳି ସଙ୍ଗୀନ ଦଫା ଲଗାଇ ରାତି ୩ଟାରେ କୋର୍ଟ ଫରୱାର୍ଡ କରି ଜେଲ୍ ପଠାଇଛି ।

author-image
Ordigital Desk
Samir Mohanty

Samir Mohanty

ବିଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ପୁଲିସ ଅମାନବୀୟ ଢଙ୍ଗରେ ମାଡ଼ ମାରିବାକୁ ନେଇ କ୍ୟାପିଟାଲ ଥାନାରେ ଏତଲା ଦେବା ସତ୍ତ୍ୱେ ତାହା ୨୪ଘଣ୍ଟା ପରେ ବି ରୁଜୁ ନହେବାକୁ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗତକାଲି ବିଜେପି ଯୁବମୋର୍ଚ୍ଚା କର୍ମୀ ଓ କର୍ମକର୍ତ୍ତାଙ୍କ ଉପରେ ପୁଲିସର ଆକ୍ରମଣ, ଆକ୍ରୋଶ ମୂଳକ ଗିରଫ ଓ ସଙ୍ଗୀନ ମାମଲାରେ ଜେଲ ପଠାଇବାକୁ ନେଇ ଆଜି ବିଜେପି ପକ୍ଷରୁ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରାଯିବା ସହ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ହୋଇଛି । ଗୋଟିଏ ଜାତୀୟ ଦଳର ଅଭିଯୋଗକୁ ପୁଲିସ ଗ୍ରହଣ କରୁନଥିବାବେଳେ ସାଧାରଣ ଲୋକଙ୍କ ସ୍ଥିତି କ’ଣ ତାହା ସହଜେ ଅନୁମେୟ ବୋଲି ବିଜେପି କହିଛି ।

Advertisment

ବିଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତାଙ୍କ ଉପରେ ପୁଲିସର ଅମାନବୀୟ ଆକ୍ରମଣ ଓ ମିଛ ଦଫାରେ ଜେଲ ପଠାଇବା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଗାଦିରୁ ଓହରି ଯାଆନ୍ତୁ ବୋଲି ଦାବି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପାଇଁ ରାଜ୍ୟରେ ଅରାଜକତା ଓ ଭୟର ବାତାବରଣ ସୃଷ୍ଟି ହୋଇଛି ବୋଲି ବିଜେପି ଅଭିଯୋଗ କରିବା ସହ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ ସହ ବିକ୍ଷୋଭ ପ୍ରଦର୍ଶନ କରିଛି ।

ପୂର୍ବାହ୍ନରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ କରି ଗତକାଲି ବିଜେପି ଯୁବମୋର୍ଚ୍ଚର ଆନ୍ଦୋଳନରେ ହିଂସା ଭିଆଇବା ପାଇଁ ବିଜେଡି ଷଡ଼ଯନ୍ତ୍ର କରିଥିଲା ବୋଲି ଅଭିଯୋଗ କରିଛନ୍ତି । ଗଣମାଧ୍ୟମରେ ଗତକାଲିର ଆନ୍ଦୋଳନ ଭିଡ଼ିଓ ପ୍ରସାରଣ ହେଉଛି । ସେଥିରେ ଧଳା ସାର୍ଟ ପିନ୍ଧି କିଛି ଯୁବକ ମିଳିତ ଭାବେ ଆକ୍ରମଣ କରୁଥିଲେ । ସେ ଧଳା ସାର୍ଟ ପିନ୍ଧା ଯୁବକମାନେ କିଏ । ସେମାନେ ବିଜେଡିର ଗୁଣ୍ଡା ନୁହଁନ୍ତି ତ? ବିଜେଡି ଗୁଣ୍ଡାମାନେ ପ୍ରଥମେ ପୁଲିସ ଉପରକୁ ପଥର ଫିଙ୍ଗିଲେ ଓ ପୁଲିସ ଲାଠି ଚାର୍ଜ କଲା । ଏହାପରେ ବିଜେଡି ଗୁଣ୍ଡାମାନେ ପୁଣି ବିଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ଆକ୍ରମଣ କଲେ । ଗତକାଲି କ୍ୟାପିଟାଲ ଥାନାରେ ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାନେତ୍ରୀ ଅର୍ପିତା ବଡ଼ଜେନାଙ୍କ ନେତୃତ୍ୱରେ ଏକ ଏଫଆଇଆର ଦିଆଗଲା । କିନ୍ତୁ ତାହା ପଞ୍ଜିକୃତ ହେଲାନି ।

Advertisment

ସେହିପରି ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଅପରାହ୍ନରେ ଝାରପଡ଼ା ଜେଲ ଯାଇ ଯୁବମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ଭେଟିବା ପରେ କହିଛନ୍ତି ଯେ, ମିଛ କେସ୍ କରି କିଭଳି ନିର୍ଦ୍ଦୋଷ ବ୍ୟକ୍ତିମାନଙ୍କୁ ଫସାଇ ଜେଲରେ ଭର୍ତ୍ତି କରାଯାଇପାରେ, ତାହା ବିଜେଡି ସରକାର ଭଲଭାବେ ଜାଣନ୍ତି । ଗିରଫ ହୋଇ ଜେଲରେ ଥିବା ନିର୍ଦ୍ଦୋଷ ଯୁବମୋର୍ଚ୍ଚା କର୍ମକର୍ତ୍ତାମାନଙ୍କୁ ସମସ୍ତ ଆଇନଗତ ସହାୟତା ଦଳ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ୍ ଆଚାର୍ଯ୍ୟଙ୍କ ସମେତ ୨୨ଜଣଙ୍କ ଯୁବ କର୍ମକର୍ତ୍ତାଙ୍କୁ ପୁଲିସ ଅଟକ ରଖି ୩୦୭ ଭଳି ସଙ୍ଗୀନ ଦଫା ଲଗାଇ ରାତି ୩ଟାରେ କୋର୍ଟ ଫରୱାର୍ଡ କରି ଜେଲ୍ ପଠାଇଛି । ୨୪ଘଣ୍ଟା ପରେ ବି ବିଜେପିର ଏଫଆଇଆରକୁ ପୁଲିସ ରୁଜୁ ନକରିବା ଅତ୍ୟନ୍ତ ଚିନ୍ତାର ବିଷୟ । ଏହା ସୁସ୍ଥ ଗଣତନ୍ତ୍ର ପ୍ରତି ସମ୍ପୂର୍ଣ୍ଣ ବିପଦ ଓ ଏଠି ଆଇନର ଶାସନ ଚାଲୁନାହିଁ ବରଂ ଶାସକ ଦଳ ଇଙ୍ଗିତରେ ଓଡ଼ିଶା ପୁଲିସ କାର୍ଯ୍ୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପୁଲିସର ଏଭଳି ପକ୍ଷପାତିତା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଗତକାଲି ଯୁବମୋର୍ଚ୍ଚା ଆନ୍ଦୋଳନବେଳେ ହିଂସାକାଣ୍ଡକୁ ନେଇ ଉଭୟ ବିଜେଡି ଓ ବିଜେପି ଆଜି ମୁହାଁମୁହିଁ ହୋଇଥିବାବେଳେ ପୁଲିସର ଅମାନବୀୟ ଆକ୍ରମଣକୁ ନେଇ ବିଜେପି ନେତାମାନେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମେତ ବରିଷ୍ଠ ନେତାମାନେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ପୁଲିସର କାର୍ଯ୍ୟାନୁଷ୍ଠାନକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ।

BjD Bjp State Bjp Sameer Mohanty