Assembly
ବିଧାନସଭାରେ ଆଜି ‘ପୋଲାଭରମ ପ୍ରକଳ୍ପ’କୁ ନେଇ ବିରୋଧୀ ଓ ଶାସକ ସଭ୍ୟ ମୁହାଁମୁହିଁ ହୋଇଛନ୍ତି । ବିରୋଧୀ କଂଗ୍ରେସ ସହ ସ୍ୱର ମିଳାଇ ବିଜେଡି ଆଜି ଗୃହରେ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ମୁଲତବୀ ଆଲୋଚନା ଦାବି କରି ଗୃହରେ ହଟ୍ଟଗୋଳ କରିବାରୁ ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ପୋଲାଭରମ ପ୍ରକଳ୍ପକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁହଁ ଖୋଲିବା ପରେ ଶାସକ ବିଜେଡି ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି । ବିଜେପି ନେତା ତଥା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସିଧାସଳଖ ନବୀନଙ୍କ ନାଁ ନନେଇ ଚେତାବନୀ ଦେଇଛନ୍ତି । ଆଉ ୨୪ବର୍ଷର ଇତିହାସ ଖୋଇିଦେଲେ କିଏ କେଉଁଠି କେମିତି ଲଢ଼େଇ କରୁଥିଲେ ତାହା ପଦାକୁ ଆସିଯିବ । କିଛି ଲୋକ ରାଜନୀତିରୁ ସନ୍ୟାସ ନେଇଯିବେ ନଚେତ୍ କାହାକୁ ମୁହଁ ଦେଖାଇ ପାରିବେନି ବୋଲି ସେ ଶାଣିତ ଭାଷାରେ ସମାଲୋଚନା କରିଛନ୍ତି ।
ପୋଲାଭରମ ପ୍ରକଳ୍ପ ସମ୍ପର୍କିତ ମୁଲତବୀ ଆଲୋଚନା ପ୍ରସ୍ତାବ ଅଗ୍ରାହ୍ୟ ହେବାକୁ ନେଇ କଂଗ୍ରେସ ସଦସ୍ୟମାନେ ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବିଜେଡି ସଦସ୍ୟମାନେ ଏହି ପ୍ରସଙ୍ଗରେ ସେମାନଙ୍କ ସହିତ ସ୍ୱର ମିଶାଇଥିଲା । ଯେଉଁଥିପାଇଁ ଗୃହକାର୍ଯ୍ୟ ପ୍ରଭାବିତ ହୋଇଥିଲା । ଗୃହ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ, ବିଜେଡି ଆଗରୁ ରାଜ୍ୟର ସ୍ୱାର୍ଥ ପାଇଁ ଲଢ଼େଇ କରୁଥିଲା । ଆଉ ଆଗକୁ ମଧ୍ୟ ଲଢ଼େଇ ଜାରି ରହିବ । ତେବେ ପୋଲାଭରମ ପ୍ରସଙ୍ଗରେ ନବୀନଙ୍କ ଏହି ବୟାନ ଉପରେ କଡ଼ା ପ୍ରତିକ୍ରିୟା ଦେଇ ବିଜେପି ।
ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶାଣିତ ଭାଷାରେ ନବୀନଙ୍କୁ ନାଁ ନନେଇ କଟାକ୍ଷ କରିଛନ୍ତି । ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, କିଏ କେତେ ବାଟ ଲଢ଼େଇ କରୁଥିଲା କି କ’ଣ କରୁଥିଲା, ୨୪ବର୍ଷର ଇତିହାସ ଦେଖିଲେ ଜଣାପଡ଼ୁଛି । ଏହି ଇତିହାସ ବହୁତ ଲମ୍ବା ଅଛି । ତେଣୁ ଲଢ଼େଇ କେଉଁଠି, କେମିତି କରୁଥିଲେ, ସେକଥା ଯଦି ଖୋଲି ଦିଆଯାଏ ତା’ହେଲେ କିଛି ଲୋକ ରାଜନୀତିରୁ ସନ୍ୟାସ ନେଇଯିବେ ନହେଲେ କାହାକୁ ମୁହଁ ଦେଖାଇ ପାରିବେ ନାହିଁ । ଓଡ଼ିଶାବାସୀଙ୍କ ସ୍ୱାର୍ଥ ଲାଗି ବିଜେପି ଲଢ଼େଇ କରିବା ପାଇଁ ସର୍ବଦା ଆଗକୁ ଆସିଛି । ମୋହନ ମାଝୀଙ୍କ ନେତୃତ୍ୱଧୀନ ସରକାର ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରତିବଦ୍ଧ । ଆଗକୁ ଓଡ଼ିଶାର ସ୍ୱାର୍ଥ ପାଇଁ ଯାହା ଆବଶ୍ୟକତା ଅଛି, ବିଜେପି ସରକାର ନିଶ୍ଚିତ କରିବ । ଏହାର ସ୍ପଷ୍ଟତା ଆମେ ଦେଉଛୁ । କିନ୍ତୁ ୨୪ବର୍ଷର ଇତିହାସ ଯଦି ଅନୁଶୀଳନ କରାଯାଏ ତେବେ ପୂର୍ବ ବିଜେଡି ସରକାର କ’ଣ ଲଢ଼େଇ କରୁଥିଲେ, ଓଡ଼ିଶାର କେତେ ସ୍ୱାର୍ଥ ସୁରକ୍ଷା କରିଛନ୍ତି, ତାହାର ଏକ ନଗ୍ନ ଚିତ୍ର ଓଡ଼ିଶା ଲୋକଙ୍କ ଆଗରେ ରହିଛି ବୋଲି ଶ୍ରୀ ହରିଚନ୍ଦନ କହିଥିଲେ ।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଅଭିଯୋଗ କରିଛନ୍ତି ଯେ, ଗୋଦାବରୀ ନଦୀରେ ବିବାଦୀୟ ପୋଲାଭରମ୍ ଡ୍ୟାମ୍ ନିର୍ମାଣ କାର୍ଯ୍ୟରେ ଡବଲ ଇଞ୍ଜିନର ବିଜେପି ସରକାର ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରୁଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ବହୁ ଅଂଚଳ ବୁଡ଼ିଯିବ । କିନ୍ତୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ନିରବ ରହିଛନ୍ତି । କେନ୍ଦ୍ର ସରକାର ମଧ୍ୟ ଆନ୍ଧ୍ରପ୍ରଦେଶକୁ ଅହେତକୁ ଅନୁକମ୍ପା ଦେଖାଇବା ସହ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବ୍ୟାପକ ଆର୍ଥିକ ସହାୟତା ଦେଉଛନ୍ତି ବୋଲି ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଆଜି ବିଧାନସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ସେମାନଙ୍କ ମୁଲତବୀ ପ୍ରସ୍ତାବ ଆଲୋଚନାକୁ ବାଚସ୍ପତି ସୁରମା ପାଢ଼ୀ ଖାରଜ କରିବାକୁ ଜୋରଦାର ଢଙ୍ଗରେ ବିରୋଧ କରିଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନିଜ ଆସନରେ ଛିଡ଼ା ହୋଇ ଗୃହକୁ ଅର୍ଡରକୁ ଆଣିବା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ମଧ୍ୟ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ ଜାରି ରଖିବାରୁ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ପରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ଘୋଷଣା କରିଥିଲେ ଯେ, ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗ କୋର୍ଟଙ୍କ ବିଚାରାଧୀନ ଥିବାରୁ ବିଧାନସଭାର ବିଧି ବ୍ୟବସ୍ଥା ଅନୁସାରେ କଂଗ୍ରେସ ଏହା ଉପରେ ଦେଇଥିବା ମୁଲତବୀ ପ୍ରସ୍ତାବ ଅଗ୍ରାହ୍ୟ ହୋଇଛି । ଗତକାଲି କଂଗ୍ରେସ ପକ୍ଷରୁ ଏହି ମୁଲତବୀ ନୋଟିସ୍ ଦିଆଯିବା ପରେ ତାକୁ ବିଭାଗୀୟ ମନ୍ତ୍ରୀଙ୍କ ନିକଟକୁ ପଠାଯାଇଥିଲା । କିନ୍ତୁ ଘଟଣା କୋର୍ଟରେ ବିଚାରାଧୀନ ଥିବାରୁ ବିଧାନସଭାର ବିଧି ବ୍ୟବସ୍ଥା ଅନୁସାରେ ବିଚାରାଧୀନ ପ୍ରସଙ୍ଗ ଗୃହରେ ଆଲୋଚନା ହୋଇପାରିବ ନାହିଁ । ତେଣୁ ପୋଲାଭରମ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନାକୁ ଅଗ୍ରାହ୍ୟ କରାଗଲା ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ ଘୋଷଣା କରଇଥିଲେ ।
ମାତ୍ର ଗୃହରେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ପୁଣିଥରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।
ସୂଚନାଯୋଗ୍ୟ, ବିଜେଡି ନିଜର ପ୍ରତିନିଧି ଦଳକୁ ଦିଲ୍ଲୀ ପଠାଇ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ କେନ୍ଦ୍ରୀୟ ଜଳ ଆୟୋଗଙ୍କୁ ଭେଟି ଡ୍ୟାମ ପ୍ରକଳ୍ପର ଡିଜାଇନରେ ସଂଶୋଧନ ଦାବି କରିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Assembly_1733488014.jpg)