Advertisment

ଡକାୟତି ମାମଲାରେ ଜେଲ୍‌ ଗଲେ ବିଜେଡି ନେତା

ବଣିଆ ଗାଁରେ ଥିବା ‘ମା’ ଭଣ୍ଡାରଘରଣୀ କାଜୁ ମିଲ୍‌’ରେ ଡକାୟତି କରିବା ପାଇଁ ଯୋଜନା ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇଁ ଟାଉନ୍‌ ଥାନା ପୁଲିସର ଏକ ଟିମ୍‌ ଅଚାନକ ଚଢ଼ଉ କରି ୯ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
BJD

BJD

ନବରଙ୍ଗପୁର ଉପ କାରାଗାରେ ବନ୍ଦୀ ଜୀବନ କାଟୁଛି ବାବୁନି ନାୟକ। ସେ କିଏ? ମିଳିଥିବା ସୂଚନା ଅନୁସାରେ ସେ ହେଉଛି ନବରଙ୍ଗପୁର ଜିଲ୍ଲା ବିଜେଡି ଯୁବ ସାଧାରଣ ସମ୍ପାଦକ। ଡକାୟତି, ହତ୍ୟା ଉଦ୍ୟମ ଓ ବଟି ମାଗିବା ମାମଲାରେ ଗିରଫ ହୋଇ ଜେଲ୍‌ରେ ଯାଇଛି। ଗତ ୮ ତାରିଖରେ ନବରଙ୍ଗପୁର ପୁଲସ୍‌, ବାବୁନି ନାୟକ ଓ ତା’ର ୬ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଏହି ପ୍ରସଙ୍ଗରେ ବିଜେଡିକୁ ଆକ୍ରମଣ କରିଛି ଜିଲ୍ଲା ବିଜେପି। ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ ଛତ୍ରଛାୟା ତଳେ ବାବୁନି ଅପରାଧିକ ସାମ୍ରାଜ୍ୟ ବିସ୍ତାର କରି ବିଜେଡିକୁ ଫଣ୍ଡିଂ କରୁଥିବା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀ ଅଭିଯୋଗ କରିଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ ଗତ ୭ ତାରିଖ ବିଳମ୍ବିତ ରାତିରେ ବଣିଆ ଗାଁରେ ଥିବା ‘ମା’ ଭଣ୍ଡାରଘରଣୀ କାଜୁ ମିଲ୍‌’ରେ ଡକାୟତି କରିବା ପାଇଁ ଯୋଜନା ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ଟାଉନ୍‌ ଥାନା ପୁଲିସର ଏକ ଟିମ୍‌ ଅଚାନକ ଚଢ଼ଉ କରି ୯ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କଠାରୁ ପୁଲିସ୍‌ ଗୋଟିଏ ଖଣ୍ଡା, ଗୋଟିଏ ଛୁରି, ୨ଟି ଲୁହାରଡ୍‌, ନଗଦ ୭୦୦ ଟଙ୍କା ଓ ୭ଟି ମୋବାଇଲ ଫୋନ ଜବତ କରିଥିଲା। ଅଭିଯୁକ୍ତମାନେ ହେଲେ ନିଶନାହାଣ୍ଡି ଗାଁର ତୁଲାରାମ ହରିଜନ, ରାଜେଶ ହରିଜନ, ବି.ମାଳିଗୁଡା ଗ୍ରାମର ଘାସି ରାମ ହରିଜନ, ପଠାନଗୁଡାର ଅରୁଣ ହରିଜନ, ଖାତିଗୁଡାର ବାବୁନି ନାୟକ, କୋଇଗୁଡାର ହରିରାମ ହରିଜନ, ବଡ଼ଡାଇଭଟ୍ଟାର ଆଡବିନ ଡଙ୍ଗରି ଓ ଭତରାସିଉଁନିର ରାମ ହରିଜନ। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ୯ ଜଣଙ୍କ ନାଁରେ ଜିଲ୍ଲା ସହ ପଡୋଶୀ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର କିଛି ଥାନାରେ ବହୁ ଅପରାଧୀକ ମାମଲା ରହିଥିଲା। ଗିରଫ ଅଭିଯୁକ୍ତମାନେ ବ୍ୟବସାୟୀ, ଠିକାଦାର, କାଜୁ ବ୍ୟବସାୟୀଙ୍କୁ ଧମକଚମକ ଦେଇ ବଟି ଆଦାୟ କରୁଥିଲେ।

ବାବୁନି ନାୟକ ଗିରଫ ପରି ନବରଙ୍ଗପୁର ଜିଲ୍ଲାରେ ଆକ୍ଟିଭ୍‌ ହୋଇଛି ବିଜେପି। ବିଧାୟକ ସଦାଶିବ ପ୍ରଧାନୀଙ୍କୁ ନିଜ ଗାଡିର ପଛରେ ବସାଇ ନିର୍ବାଚନମଣ୍ଡଳୀରେ ବାବୁନି ବୁଲାଉଥିବାର ଫଟୋ ବିଜେପି ନେତା ଗୌରୀଶଙ୍କର ମାଝୀ ଟାର୍ଗେଟ କରିଥିଲେ। ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ମାଝି କହିଛନ୍ତି, ବିଧାୟକଙ୍କ ଛତ୍ର ଛାୟାରେ ରହି ବିଭିନ୍ନ ବିଲ୍‌ଡର ଓ ଠିକାଦାରଙ୍କଠାରୁ ବଟି ଆଦାୟ କରି ବିଜେଡି ପାଇଁ ପାଣ୍ଠି ସଂଗ୍ରହ କରୁଥିଲା ବାବୁନି। ବିଧାୟକଙ୍କ ବ୍ୟତୀତ ଜିଲ୍ଲା ବିଜେଡିର ଅନେକ ଆଗ ଧାଡ଼ିର ନେତାଙ୍କ ସହ ତାଙ୍କର ସମ୍ପର୍କ ରହିଛି। ତେଣୁ ପୁଲିସ୍‌ ବିଧାୟକଙ୍କୁ ତଦନ୍ତ ପରିସରକୁ ଆଣୁ ବୋଲି ବିଜେପି ଦାବି କରିଛି।

Advertisment

ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଷୋୟୀ

BjD Bjd Leader Nabarangpur