Advertisment

ଗାଳିଗୁଲଜ କଲେ ବିଧାୟକ; ଥାନାରେ ଏତଲା ଦେଲେ ପୂର୍ବତନ ବିଜେଡି ମହିଳା ନେତ୍ରୀ

ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
BJD MLA

BJD MLA

ଗାଁ ସଭାରେ ପୂର୍ବତନ ବିଜେଡ଼ି ମହିଳା ନେତ୍ରୀ କାଞ୍ଚନ ସ୍ଵାଇଁଙ୍କୁ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଅସମ୍ମାନ କରିଥିବା ନେଇ କୁଜଙ୍ଗ ଥାନାରେ ଏତଲା ଦିଆଯାଇଛି। ସମ୍ପୃକ୍ତ ମହିଳା ଗତକାଲି ବିଧାୟକଙ୍କ ନାଁରେ କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି। ଗତ ଶୁକ୍ରବାର ଦିନ ପୂର୍ବତନ ବିଜେଡ଼ି ମହିଳା ସଭାନେତ୍ରୀଙ୍କୁ ପାରାଦୀପ ବିଧାୟକ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।

Advertisment

ପୂର୍ବତନ ବିଜେଡ଼ି ମହିଳା ନେତ୍ରୀ ନିଜ ଏତଲା କପିରେ ଉଲ୍ଲେଖ କରିଛନ୍ତି ଯେ, ପାରାଦୀପ ବିଧାୟକ ତାଙ୍କ ସମର୍ଥକମାନଙ୍କ ସହିତ ଆମ ବାଗେଇ ଗ୍ରାମରେ ଥିବା ବନ ବିହାରୀ ମଠକୁ ଆସି ମଠ ବିଷୟରେ ଆଲୋଚନା କରୁଥିଲେ। ଏହି ଖବର ପାଇଁ ମୁଁ ସେହି ଗ୍ରାମର ବାସିନ୍ଦା ଓ ମଠର ସେବିକା ହିସାବରେ ସେଠାରେ ପହଞ୍ଚି ବିଧାୟଙ୍କୁ କେତେକ ପ୍ରଶ୍ନ କରିଥିଲି। ଆମ ମଠରେ ବର୍ଷକୁ ଅନେକ ଗୁଡ଼ିଏ ପର୍ବପର୍ବାଣି ପାଳିତ ହୁଏ ଓ ଠାକୁରଙ୍କର ଦୈନିକ ନୀତିକାନ୍ତି ଅତି ନିଷ୍ଠା ଓ ନିୟମର ସହିତ ନିର୍ବାହ କରାଯାଏ। ବିଧାୟକଙ୍କ କେବେ କୌଣସି ସମୟରେ ଦେଖା ମିଳେ ନାହିଁ, କିନ୍ତୁ ଅଚାନକ ଆସି ମଠ ବିଷୟରେ କାହିଁକି ହସ୍ତକ୍ଷେପ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲି? ମୋ କଥା ଶୁଣି ବିଧାୟକ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ। ମୋ ପ୍ରତି ଖରାପ ବ୍ୟବହାର କରିଥିଲେ। ସେ କହିଥିଲେ, ଏହି ମଠ କ’ଣ ତୋ ବାପା ସମ୍ପତ୍ତି। ହେଇବେ ତୁ କେତେ ଟଙ୍କା ମଠକୁ ଦେଇଛୁ? ତୋ ବୋପା ଜାଗା ଏଇଟା? ଏହିପରି ଭାବରେ ମୋତେ ସର୍ବସାଧାରଣରେ ବିଧାୟକ ଅପମାନିତ କରିଥିଲେ।

ନାଗରିକ ହିସାବରେ ବିଧାୟକଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟକୁ ବିରୋଧ କରିବାର ଅଧିକାର ମୋ ରହିଛି। କିନ୍ତୁ ଜଣେ ଜନପ୍ରତିନଧି ହୋଇ ଧମକାଇବା ଓ ମୋ ପରି ଜଣେ ମହିଳାଙ୍କୁ ଅପମାନିତ କରିବା ଓ ବାକ୍‌ ସ୍ୱାଧୀନତା ଦବାଇବାକୁ ଚେଷ୍ଟା କରିବା ଆଇନଗତ ଅପରାଧ। ତେଣୁ ବିଧାୟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୋ ପରି ଜଣେ ମହିଳାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ସେ ଏତଲାରେ ଦର୍ଶାଇଛନ୍ତି।

Advertisment

ଏହି ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କୁଜଙ୍ଗ ଥାନାରେ ଏତଲା ଦିଆଯାଇଛି। ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଏହାସହ ଜଣେ ବ୍ୟକ୍ତି ମଧ୍ୟ ଜାତୀୟ ମାନବାଧିକାର ଆୟୋଗ- NHRCରେ ବିଧାୟୟଙ୍କ ନାଁରେ ଏତଲା ଦେଇଛନ୍ତି। ହେଲେ ଏପର୍ଯ୍ୟନ୍ତ ପୁଲିସ ବିଧାୟକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ।

ଅନ୍ୟପକ୍ଷରେ ବିଧାୟକ ସମ୍ବିତ ରାଉତରାୟ ଏକ ଭିଡିଓ ବାର୍ତ୍ତା ଜରିଆରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସମ୍ପୃକ୍ତ ମହିଳା ମୋତେ କିଛି ଖରାପ ବ୍ୟବହାର କରିନାହାନ୍ତି କି ସେ ମଧ୍ୟ ମହିଳାଙ୍କୁ କିଛି ଖରାପ ବ୍ୟବହାର କରିନାହାନ୍ତି। କିଛି ନିର୍ଦ୍ଦିଷ୍ଟ ଦଳ କାଞ୍ଚନଙ୍କୁ ଶିଖେଇ ଥାନାରେ ଏତଲା ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ସମ୍ବିତ।

BjD Bjd Mla Sambit Routray