ଦୀର୍ଘ ପ୍ରାୟ ଅଢ଼େଇ ଦଶନ୍ଧି ପରେ ବିଜେଡି ନିଜର ‘ରାଜନୀତିକ ବ୍ୟାପାର କମିଟି’ ଗଠନ କରିଛି । ୧୯୯୭ ଡିସେମ୍ବର ୨୬ରେ ନିଜର ଜନ୍ମବେଳେ ଗଠିତ ‘ରାଜନୀତିକ ବ୍ୟାପାର କମିଟି’(ପିଏସି)କୁ ପରବର୍ତ୍ତୀ ସମୟରେ ଉଚ୍ଛେଦ କରିଦେଇଥିବା ବିଜେଡି ପୁଣିଥରେ ଦଳୀୟ ସମ୍ବିଧାନକୁ ଅଣଦେଖା କରି ମନମୁଖୀ ଏହି କମିଟିକୁ ଗଠନ କରିଛି ।ନିଜର କିଛି ଖାସ୍ ଅନୁଗତଙ୍କୁ ଏଥିରେ ଥଇଥାନ କରିବା ସହ ଦୀର୍ଘ ୧୦ମାସ ଧରି ବିଜେଡି ସଂଗଠନ ଓ ଅଫିସ(ଶଙ୍ଖଭବନ) ସମ୍ଭାଳିଥିବା ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କ ସମେତ ବହୁ ପୁରୁଖା ଓ ପ୍ରତିଷ୍ଠାତା ସଦସ୍ୟଙ୍କୁ ପିଏସିରୁ ଦୂରେଇ ରଖାଯାଇଛି ।
ଓଲଟା ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ‘ପଣ୍ଡିତ ଜବାହାରଲାଲ ନେହୁରୁଙ୍କ’ ସହ ତୁଳନା କରିଥିବା ସନ୍ତୃପ୍ତ ମିଶ୍ରଙ୍କୁ ରାଜନୀତିକ ବ୍ୟାପାର କମିଟିରେ ସ୍ଥାନିତ କରି ପୁରସ୍କୃତ କରାଯାଇଛି । ତେବେ ଦଳ ଗଠନବେଳେ ବିଜେଡି ପାଇଁ ଅଶୁଭ ପାଲଟିଥିବା ‘ରାଜନୀତିକ ବ୍ୟାପାର କମିଟି’ ଏବେ ପୁଣିଥରେ ଦଳର ପତନର ଅୟଂଆରମ୍ଭ ଓ ବିଭାଜନର କାରଣ ପାଲଟିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ସମ୍ବିଧାନକୁ ଅଣଦେଖା ରାଜନୀତିକ ବ୍ୟାପାର କମିଟି
ବିଜେଡିର ସଂଶୋଧିତ ସମ୍ବିଧାନର ଧାରା-୨୫ରେ ‘ରାଜନୀତିକ ବ୍ୟାପାର କମିଟି’ (ପିଏସି) ଗଠନର ପ୍ରାବଧାନ ରହିଛି । କମିଟିରେ ଅଧ୍ୟକ୍ଷଙ୍କୁ ମିଶାଇ ସର୍ବାଧିକ ୧୧ଜଣ ସଦସ୍ୟ ରହିପାରିବେ । ରାଜ୍ୟ ସଭାପତି, ବିଧାନସଭାରେ ଦଳର ନେତା ଓ ବିଧାନପରିଷଦରେ ଦଳର ନେତା, ଲୋକସଭାରେ ଦଳର ନେତା ଓ ରାଜ୍ୟସଭାରେ ଦଳର ନେତାଙ୍କ ସମେତ ରାଜ୍ୟ ପରିଷଦରୁ ୬ଜଣଙ୍କୁ ରାଜ୍ୟସଭାପତି ଏହି କମିଟିକୁ ମନୋନୀତ କରିବେ । ଏହି କମିଟି ବିଧାନସଭା ଓ ସଂସଦରେ ଦଳର ନୀତି ଓ କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରିବା ସହ ସଂସଦ,ବିଧାନସଭା, ପୌର ଓ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନକୁ ଚୂଡ଼ାନ୍ତ କରିବେ । କମିଟି ସହମତି ଭିତ୍ତିରେ ନିଷ୍ପତ୍ତି ନେବ । ଯଦି କମିଟିର ସଦସ୍ୟଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଦିଏ ତା’ହେଲେ ‘ବହୁମତ’ ହିଁ ଚୂଡ଼ାନ୍ତ ହେବ ।
ମାତ୍ର ଦଳ ପକ୍ଷରୁ ସୋମବାର ଘୋଷଣା ହୋଇଥିବା ‘ରାଜନୀତିକ ବ୍ୟାପାର କମିଟି’ରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୧୦ଜଣଙ୍କୁ ସାମିଲ କରାଯାଇଛି । ନବୀନ ପଟ୍ଟନାୟକ କମିଟିର ଅଧ୍ୟକ୍ଷ ଥିବାବେଳେ ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ପ୍ରଣବପ୍ରକାଶ ଦାସ, ସୁଦାମ ମାର୍ଣ୍ଡି, ଟୁକୁନି ସାହୁ, ସସ୍ମିତ ପାତ୍ର ଓ ସନ୍ତୃପ୍ତ ମିଶ୍ର ସଦସ୍ୟ ଅଛନ୍ତି ।
ତେବେ ଦଳର ସମ୍ବିଧାନକୁ ଅଣଦେଖା କରି ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କିଭଳି ବେଆଇନ ଢଙ୍ଗରେ ଏତେଜଣ ସଦସ୍ୟଙ୍କୁ ମନୋନୀତ କଲେ ତାକୁ ନେଇ ପ୍ରଶ୍ନ ଉଠିଛି। ନବୀନ ଏହି କମିଟିକୁ ସର୍ବାଧିକ ୬ଜଣଙ୍କୁ ମନୋନୀତ କରିପାରିବେ । ତେଣୁ କମିଟିର ବୈଧତାକୁ ନେଇ ପ୍ରଶ୍ନ ଉଠିଛି । ଅନ୍ୟପକ୍ଷରେ ଦଳର ବରିଷ୍ଠ ଓ ପୁରୁଖା ନେତାମାନଙ୍କୁ ଅଣଦେଖା କରାଯାଇ ଅନୁଗତ ଓ ତୋଷାମଦକାରୀଙ୍କୁ ରାଜନୀତିକ ବ୍ୟାପାର କମିଟିରେ ନବୀନ ସ୍ଥାନ ଦେଇଥିବା ଚର୍ଚ୍ଚା ହେଉଛି ।
ଦେବୀଙ୍କୁ ଶକ୍ତଧକ୍କା, ଅସନ୍ତୋଷ ଓ ବିଦ୍ରୋହର ଆଭାସ
ବିଜେଡି ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଭାବେ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କୁ ଦାୟିତ୍ୱ ମିଳିଥିଲା । ସେ ଦଳର ଆଗଧାଡ଼ିର ନେତାମାନଙ୍କୁ ସାଙ୍ଗରେ ଧରି ସାଂଗଠନିକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ନିଷ୍ପତ୍ତି ନେଉଥିଲେ । କିନ୍ତୁ ଦଳର ରାଜନୀତିକ ବ୍ୟାପାର କମିଟିରେ ତାଙ୍କୁ ସାମିଲ କରାଯାଇନାହିଁ । ଓଲଟା’ ଦଳର କାର୍ଯ୍ୟାଳୟ ‘ଶଙ୍ଖଭବନ’ ଜଗିବା ପାଇଁ ତାଙ୍କୁ ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ପଦରେ ଅବସ୍ଥାପିତ କରାଯାଇଛି । ବିଜେଡିର ଅଘୋଷିତ ସର୍ବେସର୍ବା ପାଣ୍ଡିଆନଙ୍କ ଅନୁଗତ ବବି ଓ ତାଙ୍କ ଖାସ୍ ଅନୁଗତଙ୍କୁ ତୋଷାମଦ କରି ନିଜର ଅସ୍ତିତ୍ୱ ରକ୍ଷା କରିବା ପାଇଁ ଦେବୀଙ୍କ ପ୍ରୟାସକୁ ମଧ୍ୟ ଶକ୍ତଝଟକା ଲାଗିଛି ।
ଯେଉଁ ନେତାମାନଙ୍କୁ ଏବେ କମିଟିରେ ନିଆଯାଇଛି ସେଥିରୁ ପ୍ରାୟତଃ ସମସ୍ତେ ହେଉଛନ୍ତି ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଅନୁଗତ । ଏହି କମିଟିରେ ସଞ୍ଜୟ ଦାସବର୍ମାଙ୍କୁ ସାମିଲ କରି ଦେବୀଙ୍କ ଟିମରେ କାର୍ଯ୍ୟ କରୁଥିବା ଆଗଧାଡ଼ିର ନେତାମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରାଯାଇଛି । ସଞ୍ଜୟଙ୍କୁ ଦଳର ମୁଖ୍ୟାଳୟ ବ୍ୟାପାରରୁ ଦୂରେଇ ରଖିବାକୁ ପ୍ରତାପ ଜେନାଙ୍କୁ ଆଗକୁ ଅଣାଯାଇଛି । କେଉଁ ଆଧାରରେ ପିଏସି ଗଠନ ହୋଇଛି ତାହା ଦଳରେ ଏବେ ବିତର୍କର ବିଷୟ ପାଲଟିଥିବା ବେଳେ ଏହା ବିଜେଡି ବିଭାଜନର ମୂଳଦୁଆ ପକାଇଥିବା ଚର୍ଚ୍ଚା ହେଉଛି ।
ଅଶୁଭ ‘ପିଏସି’ ଓ ଅସମାହିତ ପ୍ରଶ୍ନ
ବିଜେଡି ଗଠନବେଳେ ପିଏସି ଅଧ୍ୟକ୍ଷ ଭାବେ ବିଜୟ ମହାପାତ୍ର କାର୍ଯ୍ୟ କରୁଥିଲେ । ତାଙ୍କ ଟିମରେ ନବୀନଙ୍କ ସମେତ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଏୟୁ ସିଂହଦେଓ, ଦିଲ୍ଲୀପ ରାୟ, ଅମର ପ୍ରସାଦ ଶତପଥୀ, ପଂଚାନନ କାନୁନଗୋଙ୍କ ଭଳି ନେତାମାନେ ସଦସ୍ୟ ରହିଥିଲେ । କିନ୍ତୁ ୨୦୦୦ ସାଧାରଣ ନିର୍ବାଚନରେ ନାଟକୀୟ ଢଙ୍ଗରେ ବିଜୟଙ୍କୁ ଦଳୀୟ ଟିକେଟରୁ ବଂଚିତ କରିବା ସହ ଏହି ‘ପିଏସି’କୁ ଶୀତଳଭଣ୍ଡାରକୁ ପକାଇ ଦେଇଥିଲେ । ଆଉ ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ତତକାଳୀନ ପ୍ରତିଷ୍ଠାତା ସଦସ୍ୟ ପଂଚାନନ କାନୁନଗୋ ଏହି ‘ପିଏସି’ ଉଚ୍ଛେଦ ପାଇଁ ଏକ ପ୍ରସ୍ତାବ ଆଣିଥିଲେ, ଯାହା ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା । ସେତେବେଳେ ‘ପିଏସି’କୁ ଦଳ ପାଇଁ ଅଶୁଭ ଭାବେ ବିବେଚନା କରାଯାଇଥିଲା । ଏବେ ଦଳର ସଂଶୋଧିତ ସମ୍ବିଧାନରେ ପୁଣିଥରେ ‘ପିଏସି’କୁ ସାମିଲ ହୋଇଥିଲା । ସୋମବାର ‘ପିଏସି’ କମିଟି ଘୋଷଣା ପରେ ଏହା ମନଇଚ୍ଛା ଗଠିତ ହୋଇଥିବା ଜଣାପଡ଼ିଛି ।

ତେବେ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ସେବେ ‘ପିଏସି’ର ସଦସ୍ୟ ଥିବା ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ “ ଦଳ ଗଠନବେଳେ ‘ରାଜନୀତିକ ବ୍ୟାପାର କମିଟି’ ଥିଲା । ବିଜୟ ମହାପାତ୍ର ସେବେ ଏହି ‘ପିଏସି) ଅଧ୍ୟକ୍ଷ ଥିଲେ । ରାଜନୀତିକ ବ୍ୟାପାର କମିଟିର ଆକାର ବେଶୀ ବଡ଼ ନଥିଲା । ନବୀନବାବୁ ନିଜେ କମିଟିରେ ସଦସ୍ୟ ମଧ୍ୟ ଥିଲେ । ଦଳ ସରକାରକୁ ଆସିବା ପରେ ଏହି କମିଟିକୁ ଉଚ୍ଛେଦ କରାଗଲା । ମାତ୍ର ଏହି କମିଟିକୁ କାହିଁକି ଓ କେଉଁ ଆଧାରରେ ଉଚ୍ଛେଦ କରାଗଲା ସେ ଅସମାହିତ ପ୍ରଶ୍ନର ଉତ୍ତର ମୁଁ ନିଜେ ବି ଖୋଜୁଛି ।”
ସେହିପରି ପ୍ରତିଷ୍ଠାତା ସଦସ୍ୟ ପଂଚାନନ କାନୁନଗୋ କହିଛନ୍ତି ଯେ, “୧୯୯୮ ମସିହାରେ ଦଳରେ ‘ପିଏସି’ ଗଠନ ହେଲା । ବିଜୟ ମହାପାତ୍ର ପିଏସି ଅଧ୍ୟକ୍ଷ ଭାବେ କାର୍ଯ୍ୟ କଲେ । ମାତ୍ର ୧୯୯୯ ମସିହାରେ ପ୍ରାର୍ଥୀ ଚୟନ ଓ ବିଜୟ ମହାପାତ୍ରଙ୍କୁ ନେଇ ଦଳରେ ଅସନ୍ତୋଷ ଦେଖାଦେଲା । ତାଙ୍କୁ ପଶ୍ଚିମଓଡ଼ିଶାର କିଛି ବରିଷ୍ଠ ନେତା ବିରୋଧ କଲେ । ପିଏସି ଯେଉଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କଲା ତାକୁ ପ୍ରାଚୀ ହୋଟେଲରେ ବସି ନବୀନ ଓ କିଛି ନେତା ପରିବର୍ତ୍ତନ କଲେ । ଯେଉଁଥିପାଇଁ ପିଏସି ଅଧ୍ୟକ୍ଷ ହିଁ ଦଳର ସଭାପତି ରହିବେ ବୋଲି ନିଷ୍ପତ୍ତି ନିଆଗଲା । ତେଣୁ ୨୦୦୦ ମସିହାରେ ଦଳ ସରକାରକୁ ଆସିବା ପରେ ଏକ ପ୍ରସ୍ତାବ ଅଣାଯାଇ ‘ପିଏସି’କୁ ଉଚ୍ଛେଦ କରାଗଲା ବୋଲି ଶ୍ରୀ କାନୁନଗୋ କହିଛନ୍ତି ।”
ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ, ବିଜେଡି ଜନ୍ମବେଳେ ଯେଉଁ ‘ପିଏସି’ ଦଳ ପାଇଁ ଅଶୁଭ ବୋଲି ପ୍ରମାଣିତ ହୋଇଥିଲା ଏବେ ସେହି ‘ପିଏସି’ ହିଁ ଦଳର ବିଭାଜନ ଓ ବିଲୟର କାରଣ ପାଲଟିବ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।