Advertisment

Rajya Sabha Elections: ୫ରେ ନାମାଙ୍କନ ଭରିବେ ବିଜେପିର ୩ ପ୍ରାର୍ଥୀ, ଶିଶୁପାଳ ହେବେ କି ବିଜେଡିର ‘କମନ ପ୍ରାର୍ଥୀ’, କଂଗ୍ରେସରେ ବି ହଟଚମଟ

ଆଜି ମୁଖ୍ୟମନ୍ତ୍ରୀ ଡ଼ାକିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହୋଇଛି। ନାମାଙ୍କନ ପତ୍ରରେ ବିଧାୟକଙ୍କ ଦସ୍ତଖତ ନିଆଯାଇଛି। ୫ତାରିଖରେ ଦଳର ୩ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ। ଦଳର ସବୁ ବିଧାୟକ ଉପସ୍ଥିତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

author-image
Prakaash Sethi
Sudipta and Naveen

ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଛି। ଶାସକ ବିଜେପି ଆଜି ୧୬ସେଟ୍ ଫର୍ମ ନେଇ ୩ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବ ବୋଲି କହି ରାଜ୍ୟସଭା ନିର୍ବାଚନକୁ ରୋଚକମୋଡ଼କୁ ନେଇ ଆସିଛି। ଦଳ ସାମ୍ବାଦିକ ସମ୍ମିଳନୀ କରି ବିଜେଡିର ‘କମନ ପ୍ରାର୍ଥୀ’ ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରିବା ସହ ଆସନ୍ତା ୫ତାରିଖରେ ୩ଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭା ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି କହିଛି। ଏସବୁ ମଧ୍ୟରେ କଂଗ୍ରେସ ସମର୍ଥିତ ବିଜେଡିର କମନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ପ୍ରାର୍ଥୀତ୍ୱ ଅନିଶ୍ଚିତତା ଭିତରକୁ ଠେଲି ହୋଇଛି।

Advertisment

ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ରଙ୍କୁ ନେଇ ଦଳ ଭିତରେ ଅସନ୍ତୋଷ ଚରମସୀମାରେ ପହଂଚିଥିବାବେଳେ ଚତୁର୍ଥ ପ୍ରାର୍ଥୀଙ୍କୁ ନେଇ କଂଗ୍ରେସର ଆଭିମୁଖ୍ୟ ଏବେ ବିଧାୟକ ଦଳରେ ହଟଚମଟ ସୃଷ୍ଟି କରିଥିବା ଜଣାପଡ଼ିଛି। ପିସିସି ସଭାପତିଙ୍କ ଆଭିମୁଖ୍ୟକୁ ନେଇ ଆଜିର ବୈଠକରେ କେତେକ ବିଧାୟକ ଆପତ୍ତି ଉଠାଇଥିବା ସୂଚନା ମିଳିଛି। ବିଜେଡି ଓ କଂଗ୍ରେସରେ ଥିବା ଅସନ୍ତୋଷରୁ ଫାଇଦା ଉଠାଇ ବିଜେପି ନିଜର ତୃତୀୟ ପ୍ରାର୍ଥୀ(ଚତୁର୍ଥ ଆସନ)ଙ୍କୁ ଜିତାଇବାକୁ ଦୃଢ଼ ନିଶ୍ଚିତ ଥିବା ଜଣାପଡ଼ିଛି ।

ବିଜେଡି-କଂଗ୍ରେସର ‘କମନ ପ୍ରାର୍ଥୀ’ଙ୍କୁ ଖାରଜ କଲା ବିଜେପି

ବିଜେଡି ରାଜ୍ୟସଭା ଚତୁର୍ଥ ଆସନ ପାଇଁ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନାଁ ଘୋଷଣା କରି ତାଙ୍କୁ ‘କମନ ପ୍ରାର୍ଥୀ’ ଭାବେ ଉପସ୍ଥାପନ କରିବା ପରେ କଂଗ୍ରେସ ତା’ର ସମର୍ଥନ ଦେଇଥିଲା। କିନ୍ତୁ ଡାକ୍ତର ହୋତାଙ୍କୁ ନେଇ ଦୁଇଦିନ ଧରି ଚୁପ୍ ଥିବା ବିଜେପି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ପରୋକ୍ଷରେ ଏହି ‘କମନ୍ ପ୍ରାର୍ଥୀ’ ଫର୍ମୂଲାକୁ ଖାରଜ କରିଛି। ପ୍ରାର୍ଥୀ ଚୟନ ଓ ଘୋଷଣା ପୂର୍ବରୁ ସବୁ ରାଜନୀତିକ ଦଳ ସହ ଆଲୋଚନା କରିବା ଉଚିତ୍ ଥିଲା। କିନ୍ତୁ ବିଜେଡି ଓ କଂଗ୍ରେସ ଏକତରଫା ପ୍ରାର୍ଥୀ ଘୋଷଣା କରି ଭବିଷ୍ୟତର ବାଟ ବନ୍ଦ କରିଦେଇଛନ୍ତି।  

Advertisment


ବିଜେପି ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ କହିଛନ୍ତି ଯେ, ରାଜ୍ୟସଭା ପ୍ରାର୍ଥୀ ଚୟନକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ତାହା ଗଣତନ୍ତ୍ର ପ୍ରତି ସୁସ୍ଥ ପରମ୍ପରା ନୁହେଁ। ଡାକ୍ତର ସମାଜ ପ୍ରତି ତାଙ୍କ ଦଳର ଶ୍ରଦ୍ଧା ଓ ସମ୍ମାନ ସର୍ବଦା ରହିଆସିଛି ବୋଲି କହି ଶ୍ରୀ ରାୟ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ସମସ୍ତ ରାଜନୈତିକ ଦଳ ସହ ଆଲୋଚନା କରିବା ଉଚିତ୍ ଥିଲା। କିନ୍ତୁ ବିଜେଡି ଓ କଂଗ୍ରେସର ଏକତରଫା ଘୋଷଣା କରିଛନ୍ତି।

ପରୋକ୍ଷରେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ପ୍ରାର୍ଥୀତ୍ୱକୁ ବିଜେପି ସ୍ୱୀକାର କରୁନାହିଁ ବୋଲି ଦଳ ଆଜି ସାମ୍ବାଦିକ ସମ୍ମିଳନୀରେ ସଙ୍କେତ ଦେଇଛି।ଦଳ ଖୁବଶୀଘ୍ର ନିଜର ରଣନୀତି ଓ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।

୫ରେ ନାମାଙ୍କନ ଦାଖଲ କରିବେ ବିଜେପିର ୩ ପ୍ରାର୍ଥୀ

ବିଜେପି ଆଜି କେବଳ ସମାଲୋଚନା କରି ଚୁପ୍ ବସିନାହିଁ ବରଂ ନିର୍ବାଚନ ମଇଦାନକୁ ପୁରା ଜୋରଦାର ଢଙ୍ଗରେ ଓହ୍ଲାଇବାକୁ ପ୍ରସ୍ତୁତି କରିଛି । ଦଳ ନିଜର ୫ଜଣ ବିଧାୟକଙ୍କୁ ପଠାଇ ୧୬ ସେଟ୍ ନାମାଙ୍କନ ପତ୍ର ଆଣିଛି। ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ନେତୃତ୍ୱରେ ଦଳର ବିଧାୟକ ଆଶ୍ରିତ ପଟ୍ଟନାୟକ, ଦୁଷ୍ମନ୍ତ ସ୍ୱାଇଁ, ରଘୁନାଥ ଜଗଦଲା ଓ ପ୍ରତାପ ନାୟକ ଏହି ନାମାଙ୍କନ ସେଟ୍ ଆଣିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସରକାରୀ ମୁଖ୍ୟ ସଚେତକ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଜି ୧୬ସେଟ୍ ନାମାଙ୍କନ ପତ୍ର ନିଆଯାଇଛି।ଦଳର ସଂସଦୀୟ ବୋର୍ଡର ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପରେ ହିଁ ନାମାଙ୍କନ ଦାଖଲ ହେବ। 

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକି ରାଜ୍ୟସଭା ନିର୍ବାଚନକୁ ନେଇ ଦଳର ବିଧାୟକମାନଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଦଳର ବିଧାୟକମାନେ ଉପସ୍ଥିତ ଥିଲେ। ବିଜେପି ବିଧାୟକ ସନ୍ତୋଷ ଖଟୁଆ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ,ଆଜି ମୁଖ୍ୟମନ୍ତ୍ରୀ ଡ଼ାକିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହୋଇଛି।୩ ଜଣ ପ୍ରାର୍ଥୀଙ୍କ ପାଇଁ ନାମାଙ୍କନ ପତ୍ରରେ ବିଧାୟକଙ୍କ ଦସ୍ତଖତ(ପ୍ରସ୍ତାବକ) ନିଆଯାଇଛି ।୫ ତାରିଖରେ ଦଳର ୩ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ । ୫ତାରିଖରେ ଦଳର ସବୁ ବିଧାୟକ ଉପସ୍ଥିତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।


ବିଜେପିର ଆପତ୍ତି ଉପରେ ବିଜେଡି ଉଠାଇଲା ଆପତ୍ତି

ବିଜେପିର ଅସୁସ୍ଥ ପରମ୍ପରା ଅଭିଯୋଗକୁ ବିଜେଡି ବିଧାୟକ ଗଣେଶ୍ୱର ବେହେରା ସମ୍ପୂର୍ଣ୍ଣ ନିରାଧାର ବୋଲି କହିଛନ୍ତି। ବିଜେପିର ଏଭଳି ପ୍ରତିକ୍ରିୟାକୁ ବିସ୍ମୟକର ବୋଲି ଦର୍ଶାଇ ସେ ପ୍ରଶ୍ନ କରିଛନ୍ତି ଯେ, ସରକାରୀ ଦଳ ପକ୍ଷରୁ ଆଲୋଚନା ପାଇଁ କାହିଁକି ଉଦ୍ୟମ କରାଗଲା ନାହିଁ? ବିଜେଡି ଯାହା କରିଛି ତାହା ସମ୍ପୂର୍ଣ୍ଣ ଠିକ୍।  ବିଶେଷକରି ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ପ୍ରସଙ୍ଗରେ ସେ କହିଛନ୍ତି ଯେ, ସେ ବିଜେଡିର ନୁହନ୍ତି ବରଂ ବିଜେଡି ଓ କଂଗ୍ରେସର ମିଳିତ ସମର୍ଥିତ ପ୍ରାର୍ଥୀ। ଯଦି ବିଜେପିର ଡାକ୍ତର ସମାଜ ପ୍ରତି ସମ୍ମାନ ଅଛି, ତେବେ ସେମାନେ ତାଙ୍କୁ ବିରୋଧ ନକରି ସମର୍ଥନ ଜଣାଇବା ଉଚିତ୍ ବୋଲି ବିଜେଡି କହିଛି।


ନିର୍ଦ୍ୱନ୍ଦ୍ୱ ନିର୍ବାଚନ ନା କ୍ରସଭୋଟିଂ?

ବିଜେଡିର ଏକତରଫା ଚତୁର୍ଥ ପ୍ରାର୍ଥୀ ଘୋଷଣା ଓ ତାଙ୍କୁ କଂଗ୍ରେସର ସମର୍ଥନ ପରେ ରାଜ୍ୟସଭା ନିର୍ବାଚନ(Odisha Rajya Sabha election) ରୋଚକମୋଡ଼ ନେଇଛି। ବିଜେପି ଏହି କମନ ପ୍ରାର୍ଥୀଙ୍କୁ ସିଧାସଳଖ ପ୍ରତ୍ୟାଖ୍ୟାନ କରି ଦେଇଛି। ଆଉ ଦଳ ମଧ୍ୟ ୩ଜଣ ପ୍ରାର୍ଥୀ ଦେବ ବୋଲି ନିଜଆଡ଼ୁ ସୂଚନା ଦେଇସାରିଥିବାବେଳେ ୪ଜଣ ପ୍ରାର୍ଥୀଙ୍କ ପାଇଁ ୧୬ଟି ସେଟ୍ ନେଇ ବିଜେପି ରାଜନୀତିକ ସସପେନ୍ସ ବଢ଼ାଇଛି। ଦଳ ସମସ୍ତ ପ୍ରାର୍ଥୀ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୁଅନ୍ତୁ ବୋଲି ଚାହିଁ ଏଭଳି ପଦକ୍ଷେପ ନେଇଥିବା ରାଜନୀତିକ ମହଲରେ ଚର୍ଚ୍ଚା।

ଦଳ ଚତୁର୍ଥ ଆସନକୁ ନିଦ୍ୱନ୍ଦ୍ୱରେ ଜିତିବା ପାଇଁ ୧୬ଟି ସେଟ୍ ନାମାଙ୍କନ ପତ୍ର ନେଇ ବିଜେଡି ଉପରେ ଚାପ ସୃଷ୍ଟି କରିବାକୁ ଚାହୁଁଥିବା ଜଣାପଡ଼ିଛି। ଚତୁର୍ଥ ଆସନ ପାଇଁ ବିଜେଡିର ବଳକା ୧୮ ଓ କଂଗ୍ରେସର ୧୪ ବିଧାୟକଙ୍କ ସମର୍ଥନ ରହିଲେ କମନ୍ ପ୍ରାର୍ଥୀ ଡାକ୍ତର ହୋତା ଜିତିବା ନିଶ୍ଚିତ । କିନ୍ତୁ ବିଜେପି ଏଠାରେ ଶାସକ ଦଳରେ ଥିବାରୁ ଚତୁର୍ଥ  ଆସନରେ ବିଜେଡି-କଂଗ୍ରେସ ପ୍ରାର୍ଥୀଙ୍କ ଜିତିବା ମାର୍ଗ ସହଜ ହେବନି ବୋଲି କୁହାଯାଉଛି। ବିଜେଡି ଓ କଂଗ୍ରେସରେ ଅସନ୍ତୁଷ୍ଟ ବିଧାୟକଙ୍କୁ ହାତେଇ କ୍ରସଭୋଟିଂ ମାଧ୍ୟମରେ ଚତୁର୍ଥ ଆସନକୁ ହାତେଇବାର ରଣନୀତିକୁ ବିଜେପି ଚୂଡ଼ାନ୍ତ ରୂପ ଦେଉଥିବା ଚର୍ଚ୍ଚା ହେଉଛି। 

ବିଜେପି ପାଖରେ ବଳକା ୨୨ଜଣ ବିଧାୟକଙ୍କ ସମର୍ଥନ ଥିବାବେଳେ ଜିତିବା ପାଇଁ ଆଉ ୮ ବିଧାୟକଙ୍କ ସମର୍ଥନ ଦରକାର। ବିଜେଡିର ଦୁଇ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କ ସମର୍ଥନ ଶାସକ ଦଳ ସପକ୍ଷରେ ଯିବାର ଥିବାରୁ ବାକି ୬ଜଣ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରିବା ବିଜେପି ପାଇଁ ବିଶେଷ କଷ୍ଟକର ହେବନି। କଂଗ୍ରେସ ବିଧାୟକ ଦଳରେ ଫାଟ ଜଳଜଳ ଥିବାବେଳେ ବିଜେଡିରେ ସନ୍ତୃପ୍ତଙ୍କ ପ୍ରାର୍ଥୀତ୍ୱକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ରହିଛି। ତେଣୁ ବିଜେପି ୧୬ ସେଟ୍ ଫର୍ମ କିଣିବା ସହ ନିଜସ୍ୱ ପ୍ରାର୍ଥୀ ଦେଇ ବିଜେଡି-କଂଗ୍ରେସର ଗଣିତକୁ ବିଗାଡ଼ିବାକୁ ଚେଷ୍ଟା କରିବାର ସମ୍ଭାବନା ରହିଛି। ଡାକ୍ତର ହୋତାଙ୍କୁ ପ୍ରାର୍ଥୀ କରି ବିଜେଡି ଏକ ପ୍ରକାର ମାଷ୍ଟରଷ୍ଟ୍ରୋକ ଖେଳିଥିବା ବେଳେ ସେ ନାମାଙ୍କନ ପତ୍ର ଦାଖଲ କରିବେ କି ନାହିଁ ତାକୁ ନେଇ ମଧ୍ୟ ସସପେନ୍ସ ଓ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି। ଏବେ ବିଜେପିର ପରବର୍ତ୍ତୀ ରଣନୀତି ସମସ୍ତଙ୍କ ନଜରରେ।

Odisha Rajya Sabha election