କେନ୍ଦୁଝର(ପ୍ରଣୟ ପାଣି): ପ୍ରାକୃତିକ ସୌନ୍ଦର୍ଯ୍ୟ ଘେରା ରତ୍ନଗର୍ଭା କେନ୍ଦୁଝର। ଖଣି ଖାଦାନ ପାଇଁ ଯେତିକି ପରିଚିତ, ପ୍ରକୃତିର ଶୋଭାକୁ ନିଜ ବକ୍ଷରେ ଧାରଣ କରି ସେତିକି ପ୍ରସିଦ୍ଧ। ଓଡ଼ିଶା ରାଜନୀତିରେ ମଧ୍ୟ ତାର ଭୂମିକ କିଛି କମ୍ ନାହିଁ। ଗଡ଼ଜାତ ଅଞ୍ଚଳ ଭାବେ ଜଣାଶୁଣା ଏହି ଜିଲ୍ଲାରେ ୧୯୫୧ ମସିହାରେ ପ୍ରଥମ ବିଧାନସଭା ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ୨,୮୧ ,୫୮୩ ଭୋଟର ମତଦାନ କରିଥିଲେ।
ପ୍ରଥମେ ଜିଲ୍ଲାରେ ଥିଲା ୩ଟି ନିର୍ବାଚନ ମଣ୍ଡଳୀ । ସେଗୁଡ଼ିକ ହେଲା ୪୦ ନମ୍ୱର ଚମ୍ପୁଆ ,୪୧ ନମ୍ୱର କେନ୍ଦୁଝର ସଦର ଓ ୪୨ ନମ୍ୱର ଆନନ୍ଦପୁରରେ ନିର୍ବାଚନ ମଣ୍ଡଳୀ। ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନୁସୂଚିତ ଜାତିଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଅନ୍ୟ ୨ଟି ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ।
ଚମ୍ପୁଆରେ ଗୁରୁ ଚରଣ ନାଏକ ଥିଲେ ପ୍ରଥମ ବିଧାୟକ। କେନ୍ଦୁଝର ରାଜ ପରିବାରର ଲକ୍ଷ୍ମୀନାରାୟଣ ଭଞ୍ଜଦେଓ କେନ୍ଦୁଝର ସଦର ଓ ଜନାର୍ଦ୍ଦନ ଭଞ୍ଜଦେଓ ଆନନ୍ଦପୁର ସିଟ୍ ହାତେଇଥିଲେ। ୧୯୬୧ ମସିହାରେ କେନ୍ଦୁଝର ଜିଲ୍ଲା ନିର୍ବାଚନମଣ୍ଡଳୀର ନବକଳେବର ହୋଇଥିଲା। ଏହି ନବକଳେବରରେ ଜିଲ୍ଲାରେ ଥିବା ୩ ବିଧାନସଭା ଆସନର ସଂଖ୍ୟା ବୃଦ୍ଧି ପାଇ ୬ ହୋଇଥିଲା। ଆସନର କ୍ରମିକ ସଂଖ୍ୟା ମଧ୍ୟ ବଦଳିଥିଲା।
ଏମିତି ଥିଲା ନିର୍ବାଚନ ମଣ୍ଡଳୀର ସଂଖ୍ୟା ଓ ସଂରକ୍ଷଣ ତାଲିକା(୧୯୬୧)
୬୭ ଚମ୍ପୁଆ (ଅନୁସୂଚିତ ଜାତି)
୬୮ ପାଟଣା (ସାଧାରଣ)
୬୯ କେନ୍ଦୁଝର ସଦର (ସାଧାରଣ)
୭୦ ତେଲକୋଇ (ଅନୁସୂଚିତ ଜାତି)
୭୧ ରାମଚନ୍ଦ୍ରପୁର (ସାଧାରଣ)
୭୨ ଆନନ୍ଦପୁର (ଅନୁସୂଚିତ ଜନଜାତି)
୧୯୬୭ରେ ପୁଣି ନିର୍ବାଚନ ମଣ୍ଡଳୀରେ ପରିବର୍ତ୍ତନ ହୋଇଥିଲା। ଏଥିରେ ଜିଲ୍ଲାର ବିଧାନସଭା ଆସନର କ୍ରମିକ ସଂଖ୍ୟା ଯାହା ବଦଳିଥିଲା। ଏଥି ସହ ଅଧିକ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିଲା।
ଏମିତି ଥିଲା ନିର୍ବାଚନ ମଣ୍ଡଳୀର ସଂଖ୍ୟା ଓ ସଂରକ୍ଷଣ ତାଲିକା(୧୯୬୭)
୧୨୭ ଚମ୍ପୁଆ (ଅନୁସୂଚିତ ଜାତି)
୧୨୮ ପାଟଣା (ଅନୁସୂଚିତ ଜାତି)
୧୨୯ କେନ୍ଦୁଝର (ଅନୁସୂଚିତ ଜାତି)
୧୩୦ ତେଲକୋଇ (ଅନୁସୂଚିତ ଜାତି)
୧୩୧ ରାମଚନ୍ଦ୍ରପୁର (ସାଧାରଣ)
୧୩୨ ଆନନ୍ଦପୁର (ଅନୁସୂଚିତ ଜନଜାତି)।
୩୫ ବର୍ଷର ବ୍ୟବଧାନ ପରେ ପୁଣି ୨୦୦୯ରେ ବିଧାନସଭା ସିଟ ନମ୍ୱର ବଦଳିବା ସହ ସଂରକ୍ଷଣରେ ମଧ୍ୟ ପରିବର୍ତ୍ତନ ହୋଇଥିଲା।
ବିଧାନସଭା ସିଟ ନମ୍ୱର ୨୦ ତେଲକୋଇ (ଅନୁସୂଚିତ ଜାତି) ୨୧ ରାମଚନ୍ଦ୍ରପୁର ପରିବର୍ତେ ଘସିପୁରା (ସାଧାରଣ) ୨୨ ଆନନ୍ଦପୁର (ଅନୁସୂଚିତ ଜନଜାତି) ୨୩ ପାଟଣା (ଅନୁସୂଚିତ ଜାତି) ୨୪ କେନ୍ଦୁଝର ସଦର (ଅନୁସୂଚିତ ଜାତି) ୨୫ ଚମ୍ପୁଆ (ସାଧାରଣ) ହୋଇଥିଲା।
୨୦୦୯ର କେନ୍ଦୁଝର ରାଜେନୈତିକ ଇତିହାସ ଥିଲା ବେଶ ଚର୍ଚ୍ଚିତ। କଂଗ୍ରେସର ୩ ବରିଷ୍ଠ ନେତାଙ୍କୁ ଏଠାରେ ପରାଜୟର ସ୍ୱାଦ ଚାଖିବାକୁ ପଡିଥିଲା। ଘସିପୁରାରେ ବିଜେଡିର ବଦ୍ରିନାରାୟଣ ପାତ୍ର କଂଗ୍ରେସର ନିରଞ୍ଜନ ପଟ୍ଟନାୟକଙ୍କୁ ୨୫ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ହରାଇ ଥିବାବେଳେ, ଆନନ୍ଦପୁରରେ ବିଜେଡିର ଭାଗିରଥି ସେଠୀ କଂଗ୍ରେସର ଜୟଦେବ ଜେନାଙ୍କୁ ୨୩ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ହରାଇଥିଲେ।
ସେହିପରି ଚମ୍ପୁଆରେ କଂଗ୍ରେସରୁ ଟିକଟ ନ ପାଇ ସ୍ୱାଧୀନ ଭାବରେ ଠିଆ ହୋଇଥିବା ଜିତୁ ପଟ୍ଟନାୟକ କଂଗ୍ରେସର ସନାତନ ମହାକୁଡଙ୍କୁ ୧୪୫ଟି ଭୋଟରେ ହରାଇଥିଲେ।
ଏହା ପରେ କେନ୍ଦୁଝର ରାଜନୀତିରେ ବଡ ଧରଣର ପରିବର୍ତ୍ତନ ଦେଖା ଦେଇଥିଲା। କଂଗ୍ରେସରେ ଥାଇ ସନାତନ ମହାକୁଡ ହାରିବା ପରେ ସତେ ଯେପରି କଂଗ୍ରେସ ପ୍ରତି ତାଙ୍କର ମନ ଭରି ଆସିଥିଲା। ୨୦୧୪ ନିର୍ବାଚନରେ କଂଗ୍ରେସ ଟିକଟରୁ ବଞ୍ଚିତ ହେବାପରେ ସନାତନ ଅଧିକ ସକ୍ରିୟ ହୋଇ ଜିଲ୍ଲାର ୬ଟି ବିଧାନସଭା ମଣ୍ଡଳିରେ ନିଜର ସ୍ୱାଧୀନ ପ୍ରାର୍ଥୀ ଦେଇଥିଲେ।
ଚମ୍ପୁଆରେ ନିଜେ ଜିତିଥିଲେ ସୁଦ୍ଧା ଅନ୍ୟ ଆସନରେ କାହାରିକୁ ଜିତାଇ ପାରି ନଥିଲେ। ହେଲେ ଜିଲ୍ଲା ନିର୍ବାଚନୀ ମଇଦାନରେ ତାଙ୍କର ପ୍ରାର୍ଥିମାନେ ତୃତୀୟ ସ୍ଥାନରେ ରହି ବିଶାରଦ ମାନଙ୍କର ଅଙ୍କ ଭୁଲ କରି ଦେଇଥିଲେ। ବର୍ତ୍ତମାନ ଜିଲ୍ଲାର ୧୩ଟି ବ୍ଲକ, ୫ଟି ମ୍ୟୁନିସିପାଲିଟି ଓ ଏନଏସି ମଧ୍ୟରୁ ୬ଟି ବ୍ଲକ ଓ ୪ଟି ମ୍ୟୁନସିପାଲଟି ଓ ଏନଏସସି ସନାତନ ମହାକୁଡଙ୍କ କବ୍ଜାରେ ରହିଛି।
ଜିଲ୍ଲା ପରିଷଦରେ ବିଜେଡି ସହ ସଲାସୁତୁରା ପରେ ମଧ୍ୟ ୬ଟି ସିଟ ହାତେଇଛନ୍ତି ସନା। ମୋଟାମୋଟି ଭାବେ ଜିଲ୍ଲାର ୨୯୭ ପଞ୍ଚାୟତରୁ ୧୯୬ଟି ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ସନାତନ ମହାକୁଡଙ୍କ ଅଧିନରେ ରହିଛି। ଏଣୁ ଜିଲ୍ଲାରେ ସନାଙ୍କୁ ବାଦ ଦେଇ ନିର୍ବାଚନ ଗଣିତ ଅସମ୍ଭବ। ନିକଟରେ ସନା ଜନ ସମୃଦ୍ଧି ପାର୍ଟି ( ଜେ ଏସ ପି) ନାମରେ ଏକ ଦଳ ମଧ୍ୟ ଗଠନ କରି ସାରିଛନ୍ତି। ଏଣୁ ଏଠାରେ ଚର୍ତୁମୁଖୀ ଲଢେଇ ସୁନିଶ୍ଚିତ।
ବର୍ତ୍ତମାନ ଜିଲାର ସ୍ଥିତି
ଜିଲ୍ଲାର ଲୋକ ସଂଖ୍ୟା -୧୮, ୦୧,୭୩୩
ପୁରୁଷ- ୯,୦୬, ୪୮୭
ମହିଳା - ୮, ୯୫, ୨୪୬
ମୋଟ ଭୋଟର-୧୧, ୭୯ , ୭୨୭
ପୁରୁଷ -୬, ୦୬, ୮୪୦
ମହିଳା -୫ ,୭୨ ,୮୬୦
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।