ଯଦି ବିଜେଡି ଟିକେଟ ନ ଦିଏ କେମିତି ନିର୍ବାଚନ ଲଢିବେ ସଞ୍ଜିବ ?  

ଅନୁଗୁଳ(ବିରଜା ଦାଶ): ନିର୍ବାଚନ ତାରିଖ ଘୋଷଣା ପରେ ଅନୁଗୋଳ ଜିଲ୍ଲାର ୫ ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛି। ବିଜେପି ଆଠମଲ୍ଲିକ ବିଧାନସଭା କ୍ଷେତ୍ରକୁ ବାଦ୍‌ ଦେଇ ଅନ୍ୟ ୪ଟି କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ହେଲେ ବର୍ତ୍ତମାନ ସୁଦ୍ଧା ବିଜେଡି ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇନାହିଁ। ଏଣୁ ଏଥର କିଏ ବାଜି ମାରିବ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। ଏଠାରେ ଏଥର ରାଜନୈତିକ […]

Athamalick-PICS

Mihir Pattnayak
  • Published: Monday, 25 March 2019
  • , Updated: 25 March 2019, 07:29 PM IST

ଅନୁଗୁଳ(ବିରଜା ଦାଶ): ନିର୍ବାଚନ ତାରିଖ ଘୋଷଣା ପରେ ଅନୁଗୋଳ ଜିଲ୍ଲାର ୫ ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛି। ବିଜେପି ଆଠମଲ୍ଲିକ ବିଧାନସଭା କ୍ଷେତ୍ରକୁ ବାଦ୍‌ ଦେଇ ଅନ୍ୟ ୪ଟି କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ହେଲେ ବର୍ତ୍ତମାନ ସୁଦ୍ଧା ବିଜେଡି ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇନାହିଁ। ଏଣୁ ଏଥର କିଏ ବାଜି ମାରିବ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। ଏଠାରେ ଏଥର ରାଜନୈତିକ ସମୀକରଣ କ’ଣ ହେବ ତାହା କହିବା ମଧ୍ୟ ସହଜସାଧ୍ୟ ନୁହେଁ।

ବିଜେଡି: ଆଠମଲ୍ଲିକ ବିଜେଡି ବିଧାୟକ ସଂଜୀବ ସାହୁଙ୍କ ଭାଗ୍ୟ ଏଥର ସୂତା ଖିଅରେ ଝୁଲୁଛି। କାରଣ ଆଠମଲ୍ଲିକ ବିଧାନସଭା ପାଇଁ ପୂର୍ବତନ CMC ଅତିରିକ୍ତ କମିଶନର ରମେଶ ସାଏ ବିଜୁ ଜନତାଦଳ ତରଫରୁ ଲଢ଼ିବା ଆଶାରେ ଅଛନ୍ତି। ଦଳୀୟ ସୁପ୍ରିମୋଙ୍କ ପାଖରେ ନିଜର ପତିଆରା ଜାହିର କରିବା ତଥା ଜନସମ୍ପର୍କ ପ୍ରମାଣ ପାଇଁ ସେ ଏହି ବିଧାନସଭା କ୍ଷେତ୍ରର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ଆୟୋଜନ କରୁଛନ୍ତି । ରମେଶଙ୍କ ସହ ପ୍ରଶାସନିକ ଚାକିରି ଛାଡି ଗତ କିଛିଦିନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିବା ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ବିଧାନସଭା କ୍ଷେତ୍ର ପରିକ୍ରମା କରିବା ସହ ରୋଡ଼ ସୋ ଜରିଆରେ ଆଠମଲ୍ଲିକର ସର୍ବାଙ୍ଗୀନ ବିକାଶ ପାଇଁ ଲକ୍ଷ୍ୟ ସମ୍ପର୍କରେ ଲୋକଙ୍କୁ ବୁଝାଉଛନ୍ତି। ଏଣୁ ସଞ୍ଜିବଙ୍କୁ ଟିକେଟ ମିଳିବା ନ ମିଳିବା ଉପରେ କିଛି କହିବା ସହଜ ନୁହେଁ।  ଏଣେ ଟିକେଟ ନ ପାଇଲେ ସଞ୍ଜୀବ ସ୍ୱାଧୀନ ପ୍ରାର୍ଥୀ ଭାବେ କିମ୍ବା ଅନ୍ୟ ଦଳକୁ ଡେଇଁ ଟିକେଟ ହାତେଇବାର ସମ୍ଭାବନା ରହିଛି ।

ଏପଟେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ ବିଜୁ ଜନତାଦଳ ଟିକେଟରୁ ନିର୍ବାଚନ ଲଢ଼ିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଫଳରେ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ସମର୍ଥଙ୍କ ମଧ୍ୟରେ ଏକ ପ୍ରକାର ନୈରାଶ୍ୟ ଖେଳି ଯାଇଛି । ଆଗାମୀ ନିର୍ବାଚନରେ ଉଭୟ ନଗେନ୍ଦ୍ର ଓ ସଂଜୀବଙ୍କ ଭୂମିକା କ’ଣ ହେବ ତାକୁ ନେଇ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ରାଜନୀତି ଚର୍ଚ୍ଚା ସରଗରମ ହୋଇଛି।

ବିଜେପି:  ସେହିପରି ବିଜେପି ଜିଲ୍ଲା ସଭାପତି ଭାଗିରଥୀ ପ୍ରଧାନଙ୍କ ଭବିଷ୍ୟତ କ’ଣ ହେବ ତାକୁ ନେଇ ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଏବେ ଚର୍ଚ୍ଚା ସରଗରମ। ଗତ ଦୁଇଟି ନିର୍ବାଚନରେ ବିଜେପି ବିଧାୟକ ପ୍ରାର୍ଥୀ ହୋଇ ପରାଜୟ ବରଣ କରିଥିବା ଜିଲ୍ଲା ସଭାପତି ଭାଗିରଥି ପୁଣିଥରେ ଟିକେଟ ଆଶାରେ ଥିଲେ ମଧ୍ୟ ଟିକେଟ ନ ମିଳିବା ସମ୍ଭାବନା ଦେଖାଦେଇଛି। କାରଣ ଅନୁଗୋଳ ଜିଲ୍ଲାର ଅନ୍ୟ ସମସ୍ତ ବିଧାନସଭା କ୍ଷେତ୍ର ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିଲେ ହେଁ କେବକ ଆଠମଲ୍ଲିକ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ।

ଗତ ୨ ନିର୍ବାଚନରେ ଲଢ଼ି ତୃତୀୟ ସ୍ଥାନରେ ରହିଥିଲେ ମଧ୍ୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭାଗିରଥୀଙ୍କ ନେତୃତ୍ୱ କମାଲ୍‌ ଦେଖାଇଥିଲା। ବିଜୁ ଜନତା ଦଳକୁ ଜୋରଦାର ଟକ୍କର ଦେଇ ଅନେକ ସଫଳତା ସାଉଁଟି ଥିଲେ ବିଜେପି । ଆଠମଲ୍ଲିକ ବିଧାନସଭା କ୍ଷେତ୍ର ଅଧୀନରେ ଆସୁଥିବା ୭ଟି ଜିଲ୍ଲାପରିଷଦ ଜୋନ୍‌ ମଧ୍ୟରୁ ବିଜେପି ୩ଟି ସିଟ୍‌ କବ୍‌ଜାକୁ ନେଇଥିଲା । ମାତ୍ର ବର୍ତ୍ତମାନ ବିରୋଧୀ ବିଜେଡିର ବିଧାୟକ ପ୍ରାର୍ଥୀ  ଘୋଷଣା ସରି ନ ଥିବା ବେଳେ ବୋଧହୁଏ ତାହା ଉପରେ ନଜର ରଖିଛି ବିଜେପି। ବିଧାୟକ ସଂଜୀବ ଓ ସାଂସଦ ନଗେନ୍ଦ୍ରଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିଲେ ସେମାନଙ୍କୁ ବିଜେପି ନିଜ ଆଡକୁ ଆଣିବାକୁ ଲକ୍ଷ୍ୟ ରଖିଥିବା ନେଇ ଚର୍ଚ୍ଚା ଜୋର ଧରିଛି  । ଏହା ବ୍ୟତୀତ ବିଜେପି ପକ୍ଷରୁ  ଭାଗିରଥି ପ୍ରଧାନଙ୍କ ସହ ଚାକିରୀ ଛାଡି ରାଜନୀତିରେ ପାଦ ଥାପିଥିବା ଯୁବ ନେତା ସଂଗ୍ରାମ ମହାପାତ୍ର ବିଜେପି ଟିକେଟ ଆଶାରେ ଅଛନ୍ତି।

କଂଗ୍ରେସ: ପ୍ରଦେଶ କଂଗ୍ରେସ ସମ୍ପାଦକ ବିଜୟାନନ୍ଦ ଚାଉଳିଆଙ୍କ ନାଁ ବିଧାୟକ ପଦବି ପାଇଁ ଘୋଷଣା କରାଯାଇଥିବା ବେଳେ ଆଠମଲ୍ଲିକ ଆସନ ହାତେଇବାର ଲକ୍ଷ୍ୟ ନେଇ ସେ ଜୋରଦାର କସରତ ଚଳାଇଛନ୍ତି । ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ରାଜନୀତି ଏବେ ସରଗରମ ଥିବାବେଳେ ଖଟି ଖଟିରେ ଚାଲିଛି ଚର୍ଚ୍ଚା ।

ରାଜନୈତିକ ଦୃଶ୍ୟପଟ୍ଟ ଓ ସମସ୍ୟା

ଗତ ୪ଟି ନିର୍ବାଚନରେ ବିଜୁ ଜନତା ଦଳ ଏହି ଆସନକୁ କବ୍‌ଜା କରି ଆସୁଥିବା ବେଳେ ୨୦୦୦ ଓ ୨୦୦୪ ରେ ବିଜେଡି ଟିକେଟରୁ ନଗେନ୍ଦ୍ର ପ୍ରଧାନ ଓ ଗତ ୨ଟି ନିର୍ବାଚନରେ ସଂଜୀବ ସାହୁ ଏହି ଆସନରୁ ବିଜୟୀ ହୋଇଛନ୍ତି ।୧୯ ବର୍ଷ ଧରି ଏହି ଆସନ ବିଜେଡି କବଜାରେ ଥିଲେ ମଧ୍ୟ କୃଷି ପ୍ରଧାନ ବିଧାନସଭା କ୍ଷେତ୍ରର ଚାଷୀ ଓ ଚାଷ ସମସ୍ୟାର ସମାଧାନ ସହ ସଡକ, ପାନୀୟଜଳ, ବିଦ୍ୟୁତ ସଂଯୋଗ, ଶିକ୍ଷା ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମାଧାନ କରିବାରେ ବିଫଳତାକୁ ନେଇ ଜନ ଅସନ୍ତୋଷ ରହିଛି । ବିଶେଷକରି ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ସହ ଧଉରଗୋଠ, ଗଦଗଦା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ନଥିବାରୁ ଏହି ଅଂଚଳର ଅନେକ ଚାଷ ଜମି ଜଳସେଚିତ ହୋଇ ପାରୁ ନ ଥିବାବେଳେ ଏହାକୁ ନେଇ ଚଷା ସମାଜରେ ରହିଛି ତୀବ୍ର ଅସନ୍ତୋଷ । ତେଣୁ ଚଳିତ ନିର୍ବାଚନରେ ଏହାର ପ୍ରତିଫଳନ ଦେଖାଦେବାକୁ ଥିବା ବେଳେ ଖୁବ ସତର୍କତାର ସହ ପ୍ରାର୍ଥୀ ଚୟନ ଉପରେ ଗୁରୁତ୍ୱ ଦେଉଛନ୍ତି ପ୍ରମୁଖ ରାଜନୈତିକ ଦଳ ।

Related story