ରବୀନ୍ଦ୍ରଙ୍କ ପାଇଁ ମହଙ୍ଗା ପଡ଼ିବ କି ଚିଟ୍‌ଫଣ୍ଡ ଛିଟା ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ମହାସଂଗ୍ରାମ ପାଇଁ ଆରମ୍ଭ ହୋଇ ଯାଇଛି ରାଜନୈତିକ ସମରସଜ୍ଜା। ଓଡ଼ିଶାରେ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହେବାକୁ ଥିବାରୁ ପାଣିପାଗ ବେଶ୍‌ ସରଗରମ। ଏଥର ୨୦ ବର୍ଷଧରି ଶାସନ ଗାଦିରେ ବସିଥିବା ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ ଲଢେଇ। ଏଥର ଭୋଟର ବିଜେଡିର ୨୦ ବର୍ଷର ଧାରାକୁ ଆପଣାଇବେ ନା ବିରୋଧୀ କଂଗ୍ରେସ-ବିଜେପିର ପରିବର୍ତ୍ତନ ନାରାକୁ ଗ୍ରହଣ କରିବେ ତା ଉପରେ ସମସ୍ତଙ୍କ ଆଖି। ଆସନ୍ତୁ […]

Baleswar-pics

Baleswar-pics

Mihir Pattnayak
  • Published: Sunday, 17 March 2019
  • Updated: 18 March 2019, 05:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ମହାସଂଗ୍ରାମ ପାଇଁ ଆରମ୍ଭ ହୋଇ ଯାଇଛି ରାଜନୈତିକ ସମରସଜ୍ଜା। ଓଡ଼ିଶାରେ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହେବାକୁ ଥିବାରୁ ପାଣିପାଗ ବେଶ୍‌ ସରଗରମ। ଏଥର ୨୦ ବର୍ଷଧରି ଶାସନ ଗାଦିରେ ବସିଥିବା ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ ଲଢେଇ। ଏଥର ଭୋଟର ବିଜେଡିର ୨୦ ବର୍ଷର ଧାରାକୁ ଆପଣାଇବେ ନା ବିରୋଧୀ କଂଗ୍ରେସ-ବିଜେପିର ପରିବର୍ତ୍ତନ ନାରାକୁ ଗ୍ରହଣ କରିବେ ତା ଉପରେ ସମସ୍ତଙ୍କ ଆଖି। ଆସନ୍ତୁ ଯିବା ଉତ୍ତର ଓଡ଼ିଶାର ପ୍ରାଣକେନ୍ଦ୍ର ତଥା ସଂସଦୀୟ କ୍ଷେତ୍ର ବାଲେଶ୍ୱର ନିର୍ବାଚନ ମଣ୍ଡଳୀକୁ।

ଏଠି ମହାସଂଗ୍ରାମ ପାଇଁ ଆରମ୍ଭ ହଇଯାଇଛି ଅଙ୍କକଷା। କେଉଁ ଦଳ କାହାକୁ ପ୍ରାର୍ଥୀ ଭାବେ ଛିଡା କରାଇବ ତାକୁ ନେଇ ଲାଗି ରହିଛି ଚର୍ଚ୍ଚା। ଏଥିପାଇଁ ନେତାଏ ନିଜ ନିର୍ବାଚନ ମଣ୍ଡଳୀରେ ଡେରା ପକାଇବା ସହିତ ପରୋକ୍ଷରେ ପ୍ରଚାର ଆରମ୍ଭ କରିଦେଲେଣି। ୧୯୫୧ ପରଠାରୁ କଂଗ୍ରେସ ୯ଥର, ୨ ଥର କମ୍ୟୁନିଷ୍ଟ ଓ ଥରେ ଜନତା ଦଳ ଏହି ଲୋକସଭା ଆସନ ଦଖଲ କରିଥିଲା। ୨୦୦୯ ପର୍ଯ୍ୟନ୍ତ ବିଜେଡି-ବିଜେପି ମେଣ୍ଟରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଖାରବେଳ ସ୍ୱାଇଁ ନିର୍ବାଚିତ ହୋଇଥିଲେ । ୨୦୦୯ରେ କଂଗ୍ରେସ ଟିକେଟରୁ କେନ୍ଦ୍ରାପଡା ଛାଡି ଶ୍ରୀକାନ୍ତ ଜେନା ଏହି ଆସନରୁ ଲଢି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରଥମ ଥର ପାଇଁ ଏକାକୀ ଲଢି ଏହି ଆସନକୁ ଦଖଲ କରିଥିଲା । ବିଜେଡିରୁ ଇଂ. ରବୀନ୍ଦ୍ର କୁମାର ଜେନା ନିର୍ବାଚିତ ହୋଇଥିଲେ। ରବୀନ୍ଦ୍ର ଜେନା ଭୋଟରଙ୍କ ପାଖରେ ଅନେକ କିଛି ପ୍ରତିଶ୍ରୁତି ରଖିଥିଲେ। ଆଉ ଏହାକୁ ପାଥେୟ କରି ସେ ନିର୍ବାଚନ ବୈତରଣୀ ପାର ହୋଇଥିଲେ।  ହେଲେ ଏଥର ପରିସ୍ଥିତି ଅଲଗା। ଚିଟ୍‌ଫଣ୍ଡ ଦୁର୍ନୀତିରେ ବୁଡ଼ିଥିବା ବିଜେଡ଼ି ସାଂସଦ ରବୀନ୍ଦ୍ରଙ୍କ ଉପରେ ଭୋଟର ଖପ୍ପା। ଅଗାମୀ ନିର୍ବାଚନରେ ଭୋଟର ତାଙ୍କୁ ଗ୍ରହଣ କରିବେ କି ନାହିଁ   ତାର ହିସାବ ନିକାସ କରିବେ ଜନତା ଜନାର୍ଦ୍ଦନ।

କ’ଣ ଥିଲା ରବୀନ୍ଦ୍ରଙ୍କ ପ୍ରତିଶ୍ରୁତି

ନିର୍ବାଚନ ପୂର୍ବରୁ ଜଳସେଚନ ବିହୀନ ବାଲେଶ୍ୱର ଜିଲ୍ଲାରେ ଚାଷ ଜମିକୁ ଜଳସେଚନର ସୁବିଧା କରିବା ସହିତ ଯୁବକଙ୍କୁ ନିଯୁକ୍ତି,  ଶିଳ୍ପ ଓ ଭିତ୍ତିଭୂମୀର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଜେନା। ଏବେ ୧୯ ନିର୍ବାଚନ ପୂର୍ବରୁ ଜେନା କହିଛନ୍ତି, ସେ ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ୩୨୦ କୋଟି ଟଙ୍କା ବ୍ୟୟରେ ଦୀର୍ଘଦିନ ହେବ ପଡି ରହିଥିବା ବାଙ୍କତୀରା ଜଳ ସେଚନ ପ୍ରକଳ୍ପ ଅନ୍ୟତମ । ଏହି ପ୍ରକଳ୍ପ ପାଇଁ ମଞ୍ଜୁରୀ ମିଳିଛି।  ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବାଲେଶ୍ୱର ଜିଲ୍ଲାର ରେମୁଣା, ସଦର ଓ ବସ୍ତା ନିର୍ବାଚନ ମଣ୍ଡଳୀର ୭୦ ପ୍ରତିଶତ ଚା ଉପକୃତ ହେବେ । ବସ୍ତା ବାଲିଆପାଳ ରାସ୍ତାର ପେଜଗଳା ରାସ୍ତାରେ ଦେଢ କିଲୋମିଟର ଲମ୍ବର ଜଳ ନିଷ୍କାସନ ପାଇଁ ଚାଲିଥିବା  ପୋଲ କାମ ତାଙ୍କର ସମୟର ବଡ଼ ସଫଳତା । ୭୦ ବର୍ଷ ଭିତରେ ବାଲେଶ୍ୱରରେ ୩ଟି ରେଲେଓ୍ୱ ଫ୍ଲାଏ ଓଭର  ହୋଇଥିବା ବେଳେ ସାଢେ ୪ବର୍ଷ ଭିତରେ ବାଲେଶ୍ୱରରେ ଦୁଇଟି ଓ ଜଳେଶ୍ୱରର ବଡବଜାର ଏବଂ ରାଜଘାଟରେ ଦୁଇଟି ରେଲେଓ୍ୱ ଫ୍ଲାଏ ଓଭର କାମ ତାଙ୍କ ସମୟରେ ହୋଇଥିବା କହିଛନ୍ତି ରବୀନ୍ଦ୍ର। ଏହି ସଫଳତାକୁ ଭୋଟରଙ୍କ ଆଗରେ ଥୋଇ ରବୀନ୍ଦ୍ର ଏଥର ମଧ୍ୟ ବିଜେଡି ଟିକେଟରେ ଏହି ଆସନରୁ ଜିତିବା ଆଶା ରଖିଛନ୍ତି। ତେବେ ଚିଟ୍‌ଫଣ୍ଡ ଛିଟା ତାଙ୍କ ପାଇଁ ଏଥର ନିଶ୍ଚୟ ମହଙ୍ଗା ପଡ଼ିବ।   ଏପରିକି ତାଙ୍କୁ ଦଳୀୟ ଟିକେଟ ନବୀନ ବାବୁ ଦେବେ କି ନାହିଁ ବୋଲି ମଧ୍ୟ ଭୋଟରଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।

ବିଜେଡି: ବାଲେଶ୍ୱର ଲୋକସଭା ଆସନରୁ ଲଢିବା ପାଇଁ ବିଜେଡ଼ିର ଟିକଟ ଲାଇନର ଆଗରେ ଅଛନ୍ତି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା। ତେବେ ବିଜେଡି ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଥିବାରୁ ବାଲେଶ୍ୱର ଲୋକସଭା ଆସନ କାହା ଭାଗରେ ପଡ଼ିବ ସେ ନେଇ କିଛି ସ୍ପଷ୍ଟ ଚିତ୍ର ମିଳିନାହିଁ। ଯଦି ମହିଳା ପ୍ରାର୍ଥୀଙ୍କ ପାଇଁ ଏହି ଆସନ ସଂରକ୍ଷିତ ହୁଏ ତେବେ ରବୀନ୍ଦ୍ରଙ୍କ ପତ୍ନୀ ସୁବାସିନୀ ଜେନା ଏହି ଆସନରୁ ଲଢିପାରନ୍ତି ବୋଲି ଶୁଣିବାକୁ ମିଳୁଛି।

ବିଜେପି:ସେହିପରି ଜାତୀୟ ଦଳ ବିଜେପିର ମଧ୍ୟ ଏହି ଆସନ ଉପରେ ନଜର ରହିଛି। ଏହି ଆସନରୁ ବିଜେପିର ଐର ଖାରବେଳ ସ୍ୱାଇଁ ଦୁଇ ଦୁଇ ଥର ଜିତି ଆସିଥିବାବେଳେ ୨୦୧୪ରେ ଦଳ ପ୍ରତାପ ଷଡଙ୍ଗୀଙ୍କୁ ଏଠାରେ ପ୍ରାର୍ଥୀ କରାଇଥିଲା । ଅବଶ୍ୟ ସେ ୧ଲକ୍ଷ ୪୧ ହଜାର ୮୨୫ ଭୋଟରେ ବିଜେଡି ପ୍ରାର୍ଥୀଙ୍କଠାରୁ ପରାସ୍ତ ହୋଇଥିଲେ। ତେବେ ଏଥର ଦଳ କାହାକୁ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଆଶାୟୀ ପ୍ରାର୍ଥୀ ତାଲିକାରେ ଦୁଇଜଣଙ୍କ ନାମ ଆସୁଛି। ମହିଳା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଏବଂ ପ୍ରତାପ ଷଡଙ୍ଗୀ । ପ୍ରାର୍ଥୀ ତାଲିକା ଘୋଷଣା କରାଯାଇ ନ ଥିଲେ ମଧ୍ୟ ଲେଖାଶ୍ରୀ ଏକପ୍ରକାର ପ୍ରଚାର ଆରମ୍ଭ କରି ଦେଲେଣି। ସାଙ୍ଗଠନିକ ପ୍ରଚାର ନ ହେଲେ ମଧ୍ୟ ସାମ୍ବାଦିକ ସମ୍ମିଳନୀ, ବୈଠକ କରି  ଲେଖାଶ୍ରୀ ତାଙ୍କର ପ୍ରାର୍ଥୀ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇ ସାରିଲେଣି।

ପ୍ରତାପ ଷଡଙ୍ଗୀ ଯେହେତୁ ଗତ ନର୍ବାଚନରେ ଲଢି ପ୍ରାୟ ଦେଢ ଲକ୍ଷ ଭୋଟରେ ହାରିଥିଲେ ଏବଂ ୫ ବର୍ଷ ମଧ୍ୟରେ ନିଜର ସ୍ଥିତିକୁ ଆହୁରି ମଜବୁତ କରି ପାରିଛନ୍ତି ବୋଲି ଦାବି କରୁଛନ୍ତି ତେଣୁ ଦଳ ତାଙ୍କୁ ମଧ୍ୟ ଟିକଟ ଦେଇପାରେ ବୋଲି ଶୁଣିବାକୁ ମିଳୁଛି ।

ଅନ୍ୟପକ୍ଷେ ଐର ଖାରବେଳ ସ୍ୱାଇଁଙ୍କ ନାମ ମଧ୍ୟ ସମ୍ଭାବ୍ୟ ତାଲିକାରେ ଥିବା ଶୁଣିବାକୁ ମିଳୁଛି। ପୂର୍ବରୁ ୧୯୯୮ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି-ବିଜେପି ମେଣ୍ଟରୁ ବିଜେପି ପକ୍ଷରୁ ଲଢି ଖାରବେଳ ଏହି ଆସନକୁ ନିଜ କବ୍‌ଜାରେ ରଖିଥିଲେ। ପରେ ଦଳ ଛାଡ଼ି ସେ ତାଙ୍କର ନିଜ ଦଳ ଗଢି ଥିଲେ। ହେଲ ଏବେ ଖାରବେଳ ଘରକୁ ଫରିବେ ବୋଲି ଶୁଣିବାକୁ ମିଳୁଛି। ଯଦି ସେ ଫେରନ୍ତି ତେବେ ଦଳ ତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରାଇବ ନା ନାହିଁ ? ଏଭଳି ଅନେକ ପ୍ରଶ୍ନ ଏବେ ଭୋଟର ଓ ବିଜେପି କର୍ମୀଙ୍କ ମନରେ।

କଂଗ୍ରେସ:କଂଗ୍ରେସର ଆଶାୟୀ ତାଲିକାରେ ବାଲେଶ୍ୱର ଲୋକସଭା ଆସନ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ନାମ ଶୁଣିବାକୁ ମିଳୁଛି।  ୨୦୦୯ରେ ଏହି ଆସନ କଂଗ୍ରେସ ହାତରେ ଥିଲା। ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଏହି ଆସନରୁ ବିଜୟୀ ହୋଇଥିଲେ। ଏବେ ମଧ୍ୟ ବାଲେଶ୍ୱରେ ଶ୍ରୀକାନ୍ତଙ୍କ ଦବ୍‌ଦବା ରହିଛି । ହେଲେ ଶ୍ରୀକାନ୍ତ ଏବେ ଦଳରୁ ବହିଷ୍କୃତ ହୋଇଯାଇଛନ୍ତି। ତେଣୁ ସେ ଏଠାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ନା  କୋଉ ଦଳକୁ ଡେଇଁ ସେହି ଦଳରୁ ପ୍ରାର୍ଥୀ ହେବେ ସେ ନେଇ କିଛି ସ୍ପଷ୍ଟ ଚିତ୍ର ଦିଶୁ ନାହିଁ। ତଥାପି ତାଙ୍କର ବିଜେଡିକୁ ଯିବାର ସମ୍ଭାବନା ଅଧିକ ରହିଛି ବୋଲି ଶୁଣିବାକୁ ମିଳୁଛି।

ବାଲେଶ୍ୱର ଲୋକସଭା ଆସନରେ ପ୍ରାର୍ଥୀଙ୍କୁ ନେଇ ଦେଖା ଦେଇଥିବା ରାଜନୈତିକ ଦୃଶ୍ୟପଟ୍ଟ ଯଦିଓ ଏଯାଏ ଅସ୍ପଷ୍ଟ ରହିଛି ତଥାପି ଏଠାରେ ତ୍ରିମୁଖୀ ଲଢେଇ ହେବା ନିଶ୍ଚିତ।  ତେବେ ଆଉ ଦିନେ-ଦୁଇ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା ହୋଇଗଲେ ସବୁକିଛି ସ୍ପଷ୍ଟ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos