Advertisment

ଶ୍ରେୟ ରାଜନୀତି; ଦେବାଶିଷ ଓ ସୁବାସଙ୍କୁ ଟାର୍ଗେଟ କଲେ ମୋକିମ୍‌

ମୋକିମ୍ କହିଛନ୍ତି, ଯଦି ସିଡିଏ ପେଟା ନାଳ ଦେବାଶିଷଙ୍କ ଡ୍ରିମ୍ ପ୍ରୋଜେକ୍ଟ ଥିଲା, ତାହାହେଲେ ସେ ୧୦ ବର୍ଷ ବିଧାୟକ ଥିବା ବେଳେ କେମିତି କାମ କିଛି କଲେନି।

author-image
Manoranjan Sial
Cuttack

Cuttack

କଟକ ସିଡିଏ ପେଟାନାଳ ଭିତ୍ତିପ୍ରସ୍ତର ସ୍ଥାପନକୁ ନେଇ ଆରମ୍ଭ ହୋଇ ଶ୍ରେୟ ରାଜନୀତି। ପ୍ରଥମେ ବିଜେଡିର ଦୁଇ ନେତା ତଥା ସିଏମ୍‌ସି ମେୟର ସୁବାସ ସିଂ ଓ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିବା ବେଳେ ଏବେ ଉଭୟଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ।

Advertisment

ମୋକିମ୍ କହିଛନ୍ତି, ଯଦି ସିଡିଏ ପେଟା ନାଳ ଦେବାଶିଷଙ୍କ ଡ୍ରିମ୍ ପ୍ରୋଜେକ୍ଟ ଥିଲା, ତାହାହେଲେ ସେ ୧୦ ବର୍ଷ ବିଧାୟକ ଥିବା ବେଳେ କେମିତି କାମ କିଛି କଲେନି। ସେହିପରି ମେୟର ସୁବାସ ସିଂଙ୍କୁ ତେରଚ୍ଛା ବାଣ ମାରି ଶ୍ରୀ ମୋକିମ୍‌ କହିଛନ୍ତି, ମେୟର ହେବା ଆଗରୁ ହିଁ ପ୍ରକଳ୍ପର ରୂପରେଖ ଚୂଡ଼ାନ୍ତ ହୋଇଥିଲା। ଏବେ ଯାହା ହେଉଛି, ସେପରି ହୀନ ରାଜନୀତି ହେବା ଉଚିତ ନୁହେଁ। ପେଟା ନାଳର ଅଫିସିଆଲ୍‌ ଉଦ୍‌ଘାଟନ ହୋଇନାହିଁ। ଅଫିସିଆଲ୍‌ ଉଦ୍‌ଘାଟନ ହେଲେ ସମସ୍ତେ ଉପସ୍ଥିତ ରହିବେ ବୋଲି ମୋକିମ କହିଛନ୍ତି।

ଗତକାଲି ସୁବାସ ସିଂ ନିଜ ସମର୍ଥକଙ୍କ ସହିତ ଯାଇ ପେଟା ନାଳର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ନଡ଼ିଆ ବାଡ଼େଇ ଥିଲେ। ଏହାକୁ କଡ଼ା ସମାଲୋଚନା କରିଥିଲେ ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ। ସେ କହିଥିଲେ, ଆଗରୁ ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ମେୟର ଓ ସିଏମସି କମିଶନର ପୁଣି ଥରେ କାହିଁକି ନଡ଼ିଆ ବାଡ଼େଇ ଶିଳାନ୍ୟାସ କରିଛନ୍ତି, ତାହା ଜଣାପଡୁନି। ୨୦୨୧ ମସିହାରେ ସେ ଡିପିଆର୍ ପ୍ରସ୍ତୁତ କରାଯାଇଥିଲେ। କଟାକ୍ଷ କରି ଦେବାଶିଷ କହିଥିଲେ, ଏହା ସରକାରୀ ନା ବ୍ୟକ୍ତିଗତ କାର୍ଯ୍ୟକ୍ରମ ଥିଲା, ତାହା ସୁବାସ ସିଂ କହିପାରିବେ।

Advertisment

ସେପଟେ ଶନିବାର କାର୍ଯ୍ୟକ୍ରମକୁ ସ୍ଥାନୀୟ ନେତାଙ୍କୁ ଡକାଯାଇନଥିବା ଅଭିଯୋଗ କରି ସୁବାସ ସିଂ ଓ କଂଗ୍ରେସର ଗିରିବାଳା ବେହେରାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ପ୍ରସଙ୍ଗରେ ସୁବାସ ସିଂ କିମ୍ୱା ସିଏମସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

BjD Congress Cmc Cuttack Mohammed Moquim