Advertisment

ଫ୍ଲୋର ଟେଷ୍ଟ ପୂର୍ବରୁ ହଲଚଲ, ଜେଡିୟୁ ଭୋଜିରୁ ବିଧାୟକ ଗାଏବ୍‌

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ୧୨ ତାରିଖରେ ଫ୍ଲୋର ଟେଷ୍ଟ ଦେବେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Nitish Kumar.11

Nitish Kumar.11

ବିହାରରେ ପୁଣିଥରେ ଆରମ୍ଭ ହୋଇଯାଇଛି ରାଜନୈତିକ ହଲଚଲ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ୧୨ ତାରିଖରେ ଫ୍ଲୋରଟେଷ୍ଟ ଦେବେ। ତେବେ ଏହା ପୂର୍ବରୁ ଉଭୟ ଏନଡିଏ ଏବଂ ଗ୍ରାଣ୍ଡ ଆଲାଇନ୍ସ ନିଜ ନିଜ ବିଧାୟକଙ୍କୁ ଏକଜୁଟ ରଖିବା ପାଇଁ ଉଦ୍ୟମ କରୁଛନ୍ତି। ଏହାରି ଭିତରେ ଜେଡିୟୁ ପକ୍ଷରୁ କରାଯାଇଥିବା ଏକ ଭୋଜିରୁ ବିଧାୟକମାନେ ଗାଏବ ଥିବା ସୂଚନା ମିଳିଛି।

Advertisment

ଫ୍ଲୋର ଟେଷ୍ଟର ଦିନକ ପୂର୍ବରୁ ପୂର୍ବତନ ମନ୍ତ୍ରୀ ଶ୍ରବଣ କୁମାରଙ୍କ ବାସଭବନରେ ଜେଡିୟୁ ଦ୍ୱାରା ଏକ ଭୋଜିର ଆୟୋଜନ କରାଯାଇଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଜେଡିୟୁ ବିଧାୟକମାନେ ଉପସ୍ଥିତ ଥିଲେ। ତେବେ ସମସ୍ତ ବିଧାୟକ ଏହି ଭୋଜିରେ ଉପସ୍ଥିତ ନଥିଲେ। ଜେଡିୟୁର ୬ ଜଣ ଜେଡିୟୁ ବିଧାୟକ ଏହି ଭୋଜିକୁ ଆସିନଥିଲେ। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଯାଇଛି। ଜେଡିୟୁକୁ ଘୋଡା ବେପାର ଭୟ ଘାରିବାରେ ଲାଗିଛି।

ସେପଟେ ୬ ଜଣ ବିଧାୟକଙ୍କୁ ଭୋଜିରେ ଉପସ୍ଥିତ ନଥିବା ଦେଖି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଗି ଯାଇଛନ୍ତି। କୁହାଯାଉଛି ଯେ କିଛି ବିଧାୟକ ଅସୁସ୍ଥ ହୋଇପଡିଥିବା ବେଳେ ଆଉ କିଛି ବ୍ୟକ୍ତିଗତ କାରଣରୁ ଭୋଜିରେ ସାମିଲ ହୋଇପାରି ନାହାଁନ୍ତି। ବିଧାୟକମାନେ ଭୋଜିକୁ ନ ଆସିବା କାରଣରୁ ରାଜନୈତିକ ଉଷ୍ମତା ବଢ଼ିଛି।

Advertisment

ଅନ୍ୟପକ୍ଷରେ, ବିଧାୟକମାନଙ୍କୁ ଏକଜୁଟ ରଖିବା ପାଇଁ ଆରଜେଡି ମଧ୍ୟ ଅପରାହ୍ନ ୩ଟାରେ ରାବ୍ରି ଦେବୀଙ୍କ ବାସଭବନରେ ନିଜର ବିଧାୟକଙ୍କୁ ଡାକିଥିଲା। ସେପଟେ କଂଗ୍ରେସ ଘୋଡା ବେପାର ଭୟରେ ପୂବରୁ ନିଜ ବିଧାୟକମାନଙ୍କୁ ହାଇଦ୍ରାବାଦ ପଠାଇ ସାରିଛି।

ଜେଡିୟୁ ସଭାପତି ଉମେଶ ସିଂହ କୁଶୱା କହିଛନ୍ତି ଯେ ଫେବ୍ରୁଆରୀ ୧୨ରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଶକ୍ତି ପରୀକ୍ଷା ହେବ। ବିରୋଧୀଙ୍କୁ ବୁଝିବାକୁ ହେବ ଯେ ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ସରକାର ଗଠନ ହୋଇସରିଛି। ସେମାନେ ଆମର ନେତା ଏବଂ ଆମ ଦଳ ସହ ସିଧାସଳଖ ଲଢ଼େଇ କରିପାରିବେ ନାହିଁ। ଆମେ ସମସ୍ତେ ଏନଡିଏ ସହିତ ଅଛୁ।

ଉଲ୍ଲେଖଯୋଗ୍ୟ, ଜାନୁଆରୀ ୨୮ ତାରିଖରେ ନୀତୀଶ କୁମାର ଆର୍‌ଜେଡି ଠାରୁ ଭିନ୍ନ ହୋଇ ଏନ୍‌ଡିଏ ସହ ମିଶି ବିହାରରେ ସରକାର ଗଠନ କରିଛନ୍ତି। ବିହାରରେ ବିଜେପି ସହିତ ନୂତନ ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଫେବ୍ରୁଆରୀ ୧୨ରେ ଫ୍ଲୋର ଟେଷ୍ଟରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିବ।

ବର୍ତ୍ତମାନ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ବିଜେପିର ୭୮ ବିଧାୟକ ଅଛନ୍ତି। ଏନ୍‌ଡିଏ ସହ ମେଣ୍ଟ କରିଥିବା ନୀତୀଶ କୁମାରଙ୍କ ଜେଡିୟୁ ପାଖରେ ୪୫, ହିନ୍ଦୁସ୍ତାନ ଆଓ୍ୱାମ ମୋର୍ଚ୍ଚା ପାଖରେ ୪ ଓ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି। ସଂଖ୍ୟାଗରିଷ୍ଠତା ପାଇଁ ୧୨୨ ଜଣ ବିଧାୟକଙ୍କ ସମର୍ଥନ ଲୋଡା। ଏଭଳି ସ୍ଥିତିରେ ୧୨୮ ବିଧାୟକଙ୍କ ସମର୍ଥନ ସହ ନୀତୀଶ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାରେ କୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ ନାହିଁ ବୋଲି କୁହାଯାଉଛି। 

Nitish Kumar JDU Bihar Floor Test