ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ପରିବର୍ତ୍ତନ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ଏବେ ରାଜନୀତି ଜୋରଦାର ହୋଇଛି । ସ୍କୁଲ ୟୁନିଫର୍ମକୁ ସବୁଜ ରଙ୍ଗ କରି ଛାତ୍ରଛାତ୍ରୀଙ୍କୁ ଦଳୀୟ ଭାବନାରେ ପରୋକ୍ଷରେ ଟାଣିବା ଲଜ୍ଜାଜନକ ବୋଲି ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ।
ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଆଜି ଟ୍ୱିଟ୍ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଏନେଇ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଛାତ୍ରଛାତ୍ରୀମାନଙ୍କୁ ନେଇ ବିଜେଡି ସରକାର ଯେଉଁ ରାଜନୀତି କରୁଛନ୍ତି ସେଥିପାଇଁ ଓଡ଼ିଶାବାସୀ କଦାପି କ୍ଷମା ଦେବେ ନାହିଁ । ଓଡ଼ିଶା ସରକାର ଦଳୀୟ ଭାବନାରେ ପିଲାଙ୍କ ସମ୍ପୂର୍ଣ୍ଣ ୟୁନିଫର୍ମକୁ ସବୁଜ କରିବା ପାଇଁ ଚିନ୍ତା କରିବା ଏବଂ ତା' ଉପରେ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା' ଷ୍ଟିକର ମାରିବା ଦୁଃଖଦାୟକ । ପୂର୍ବରୁ ଓଡ଼ିଶା ସରକାର ୫-ଟି ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ସ୍କୁଲ ଓ କଲେଜ ଆଦିକୁ ସବୁଜ ରଙ୍ଗ କରିବା ପରେ ଏବେ ସ୍କୁଲ ୟୁନିଫର୍ମର ରଙ୍ଗ ସବୁଜ କରିବା ପାଇଁ ନିଷ୍ପତ୍ତି ନେବା ଦୁଃଖର ବିଷୟ । ଓଡ଼ିଶା ସରକାର ଗତ ୧୦ ତାରିଖରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ବଦଳାଇବା ନେଇ ଏକ ଆଡଭାଇଜାରୀ ଜାରି କରିଛନ୍ତି, ଯାହା ଅତ୍ୟନ୍ତ ହାସ୍ୟାସ୍ପଦ । ଆଡଭାଇଜାରୀ ଅନୁସାରେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ଧଳା ଓ ଘନନୀଳ ବଦଳରେ ‘ହଂଟର ଗ୍ରିନ୍' ରଙ୍ଗର ପୋଷାକ କରିବାକୁ ଯାଉଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ "ସମଗ୍ର ଶିକ୍ଷା" ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ସ୍କୁଲ ୟୁନିଫର୍ମ ପାଇଁ ଓଡ଼ିଶାକୁ ବାର୍ଷିକ ପ୍ରାୟ ୨୪୦ କୋଟି ଟଙ୍କା ଅନୁଦାନ ମିଳୁଛି । କେନ୍ଦ୍ର ଦେଉଥିବା ଅର୍ଥ ଉପରେ ରାଜ୍ୟ ସରକାର ନିଜର ଷ୍ଟିକର ମାରିବାର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତିି, ଯାହା ପର ଘର ତିଅଣରେ ଅତିଥି ସତ୍କାର ସଦୃଶ ।
ସେହିପରି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ,ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ପରିବର୍ତ୍ତନ ପାଇଁ ଅଚାନକ ନିଷ୍ପତ୍ତି କିଭଳି ନିଆଗଲା ତାଙ୍କୁ ଆଶ୍ଚର୍ଯ୍ୟ କରିଛି । ସମସ୍ତଙ୍କ ସହ ବିଚାରବିମର୍ଶ ନକରି ଏଭଳି କରାଯିବା ଅନୁଚିତ୍ । ପିଲା ଓ ସେମାନଙ୍କ ଅଭିଭାବକଙ୍କ ଉପରେ ୟୁନିଫର୍ମ ରଙ୍ଗର ଛାପ ଛାଡ଼ିବା ପାଇଁ ଏଭଳି ଉଦ୍ୟମ ଠିକ୍ ନୁହେଁ । ରାଜ୍ୟ ସରକାର ହାଇସ୍କୁଲ ଶିକ୍ଷାର ସ୍ତରରେ ସୁଧାର ଦିଗରେ ପଦକ୍ଷେପ ନେବା ଉଚିତ୍ ।
ସେହିପରି ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ କହିଛନ୍ତି ଯେ, ୟୁନିଫର୍ମର ରଙ୍ଗ ସବୁଜ କରିବା ପାଇଁ ନିଷ୍ପତ୍ତି ନେବା ପୂର୍ବରୁ ଦୁଇଥର ଚିନ୍ତା କରିବାର ଥିଲା । ଶାସକ ଦଳ ନିଜର ସବୁଜ ରଙ୍ଗ ପାଇଁ ବେଶ୍ ପରିଚିତ । ତେଣୁ ସ୍କୁଲରେ ଏଭଳି ହୀନ ରାଜନୀତି କରିବା ପାଇଁ ସରକାର ଏପରି କରୁଛନ୍ତି । ପିଲାମାନଙ୍କ ଭବିଷ୍ୟତ ଉପରେ ଦୃଷ୍ଟି ଦେବା ପରିବର୍ତ୍ତେ ସେମାନଙ୍କୁ ଭବିଷ୍ୟତର ଭୋଟର ଭାବେ ବିବେଚନା କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ତେବେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।