Advertisment

ପାଣ୍ଡିଆନଙ୍କ ଗେଟ୍ ସମ୍ମୁଖରେ ଛିଡ଼ା: ଦ୍ୱାରପାଳ କ’ଣ କ୍ରୀତଦାସ ହେବାକୁ ପ୍ରସ୍ତୁତ କହିଲେ ବବି

ନବରଙ୍ଗପୁର ସର୍କିଟ ହାଉସରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ନିଜର ଟିମ୍ ସହ ଆଜି ବିଭିନ୍ନ ବର୍ଗର ଲୋକଙ୍କୁ ଭେଟୁଥିବାବେଳେ ଗେଟ୍ ସମ୍ମୁଖରେ ଦ୍ୱାରପାଳ ଭଳି ଛିଡ଼ା ହେବା ପ୍ରସଙ୍ଗରେ ୩ଥରର ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ(ବବି) ମୁହଁ ଖୋଲିଛନ୍ତି ।

author-image
Ordigital Desk
ଅଦ୍ୟତନ ହୋଇଛି
BJD secretary Pranab Prakash Das

BJD secretary Pranab Prakash Das

ନବରଙ୍ଗପୁର ସର୍କିଟ ହାଉସରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ନିଜର ଟିମ୍ ସହ ଆଜି ବିଭିନ୍ନ ବର୍ଗର ଲୋକଙ୍କୁ ଭେଟୁଥିବାବେଳେ ଗେଟ୍ ସମ୍ମୁଖରେ ଦ୍ୱାରପାଳ ଭଳି ଛିଡ଼ା ହେବା ପ୍ରସଙ୍ଗରେ ୩ଥରର ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ(ବବି) ମୁହଁ ଖୋଲିଛନ୍ତି । ଭିତରେ ପ୍ରଶାସନିକ ଅଫିସରଙ୍କ କାର୍ଯ୍ୟକ୍ରମବେଳେ ଜଣେ ନିର୍ବାଚିତ ଲୋକ ପ୍ରତିନିଧି ତଥା ପୂର୍ବତନ ମନ୍ତ୍ରୀ ଦ୍ୱାରପାଳ ଭଳି ଆଚରଣ କରିବାକୁ ନେଇ ସୋସିଆଲ ମିଡିଆରେ ସମାଲୋଚନା ହେବା ପରେ ବବି ମୁହଁ ଖୋଲି ଦ୍ୱାରପାଳ କ’ଣ କ୍ରୀତଦାସ ହେବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ସେ ନବରଙ୍ଗପୁରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ, ତେଣୁ ଗେଟ୍ ବାହାରେ ଛିଡ଼ା ହୋଇ ଲୋକଙ୍କୁ ଛାଡ଼ୁଥିଲେ ବୋଲି ବବି ସଫେଇ ଦେଇଥିଲେ ମଧ୍ୟ ଜଣେ ଲୋକପ୍ରତିନିଧିଙ୍କୁ ବାହାରେ ଛିଡ଼ା କରାଇ ଅଫିସରମାନେ କିଭଳି ଜନଶୁଣାଣି କରୁଥିଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟପକ୍ଷରେ ରାଜ୍ୟରେ ଗଣତନ୍ତ୍ର ନୁହେଁ ଅମଲାତନ୍ତ୍ରର ଶାସନ ଚାଲିଛି ବୋଲି ବିରୋଧୀ ଦଳ ବାରମ୍ବାର ଅଭିଯୋଗ କରୁଛନ୍ତି ।

Advertisment

ଦୁଇଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ଆଜି ନବରଙ୍ଗପୁର ସର୍କିଟ ହାଉସରେ ଜିଲ୍ଲାର ବିଭିନ୍ନ ବର୍ଗର ଲୋକ ଓ ସଂଗଠନକୁ ସାକ୍ଷାତ କରିଥିଲେ । ଶ୍ରୀ ପାଣ୍ଡିଆନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୁଇ ବରିଷ୍ଠ ଅଧିକାରୀ ଆର.ଭିନିଲକ୍ରିଷ୍ଣା ଓ ରୂପାରୋଶନ ସାହୁ ମଧ୍ୟ ସାମିଲ ଥିଲେ । ଶ୍ରୀ ପାଣ୍ଡିଆନ ଯେଉଁ ରୁମରେ ସାଧାରଣ ଲୋକଙ୍କୁ ଭେଟୁଥିଲେ, ସେହି ରୁମର ଗେଟ୍ ଆଗରେ ବବି ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହିଥିଲେ । ଅଫିସରମାନଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ ଜଣେ ପୂର୍ବତନ ମନ୍ତ୍ରୀ ତଥା ୩ଥରର ବିଧାୟକ ଏଭଳି ଅସହାୟ ହୋଇ ଛିଡ଼ା ହେବାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିବା ସହ ବିରୋଧୀ ଦଳ ମଧ୍ୟ ଏନେଇ ସିଧାସଳଖ ରାଜ୍ୟରେ ଗଣତନ୍ତ୍ର ଭୁଷୁଡ଼ି ପଡ଼ିଛି ଓ ଅମଲାତନ୍ତ୍ରର ଶାସନ ଚାଲିଛି ବୋଲି କହିବାକୁ ପଛାଇ ନାହାନ୍ତି ।

କିନ୍ତୁ ଏସବୁ ମଧ୍ୟରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ବବି କହିଛନ୍ତି ଯେ, ଦ୍ୱାରପାଳ କଥା କହିବା ହେଉଛି ମଧ୍ୟଯୁଗୀୟ ମାନସିକତାର ପରିଚୟ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଠାକୁ ଆସିଛି । ସମସ୍ତଙ୍କୁ ସେ ଡାକିଥିଲେ । ଓଡ଼ିଶାବାସୀଙ୍କ କାମ ପାଇଁ ସେ ଦ୍ୱାରପାଳ କ’ଣ କ୍ରୀତଦାସ ହେବାକୁ ରାଜି ଅଛନ୍ତି । ବିଜୁ ଜନତା ଦଳର ମୂଲିଆ ହେବାକୁ ପ୍ରସ୍ତୁତ । ଲୋକଙ୍କ ପାଇଁ କାମ କରିବାକୁ ଆସିଛୁ, ମଧ୍ୟଯୁଗୀୟ ମାନସିକତା ନୁହେଁ । ପଂଚାୟତ ନିର୍ବାଚନରେ ବିପୁଳ ସଂଖ୍ୟାରେ ଆମକୁ ଜନସମର୍ଥନ ମିଳିଥିଲା । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏଠାକୁ ଆସି ଲୋକଙ୍କ ସମସ୍ୟା ଆଦି ଶୁଣୁଥିଲେ । ଲୋକମାନେ ବାହାରେ ଠିଆ ହୋଇଥିବାବେଳେ କିଭଳି ଭିତରେ ବସିଥାନ୍ତି ବୋଲି ବବି ଓଲଟା ପ୍ରଶ୍ନ କରିଛନ୍ତି ।

Advertisment

ତେବେ ପ୍ରଶ୍ନ ଉଠୁଛି, ନବରଙ୍ଗପୁର ସର୍କିଟ ହାଉସରେ ଆଜିର କାର୍ଯ୍ୟକ୍ରମ କ’ଣ ବିଜୁ ଜନତା ଦଳର କାର୍ଯ୍ୟକ୍ରମ ଥିଲା ନା ସରକାରୀ କାର୍ଯ୍ୟକ୍ରମ । ସରକାରୀ ଅଫିସରମାନଙ୍କୁ ସାଧାରଣ ଲୋକ ଭେଟିବେ । ଯଦି କାର୍ଯ୍ୟକ୍ରମ ବିଜୁ ଜନତା ଦଳର ଥିଲା, ତା’ହେଲେ ସ୍ଥାନୀୟ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ସାମିଲ କାହିଁକି କରାଗଲାନି? ଯଦି ଏହା ସରକାରୀ କାର୍ଯ୍ୟକ୍ରମ ଥିଲା, ତା’ହେଲେ ଗୋଟିଏ ନିର୍ଦ୍ଦିଷ୍ଟ ରାଜନୀତିକ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କାହିିଁକି ମାମଲାତି ବା ଦ୍ୱାରପାଳ ସାଜିଥିଲେ?

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ବବିଙ୍କୁ ଏଭଳି ଭୂମିକାରେ ପୁରୀରେ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ଗାଡ଼ିରୁ ଓହ୍ଲାଇ ପୁରୀ ଶ୍ରୀମନ୍ଦିରକୁ ଦର୍ଶନ ପାଇ ଯାଉଥିବାବେଳେ ବବି ଆଗୁଆ ଗାଡ଼ିରୁ ଓହ୍ଲାଇ ଦୌଡ଼ି ଦୌଡ଼ି ରାସ୍ତା କ୍ଲିଅର କରୁଥିବାର ଦୃଶ୍ୟ ଗତ ଦୁଇବର୍ଷ ତଳେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ।

ଏବେ ନବରଙ୍ଗପୁରରେ ଦ୍ୱାରପାଳ ଭୂମିକାରେ ବବି ଛିଡ଼ା ହୋଇ ରହିବାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ସେ ନିଜର ସଫେଇରେ ଯାହାବି କହିଲେ ମଧ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରରେ ବ୍ୟବସ୍ଥାପିକା ଉପରେ କାର୍ଯ୍ୟପାଳିକା ଓଡ଼ିଶାରେ ଅଧିକ ପ୍ରଭାବଶାଳୀ ହେବାରେ ଲାଗିଛି ।

ଆଜି ବିଧାନସଭାରେ ମଧ୍ୟ ରାଜ୍ୟରେ ଅମଲାତନ୍ତ୍ରର ଶାସନ ଚାଲିଛି ବୋଲି ବିରୋଧୀ ଦଳ ଅଭିଯୋଗ କରିବା ସହ ପ୍ରୋଟୋକଲ ଓ ବୁକ ସର୍କୁଲାରକୁ ଖୋଲାଖୋଲି ଉଲ୍ଲଘଂନ ରାଜ୍ୟ ଓ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହି ହଟ୍ଟଗୋଳ କରିଥିଲେ ।

Odisha Governance Bjd Under 5t Control