Advertisment

ମୋଦି ବିରୋଧୀ ବୟାନ ପାଇଁ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଇସି ପଠାଇଲେ ନୋଟିସ

ସେ ବିଜେପିକୁ ସମାଲୋଚନା କରିଥିଲେ ଓ ସରକାରଙ୍କ ଦ୍ୱାରା ପରିଚାଳିତ କମ୍ପାନୀଗୁଡ଼ିକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶିଳ୍ପପତି ବନ୍ଧୁମାନଙ୍କ ହାତକୁ ଟେକି ଦିଆଯାଉଛି ବୋଲି ଅଭିଯୋଗ କରିଥିଲେ।

author-image
Hemant Lenka
Congress

Congress

ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ‘ତଥ୍ୟହୀନ’ ବୟାନ ଦେଇଥିବା ଅଭିଯୋଗରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଆଜି ନିର୍ବାଚନ କମିଶନ(ଇସି) କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ବିଜେପି ପକ୍ଷରୁ ପ୍ରିୟଙ୍କାଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା।

Advertisment

ଏହାକୁ ଆଧାର କରି ଇସି ତାଙ୍କୁ ନୋଟିସ କରିଛନ୍ତି। ଗୁରୁବାର ସନ୍ଧ୍ୟା ୮ଟା ସୁଦ୍ଧା ପ୍ରିୟଙ୍କାଙ୍କୁ ଜବାବ ଦେବାକୁ କୁହାଯାଇଛି। ପ୍ରିୟଙ୍କା ନିର୍ବାଚନୀ ରାଲିରେ ଦେଇଥିବା ବୟାନ ମିଥ୍ୟା ଓ ତଥ୍ୟହୀନ ବୋଲି ବିଜେପି ଅଭିଯୋଗ କରିଛି।

ନିର୍ବାଚନ କମିଶନ କହିଛନ୍ତି, ଅନ୍ୟ ରାଜନୀତିକ ଦଳକୁ ସମାଲୋଚନା କରିବା ବେଳେ ଫୋକସ ପ୍ରତିପକ୍ଷଙ୍କ ନୀତି ଓ କାର୍ଯ୍ୟକ୍ରମ ଉପରେ ରହିବା ଦରକାର। ପୂର୍ବର ରେକର୍ଡ ଓ କାମ ଆଧାରରେ ସମାଲୋଚନା କରାଯିବା ଉଚିତ। ଦଳ ଓ ପ୍ରାର୍ଥୀମାନେ ପ୍ରତିପକ୍ଷଙ୍କୁ ବ୍ୟକ୍ତିଗତ ସ୍ତରକୁ ଯାଇ ଆକ୍ଷେପ କରିପାରିବେ ନାହିଁ। ତଥ୍ୟହୀନ ଓ ମିଥ୍ୟା ଆରୋପ ଠାରୁ ମଧ୍ୟ ସମସ୍ତେ ଦୂରେଇ ରହିବା ଦରକାର ବୋଲି ଇସି ନୋଟିସରେ କହିଛନ୍ତି।

Advertisment

ମଧ୍ୟପ୍ରଦେଶର ଭୋପାଲରେ ଗୋଟିଏ ନିର୍ବାଚନ ସଭାକୁ ଗତ ସପ୍ତାହରେ ପ୍ରିୟଙ୍କା ସମ୍ବୋଧନ କରିଥିଲେ। ଏହି ସମୟରେ ସେ ବିଜେପିକୁ ସମାଲୋଚନା କରିଥିଲେ ଓ ସରକାରଙ୍କ ଦ୍ୱାରା ପରିଚାଳିତ କମ୍ପାନୀଗୁଡ଼ିକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶିଳ୍ପପତି ବନ୍ଧୁମାନଙ୍କ ହାତକୁ ଟେକି ଦିଆଯାଉଛି ବୋଲି ଅଭିଯୋଗ କରିଥିଲେ।

ସେ କହିଥିଲେ, “କଂଗ୍ରେସ ଆଇଆଇଏମ ଓ ଏମ୍ସ ଭଳି ବଡ଼ ହସ୍ପିଟାଲ ଆଣିଥିଲା। ଏପରି ସଂସ୍ଥା ପ୍ରତିଷ୍ଠା କରିବା ପଛରେ ପଣ୍ଡିତ ଜବାହର ଲାଲ ନେହରୁଙ୍କ ଭୂମିକା ରହିଥିଲା। ଏହି ସଂସ୍ଥାଗୁଡ଼ିକ ଦେଶକୁ ଆଗକୁ ନେବେ। କିନ୍ତୁ ବିଜେପିର ନୀତି ହେଉଛି ସରକାରୀ ସଂସ୍ଥାଗୁଡ଼ିକୁ ଶିଳ୍ପପତିଙ୍କ ହାତକୁ ଟେକି ଦେବା। ଲୋକଙ୍କ ପକେଟରୁ ଟଙ୍କା ଲୁଟ କରିବା। ଭେଲ ଭଳି ସଂସ୍ଥାକୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଶିଳ୍ପପତି ବନ୍ଧୁମାନଙ୍କ ହାତରେ ଦେଇଛନ୍ତି।” ତେବେ ଏଥିରେ କୌଣସି ସତ୍ୟତା ନଥିବା ବିଜେପି କହିଛି।

Congress Priyanka Gandhi Vadra Madhya Pradesh