Advertisment

୧୩ରେ ମତଦାନ, ବୁଥ୍‌ ମୁହାଁ ପୋଲିଂ କର୍ମଚାରୀ

ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ହୋଇଛି ୭ ହଜାର ୩୦୩ ବୁଥ୍। ୩୭ ଲୋକସଭା ଓ ୨୪୩ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୨ ଲକ୍ଷ ୮୭ ହଜାର ଭୋଟର୍। ଫାଷ୍ଟ୍ ଫେଜରେ ପୁରୁଷଙ୍କଠାରୁ ପ୍ରାୟ ୧ ଲକ୍ଷ ଅଧିକ ମହିଳା ଭୋଟର ଅଛନ୍ତି।

author-image
Manoranjan Sial
EVM

EVM

ମେ ୧୩ ତାରିଖ ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ସକାଳ ୭ଟାରେ ଭୋଟିଂ ଆରମ୍ଭ ହେବ। ଗଣତନ୍ତ୍ରର ମହାପର୍ବରେ ସାମିଲ ହେବେ ଓଡ଼ିଶାର ଭୋଟର୍। ହେବ ଦେଶର ଚତୁର୍ଥ ତଥା ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ। କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ରରେ ଭୋଟ୍‌ ହେବାକୁ ଥିବା ବେଳେ ଆଜି ସେଠାରେ ସରିଛି ପ୍ରଚାର ପର୍ବ।

Advertisment

୪ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ମଧ୍ୟ ଭୋଟ୍‌ ହେବ। ସେଥିପାଇଁ ଇଭିଏମ୍, ଭିଭିପାଟ୍ ଓ ଆନୁସଙ୍ଗିକ ସରଞ୍ଜାମ ଧରି ବୁଥ୍ ମୁହାଁ ପୋଲିଂ ପାର୍ଟି। ଏଥିପାଇଁ ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ନକ୍ସଲ ପ୍ରବଣ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ୧୩ ତାରିଖରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ସାଧାରଣ ନିର୍ବାଚନ। ଯନ୍ତ୍ରୀ ଓ ସନ୍ୟାସୀଗୁଡ଼ାରେ ହୋଇଛି ମତଦାନ କେନ୍ଦ୍ର। ଜିଲ୍ଲାରେ ରହିଛି ମୋଟ ୧୧୪ ସମ୍ବେଦନଶୀଳ ବୁଥ୍।

ସେହିପରି ନବରଙ୍ଗପୁର ଜିଲ୍ଲାରେ ୪ ବିଧାନସଭା ନିର୍ବାଚନମଣ୍ଡଳୀ ଥିବା ବେଳେ ଦୁର୍ଗମ ତଥା ଜିଲ୍ଲା ମୁଖ୍ୟାଳୟରୁ ଅଧିକ ଦୂର ହୋଇଥିବାରୁ ଉମରକୋଟ ଓ ଝରିଗାଁକୁ ଆଜି ବାହାରିଛନ୍ତି ପୋଲିଂ ଅଧିକାରୀ ଓ କର୍ମଚାରୀ। ବାକି ଦୁଇଟିକୁ ଆସନ୍ତାକାଲି ପଠାଯିବ।

Advertisment

କୋରାପୁଟ ସରକାରୀ ମହାବିଦ୍ୟାଳୟରେ ପଟାଙ୍ଗି, ଲକ୍ଷ୍ମୀପୁର ଓ କୋରାପୁଟ ପାଇଁ ୧୫ଟି କାଉଣ୍ଟର ଖୋଲାଯାଇ ଶୃଙ୍ଖଳିତ ଭାବେ ହୋଇଛି ଭୋଟିଂ କିଟ୍ ବଣ୍ଟନ। ଆଜି ଏଠାରୁ ୩ଟି ନିର୍ବାଚନମଣ୍ଡଳୀର ବୁଥକୁ ପୋଲିଂ ପାର୍ଟି ଯାଇଛି। ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ହୋଇଛି ବ୍ୟାପକ ବ୍ୟବସ୍ଥା। ପୂର୍ବ ଭଳି ଟ୍ରକରେ ନଯାଇ ବସ୍ ଓ ଛୋଟ ଗାଡ଼ିରେ ଯାଇଛନ୍ତି ପୋଲିଂ କର୍ମଚାରୀ।

ସେପଟେ ବ୍ରହ୍ମପୁର ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରର ବିଭିନ୍ନ ବୁଥ୍ ଅଭିମୁଖେ ଆଜିଠୁ ଯାଇସାରିଛି ପୋଲିଂ ପାର୍ଟି। ନୂଆପଡ଼ାର ନ୍ୟାସନାଲ କଲେଜ ପରିସରରୁ ଖଡ଼ିଆଳ ଅଭିମୁଖେ ପୋଲିଂ ପାର୍ଟି ବାହାରିଥିବା ବେଳେ କାଲି ପଡ଼ିବ ନୂଆପଡ଼ା ବିଧାନସଭାର ବୁଥ୍‌ ଗୁଡ଼ିକର ପାଳି। କିଛି ଦୁର୍ଗମ ସ୍ଥାନକୁ ହେଲିକପ୍ଟରରେ ପୋଲିଂ ଟିମ୍ ଯିବାର କାର୍ଯ୍ୟକ୍ରମ ରହିଛି। ଏଣେ ବ୍ରହ୍ମପୁରର ୟୁସିପି ଇଞ୍ଜିନିୟରିଂ କଲେଜ ପରିସରରେ ପ୍ରଶାସନ ପକ୍ଷରୁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଏଥର ବହୁ ପୋଲିଂ ଅଧିକାରୀ ପ୍ରଥମ ଥର ଇଲେକ୍ସନ ଡ୍ୟୁଟିରେ ଯାଉଥିବା ବେଳେ, ଅନେକେ ବଖାଣିଛନ୍ତି ନିଜର ଅଭୁଲା ଅଭିଜ୍ଞତା।

ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ହୋଇଛି ୭ ହଜାର ୩୦୩ ବୁଥ୍। ୩୭ ଲୋକସଭା ଓ ୨୪୩ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୨ ଲକ୍ଷ ୮୭ ହଜାର ଭୋଟର୍। ଫାଷ୍ଟ୍ ଫେଜରେ ପୁରୁଷଙ୍କଠାରୁ ପ୍ରାୟ ୧ ଲକ୍ଷ ଅଧିକ ମହିଳା ଭୋଟର ଅଛନ୍ତି। ୭୧୫ ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ ଏବଂ ୧୨୭୬ଟି ଆଦର୍ଶ ବୁଥ୍ ରହିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ବ୍ରହ୍ମପୁର ବିଧାନସଭା ନିର୍ବାଚନ ପାଇଁ ୧୭ ଜଣ ପ୍ରାର୍ଥୀ ଥିବାରୁ ସେଠାରେ ଦୁଇଟି ଇଭିଏମ୍ ବ୍ୟବହୃତ ହେବ। ୬୦ ପ୍ରତିଶତ ବୁଥରୁ ଲାଇଭଷ୍ଟ୍ରିମ୍ ବ୍ୟବସ୍ଥା କରାଯାଇଥିବା ବେଳେ, ୧୨୬୪ ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ସୁରକ୍ଷା ପାଇଁ ବିଭିନ୍ନ ଫୋର୍ସର ୨ଶହରୁ ଅଧିକ କଂପାନୀ ଯବାନ ମୁତୟନ ହୋଇଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି।

Ganjam General Election Koraput Nabarangpur 2024 General Election