ଝାରସୁଗୁଡ଼ା ଜିଲ୍ଲାରେ ଆରମ୍ଭ ହୋଇଥିବା ପଲଟିକାଲ ହାଇଡ୍ରାମା ଅଧିକ ରୋଚକ ମୋଡ଼ ନେଇଛି। ବହୁ ଚେଷ୍ଟା ପରେ ବି କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆଜି ଅନାସ୍ଥା ଭୋଟ ହୋଇ ପାରିନି। ଭୋଟ ଦେବାକୁ ସମିତି ସଭ୍ୟ ନ ଆସିବାରୁ ଶେଷରେ ଏହାକୁ ବାତିଲ କରି ଦିଆଯାଇଛି।
ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଆଜି ସକାଳ ୧୦ଟା ୩୦ରେ କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟିଂ ଆରମ୍ଭ ହେବାର ଥିଲା। ନିର୍ବାଚନ ଅଧିକାରୀ ସକାଳ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ହେଲେ କୌଣସି ସଦସ୍ୟ ନଆସିବାରୁ ନିର୍ବାଚନ ଅଧିକାରୀ ଫେରିଯାଇଛନ୍ତି । ତେବେ ଏହି ଅନାସ୍ଥା ଭୋଟିଂକୁ ନେଇ ଝାରସୁଗୁଡାରେ ସରଗରମ ହୋଇଛି ରାଜନୀତି ।
ଗୋଟିଏ ପଟେ ଛତିଶଗଡ଼ ସରେଇପାଲି ଥାନାରେ ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଳ ଦାସ ଏବଂ କିରିମିରା ବ୍ଲକର ୯ ଜଣ ପିଆରଆଇ ମେମ୍ବରଙ୍କୁ ପୁଲିସ ଅଟକ ରଖିଛି। ଏପଟେ ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ ଦଳୀୟ କର୍ମୀଙ୍କ ସହ ଏଡିଏମ୍ଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ସରକାର ଗଣତାନ୍ତ୍ରିକ ପ୍ରକ୍ରିୟା଼କୁ ଅଟକ ରଖିଛନ୍ତି। ସମସ୍ତ ଅଟକ ସମିତି ମେମ୍ବର, ସରପଞ୍ଚଙ୍କୁ ଛତିଶଗଡ଼ରୁ ଆଣି ଭୋଟିଂ ପ୍ରକିୟା କରାଯାଉ ବୋଲି ଦୀପାଳି ଦାବି କରିଛନ୍ତି ।
ତେବେ ବିଶାଲ ଦାସ କାହିଁକି ଛତିଶଗଡ଼ ଯାଇଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ। କିଛି ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଧରି ସେ ସେଠାକୁ କାହିଁକି ଯାଇଥିଲେ ସେନେଇ ପ୍ରଶ୍ନବାଚୀ ଉଠିଛି। ଲଇକେରା ଥାନାରେ ହୋଇଥିବା ଏକ ଅନ୍ ଲାଇନ୍ ନିଖୋଜ ରିପୋର୍ଟକୁ କେନ୍ଦ୍ର କରି ଏନେଇ ଚର୍ଚ୍ଚା ବଢ଼ିଥିଲା। ୩ ସମିତି ସଭ୍ୟ ଓ ଜଣେ ସରପଞ୍ଚ ନିଖୋଜ ଥିବା ନେଇ ସେମାନଙ୍କ ସଂପର୍କୀୟ ୮ ତାରିଖରେ ଥାନାରେ ରିପୋର୍ଟ କରିବା ପରେ ପୁଲିସ ଚଢ଼ାଉ ଆରମ୍ଭ କରିଥିଲା।
ଗତକାଲି ପୁଲିସ୍ ଝାରସୁଗୁଡ଼ା ଓ ସମ୍ବଲପୁରରେ ବିଭିନ୍ନ ଜାଗାରେ ରେଡ୍ କରିଥିଲା। ଏମିତିକି ବିଶାଲ ଦାସଙ୍କ ହୋଟେଲରେ ଗତକାଲି ରେଡ୍ କରିଥିଲା ପୁଲିସ। ଏନେଇ କାଲି ଆଇଜିଙ୍କୁ ଭେଟି ଫେରାଦ ହୋଇଥିଲେ ବିଶାଲ ଦାସ। ହେଲେ ଅଚାନକ ସେ କାହିଁକି ଛତିଶଗଡ଼ ଯାଇଥିଲେ ତାହା ସୃଷ୍ଟି କରିଛି ସନ୍ଦେହ।
ଗତରାତିଠୁ ବିଶାଲ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ। ମହାସମୁଦ ଜିଲ୍ଲା ସରେଇପାଲି ଥାନା ପୁଲିସ ଗତକାଲି ବିଳମ୍ବିତ ରାତିରୁ ବିଶାଲଙ୍କ ସମେତ କିଛି ସମିତି ସଭ୍ୟ ଓ ସରପଞ୍ଚଙ୍କୁ ଅଟକ ରଖିଛି।
ଏନେଇ ଦୀପାଳି କହିଛନ୍ତି, ସରପଞ୍ଚ ଓ ସମିତିସଭ୍ୟଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଇଛି। ଗଣତନ୍ତ୍ର ପ୍ରକ୍ରିୟାକୁ ବନ୍ଦ କରାଯାଉଛି। ଭୋଟିଂକୁ ଡର ଲାଗୁଥିବାରୁ ଅଟକ ରଖାଯାଉଛି। ଏହା ଖୁବ୍ ଡାର୍ଟି ପଲଟିକ୍ସ। ଯିଏ ଭଲ କାମ କରେ ବିଜେପି ତାହାକୁ ଅଟକ ରଖେ, ଯିଏ ଖରାପ କାମ କରେ ତାକୁ ଚେୟାରରେ ବସାଇଥାଏ।
ନିଜ ଭାଇ ଛତିଶଗଡ଼ ବର୍ଡର ଯିବା ସମ୍ପର୍କରେ ଦୀପାଳି କହିଛନ୍ତି, କିଛି ସମିତିସଭ୍ୟ ଓ ସରପଞ୍ଚଙ୍କୁ ଝାରସୁଗୁଡ଼ାର ପୁଲିସ୍ ଛତିଶଗଡ଼ ବର୍ଡରରେ ଅଟକ ରଖିଥିଲା। ସେତେବେଳେ ସେମାନେ ଉଦ୍ଧାର ପାଇଁ ମୋତେ ଫୋନ୍ କରିବାରୁ ମୋ’ ଭାଇ ନିଜ କର୍ମୀଙ୍କ ସହ ସେଠାକୁ ଯାଇଥିଲେ।
ସେଠାରେ ଓଡ଼ିଶା ପୁଲିସ୍ ମୋ’ ଭାଇଙ୍କୁ ବି ଅଟକ ରଖି ସମସ୍ତଙ୍କୁ ଛତିଶଗଡ଼ ପୁଲିସ୍କୁ ହସ୍ତାନ୍ତର କରିଥିଲେ। ତେବେ କେଉଁ କେସ୍ରେ ସେମାନଙ୍କୁ ଛତିଶଗଡ଼ ପୁଲିସ୍କୁ ହସ୍ତାନ୍ତର କରାଯାଇଛି ସେ ନେଇ ସେମାନେ ଜବାବ ଦିଅନ୍ତୁ। ଅଟକ ଥିବା ସମିତିସଭ୍ୟ, ସରପଞ୍ଚ ଭୋଟ ଦେବାକୁ ଇଚ୍ଛୁକ ଥିବା ଭିଡିଓରେ କହିଛନ୍ତି। ଭୋଟିଂ ହୋଇଥିଲେ ବିଜେପି ହାରିଥାନ୍ତା, ତେଣୁ ସେମାନେ ଜାଣିଶୁଣି ସେମାନଙ୍କୁ ଅଟକ ରଖିଛନ୍ତି ବୋଲି ଦୀପାଳି କହିଛନ୍ତି।