ଭୁବନେଶ୍ୱରରେ ପୋଷ୍ଟର ଚିରା ରାଜନୀତି, ଉଗ୍ର ହେଉଛି ବିଜେଡି କନ୍ଦଳ

ସାଧାରଣ ନିର୍ବାଚନ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ରାଜନୀତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି । ଶାସକ ବିଜେଡିରେ ଟିକେଟ୍ ଆଶାୟୀଙ୍କ ସଂଖ୍ୟା ଲମ୍ବିବାରେ ଲାଗିଛି ଓ ଦଳରେ ଥିବା ଅନ୍ତଃକନ୍ଦଳ ଓ ଛକାପଞ୍ଝା ଏବେ ଚରମସୀମାରେ ପହଂଚିଛି ।

Representational Image

  • Published: Wednesday, 03 January 2024
  • , Updated: 04 January 2024, 07:35 AM IST

ସାଧାରଣ ନିର୍ବାଚନ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ରାଜନୀତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି । ଶାସକ ବିଜେଡିରେ ଟିକେଟ୍ ଆଶାୟୀଙ୍କ ସଂଖ୍ୟା ଲମ୍ବିବାରେ ଲାଗିଛି ଓ ଦଳରେ ଥିବା ଅନ୍ତଃକନ୍ଦଳ ଓ ଛକାପଞ୍ଝା ଏବେ ଚରମସୀମାରେ ପହଂଚିଛି । ଟିକେଟ୍ ଆଶାୟୀଙ୍କ ମାଳମାଳ ପୋଷ୍ଟର ସହରରେ ଛାଇ ହୋଇଯାଇଛି । ଆଉ ଦଳରେ ବଢ଼ୁଥିବା ଛକାପଞ୍ଝା ଯୋଗୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଚିରା ଯାଇଥିବା ଦେଖିବାକୁ ମିଳିଛି । କେଉଁଠି ପୋଷ୍ଟରରୁ ପାଣ୍ଡିଆନଙ୍କ ଫଟୋକୁ ଚିରା ଯାଇଛି ତ କେଉଁଠି ବବିଙ୍କ ଫଟୋକୁ ଚିରା ଯାଇଛି । ଭୁବନେଶ୍ୱର ସେଂଟ୍ରାଲ ବିଧାନସଭା ମଣ୍ଡଳୀର କେତେକ କର୍ପୋରେଟରଙ୍କୁ ବାଦ୍ ଦେଲେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେଡିର ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ଶ୍ରୀମୟୀ ମିଶ୍ରଙ୍କ ଫଟୋ ଓ ପୋଷ୍ଟରକୁ ଦଳର ନେତା ଓ ବିଧାୟକମାନେ ବହୁଳ ଭାବେ ଲଗାଇଥିବା ଦେଖିବାକୁ ମିଳିଛି । ଏସବୁ ଭିତରେ ଏକାମ୍ର, ଭୁବନେଶ୍ୱର-ସେଂଟ୍ରାଲ, ଭୁବନେଶ୍ୱର-ଉତ୍ତର, ଜୟଦେବ,ବେଗୁନିଆ ଓ ଖୋର୍ଦ୍ଧାରେ ବିଜେଡିର ଟିକେଟ୍ ଆଶାୟୀଙ୍କ ସଂଖ୍ୟା ଲମ୍ବିବାରେ ଲାଗିଥିବାରୁ ଦଳରେ ଚାପି ହୋଇ ରହିଥିବା ଅସନ୍ତୋଷ ଏବେ ଉଗ୍ର ରୂପ ନେବାରେ ଲାଗିଛି । ଏପରିକି ଟିକେଟ୍ ନମିଳିଲେ ବିଦ୍ରୋହୀ ପ୍ରାର୍ଥୀ ହେବାକୁ କିଛି ନେତା ଖୋଲାଖୋଲି ଭାବେ ଚେତାବନୀ ଦେଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ଇଂରାଜୀ ନୂଆବର୍ଷ ପାଇଁ ରାଜଧାନୀ ଭୁବନେଶ୍ୱର ସହରରେ ଏବେ ମାଳମାଳ ପୋଷ୍ଟର ଓ ବ୍ୟାନର ଛାଇ ହୋଇଯାଇଛି । ଭୁବନେଶ୍ୱର-ସେଂଟ୍ରାଲ ବିଧାନସଭା ମଣ୍ଡଳୀରେ ସ୍ଥାନୀୟ କର୍ପୋରେଟର ତଥା ବୌଦ୍ଧ ପର୍ଯ୍ୟବେକ୍ଷକ ଅମରେଶ ଜେନା(ବାଇଁଆ) ନୂଆବର୍ଷ ପାଇଁ ଲଗାଇଥିବା ଅଧିକାଂଶ ପୋଷ୍ଟରଗୁଡ଼ିକୁ ତାଙ୍କ ବିରୋଧୀ କ୍ୟାମ୍ପର ସଦସ୍ୟମାନେ ଚିରି ଦେଇଥିବା ଚର୍ଚ୍ଚା ହେଉଛି । ଏହି ଆସନରୁ ଟିକେଟ୍ ଆଶାୟୀ ଶ୍ରୀ ଜେନାଙ୍କର ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନା(ବୁନୁ)ଙ୍କ ସହ ଦୀର୍ଘଦିନ ଧରି ଛକାପଞ୍ଝା ଲାଗି ରହିଛି । ଏହି ଆସନରୁ ଟିକେଟ୍ ନେବାକୁ ରୁଦ୍ର ସାମନ୍ତରାୟ ମଧ୍ୟ ଲବି ଜାରି ରଖିଛନ୍ତି । ତେବେ ବିଜେଡି ଏପର୍ଯ୍ୟନ୍ତ ଏହି ଆସନ ପାଇଁ ନିଜର କାର୍ଡ ଖୋଲିନାହିିଁ । ୨୦୧୯ ସାଧାରଣ ନିର୍ବାଚନବେଳେ ବର୍ତ୍ତମାନର ବିଧାୟକ ଅନନ୍ତ ଜେନା ଯେଉଁଭଳି ନାଟକୀୟ ଢଙ୍ଗରେ ଟିକେଟ୍ ହାତେଇଲେ ତାକୁ ଦୃଷ୍ଟିରେ ରଖି ତାଙ୍କୁ ପୁଣିଥରେ ଦଳ ଟିକେଟ୍ ଦେବାର ସମ୍ଭାବନା କ୍ଷୀଣ ।

ବୁନୁ ମଧ୍ୟ ଦଳର ଏଭଳି ଗତିବିଧିକୁ ଆକଳନ କରିଥିବାରୁ ଦଳୀୟ ନିଷ୍ପତ୍ତିକୁ ସିଧାସଳଖ ନହେଲେ ବି ବୁଲେଇବଙ୍କେଇ ବିରୋଧ କରିବା ଆରମ୍ଭ କରଥିବା ଚର୍ଚ୍ଚା ହେଉଛି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଅନ୍ୟ ୬ଟି ବିଧାନସଭା ଆସନରେ ଦଳର ବିଧାୟକ ଓ ନେତାମାନେ ଲାଗିପଡ଼ି ଶ୍ରୀମୟୀଙ୍କ ପ୍ରଚାର-ପ୍ରସାର କାର୍ଯ୍ୟକୁ ଜୋରଦାର କରୁଥିବାବେଳେ ଭୁବନେଶ୍ୱର-ସେଂଟ୍ରାଲରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଶିଥିଳ ରହିଛି ।  ସେପଟେ ଟିକେଟ୍ ଆଶାୟୀ ଅମରେଶ ଜେନା ଲଗାଇଥିବା ଅଧିକାଂଶ ପୋଷ୍ଟରକୁ ବୁନୁଙ୍କ ସମର୍ଥକମାନେ ଚିରିଥିବା ଅମରେଶଙ୍କ ସମର୍ଥକ ଗୋଷ୍ଠୀ ଅଭିଯୋଗ କରୁଛନ୍ତି । ଅମରେଶ ନିଜ ଫଟୋ ସହ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନ, ପ୍ରଣବପ୍ରକାଶ ଦାସ,ଶ୍ରୀମୟୀ ମିଶ୍ର ଓ ମେୟର ସୁଲୋଚନା ଦାସଙ୍କ ଫଟୋକୁ ରଖି ପୋଷ୍ଟରମାନ ଲଗାଇଛନ୍ତି ।
ଏକାମ୍ରରେ ଅଶୋକ ପଣ୍ଡାଙ୍କ ସମର୍ଥକଙ୍କ ଦ୍ୱାରା ମାଉସୀମା’ ଛକ ନିକଟରେ ଲଗାଯାଇଥିବା ବିରାଟ ହୋର୍ଡିଂରେ ପାଣ୍ଡିଆନଙ୍କ ଫଟୋକୁ ଚିରା ଯାଇଥିବାବେଳେ ଟଙ୍କପାଣି ରୋଡରେ ଥିବା ବିରାଟ ହୋର୍ଡିଂରେ ନବୀନଙ୍କ ଛୋଟ ଫଟୋଟିଏ ରଖି ଅଶୋକ ପଣ୍ଡାଙ୍କ ବିଶାଳ ଫଟୋକୁ ଲଗାଯାଇଛି । ସେଠି ପାଣ୍ଡିଆନ କିମ୍ବା ବବିଙ୍କ ଫଟୋ ରଖାଯାଇନି ।

ଅନ୍ୟପକ୍ଷରେ ଭୁବନେଶ୍ୱର ସାଂସଦ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କ ନୂଆବର୍ଷ ବ୍ୟାନର ସହର ସାରା ଛାଇ ହୋଇଯାଇଛି । ବିଜେଡିରେ ବଢ଼ୁଥିବା ଅନ୍ତଃକନ୍ଦଳ ଅପରାଜିତାଙ୍କ ଗୋଷ୍ଠୀକୁ ସୁହାଇଥିବା ଚର୍ଚ୍ଚା ହେଉଛି ।
ବିଜେଡିରେ ଏକାମ୍ରରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ସବୁଠି ଅନ୍ତଃକନ୍ଦଳ ଯୋଗୁ ଦଳୀୟ ନେତୃତ୍ୱ ଚିନ୍ତାରେ ପଡ଼ିଛନ୍ତି । ଏକାମ୍ର ପାଇଁ ଆଶାୟୀ ଖଦି ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ(ଗାଲା)ଙ୍କୁ ଦଳ ଗତକାଲି କେନ୍ଦୁଝର ଜିଲ୍ଲାର ୨ଟି ବିଧାନସଭା ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇ ତାଙ୍କୁ ପ୍ରାର୍ଥୀ କରିବ ନାହିଁ ବୋଲି ସଙ୍କେତ ଦେଇଛି । ଅନୁରୂପ ଭାବେ ବିରଞ୍ଚି ନାରାୟଣ ମହାସୁପକାର (ଲିଟୁ)ଙ୍କୁ ମଧ୍ୟ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇ ଆଶାୟୀ ଦୌଡ଼ରୁ ବିଦା କରିବାକୁ ଦଳ ଯୋଜନା କରିଥିବା ଜଣାପଡ଼ିଛି । 

ଭୁବନେଶ୍ୱର-ଉତ୍ତରରେ ମଧ୍ୟ ଦଳୀୟ କନ୍ଦଳ ବଢ଼ିବାରେ ଲାଗିଛନ୍ତି । କିଛି କର୍ପୋରେଟର ଖୋଲାଖୋଲି ଭାବେ ସୁଶାନ୍ତଙ୍କୁ ବିରୋଧ କରୁଥିବା ଜଣାପଡ଼ିଛି । ଆଉ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ପୁଣିଥରେ ଉତ୍ତର ଆସନରୁ ପ୍ରାର୍ଥୀ ହେବାକୁ ଲବି ଜୋରଦାର କରୁଛନ୍ତି । ଅନ୍ୟଜଣେ ପ୍ରମୁଖ ବ୍ୟବସାୟୀ ମଧ୍ୟ ଏହି ଆସନରୁ ବିଜେଡି ପ୍ରାର୍ଥୀ ହେବାକୁ ଗୋଟିଚାଳନା କରୁଥିବା ଜଣାପଡ଼ିଛି ।

ସେହିପରି ଜୟଦେବ ଆସନରୁ ବିଧାୟକ ଅରବିନ୍ଦ ଢ଼ାଲିଙ୍କୁ ବିଜେଡି ପୁଣିଥରେ ପ୍ରାର୍ଥୀ କରିବାର ସମ୍ଭାବନା କ୍ଷୀଣ । ସେଠାରେ ଦଳ ଚନ୍ଦନ ପାତ୍ରଙ୍କୁ ଆଗକୁ ଆଣିଛି । ଉକ୍ତ ଆସନଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବାରୁ ଶ୍ରୀ ପାତ୍ର ନିଜ ପସନ୍ଦର ପ୍ରାର୍ଥୀ ଦେବାକୁ ଚାହୁଁଛନ୍ତି ଓ ଦଳ ତାଙ୍କୁ ସବୁଜ ସଙ୍କେତ ଦେଇଥିବା ଚର୍ଚ୍ଚା । ମାତ୍ର ନବୀନ ନିବାସର ଜଣେ କର୍ମଚାରୀ ଏହି ଆସନ ଉପରେ ଆଖି ପକାଇଛନ୍ତି । ଉକ୍ତ ଆସନରେ ବିଜେଡି ଏବେ ୩ ଫାଳରେ ବିଭକ୍ତ ହୋଇ ରହିଛି ।
ବେଗୁନିଆ ନିର୍ବାଚନମଣ୍ଡଳୀରେ ନୂଆ ବିଜେଡି ଓ ପୁରୁଣା ବିଜେଡି ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି । ପ୍ରଦୀପ ସାହୁଙ୍କୁ ପୁରୁଣା ବିଜେଡି ଗ୍ରହଣ କରୁନି ଓ ବର୍ତ୍ତମାନର ବିଧାୟକ ରାଜେନ୍ଦ୍ର ସାହୁଙ୍କ ସମର୍ଥକମାନେ ପ୍ରଦୀପଙ୍କୁ ଖୋଲା ବିରୋଧ କରୁଛନ୍ତି । ସେଠାରେ ବିଜେଡିରୁ ବହିଷ୍କୃତ ପ୍ରଶାନ୍ତ ଜଗଦେବଙ୍କ ସହ ବିଜେଡିର ଗୋଟିଏ ଗୋଷ୍ଠୀ ମଧ୍ୟ ରହିଛି । ତେଣୁ ଦଳ ସେଠାରେ ବି ତୀବ୍ର ଅନ୍ତଃକନ୍ଦଳ ଦେଇ ଗତି କରୁଛି । ପ୍ରଦୀପଙ୍କୁ ତୃତୀୟ ମହଲାର ଜଣେ ପ୍ରଭାବଶାଳୀ ଅଫିସରଙ୍କ ସମର୍ଥନ ଥିବାରୁ ସେ ଟିକେଟ୍ ପାଇଁ ଆଶାବାଦୀ ଅଛନ୍ତି । ମାତ୍ର ପୁରୁଣା ବିଜେଡି କର୍ମୀମାନଙ୍କ ତୀବ୍ର ବିରୋଧ ଯୋଗୁ ବିଜେଡି ପାଇଁ ବେଗୁନିଆରେ ପ୍ରଦୀପଙ୍କୁ ପ୍ରାର୍ଥୀ କରିବା ସହଜ ହେବନି ।

ଖୋର୍ଦ୍ଧା ବିଧାନସଭା ଆସନରେ ଦଳ ବର୍ତ୍ତମାନର ବିଧାୟକ ଜିତୁ ମିତ୍ରଙ୍କୁ ପୁଣିଥରେ ରିପିଟ୍ କରିବ ନାହିଁ ବୋଲି ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ରାଜେନ୍ଦ୍ର ସାହୁ ନିଜର ଏହି ପୁରୁଣା ସିଟ୍ ଉପରେ ଆଖି ପକାଇଛନ୍ତି । ସେ କିମ୍ବା ତାଙ୍କ ପତ୍ନୀ ଏହି ଆସନରୁ ପ୍ରାର୍ଥୀ ହେବାକୁ ଆଶାବାଦୀ ।
ସେହିପରି ଜଟଣୀରେ ଦଳର ପୂର୍ବତନ ବିଧାୟକ ବିଭୂତିଭୂଷଣ ବଳବନ୍ତରାୟ ଏବେ ନେତୃତ୍ୱ ନେଉଥିଲେ ମଧ୍ୟ ତାଙ୍କୁ ସେଠାରେ ଦଳର ଅନ୍ୟ ଏକ ଗୋଷ୍ଠୀ ବିରୋଧ କରୁଛି । ମାତ୍ର ଦଳ ଏବେ ବିଭୂତିଙ୍କୁ ଆଗରେ ରଖି ସାଂଗଠନିକ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପ ଦେଉଛି ।

ତେବେ ନିର୍ବାଚନର ପ୍ରାୟ ୬ମାସ ପୂର୍ବରୁ ବିଜେଡି ନିଜର ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ଭାବେ ଶ୍ରୀମୟୀଙ୍କୁ ମଇଦାନକୁ ଓହ୍ଲାଇ ବ୍ୟାପକ ସାଂଗଠନିକ କାର୍ଯ୍ୟକ୍ରମ କରୁଥିଲେ ମଧ୍ୟ ବିଜେଡିରେ ବଢ଼ୁଥିବା ଉଗ୍ର ଗୋଷ୍ଠୀକନ୍ଦଳ ଦଳ ପାଇଁ ମହଙ୍ଗା ପଡ଼ିପାରେ ବୋଲି ଚର୍ଚ୍ଚା ।

Related story