Advertisment

ଦାରିଦ୍ର୍ୟ ହାର ହ୍ରାସ: ଶ୍ରେୟ ପାଇଁ ବିଜେପି ଓ ବିଜେଡିରେ ପ୍ରତିଦ୍ୱନ୍ଦ୍ୱିତା, କଂଗ୍ରେସ ଉଠାଇଲା ପ୍ରଶ୍ନ

ନିତି ଆୟୋଗଙ୍କ ଜାତୀୟ ବହୁମୁଖୀ ଦାରିଦ୍ର‌୍ୟ ସୂଚୀ ଗତକାଲି ପ୍ରକାଶ ପାଇବା ପରେ ଓଡ଼ିଶାରେ ଦାରିଦ୍ର‌୍ୟ ହ୍ରାସ ପାଇଁ ଉଭୟ ବିଜେଡି ଓ ବିଜେପି ଶ୍ରେୟ ନେବାକୁ ଉଦ୍ୟମ କରିଥିବାବେଳେ କଂଗ୍ରେସ ଏହି ରିପୋର୍ଟକୁ ଖାରଜ କରିଛି ।

author-image
Ordigital Desk
ଅଦ୍ୟତନ ହୋଇଛି
BJP Press Meet

BJP Press Meet

ନିତି ଆୟୋଗଙ୍କ ଜାତୀୟ ବହୁମୁଖୀ ଦାରିଦ୍ର‌୍ୟ ସୂଚୀ ଗତକାଲି ପ୍ରକାଶ ପାଇବା ପରେ ଓଡ଼ିଶାରେ ଦାରିଦ୍ର‌୍ୟ ହ୍ରାସ ପାଇଁ ଉଭୟ ବିଜେଡି ଓ ବିଜେପି ଶ୍ରେୟ ନେବାକୁ ଉଦ୍ୟମ କରିଥିବାବେଳେ କଂଗ୍ରେସ ଏହି ରିପୋର୍ଟକୁ ଖାରଜ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗରିବ କଲ୍ୟାଣ ଯୋଜନାର ଦୀର୍ଘସୂତ୍ରୀ ପ୍ରଭାବ ଯୋଗୁ ୨୦୧୫ରୁ ୨୦୨୧ ମଧ୍ୟରେ ଓଡ଼ିଶାର ୬୨.୬୨ଲକ୍ଷ ଲୋକଙ୍କ ସମେତ ମୋଟ ୧୩.୫୦କୋଟି ଲୋକ ଦାରିଦ୍ର‌୍ୟର ବିଷଚକ୍ରରୁ ମୁକ୍ତ ହୋଇଛନ୍ତି ବୋଲି ରାଜ୍ୟ ବିଜେପି ଦାବି କରିଥିବାବେଳେ କେନ୍ଦ୍ରୀୟ ଯୋଜନା ପାଇଁ ଦାରିଦ୍ର‌୍ୟ ହ୍ରାସ ପାଇଥିବା ଦାବିକୁ ବିଜେଡି ଖଣ୍ଡନ କରିଛି । ଏପଟେ କଂଗ୍ରେସ ରାଜ୍ୟରେ ଦାରିଦ୍ର‌୍ୟ ହ୍ରାସର ଯେଉଁ ଚିତ୍ର ନିତି ଆୟୋଗ ଦେଇଛନ୍ତି ତାକୁ ଖାରଜ କରିଦେଇଛି । ରାଜ୍ୟରେ ଚାଷୀଙ୍କ ଉପାର୍ଜନ ହ୍ରାସ ଓ ବେକାର ସମସ୍ୟା ବୃଦ୍ଧି ପାଉଥିବାବେଳେ ଦାରିଦ୍ର‌୍ୟ କେମିତି କମିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଗରିବ କଲ୍ୟାଣ ଯୋଜନାର ଦୀର୍ଘସୂତ୍ରୀ ପ୍ରଭାବ ଯୋଗୁ ଦେଶର ଜନସଂଖ୍ୟାର ଦାରିଦ୍ର‌୍ୟ ହାର ୨୪.୮୫%ରୁ ୧୪.୯୬ ପ୍ରତିଶତକୁ ହ୍ରାସ ପାଇଛି । ୨୦୧୫ରୁ ୨୦୨୧ ମସିହା ମଧ୍ୟରେ ବିଜେପିଶାସିତ ରାଜ୍ୟମାନଙ୍କ ମଧ୍ୟରୁ ଉତରପ୍ରଦେଶରେ ୩କୋଟି ୪୩ଲକ୍ଷ, ମଧ୍ୟପ୍ରଦେଶରେ ୧କୋଟି ୩୬ଲକ୍ଷ, ମହାରାଷ୍ଟ୍ରରେ ୮୭ଲକ୍ଷ ୩୭ହଜାର ଜନସାଧାରଣ ଦାରିଦ୍ର‌୍ୟ ମୁକ୍ତ ହୋଇଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୬୨ଲକ୍ଷ ୬୩ହଜାରରେ ସୀମିତ । ପ୍ରଚାର, ପ୍ରସାର, ଷ୍ଟିକର୍ ଓ ଫଳକ ଜରିଆରେ ‘ଯୋଜନା'ର ସଫଳତା ହୁଏ ନାହିଁ ।

ଏଥିପାଇଁ ଲୋକମାନଙ୍କ ପାଖକୁ ଯାଇ ଯୋଜନାର ସୁଫଳକୁ ପହଂଚାଇବାର ଆବଶ୍ୟକତା ରହିଛି । ଦୀର୍ଘ ୨୩ ବର୍ଷର ନିରୁଙ୍କଶ ଶାସନ ପରେ ମଧ୍ୟ ଗୋଟିଏ ହେଲେ ନିଜସ୍ୱ ଯୋଜନାର ଆରମ୍ଭ କରିବାରେ ବିଫଳ ହୋଇଥିବା ବିଜେଡି ସରକାର କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ମଧ୍ୟ ରାଜ୍ୟବାସୀଙ୍କ ପାଖରେ ପହଂଚାଇବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଗତକାଲି ନିତି ଆୟୋଗଙ୍କ ରିପୋର୍ଟ ରାଜ୍ୟର ବିକାଶ ପ୍ରସଙ୍ଗକୁ ନେଇ ବିଜେଡି ସରକାରର ଅସଲ ମୁଖା ଖୋଲିଦେଇଛି । ରାଜ୍ୟର ଅସହାୟ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ତାଙ୍କର ବ୍ୟକ୍ତିଗତ ସହାୟକଙ୍କ ରାଜ୍ୟବ୍ୟାପୀ ବହୁ ଆଡ଼ମ୍ବର ଗସ୍ତରେ ମଧ୍ୟ ତାହା ସମ୍ଭବ ହୁଏ ନାହିଁ । "ଘୁଣ ଖିଆ ଓଡ଼ିଶା ପ୍ରଶାସନ" ପକ୍ଷରେ ତାହା ଆଉ ସମ୍ଭବ ନୁହେଁ । ରାଜ୍ୟ ସରକାର କେନ୍ଦ୍ର୍ର ଯୋଜନାରେ ରାଜ୍ୟର ଷ୍ଟିକର ଲଗାଇବା ଛାଡ଼ି ଲୋକଙ୍କ ପାଖରେ ପହଁଚିବା ଦିଗରେ କାର୍ଯ୍ୟ କରନ୍ତୁ । ବିଜେଡି ସରକାରର ୨୩ ବର୍ଷ ଶାସନ ପରେ ବି ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ସ୍ଥିତି ସୁଧୁରି ପାରିନାହିଁ  ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Advertisment

ତେବେ ବିଜେଡିର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର ଏହାକୁ ଖଣ୍ଡନ କରି କହିଚନ୍ତି ଯେ, ନିତି ଆୟୋଗ ରିପୋର୍ଟ ଓଡ଼ିଶାର ସଫଳତାକୁ ଦର୍ଶାଉଛି । କେନ୍ଦ୍ରୀୟ ଯୋଜନା ପାଇଁ ଦାରିଦ୍ର‌୍ୟ କମିଛି କହିବା ଠିକ୍ ନୁହେଁ । ପୂର୍ବରୁ ଶତପ୍ରତିଶତ ଓ ୯୦:୧୦ ଅନୁପାତର ଯୋଜନାକୁ ଏବେ ୬୦:୪୦ କରିଛନ୍ତି । ଏବେ କହୁଛନ୍ତି କେନ୍ଦ୍ରୀୟ ଯୋଜନା ପାଇଁ ଓଡ଼ିଶାର ଦାରିଦ୍ର‌୍ୟ କମିଲା । ଦାରିଦ୍ର‌୍ୟ କମିବାବେଳେ ସଂଖ୍ୟା ବା ସ୍ଥାନରେ କିଛିଟା ଉପରତଳ ହେବ । କିନ୍ତୁ ଦାରିଦ୍ର‌୍ୟ ହ୍ରାସର ବେଗରେ ଶିଥିଳତା ଆସିନି । ଦାରିଦ୍ର‌୍ୟ ଦୂରୀକରଣରେ ଓଡ଼ିଶା ଅନେକ ପଦକ୍ଷେପ ନେଇଛି । ଯାହା ଦ୍ୱାରା ଓଡ଼ିଶା ଦ୍ରୁତଗତିରେ ଦାରିଦ୍ର‌୍ୟ ହ୍ରାସ କରାଇପାରିଛି । ଉତ୍କଟ ଦାରିଦ୍ର‌୍ୟ ଉପରେ ଶକ୍ତ ପ୍ରହାର ହୋଇଛି । ବିପିଏଲ୍ ଲୋକ ଉପରକୁ ଉଠିଛନ୍ତି । ୨୦୧୫-୨୦୨୧ ମସିହା ମଧ୍ୟରେ ଓଡ଼ିଶାର ଗ୍ରାମାଂଚଳରେ ଦ୍ରୁତଗତିରେ ଦାରିଦ୍ୟ ହ୍ରାସ ପାଇ ୩୨.୫୯%ରୁ ୧୯.୨୮% ହୋଇଛି । ସେହିପରି ବହୁମୁଖୀ ଦାରିଦ୍ର‌୍ୟ ସୂଚୀ ଅନୁସାରେ ରାଜ୍ୟରେ ଦାରିଦ୍ର‌୍ୟ ଲୋକଙ୍କ ପରିମାଣ ୨୯.୩୪%ରୁ ୧୫.୬୮%କୁ ହ୍ରାସ ପାଇଛି ।

ଅନ୍ୟପକ୍ଷରେ ବିଜେପି ଓ ବିଜେଡିର ଏଭଳି ଦାବିକୁ କଂଗ୍ରେସ କଡ଼ା ଭାଷାରେ ସମାଲୋଚନା କରିବା ସହ ଉଭୟ ମିଛ ଦାବି କରୁଛନ୍ତି ବୋଲି କହିଛି । କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଏବେ ଚାଷୀଙ୍କ ହାରାହାରି ମାସିକ ଆୟ ପ୍ରାୟ ୫୧୧୨ଟଙ୍କା ଅଛି । ଚାଷୀ ଯେତିକି ଉପାର୍ଜନ କରୁଛି ତାହା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀଠୁ ବି କମ୍ । ଚାଷୀଙ୍କ ଉପାର୍ଜନ କମିବାରେ ଲାଗିଛି । ତା’ହେଲେ ରାଜ୍ୟରେ ଦାରିଦ୍ର‌୍ୟ କେମିତି ହ୍ରାସ ପାଇଲା । ବିଜେଡି ସରକାର ରାଜ୍ୟରେ ବହୁ ସଂଖ୍ୟାରେ ନିଯୁକ୍ତି ଦେଉଛି ବୋଲି କହୁଛନ୍ତି । କିନ୍ତୁ ଯୁବକଯୁବତୀମାନେ ଉତ୍କଟ ବେକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟର ଲୋକଙ୍କ ସ୍ୱାର୍ଥ ପାଇଁ ଜଳସେଚନ ଓ ଶିକ୍ଷା ଆଦି ଦିଗରେ ଅଧିକ ନିବେଶର ଆବଶ୍ୟକତା ରହିଛି ।

Odisha Power Politics Bjp Bjd Politics