ରାହୁଲଙ୍କ ସାମ୍ବାଦିକ ସମ୍ମିଳନୀ ବେଳେ କଟିଲା ବିଜୁଳି, ବିଜେପି କହିଲା- ଜୟରାମ କାଢ଼ିଥିଲେ ପ୍ଲଗ

ମାଇକ ବନ୍ଦ ହୋଇଯିବାରୁ ରାହୁଲ ଗାନ୍ଧି ଏଥିପାଇଁ ଆଦାନୀ ପାୱାର ଓ ମୋଦି ପାୱାର କଥା କହି କଟାକ୍ଷ କରିଥିଲେ।

ରାହୁଲ ଗାନ୍ଧିଙ୍କ ସାମ୍ବାଦିକ ସମ୍ମିଳନୀ

  • Published: Thursday, 21 November 2024
  • , Updated: 21 November 2024, 06:12 PM IST

ଶିଳ୍ପପତି ଗୌତମ ଆଦାନୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାମ୍ବାଦିକ ସମ୍ମିଳନୀ ଜରିଆରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଟାର୍ଗେଟ କରୁଥିବା ବେଳେ ହଠାତ୍‌ ବିଜୁଳି ଚାଲି ଯାଇଥିଲା। ଏଥିଯୋଗୁ ରାହୁଲଙ୍କ ବୟାନରେ ବିଭ୍ରାଟ ସୃଷ୍ଟି ହୋଇଥିଲା। ମାଇକ ବନ୍ଦ ହୋଇଯିବାରୁ ରାହୁଲ ଗାନ୍ଧି ଏଥିପାଇଁ ଆଦାନୀ ପାୱାର ଓ ମୋଦି ପାୱାର କଥା କହି କଟାକ୍ଷ କରିଥିଲେ।

ତେବେ ଏହାର କିଛି ଘଣ୍ଟା ପରେ ବିଜେପି ପକ୍ଷରୁ ପୁରୀ ସାଂସଦ ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧିଙ୍କୁ କାଉଣ୍ଟର କରିଛନ୍ତି। ଏଥିସହ ସମ୍ଭବତଃ ରାହୁଲଙ୍କ ସହଯୋଗୀ ଜୟରାମ ରମେଶ ତାଙ୍କୁ ଚୁପ କରିବା ବଦଳରେ ବିଜୁଳି କାଟ କରିବା ପାଇଁ ପ୍ଲଗ କାଢ଼ି ଦେଇଥିବା ଅଭିଯୋଗ କରିଛନ୍ତି।

ଆମେରିକାର ଏକ କୋର୍ଟ ଗୌତମ ଆଦାନୀ ଏବଂ ତାଙ୍କ ପୁତୁରାଙ୍କ ସମେତ ୭ ଜଣଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଏମାନେ ନିଜ କଣ୍ଟ୍ରାକ୍ଟ ହାସଲ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗରେ ଏହି ୱାରେଣ୍ଟ ଜାରି କରାଯାଇଛି।

ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏବଂ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍ (DOJ) ଅଭିଯୋଗ କରିଥିଲେ ଯେ ଆମେରିକାରେ ଗୌତମ ଆଦାନୀ ଓ ତାଙ୍କ ପୁତୁରା ସାଗର ଆଦାନୀ ନିଜ ରିନ୍ୟୁଏବଲ ଏନର୍ଜି କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ହାସଲ ନିମସ୍ତେ ଭାରତର ସରକାରୀ ଅଧିକାରୀଙ୍କୁ ପାଖାପାଖି ୨୬୫ ନିୟୁତ ଡଲାର (୨,୨୩୬ କୋଟି ଟଙ୍କା) ଲାଞ୍ଚ ଦେଇଛନ୍ତି। ଏହାବାଦ ଆମେରିକା ନିବେଶକାରୀଙ୍କୁ ମିଛ ପ୍ରଲୋଭନ ଦେଖାଇ ଷ୍ଟକ ଏକ୍ସଚେଞ୍ଜ ଜରିଆରେ ଠକେଇ କରିଥିବା ମଧ୍ୟ ଜଣାପଡ଼ିଛି। ଏହି ଘଟଣା ପରେ ଆମେରିକାର ଏକ କୋର୍ଟ ସେମାନଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି।

ଏ ପ୍ରସଙ୍ଗରେ ଆଜି ରାହୁଲ ଗାନ୍ଧି ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ ନିଜର ବୟାନ ରଖୁଥିବା ବେଳେ ହଠାତ୍‌ କିଛି କ୍ଷଣ ପାଇଁ ତାଙ୍କ ମାଇକ ବନ୍ଦ ହୋଇଯାଇଥିଲା। ଏହାକୁ କଟାକ୍ଷ କରି ରାହୁଲ ଗାନ୍ଧି କହିଥିଲେ ଯେ “ଏହା ଆଦାନୀ ପାୱାର ନା ମୋଦି ପାୱାର? ଏହା କେଉଁ ପାୱାର ଜାଣିପାରୁନି। କିନ୍ତୁ ଉଭୟ ହେଉଛନ୍ତି ଏକ।”

ରାହୁଲ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ହିଁ ଆଦାନୀଙ୍କୁ ଘଣ୍ଟ ଘୋଡ଼ାଇ ରଖିଛନ୍ତି। ଆଦାନୀ ୨ ହଜାର କୋଟି ଟଙ୍କାର ସ୍କାମ କରିଥିଲେ ହେଁ ମୋଦିଙ୍କ ସୁରକ୍ଷା ପାଇଁ ସେ ମୁକ୍ତ ଭାବେ ବୁଲୁଛନ୍ତି। ଯେଉଁ ଯାଏ ଆଦାନୀ ଗିରଫ ହୋଇ ଜେରା ହୋଇନାହାନ୍ତି, ସେଯାଏ କୌଣସି ତଦନ୍ତ ଭରସାଯୋଗ୍ୟ ହେବନାହିଁ। ପରିଶେଷରେ ନରେନ୍ଦ୍ର ମୋଦିଙ୍କ ନାଁ ଆସିବ। କାରଣ ବିଜେପିର ସବୁ ଫଣ୍ଡିଂ ବ୍ୟବସ୍ଥା ତାଙ୍କ ହାତରେ ରହିଥିବା ରାହୁଲ କହିଛନ୍ତି।

ରାହୁଲଙ୍କ ସମାଲୋଚନା ପରେ ଏହାକୁ କାଉଣ୍ଟର କରିବାକୁ ବିଜେପି ପକ୍ଷରୁ ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏଥିସହ ବିଜୁଳି କାଟ ପ୍ରସଙ୍ଗରେ ମଧ୍ୟ ମତ ରଖିଛନ୍ତି। ସେ କହିଛନ୍ତି, “ରାହୁଲ ଗାନ୍ଧି ପୁଣିଥରେ ସେହି ୩ଟି ଶବ୍ଦ ଉଚ୍ଚାରଣ କରିଛନ୍ତି। ଆଦାନୀ, ଅମ୍ବାଦୀ ଓ ଚୋର। ରାହୁଲଙ୍କ ଆଜିର ସାମ୍ବାଦିକ ସମ୍ମିଳନୀ ବିଜୁଳି କାଟର ସମ୍ମୁଖୀନ ହୋଇଥିଲା।

ଏଥିପାଇଁ ମଧ୍ୟ ସେ ଆଦାନୀ ଓ ମୋଦିଙ୍କୁ ଦାୟୀ କରିଛନ୍ତି। ସେଇଟା ତାଙ୍କ ଅଫିସ। ତାଙ୍କ ବିଜୁଳି। ମୁଁ ଭାବୁଛି ତାଙ୍କ ପାଖରେ ବସିଥିବା ଜୟରାମ ରମେଶ ବୋଧେ ବିଜୁଳି କାଟି ଦେଇଥିଲେ। ରାହୁଲ ଗାନ୍ଧିଙ୍କ କଥା ଭାବି ସେ ପ୍ଲଗ କାଢ଼ି ଦେଇଥିଲେ।”

Related story