Advertisment

ମୋ ମନ ଶାନ୍ତ ହୋଇନି, ସମୟକୁ ଅପେକ୍ଷା କରିଛି: ପ୍ରଦୀପ

ବିଜେଡି ଶାସନକାଳରେ ହୋଇଥିବା ମାମଲା ମଧ୍ୟରୁ ଗତକାଲି ୨ଟି ଓ ଆଜି ୩ଟି ମାମଲାରେ ଜେଏମଏଫସି କୋର୍ଟଙ୍କ ଦ୍ୱାରା ଦୋଷମୁକ୍ତ ହେବାପରେ ବ୍ରହ୍ମପୁର ସାଂସଦ ଶ୍ରୀ ପାଣିଗ୍ରାହୀ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନ ଓ ଷଡ଼ଯନ୍ତ୍ରକାରୀଙ୍କ ଉପରେ ବର୍ଷିଛନ୍ତି ।

author-image
Ordigital Desk
undefined

Pradeep Panigrahi

ମୋ’ ସହ ଯେମିତି ବ୍ୟବହାର କରିଛନ୍ତି,କେବେ ମୋ ମନ ଶାନ୍ତ ହେବନି । ସବୁ ଦେଖୁଛି । ମାପ କରୁଛି । ଠିକ୍ ସମୟକୁ ଅପେକ୍ଷା କରିଛି । ସବୁ ପେଡ଼ି ଖୋଲିବି । କୋର୍ଟଙ୍କ ଦ୍ୱାରା ୫ଟି କେସରୁ ଦୋଷମୁକ୍ତ ହେବାପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି କ୍ଷୋଭ ବ୍ୟକ୍ତ କରିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ଆଉ ପ୍ରଣବପ୍ରକାଶ ଦାସ(ବବି) ଓ ଅଚ୍ୟୁତ ସାମନ୍ତଙ୍କୁ କୁକୁଡ଼ା-ବେଙ୍ଗ କହି ସେମାନଙ୍କର କ’ଣ ଅସ୍ତିତ୍ୱ ଅଛି ବୋଲି ପ୍ରଶ୍ନ କରିଛନ୍ତି ।

Advertisment

ବିଜେଡି ଶାସନକାଳରେ ହୋଇଥିବା ମାମଲା ମଧ୍ୟରୁ ଗତକାଲି ୨ଟି ଓ ଆଜି ୩ଟି ମାମଲାରେ ଜେଏମଏଫସି କୋର୍ଟଙ୍କ ଦ୍ୱାରା ଦୋଷମୁକ୍ତ ହେବାପରେ ବ୍ରହ୍ମପୁର ସାଂସଦ ଶ୍ରୀ ପାଣିଗ୍ରାହୀ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନ ଓ ଷଡ଼ଯନ୍ତ୍ରକାରୀଙ୍କ ଉପରେ ବର୍ଷିଛନ୍ତି । ତାଙ୍କ ନାଁରେ ଯେଉଁସବୁ କେସ୍ ହୋଇଥିଲା କୋର୍ଟ ତାଙ୍କୁ କ୍ଲିନଚିଟ୍ ଦେଲେ । ଜନବିରୋଧୀ ନେତା କହି ବିଜେଡି ତାଙ୍କୁ ଦୂରେଇ ଦେଇଥିଲା । ଗତ ସାଧାରଣ ନିର୍ବାଚନରେ କିଏ ଜନବିରୋଧୀ ତାହା ପ୍ରମାଣିତ ହୋଇଗଲା । ନିଜେ ନବୀନ ପଟ୍ଟନାୟକ ମାତ୍ର ୪ହଜାର ଭୋଟରେ ନିଜ ସିଟ୍ ବଂଚାଇଲେ । ଆଉ ବିଜେଡିର ଲେଖା ଛିଣ୍ଡିଗଲା । ଲୋକେ ସେମାନଙ୍କୁ ଜବାବ ଦେଇଛନ୍ତି । ମୋତେ ଫସାଇବା ପାଇଁ ଯେଉଁ ଯୋଜନା ସବୁ କରିଥିଲେ, କୋର୍ଟ ମୋତେ ଆଶ୍ୱସ୍ତ କରିଛନ୍ତି । ଭଗବାନ ଅଛନ୍ତି ଓ ସେ ହିଁ ସେମାନଙ୍କ କଥା ବୁଝିଲେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ଆଉ ତାଙ୍କ ସହ ଯାହା ସବୁ ହୋଇଛି ସେଥିପାଇଁ ସେ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିନା ନିର୍ଦ୍ଦେଶରେ ଏସବୁ ସମ୍ଭବପର ନୁହେଁ । ଜଣେ ବିଧାୟକଙ୍କୁ ଗିରଫ କରାଗଲା, କିନ୍ତୁ ଗୃହମନ୍ତ୍ରୀ ଭାବେ ନବୀନ ନିରବ ରହିଲେ । ମୋତେ ସେମାନେ ଜେଲ୍ ଭିତରେ ବି ହଇରାଣ କରିଛନ୍ତି । ୫ବର୍ଷ ଧରି ଅନେକ ସଂଘର୍ଷ କରିଛି ।  ନିର୍ବାଚିତ ପ୍ରତିନିଧି ଭାବେ ବହୁ କାମ କରିବାରୁ ବଂଚିତ ହେଉଥିଲି ।

ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ, ମୋତେ ଗିରଫ କରିଥିବା ନେଇ ତତକାଳୀନ କ୍ରାଇମବ୍ରାଂଚ ଅଧିକାରୀ ପ୍ରଥମେ ଟ୍ୱିଟ୍ କରି ଜଣାଇଥିଲେ । ତାଙ୍କୁ ସେଥିପାଇଁ ପୁଲିସ କମିଶନର ଭାବେ ପୁରସ୍କାର ଦିଆଗଲା । ପାଣ୍ଡିଆନଙ୍କ ପ୍ଲାନ୍ ଥିଲା । ପ୍ରଦୀପ ପାଣିଗ୍ରାହୀଙ୍କୁ କିଏ ଗିରଫ କରିବ ବୋଲି ସେ ପଚାରିବାରୁ ଏହି ଆଇପିଏସ୍ ଅଫିସର ବାହାରିଥିଲେ ।

Advertisment

ପାଣ୍ଡିଆନଙ୍କ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ, ପାଣ୍ଡିଆନ କ’ଣ ଗୋଟେ ମେଟେରିଆଲ । ନବୀନ ପଟ୍ଟନାୟକ ହେଉଛନ୍ତି ମେଟେରିଆଲ । ପାଣ୍ଡିଆନର ଛୋଟବୁଦ୍ଧି । ତା’ର ଚିଠା ମୋ’ ପାଖରେ ଅଛି । ଆରଟିଓଠୁ ଆଉ କେଉଁଠୁ କ’ଣ ଖାଇଛି ସେସବୁ ମୁଁ ରଖିଛି । ପୁଲିସକୁ ଲଗାଇ ରାଜ୍ୟରେ ଭୟର ବାତାବରଣ କରାଯାଇଥିଲା । ବିଜେଡି ନେତାମାନେ ତଳିଆ ତଳେ କାନ୍ଦୁଥିଲେ । ସାମ୍ବାଦିକ,ସାଧାରଣ ଲୋକ ଓ ଅଫିସରମାନଙ୍କୁ ଭୟଭୀତ କରି ରଖାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କରପସନ, କମିଶନ ଓ କଲେକ୍ସନର ହବ୍ କରାଯାଇଥିଲା କହି ଶ୍ରୀ ପାଣିଗ୍ରାହୀ ସେମାନଙ୍କ ଉପରେ କ’ଣ ପ୍ରତିଶୋଧ ନେବି ବୋଲି କହି ଓଲଟା ପ୍ରଶ୍ନ କରିଥିଲେ । ସର୍ବଭାରତୀୟ ସେବାର ଚାକିରିରେ ଯୋଗ ଦେଇ ଏଭଳି କାମ ପାଇଁ ସେମାନଙ୍କ ବିବେକ କିଭଳି ବାଧା ଦେଉନଥିଲା ଓ ସେମାନେ ନିଜେ ପ୍ରାୟଶ୍ଚିତ କରିବେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

ତାଙ୍କ ନାଁରେ ମୋଟ ୧୧ଟି ମାମଲା ବିଜେଡି ସରକାର କରିଥିଲା । ୫ଟି ମାମଲାରୁ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ସବୁ ଶ୍ରେୟ ଗଣମାଧ୍ୟମର । ସେମାନେ ସତକୁ ସାମ୍ନାକୁ ଆଣିଛନ୍ତି । ତାଙ୍କୁ ଯିଏ ଫସାଇବାକୁ ଚେଷ୍ଟା କରିଥିଲେ ସେମାନଙ୍କୁ ଓଡ଼ିଶାବାସୀ ସବୁଦିନ ପାଇଁ ବିଦା କରିଦେଲେ ବୋଲି ଶ୍ରୀ ପାଣିଗ୍ରାହୀ କହିବା ସହ ଆଗକୁ ବିଜେଡିର ପାଞ୍ଜି ଖୋଲିବେ ବୋଲି ଚେତାବନୀ ଦେଇଛନ୍ତି । ଏହାସହିତ ତାଙ୍କ ମନ ଭିତରେ ଥିବା କଷ୍ଟକୁ ସେ ଭୁଲିନାହାନ୍ତି କିମ୍ବା ଭୁଲିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି । ନିକଟରେ ରାଜଭବନରେ ନୂଆ ରାଜ୍ୟପାଳଙ୍କ ଶପଥ ସମାରୋହରେ ନବୀନଙ୍କୁ ଭେଟିଥିବା ଶ୍ରୀ ପାଣିଗ୍ରାହୀ କହିବା ସହ ଭଲମନ୍ଦ ପଚାରିଥିବା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଶ୍ରୀ ପାଣିଗ୍ରାହୀଙ୍କୁ କୋର୍ଟ ୫ଟି ମାମଲାରେ ଦୋଷମୁକ୍ତ କରିବା ପରେ ତାଙ୍କ ନିର୍ବାଚନମଣ୍ଡଳୀରେ ସମର୍ଥକମାନେ ପରସ୍ପରକୁ ମିଠା ବାଂଟି ଖୁସି ମନାଇଥିଲେ ।

BjD Bjp Pradeep Panigrahi