Advertisment

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସୁରକ୍ଷା ମାଗିଲେ ପ୍ରଦୀପ ପାଣିଗ୍ରାହୀ

ବିଜେପିରେ ମିଶିବା ପରେ ଦଳ ତାଙ୍କୁ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ କରିଥିଲା। ଏହା ପରେ ସେ ଆକ୍ରଣାତ୍ମକ ମୁଦ୍ରାକୁ ଆସିଥିଲେ। ପ୍ରତିଦିନ ବିଜେଡି ବିରୋଧରେ ବିଷ ଓଗାଳୁଥିଲେ।

author-image
Manoranjan Sial
Pradeep

Pradeep

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ସୁରକ୍ଷା ମାଗିଲେ ପ୍ରଦୀପ ପାଣିଗ୍ରାହୀ। ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଆବଶ୍ୟକୀୟ ସୁରକ୍ଷା ଲୋଡ଼ିଲେ। ଚିଠିରେ ସେ ଲେଖିଛନ୍ତି, ଗତ ୧୩ ତାରିଖରେ ଆକ୍ରମଣ ହୋଇଛି। ଆକ୍ରମଣରେ ପଞ୍ଜରା ହାଡ଼ ଭାଙ୍ଗିବା ସହ ଫୁସ୍‌ଫୁସ୍‌ରୁ ରକ୍ତସ୍ରାବ ହେଉଛି। ପୁଲିସ ଓ ପୁଲିଂ ଅଫିସରଙ୍କ ସହ ଆଲୋଚନା ବେଳେ ଆକ୍ରମଣ ହୋଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ପ୍ରଦୀପ। ଆକ୍ରମଣକାରୀଙ୍କ ବାବଦରେ ଜଣାଇବା ସହ ଆଗକୁ ବିପଦ ଥିବା ଆଶଙ୍କା କରିଛନ୍ତି। କେବଳ ମୋ ସୁରକ୍ଷା ନୁହେଁ ଗଣତନ୍ତ୍ରର ସୁରକ୍ଷା ପାଇଁ ହସ୍ତକ୍ଷେପ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବ୍ରହ୍ମପୁର ଲୋକସଭା ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ।

Advertisment

ପ୍ରଦୀପ ପାଣିଗ୍ରାହୀ ଗଞ୍ଜାମ ନୁହେଁ, ଓଡ଼ିଶା ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା। ଦିନେ ଶାସକ ବିଜେଡିର ପାୱାରଫଲ୍‌ ନେତାଥିଲେ। ସେ ଗୋପାଳପୁର ବିଧାୟକ ଥିବା ବେଳେ ହିଞ୍ଜିଳିରେ ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ରହିଥିଲେ। ଏଥିସହ ୧୦ ବର୍ଷ ଦରି ଗଂଜାମ ଜିଲ୍ଲା ବିଜେଡି ସଭାପତି ରହିଥିଲେ। ଯାହାଫଳରେ ସେ ବିଜେଡିର ଅନ୍ଦି-କନ୍ଦି ଓ ତୃଣମୂଳ ସ୍ତରର କର୍ମୀଙ୍କୁ ଜାଣିଥିଲେ। ୨୦୧୪ ଓ ୨୦୧୯ରେ ବିଜେଡିର ଗଂଜାମ ଜିଲ୍ଲା ନିର୍ବାଚନ ପରିଚାଳନା ଦାୟିତ୍ୱ ସଫଳତାର ସହ ତୁଲାଇଥିଲେ। ପାର୍ଟି ଫଣ୍ଡ ମ୍ୟାନେଜମେଣ୍ଟଠୁ ଟିକେଟ୍‌ ବଣ୍ଟା ଯାଏଁ ସବୁ କଥା ବୁଝୁଥିଲେ। ତେବେ ବିବାଦରେ ଛନ୍ଦି ହେବା ପରେ ବିଜେପିରେ ମିଶିଥିଲେ ପ୍ରଦୀପ ପାଣିଗ୍ରାହୀ।

ବିଜେପିରେ ମିଶିବା ପରେ ଦଳ ତାଙ୍କୁ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ କରିଥିଲା। ଏହା ପରେ ସେ ଆକ୍ରଣାତ୍ମକ ମୁଦ୍ରାକୁ ଆସିଥିଲେ। ପ୍ରତିଦିନ ବିଜେଡି ବିରୋଧରେ ବିଷ ଓଗାଳୁଥିଲେ। କେତେବେଳେ ମୁଖ୍ୟମନ୍ତ୍ରୀ ତ ଆଉ କେତେବେଳେ ଭି.କେ ପାଣ୍ଡିଆନ୍‌, ସମସ୍ତଙ୍କ ବିରୋଧରେ ତଥ୍ୟ ପ୍ରମାଣ ଦେଖାଇ ସମାଲୋଚନା କରୁଥିଲେ। ଶାସକ ବିଜେଡିକୁ ଖୋଲା ଚ୍ୟାଲେଞ୍ଜ ଦେଉଥିଲେ। ଯେଉଁଥିପାଇଁ ବିଜେଡି ଅଡୁଆରେ ପଡ଼ୁଥିଲା। ଅଭିଯୋଗ ହେଉଛି, ପ୍ରଦୀପଙ୍କ ଉପରେ ହୋଇଥିବା ଆକ୍ରମଣରେ ବିଜେଡିର ହାତ ରହିଛି। ଆଗକୁ ବିପଦ ଥିବା ଦର୍ଶାଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁରକ୍ଷା ମାଗିଛନ୍ତି।

Advertisment

ଗତ ୧୩ ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଛି। ସେହିଦିନ ସନ୍ଧ୍ୟାରେ ଗୋଷାଣୀ ନୂଆଗାଁରେ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ହୋଇଥିଲା ଆକ୍ରମଣ। ତାଙ୍କୁ ଆକ୍ରମଣ କରିଥିଲେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ। ଆକ୍ରମଣରେ ତାଙ୍କ ଛାତି ଓ ପଞ୍ଜରା ହାଡରେ ଆଘାତ ଲାଗିଛି। ମେଡିସିନ, ସର୍ଜରୀ, କାର୍ଡିଓ ଭାସ୍କୁଲାର ସର୍ଜରୀ ଭଳି ବିଭାଗର ଡାକ୍ତରଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍‌ ତାଙ୍କ ଚିକିତ୍ସା କରୁଛନ୍ତି। ଏବେ ସେ ଏମ୍‌ସରେ ଡାକ୍ତରଙ୍କ ତତ୍ୱବଧାନରେ ଚିକିତ୍ସିତ ହେଉଛନ୍ତି।

Bjp General Election Ganjam Politics Ganjam Bjd 2024 General Election