Advertisment

ଜାଲିଆତି ଜଳଜଳ: ପ୍ରଫୁଲ୍ଲ ମଲ୍ଲିକଙ୍କ ଇସ୍ତଫା ଦେଖି ପିଛିଲାରୁ କଲେ ସସପେଣ୍ଡ, ୨ଦିନ ପୂର୍ବରୁ ଦଳ କରିଥିଲା ପ୍ରଶଂସା

‘ଓଡ଼ିଶା ରିପୋର୍ଟର’ ପକ୍ଷରୁ ହୋଇଥିବା ଖୋଳତାଡ଼ରୁ ଜଣାପଡ଼ିଛି ଯେ, ପ୍ରଫୁଲ୍ଲ ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ନିମନ୍ତେ ଦଳର ଶୃଙ୍ଖଳାଗତ କମିଟିର ବୈଠକ ଆଜି ଡକାଯାଇଥିଲା । ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟିର ଭର୍ଚୁଆଲ ବୈଠକ ଦିନ ୧୧ଟାବେଳେ ବସିବାର କାର୍ଯ୍ୟକ୍ରମ ମଧ୍ୟ ଥିଲା ।

Prafulla Mallick

Prafulla Mallick

Advertisment

ରାଜ୍ୟର ପ୍ରମୁଖ ଆଂଚଳିକ ଦଳ ବିଜେଡି ବି ଜାଲିଆତି କରିପାରେ । ଏକଥା ଆମେ କହୁନୁ । ବରଂ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ନିଲମ୍ବନ ଓ ଇସ୍ତଫାର ଘଟଣାକ୍ରମକୁ ଦେଖିଲେ ବିଜେଡି ଭଳି ରାଜନୀତିକ ଦଳ କେଉଁସ୍ତରକୁ ଯାଇ ଜାଲିଆତି କରିପାରେ ତାହା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିବାରେ ଲାଗିଛି । ଆଉ ପ୍ରଫୁଲ୍ଲଙ୍କ ଭଳି ବରିଷ୍ଠ ନେତାଙ୍କୁ ବ୍ୟକ୍ତିଗତସ୍ତରରେ ଆକ୍ଷେପ କରିବା ନିମନ୍ତେ ବିଜେଡି ନିଜର ଜଣକ ପରେ ଜଣେ ନେତାଙ୍କୁ ଗଣମାଧ୍ୟମରେ ବୟାନବାଜି କରିବାରେ ନିୟୋଜିତ କରିବାକୁ ମଧ୍ୟ ପଛାଇ ନଥିବା ଜଣାପଡ଼ିଛି ।

Advertisment

ପ୍ରଫୁଲ୍ଲ ମଲ୍ଲିକଙ୍କ ଇସ୍ତଫା ନା ନିଲମ୍ବନ

୪ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ବିଜେଡିରୁ ନିଲମ୍ବନ କରାଗଲା ବୋଲି ଦଳର ଉପସଭାପତି ପ୍ରତାପ ଜେନାଙ୍କ ଦସ୍ତଖତରେ ଆଜି(୧୨ତାରିଖ) ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଗଣମାଧ୍ୟମକୁ ପ୍ରଦାନ କରାଗଲା । ଏହାର କିଛି ସମୟ ପୂର୍ବରୁ ପ୍ରଫୁଲ୍ଲ ମଲ୍ଲିକ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ପ୍ରଫୁଲ୍ଲଙ୍କୁ ନିଲମ୍ବନ ସଂକ୍ରାନ୍ତ ବିଜେଡିର କାର୍ଯ୍ୟାଳୟ ନିର୍ଦ୍ଦେଶ କପିରେ ‘୧୧ତାରିଖ’ ଉଲ୍ଲେଖ ହୋଇଥିବାରୁ ବିଜେଡି ପ୍ରକୃତରେ ପ୍ରଫୁଲ୍ଲଙ୍କ ଇସ୍ତଫା ପତ୍ର ପାଇବା ପରେ ତାଙ୍କୁ ନିଲମ୍ବନ କରିଛି କି ବୋଲି ମଧ୍ୟ ଦଳୀୟ ମହଲରେ ଚର୍ଚ୍ଚା ଜୋର ଧରିଥିଲା । ଯାହାକୁ ଅବଶ୍ୟ ପ୍ରଫୁଲ୍ଲ ସ୍ପଷ୍ଟ କରିଛନ୍ତି । ପ୍ରଫୁଲ୍ଲ କହିଛନ୍ତି ଯେ, ‘ ମୁଁ ଇସ୍ତଫା ପତ୍ର ବରିଷ୍ଠ ନେତା ଦେବୀ ମିଶ୍ର ଓ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇ ସାରିବା ପରେ ସେମାନେ ଜାଲିଆତି କରି ପିଛିଲା ତାରିଖରୁ(ଗତକାଲିଠୁ) ନିଲମ୍ବନ କରିଥିବା ଦର୍ଶାଇଛନ୍ତି । ଏଥିରୁ ଗୋଟିଏ ରାଜନୀତିକ ଦଳ କିଭଳି ଚାଲୁଛି ତାହା ସ୍ପଷ୍ଟ ଜଣାପଡ଼ିଯାଉଛି ।”

ତେବେ ‘ଓଡ଼ିଶା ରିପୋର୍ଟର’ ପକ୍ଷରୁ ହୋଇଥିବା ଖୋଳତାଡ଼ରୁ ଜଣାପଡ଼ିଛି ଯେ, ପ୍ରଫୁଲ୍ଲ ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ନିମନ୍ତେ ଦଳର ଶୃଙ୍ଖଳାଗତ କମିଟିର ବୈଠକ ଆଜି ଡକାଯାଇଥିଲା । ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟିର ଭର୍ଚୁଆଲ ବୈଠକ ଦିନ ୧୧ଟାବେଳେ ବସିବାର କାର୍ଯ୍ୟକ୍ରମ ମଧ୍ୟ ଥିଲା । ଏନେଇ ଶୃଙ୍ଖଳାଗତ କମିଟିର ସଦସ୍ୟମାନଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା । ତେବେ ଏହାର ଆଭାସ ପାଇବା ପରେ ଶ୍ରୀ ମଲ୍ଲିକ ସକାଳ ପ୍ରାୟ ୯ଟା ସମୟରେ ନିଜର ଇସ୍ତଫା ପତ୍ର ଦେବୀ ମିଶ୍ର ଓ ନବୀନ ନିବାସକୁ ପଠାଇ ଦେଇଥିଲେ । ଯାହା ପାଇବା ପରେ ବିଜେଡିର ଅକଲଗୁଡୁମ୍ ହୋଇଯାଇଥିଲା । ସେମାନେ ତରବରିଆ ଭାବେ ଦିନ ୧୦ଟା ସୁଦ୍ଧା ଏହି ନିଲମ୍ବନ ନିର୍ଦ୍ଦେଶ ଜାରି କରିଥିଲେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।

Advertisment

ପ୍ରଫୁଲ୍ଲ ମଧ୍ୟ ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, “ ଯଦି ସେ ଦଳବିରୋଧୀ କାର୍ଯ୍ୟ କରିଥିଲେ ତା’ହେଲେ ତାଙ୍କୁ କାରଣଦର୍ଶାଅ ନୋଟିସ୍ କାହିଁକି ଜାରି କରାଗଲାନି ।  ଦଳବିରୋଧୀ କ’ଣ କାର୍ଯ୍ୟ କରିଥିଲେ ତାହା ତ କହିନାହାନ୍ତି । ଶୃଙ୍ଖଳାଗତ କମିଟି ବୈଠକ ତ କରିନଥିଲା ତା’ହେଲେ ଏ ନିଷ୍ପତ୍ତି ହେଲା କେମିତି? ତେଣୁ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ସେମାନେ କିଭଳି ଜାଲିଆତି କରିପାରନ୍ତି । ଦଳ କେମିତି ଚାଲିଲେ ଭଲ ହେବ ତାହା ଆମେ କହିଛୁ । ବିପର୍ଯ୍ୟୟ ହେଲା କାହିଁକି ତା’ର ସମୀକ୍ଷା କଥା କହିଥିଲୁ । ବିରୋଧୀ ଦଳ ହିସାବରେ କାର୍ଯ୍ୟ କରିବାକୁ ଓଡ଼ିଶାବାସୀ ଆମକୁ ଜନାଦେଶ ଦେଇଛନ୍ତି । ଦଳ ଠିକ୍ ଭାବେ କାର୍ଯ୍ୟ କରୁନି ବୋଲି ଲୋକେ କହୁଥିବା ସମ୍ପର୍କରେ ଦଳୀୟ ନେତୃତ୍ୱଙ୍କୁ ଅବଗତ କରାଇଥିଲୁ ।”

ପ୍ରତାପ ଜେନାଙ୍କୁ ସଂସ୍କାର ପାଠ ପଢ଼ାଇଲେ

ମାହାଙ୍ଗା ଡବଲ ମର୍ଡର ମାମଲାର ୧୩ ନମ୍ବର ଅଭିଯୁକ୍ତ ପ୍ରତାପ ଜେନାଙ୍କୁ ସଂସ୍କାର ପାଠ ପଢ଼ାଇବାକୁ ଭୁଲିନାହାନ୍ତି ଶ୍ରୀ ମଲ୍ଲିକ । ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ଯେ, “କୌଣସି ନେତାଙ୍କ ସମ୍ପର୍କରେ ବ୍ୟକ୍ତିଗତ ଭାବେ କିଛି କହିବାକୁ ମୁଁ ଚାହେଁନି । ପ୍ରତାପ ଜେନା ନିଜେ କ’ଣ ତାହା କହିବା ମୁଁ ଠିକ୍ ମନେ କରୁନି । ମୋର ସେଭଳି ସଂସ୍କାର ନାହିଁ । ସେମାନେ ଯେଉଁ ସଂସ୍କାରରେ ବଢ଼ିଛନ୍ତି ସେମାନେ କହିପାରିବେ । ପ୍ରତାପ ଜେନା କେଉଁଥିପାଇଁ ଟିକେଟ୍ ପାଇଲେ ନାହିଁ ତାହା ଓଡ଼ିଶାବାସୀ ମଧ୍ୟ ଜାଣନ୍ତି ।” ପ୍ରତାପଙ୍କ ଭଳି ଔଦ୍ଧତ୍ୟ ଦେଖାଉଥିବା ନେତାଙ୍କ ପ୍ରତି ପ୍ରଫୁଲ୍ଲ ମଲ୍ଲିକଙ୍କ ଏଭଳି ବୟାନ ଶକ୍ତପ୍ରହାର ସଦୃଶ ହୋଇଥିବା ସାଧାରଣରେ ଚର୍ଚ୍ଚା ।

ଦୁଇଦିନ ପୂର୍ବରୁ ଦଳ କରିଥିଲା ପ୍ରଶଂସା, ଆଜି ନିନ୍ଦା

ସେପ୍ଟେମ୍ବର ୯ତାରିଖରେ ଶଙ୍ଖଭବନରେ ଦଳର ମୁଖପାତ୍ର ଲେନିନ୍ ମହାନ୍ତି  ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଜଆଡ଼ୁ ପ୍ରଶଂସା କରିଥିଲେ । ଦଳୀୟ କାର୍ଯ୍ୟରେ ପ୍ରଫୁଲ୍ଲ ମଲ୍ଲିକ ଏବେ(ସେହିଦିନ) ଦେବୀ ମିଶ୍ରଙ୍କ ସହ ନୂଆପଡ଼ାରେ ଅଛନ୍ତି କହି ପ୍ରଶଂସା କରିବା ସହ ଦକ୍ଷିଣ ଓଡ଼ିଶାର ପ୍ରଭାବଶାଳୀ ନେତା ଏନ ଭାସ୍କରରାଓଙ୍କୁ ସମାଲୋଚନା କରିଥିଲେ । ମାତ୍ର ୨ଦିନ ଭିତରେ କ’ଣ ଏଭଳି ପରିସ୍ଥିତି ହୋଇଗଲା ଯାହାକି ବିଜେଡିକୁ ନିଜର ଶୃଙ୍ଖଳା କମିଟିକୁ ବିଶ୍ୱାସକୁ ନନେଇ ପିଛିଲା ତାରିଖରୁ ନିଲମ୍ବନ ନିର୍ଦ୍ଦେଶ ଜାରି କରିବାକୁ ବାଧ୍ୟ କଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ଦଳ ପ୍ରଥମେ ଦେବୀ ମିଶ୍ର ଓ ତାଙ୍କ ପରେ ପ୍ରମିଳା ମଲ୍ଲିକ ଓ ଲେନିନ୍ ମହାନ୍ତିଙ୍କ ମୁହଁରେ ପ୍ରଫୁଲ୍ଲଙ୍କୁ ନିନ୍ଦିତ କରିବାକୁ ପ୍ରୟାସ କରିଛନ୍ତି ।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଲେନିନ୍ ମହାନ୍ତି କହିଛନ୍ତି ଯେ, “ଦଳ ବିରୋଧୀ କାର୍ଯ୍ୟପାଇଁ ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ବନ କରାଯାଇଛି । ଗତକାଲିର ତାଙ୍କ ବୟାନ ପରେ ବିଭିନ୍ନ ଦିଗକୁ ଦଳ ତର୍ଜମା କରି ଏପରି ପଦକ୍ଷେପ ଦିଆଯାଇଛି । ତାଙ୍କ ବରିଷ୍ଠତାକୁ ସମ୍ମାନ ଦେଇ ଦଳ ନୀରବ ରହିଥିଲା । ବାରମ୍ବାର ଏପରି କରିବା ଯୋଗୁଁ କାର୍ଯ୍ୟାନୁଷ୍ଠାନ ହୋଇଛି । ତୃଣମୂଳ ସ୍ତରର ନେତାଙ୍କ ମତାମତକୁ ନେଇ ଏଭଳି ଆକ୍ସନ ହୋଇଛି । ଅନ୍ୟ ବି ଯେଉଁମାନେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ଶୃଙ୍ଖଳା କମିଟି ନଜର ରଖିଛି । କିଏ କଣ କରୁଛନ୍ତି, ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ।”

ସେହିପରି ବରିଷ୍ଠ ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, “ ଦଳ ଭିତରେ ରହି ଯେଉଁମାନେ କୁଚକ୍ରୀ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ବିରୋଧରେ ଦଳ ଉପଯୁକ୍ତ ପଦକ୍ଷେପ ନେଇଛି । ଦଳ କ୍ଷମତାରେ ଥିବାବେଳେ ସେ ମନ୍ତ୍ରୀ ହେଉଥିଲେ । ଦଳର ଭଲ ସମୟରେ ରହିବେ, ଖରାପ ସମୟରେ ଉଡ଼ିକି ପଳେଇବେ । ଏଇଟା ହେଉଛି ସେମାନଙ୍କର ଚରିତ୍ର । କେବଳ ପ୍ରଫୁଲ୍ଲ ମଲ୍ଲିକ ନୁହେଁ, ଆଉ ଯିଏ ଏଭଳି କରିବ ଦଳ ତାଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ନେବ ।

ଦନ୍ତହୀନ ଶୃଙ୍ଖଳା କମିଟି, ମେରୁଦଣ୍ଡବିହୀନ ନେତା

ବିଜେଡିର ଶୃଙ୍ଖଳା କମିଟି ଏକ ମେରୁଦଣ୍ଡ ନଥିବା କମିଟି ସଦୃଶ ହୋଇଛି । କମିଟିର ସଦସ୍ୟ ଭାବେ ଦେବୀ ମିଶ୍ରଙ୍କ ସମେତ ପ୍ରଦୀପ ଅମାତ, ଚନ୍ଦ୍ରଶେଖର ସାହୁ, ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀ, ଲୋପାମୁଦ୍ରା ବକ୍ସିପାତ୍ର ପ୍ରମୁଖ ରହିଛନ୍ତି । ପ୍ରଫୁଲ୍ଲଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଏହି କମିଟିର ମତାମତ ନେବାକୁ ମଧ୍ୟ ଦଳ ଉଚିତ୍ ମଣିନାହିଁ । ଦିଲ୍ଲୀରେ ରହି ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ନିଜର ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ(ବବି) ମାଧ୍ୟମରେ ଯେଉଁ ନିର୍ଦ୍ଦେଶ ଦେଉଛନ୍ତି ସେହି ଆଧାରରେ ବିଜେଡିର ଏହି ନେତାମାନେ ଅମେରୁଦଣ୍ଡୀ ପ୍ରାଣୀ ଭଳି ତୁଣ୍ଡରେ ତୁଣ୍ଡି ବାନ୍ଧି ସବୁକିଛି ସହ୍ୟ କରିବାକୁ ଏକରକମ ବାଧ୍ୟ ହେଉଥିବା ଦଳୀୟ ମହଲରେ ଚର୍ଚ୍ଚା ।  ଗୋଟିଏ ରାଜନୀତିକ ଦଳ ନିଜର ନେତାମାନଙ୍କ ଉପରେ ଆକ୍ସନ ନେବା ପାଇଁ କେତେ ତଳସ୍ତରକୁ ଯାଇ ଭୁଲ କଥା, ବ୍ୟକ୍ତିଗତ ଆକ୍ଷେପ ଓ କାର୍ଯ୍ୟ କରିପାରେ ତା’ର ନଗ୍ନ ଚିତ୍ର ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ସ୍ୱାଭିମାନ ଓ ଆତ୍ମସମ୍ମାନ ଥିବା ନେତାମାନେ ଆଉ ପାଣ୍ଡିଆନ ଓ ତାଙ୍କ ଟିମ ସଦସ୍ୟଙ୍କ ହାକିମାତି- ନାଲିଆଖିକୁ ସହ୍ୟ କରିବା ସ୍ଥିତିରେ ନଥିବାର କଡ଼ା ସନ୍ଦେଶ ଦେବାରେ ଲାଗିଛନ୍ତି । ଯାହାକି ସେମାନଙ୍କୁ ସହଜରେ ହଜମ ହେଉନଥିବା ଚର୍ଚ୍ଚା ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe