/odisha-reporter/media/post_attachments/uploadimage/library/16_9/16_9_0/IMAGE_1752054975.jpg)
Prakash Mishra
ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସ୍ ଅଫିସର ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ୧୯୯୪ ବ୍ୟାଚ ଆଇପିଏସ୍ ତଥା ଅତିରିକ୍ତ ଡିଜି ସଞ୍ଜିବ ପଣ୍ଡାଙ୍କୁ ନକ୍ସଲ ମୁକାବିଲା ଅପରେସନ ସହ ସ୍ବତନ୍ତ୍ର ଗୁଇନ୍ଦା ଦାୟିତ୍ବ ନ୍ୟସ୍ତ ହୋଇଛି। ସଞ୍ଜିବଙ୍କୁ ଏହି ଦାୟିତ୍ବ ଦିଆଯିବା ସହ ଦକ୍ଷିଣାଞ୍ଚଳ ଡିଆଇଜି ୨୦୦୯ ବ୍ୟାଚ ଆଇପିଏସ୍ ଅଖିଳଶ୍ବେର ସିଂଙ୍କୁ ସ୍ପେଶାଲ ଇଣ୍ଟେଲିଜେନ୍ସ ଓ୍ବିଙ୍ଗ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଉପଦେଷ୍ଟା ପ୍ରକାଶ ମିଶ୍ର ନିଜର ଏହି ଟିମ୍ ଗଢ଼ିବା ସହ ବିଜେଡି ସରକାର ଭଳି ସ୍ପେଶାଲ ଇଣ୍ଟେଲିଜେନ୍ସ ଓ୍ବିଙ୍ଗକୁ ଅଧିକ କ୍ରିୟାଶୀଳ କରିବାକୁ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡି଼ଛି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ପ୍ରଶିକ୍ଷଣ ଏକାଡେମୀର ନିର୍ଦ୍ଦେଶକ ଏଡିଜି ସଞ୍ଜିବ ପଣ୍ଡାଙ୍କୁ ତତ୍କାଳ ପ୍ରଭାବରୁ ନକ୍ସଲ ମୁକାବିଲା ଅପରେସନ ଏଡିଜି ସହ ସ୍ପେଶାଲ ଇଣ୍ଟେଲିଜେନ୍ସ ଓ୍ବିଙ୍ଗ୍ ମୁଖ୍ୟ ଭାବେ ବଦଳି କରାଯାଇଛି। ଶ୍ରୀ ପଣ୍ଡା ସିଧାସଳଖ ପୁଲିସ ଡିଜିଙ୍କୁ ରିପୋର୍ଟ କରିବେ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀର ନିର୍ଦ୍ଦେଶକ ଦାୟିତ୍ବ ତୁଲାଇବାକୁ ସେଠାରେ ଡିଆଇଜି ଥିବା ୨୦୦୬ ବ୍ୟାଚ ଆଇପିଏସ୍ ଅନୁପ କୁମାର ସାହୁଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ସ୍ପେଶାଲ ଇଣ୍ଟେଲିଜେନ୍ସ ଓ୍ବିଙ୍ଗ୍ ଡିଆଇଜି ୨୦୧୦ ବ୍ୟାଚ ଆଇପିଏସ୍ କନଓ୍ବର ବିଶାଳ ସିଂଙ୍କୁ ହଟାଇ ତାଙ୍କ ସ୍ଥାନରେ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ଆଇପିଏସ୍ ଅଖିଳେଶ୍ବର ସିଂଙ୍କୁ ଅବସ୍ଥାପିତ କରାଯାଇଛି। କନଓ୍ବର ବିଶାଳଙ୍କୁ ଅଖିଳେଶ୍ବରଙ୍କ ସ୍ଥାନରେ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ଭାବେ ତତ୍କାଳ ପ୍ରଭାବରୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ତେବେ ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର ଏବେ 'ସ୍ବତନ୍ତ୍ର ଗୁଇନ୍ଦା ବ୍ୟବସ୍ଥା'କୁ ଅଧିକ କ୍ରିୟାଶୀଳ କରିବାକୁ ନିଜର ପସନ୍ଦର ଅଫିସରଙ୍କ ଟିମ୍ ଚୟନ କରିଛନ୍ତି। ସଞ୍ଜିବ ପଣ୍ଡା ଓ ଅଖିଳେଶ୍ବରଙ୍କୁ ଦାୟିତ୍ବ ନ୍ୟସ୍ତ କରିଛନ୍ତି। ଯଦିଓ ଗୁଇନ୍ଦା ଡିଜି ଭାବେ ଆରପି କୋଚେ ଦକ୍ଷତାର ସହ କାର୍ଯ୍ୟ ତୁଲାଉଛନ୍ତି। କିନ୍ତୁ ତାଙ୍କୁ ଚେକ୍ ଦେବା ପାଇଁ ଏଭଳି ଅଦଳବଦଳ କରାଯାଇଥିବା ପାଓ୍ବାର କରିଡରରେ ଚର୍ଚ୍ଚା ହେଉଛି।
ପୁରୀ ରଥଯାତ୍ରାରେ ଚଳିତଥର ୧୫ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବ ବୋଲି ଗୁଇନ୍ଦା ବିଭାଗ ବହୁ ପୂର୍ବରୁ ପୁଲିସ ଡିଜିଙ୍କୁ ରିପୋର୍ଟ ଦେଇଥିଲେ ମଧ୍ୟ ରାଜ୍ୟ ଆଇପିଏସ୍ କରିଡରରେ ଚାଲିଥିବା ଛକାପଞ୍ଝାରେ ଶ୍ରୀ କୋଚେଙ୍କ ଭଳି ସଚ୍ଚୋଟ ଓ ଦକ୍ଷ ଅଫିସରଙ୍କୁ ବଳି ପକାଯାଇଥିବା ଏବଂ ବିଜେଡି ସରକାରରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଥିବା ଆଇପିଏସ୍ ଅଫିସରମାନଙ୍କୁ ବିଜେପି ସରକାର ଗୁରୁ ଦାୟିତ୍ବ ନ୍ୟସ୍ତ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
