Advertisment

ଗାଡ଼ିରୁ ଓହ୍ଲାଇ ପାଣ୍ଡିଆନ୍‌ଙ୍କ ପାଇଁ ରାସ୍ତା କ୍ଲିୟର କଲେ ପ୍ରଣବ ଓ ପ୍ରତାପ

ମିଶନ ହାଇସ୍କୁଲ ଛକରେ ବାଲେଶ୍ୱର ଜିଲ୍ଲା ପ୍ରଭାରୀ ତଥା ମନ୍ତ୍ରୀ ପ୍ରତାପ ଦେବ ଓ ମୟୂରଭଞ୍ଜ ଜିଲ୍ଲା ପ୍ରଭାରୀ ତଥା ବିଜେଡି ସଙ୍ଗଠନ ସମ୍ପାଦକ ପ୍ରବଣ ପ୍ରକାଶ ଦାସ ନିଜ ଗାଡ଼ିରୁ ଓହ୍ଲାଇ ଭି.କେ ପାଣ୍ଡିଆଙ୍କ ଗାଡ଼ି ଆଗରେ ଧାଇଁଥିଲେ।

ଅଦ୍ୟତନ ହୋଇଛି
Balasore

BJD

Advertisment

5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଗସ୍ତ ପାଇଁ ପୂରା ବାଲେଶ୍ୱର ଟାଉନରେ ପୁଲିସ୍‌ ଛାଉଣୀ କରାଯାଇଥିଲା। ଛକ ଛକରେ ଛିଡ଼ା ହୋଇଥିଲେ ପୁଲିସ୍‌। ଜନ୍ଦା ପିମ୍ପୁଡ଼ି ଗଳି ପାରୁ ନଥିଲେ! ଏହା ସତ୍ତ୍ୱେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ମନ୍ତ୍ରୀ ପ୍ରତାପ ଦେବଙ୍କୁ ରାସ୍ତା କ୍ଲିୟର କରିବାକୁ ପଡ଼ିଲା। ପ୍ରଶ୍ନ ଉଠୁଛି, ପ୍ରକୃତରେ ରାସ୍ତା କ୍ଲିୟର କରିବା ଦରକାର ଥିଲା, ନା 5-T ଅଧ୍ୟକ୍ଷଙ୍କ ମନ ଜିଣିବା ପାଇଁ ଉଦ୍ୟମ ହେଉଥିଲା? ତାହାର ଉତ୍ତର ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି। ତେବେ ସିଏ ଯାହା ହେଉନା କାହିଁକି ବିଜେଡିର ଦୁଇ ନେତାଙ୍କ ରାସ୍ତା କ୍ଲିୟର କରିବା ଘଟଣା ବାଲେଶ୍ୱରରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଆଜି ବାଲେଶ୍ୱର ଗସ୍ତରେ ଯାଇଥିଲେ 5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ନିର୍ଦ୍ଧାରିତ ସମୟରେ ପୁଲିସ୍‌ ଲାଇନ୍‌ ଗ୍ରାଉଣ୍ଡରେ ହେଲିକପ୍ଟରରୁ ଓହ୍ଲାଇଥିଲେ 5-T ଅଧ୍ୟକ୍ଷ। କଡ଼ା ସୁରକ୍ଷା ବଳୟ ଭିତରେ ତାଙ୍କୁ ବିଶାଳ ଶୋଭାଯାତ୍ରାରେ ମିଶନ ହାଇସ୍କୁଲ ସଭା ସ୍ଥଳକୁ ପାଛୋଟି ନେଉଥିଲେ ଉତ୍ତର ଓଡ଼ିଶାର ବରିଷ୍ଠ ନେତା ଓ କର୍ମୀ। ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ହୋଇଥିବାରୁ ସ୍ୱାଗତ କରିବାରେ ସାମାନ୍ୟତମ କୁଣ୍ଠାବୋଧ କରି ନଥିଲେ ନେତାଏ।

ଶୋଭାଯାତ୍ରା ଚାଲିଥିବା ବେଳେ ଦେଖିବାକୁ ମିଳିଥିଲା ବିଚିତ୍ର ଚିତ୍ର। ମିଶନ ହାଇସ୍କୁଲ ଛକରେ ବାଲେଶ୍ୱର ଜିଲ୍ଲା ପ୍ରଭାରୀ ତଥା ମନ୍ତ୍ରୀ ପ୍ରତାପ ଦେବ ଓ ମୟୂରଭଞ୍ଜ ଜିଲ୍ଲା ପ୍ରଭାରୀ ତଥା ବିଜେଡି ସଙ୍ଗଠନ ସମ୍ପାଦକ ପ୍ରବଣ ପ୍ରକାଶ ଦାସ ନିଜ ଗାଡ଼ିରୁ ଓହ୍ଲାଇ ଭି.କେ ପାଣ୍ଡିଆଙ୍କ ଗାଡ଼ି ଆଗରେ ଧାଇଁଥିଲେ। ତା’ପରେ ବାଇକ୍‌ ରାଲି ଯାଉଥିବା ଦଳୀୟ କର୍ମୀମାନଙ୍କୁ ରାସ୍ତାରୁ ହଟାଇ ଥିଲେ। ଅତି ଯତ୍ନର ସହିତ ପାଣ୍ଡିଆଙ୍କ ଗାଡ଼ିକୁ ଆଗକୁ ଯିବା ପାଇଁ ରାସ୍ତା ଦେଖାଇଥିଲେ। ଯେଉଁ କାମ ପୁଲିସ୍‌ କରିବା କଥା, ତାହା ଏହି ଦୁଇ  ନେତା କରୁଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଏବେ ସୋଶାଲ୍ ମିଡ଼ିଆରେ ଭାଇରାଲ୍‌ ହେଉଛି। ଭିଡିଓଟି ମୋବାଇଲ୍‌ରୁ ମୋବାଇଲ ଘୂରି ବୁଲୁଛି।

Advertisment

ସେପଟେ କିନ୍ତୁ ବିଜେଡିର ଅନ୍ତଃକନ୍ଦଳ ପଦାରେ ପଡ଼ିଛି। ଭି.କେ. ପାଣ୍ଡିଆନ୍‌ ବାଲେଶ୍ୱରରେ ପହଞ୍ଚିବା ପୂର୍ବରୁ ସଭାସ୍ଥଳରେ ବସିବାକୁ ନେଇ ବିଜେଡିର ସଦର ବିଧାୟକ ସ୍ୱରୂପ ଦାସଙ୍କ ଗୋଷ୍ଠୀ ଓ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପ୍ରଥମେ ସ୍ୱରୁପଙ୍କ ଗୋଷ୍ଠୀର କର୍ମୀମାନେ ଆସି ସିଟରେ ବସି ଯାଇଥିଲେ। ହେଲେ ପରେ ଆସିଥିବା ରବୀନ୍ଦ୍ର କୁମାର ଜେନାଙ୍କ ସମର୍ଥକ ମହିଳା କାଉନସିଲରଙ୍କ ପାଇଁ ସିଟ୍‌ ନଥିଲା। ଯାହାକୁ ନେଇ ଦୁଇ ଗୋଷ୍ଠୀ ଭିତରେ ସଭାମଞ୍ଚ ତଳେ ଆରମ୍ଭ ହୋଇଥିଲା ଧସ୍ତାଧସ୍ତି, ଠେଲାପେଲା, ନାରାବାଜି ଓ ଗଣ୍ଡଗୋଳ। ପୂର୍ବତନ ମ୍ୟୁନିସିପାଲିଟି ଚେୟାରମ୍ୟାନ୍‌ ତଥା ବିଜେଡି ନଗର ସଭାପତିଙ୍କ ସାର୍ଟ କଲରକୁ ଟାଣି ଚିରି ଦେଇଥିବା ଅଭିଯୋଗ ହୋଇଛି। ଶେଷରେ ସାମ୍ବାଦିକଙ୍କ ସିଟରେ ମହିଳା କାଉନସିଲରଙ୍କୁ ବସାଯିବା ପରେ ଗଣ୍ଡଗୋଳ ଥମିଥିଲା।

BjD Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe