Advertisment

ସମ୍ୱଲପୁର ପାଇଁ ଅନିଚ୍ଛୁକ ପ୍ରସନ୍ନ! BJD ମୁଖିଆଙ୍କୁ ଭେଟିଲେ

ବିଜେପି ସମ୍ବଲପୁର ବିଧାନସଭା ଆସନ ପାଇଁ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ମୈଦାନକୁ ଓହ୍ଲାଇଛି। ତାଙ୍କ ବିରୋଧରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଯୋଦ୍ଧା ଘୋଷଣା କରିଛି ବିଜେଡି। ଏହି ଘୋଷଣା ପରେ ସେଠିକା ଦଳୀୟ ରାଜନୈତିକ ପାଣି ଅଧିକ ଗୋଳିଆ ହୋଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
BJD

BJD

ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ହେଉଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ତାଙ୍କୁ ଏଥର ସମ୍ୱଲପୁରରୁ ପ୍ରାର୍ଥୀ କରିଛି ବିଜେଡି। ହେଲେ ସେ ସେଠାରେ ଲଢ଼ିବାକୁ ଅନିଚ୍ଛୁକ ବୋଲି ଚର୍ଚ୍ଚା ହେଉଛନ୍ତି। ତେଣୁ ସେ ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଆଉ ନିଜର ଅସନ୍ତୋଷ ଜାହିର କରିଥିବା ଶୁଣିବାକୁ ମିଳୁଛି। ହେଲେ ମୁଖ୍ୟମନ୍ତ୍ରୀ ତାଙ୍କୁ କ’ଣ ପ୍ରତିଶ୍ରୁତି ଦେଲେ, ତାହା ଜଣାପଡ଼ି ନାହିଁ। ସେପଟେ ଦେଖିବାକୁ ଗଲେ ୨୦୦୯ରୁ ୨୦୨୪ ମସିହା ପର୍ଯ୍ୟନ୍ତ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପୃଥକ୍‌ ପୃଥକ୍‌ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଛି ଦଳ। ଗୋଟିଏ ସିଟ୍‌ରେ ରିପିଟ୍‌ କରିନି। ଯାହାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିବା ଆଲୋଚନା ହେଉଛି।

Advertisment

୨୦୦୯ ମସିହାରେ ପ୍ରସନ୍ନ ଆଚାର୍ଯ୍ୟ ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ। ୨୦୧୪ ମସିହାରେ ବିଜେପୁରରୁ ବିଧାନସଭା ଲଢ଼ିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ବରଗଡ଼ ଲୋକସଭା ପ୍ରାର୍ଥୀ ହୋଇଥିଲା। ଆଉ ୨୦୨୪ରେ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ହୋଇଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ଦଳର କ୍ରାଏସିସ୍‌ ମ୍ୟାନେଜର ହୋଇ ମଧ୍ୟ କାହିଁକି ନିର୍ଦ୍ଦିଷ୍ଟ ଏକ ନିର୍ବାଚନ ମଣ୍ଡଳୀରେ ପ୍ରସନ୍ନଙ୍କୁ ସ୍ଥାୟୀ ପ୍ରାର୍ଥୀ କରୁନି ବିଜେଡି? ତାକୁ ନେଇ ନାନା ଚର୍ଚ୍ଚା ଆଲୋଚନା ହେଉଛି।

ବିଜେପି ସମ୍ବଲପୁର ବିଧାନସଭା ଆସନ ପାଇଁ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ମୈଦାନକୁ ଓହ୍ଲାଇଛି। ତାଙ୍କ ବିରୋଧରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଯୋଦ୍ଧା ଘୋଷଣା କରିଛି ବିଜେଡି। ଏହି ଘୋଷଣା ପରେ ସେଠିକା ଦଳୀୟ ରାଜନୈତିକ ପାଣି ଅଧିକ ଗୋଳିଆ ହୋଇଛି। ଏମିତିକି ଟିକେଟ ଘୋଷଣା ପରେ ପ୍ରସନ୍ନ ଅଧିକ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ସେ ସମ୍ବଲପୁରରୁ ଲଢ଼ିବାକୁ ଆଦୌ ଆଗ୍ରହୀ ନଥିବା ଶୁଣିବାକୁ ମିଳୁଛି। ଯାହାର ପ୍ରତିଫଳନ ସ୍ୱରୂପ ତାଙ୍କୁ ଆଜି ନବୀନ ନିବାସରେ ଦେଖିବାକୁ ମିଳିଛି। ତେବେ ଦଳ ସୁପ୍ରିମୋ ପ୍ରସନ୍ନଙ୍କୁ କ’ଣ ବୁଝାଇଲେ ? ପ୍ରସନ୍ନ ଏଥିରେ କେତେ ସନ୍ତୁଷ୍ଟ ହେଲେ ? ଏହା ଜଣାପଡ଼ିନଥିଲେ ମଧ୍ୟ ପ୍ରସନ୍ନ କିନ୍ତୁ ସମ୍ବଲପୁର ନୁହେଁ ରେଢାଖୋଲରୁ ଲଢ଼ିବାକୁ ଅଧିକ ଇଚ୍ଛୁକ ଥିବା ଚର୍ଚ୍ଚା ହେଉଛି।

Advertisment

ସେପଟେ ରେଢାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ବିଜେଡି କିଛି ଦିନ ଧରି କୋଣଠେସା କରିଥିଲା। ମନ୍ତ୍ରୀ ପଦରୁ ବିଦା ହେବା ପରେ ତାଙ୍କ ପତିଆରା ହ୍ରାସ ପାଇଥିଲା। ତେଣୁ ତାଙ୍କୁ ଆଉ ରେଢାଖୋଲରୁ ଟିକେଟ୍ ନମିଳିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେଣୁ ସେଠି ଗଲା ଦେଢ଼ ବର୍ଷ ହେଲା ପ୍ରସନ୍ନ ଆଚାର୍ଯ୍ୟ ସଂଗଠନ ତିଆରି କରିଥିଲେ। ହେଲେ ଦଳ ତାଙ୍କୁ ସେଠି ଟିକେଟ ନଦେଇ ରୋହିତଙ୍କୁ ରିପିଟ୍‌ କରିଛି। ତେଣେ ସମ୍ବଲପୁର ବିଧାନସଭା ପାଇଁ ବିଜେଡିରେ ମାଳ ମାଳ ଆଶାୟୀ ପ୍ରାର୍ଥୀ ଥାଇ ଜଣେ ଜିଲ୍ଲା ବାହାରର ନେତାଙ୍କୁ ଟିକେଟ ଦିଆଯିବା ଦଳକୁ ମହଙ୍ଗା ପଡିବ ବୋଲି କହିଲେଣି ରାଜନୀତି ସମୀକ୍ଷକ।

ଅନ୍ୟପକ୍ଷରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ଘୋଷଣା ପରେ ସମ୍ୱଲପୁର ବିଜେଡିର ବିଦ୍ରୋହ ଦେଖାଦେଇଛି। ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ଘର ଆଗରେ ଏକାଠି ହୋଇଛନ୍ତି ତାଙ୍କ ସମର୍ଥକ। ଏବେ ମଧ୍ୟ ସେମାନଙ୍କ ଦାବି, ସମ୍ବଲପୁରରେ ପ୍ରାର୍ଥୀ ବଦଳାଯାଉ ଓ ଜିଲ୍ଲା ବାହାରର ପ୍ରାର୍ଥୀଙ୍କ ବଦଳରେ ରାସେଶ୍ୱରୀଙ୍କୁ ବିଜେଡି ଟିକେଟ ଦିଆଯାଉ।

ଏଣେ ଏସବୁ ଭିତରେ ପ୍ରଶ୍ନ, ସମ୍ବଲପୁର ବିଧାନସଭା ଆସନର ଅନାଗ୍ରହୀ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳର ସମର୍ଥନ ମିଳିବ ନା ଗୋଷ୍ଠୀ କନ୍ଦଳ ତେଜିବ ? ବିଜେପି ହେଭିୱେଟ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ମହା ଲଢ଼େଇରେ ରାସେଶ୍ୱରୀ ଓ ସିଦ୍ଧାର୍ଥ ଦାଶଙ୍କ ଗୋଷ୍ଠୀ ପ୍ରସନ୍ନଙ୍କୁ ସହଯୋଗ କରିବେ ନା ବିମୁଖ ହେବେ? ଯଦିଓ ପୂରା ପ୍ରସଙ୍ଗରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା ମିଳିନାହିଁ, ତେବେ ରାସେଶ୍ୱରୀ କହିଛନ୍ତି, ଦଳ ସୁପ୍ରିମୋଙ୍କ ନିଷ୍ପତ୍ତି ଆମ ପାଇଁ ସର୍ବମାନ୍ୟ। ସେମିତି ରୋହିତ ପୂଜାରୀଙ୍କ ଉତ୍ତର- ଟିକେଟକୁ ନେଇ କାହା ମନରେ ଅସନ୍ତୋଷ ନାହିଁ।

ତେଣେ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର କହିଛନ୍ତି, ଜଣେ ବାହାର ଜିଲ୍ଲାର ନେତା ହିସାବରେ ପ୍ରସନ୍ନ ଆଚାର୍ଯ୍ୟଙ୍କର ସମ୍ବଲପୁର ପ୍ରତି ସବୁବେଳେ ଅସୂୟା ଭାବ ରହିଛି।

BjD Sambalpur Loksabha Election