Advertisment

ନିର୍ବାଚନ ଲଢ଼ିବେନି ପ୍ରଶାନ୍ତ ଜଗଦେବ, ପତ୍ନୀ ସ୍ୱାଗତିକାଙ୍କୁ ବିଜେପି କରିପାରେ ପ୍ରାର୍ଥୀ

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଜଗଦେବ କହିଛନ୍ତି ଯେ, ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ହିଞ୍ଜିଳି ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇ ଲଢ଼ିବାକୁ ଇଚ୍ଛୁକ ଥିବା ନେଇ ଦଳକୁ କହିଥିଲି

author-image
Ordigital Desk
BJP

BJP

ଚିଲିକା ବିଧାୟକ ତଥା ବିଜେପି ନେତା ପ୍ରଶାନ୍ତ ଜଗଦେବ ଚଳିତଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଆଜି ଘୋଷଣା କରିଛନ୍ତି। ଶ୍ରୀ ଜଗଦେବ ନିଜେ ନିର୍ବାଚନ ନଲଢ଼ି ତାଙ୍କ ପତ୍ନୀ ସ୍ୱାଗତିକାଙ୍କୁ ବିଜେପି ଟିକେଟରୁ ପ୍ରାର୍ଥୀ କରାଇପାରନ୍ତି ବୋଲି ଜଣାପଡ଼ିଛି। ସେ ଆଜି କଡ଼ାଭାଷାରେ ବିଜେଡିକୁ ସମାଲୋଚନା କରିବା ସହ ତାଙ୍କ ବିରୁଦ୍ଧରେ କିଭଳି ଷଡ଼ଯନ୍ତ୍ର ଚାଲିଛି ତା’ର ସୂଚନା ଦେଇଛନ୍ତି। ବିଜେଡି ଆଜି ଶ୍ରୀ ଜଗଦେବଙ୍କ ବିରୁଦ୍ଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛି।

Advertisment

ଏପଟେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଜଗଦେବ କହିଛନ୍ତି ଯେ, ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ହିଞ୍ଜିଳି ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇ ଲଢ଼ିବାକୁ ଇଚ୍ଛୁକ ଥିବା ନେଇ ଦଳକୁ କହିଥିଲି। ଯେହେତୁ ଦଳ ସେଠାରେ ତାଙ୍କୁ ପ୍ରାର୍ଥୀ କଲାନି, ତେଣୁ ସେ ଏଥର ନିର୍ବାଚନ ଲଢ଼ିବେ ନାହିଁ। ବିଜେଡି ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛି ଓ ଏସବୁ ବିଜେଡି ବିଧାୟକ ରାଜେନ୍ଦ୍ର ସାହୁ ଓ ସାଂସଦ ମାନସ ମଙ୍ଗରାଜଙ୍କୁ ଇଙ୍ଗିତରେ ହେଉଥିବା କହିଛନ୍ତି।

ନବୀନ ପଟ୍ଟନାୟକ ଏବେ ବିଜୁ ପଟ୍ଟନାୟକଙ୍କ ଆଦର୍ଶରୁ ଓହରି ଗଲେଣି। ବିଜୁବାବୁ ସର୍ବଦା ମୋ ଓଡ଼ିଆ କଥା କହୁଥିଲେ। ଓଡ଼ିଶା ଓ ଓଡ଼ିଆଙ୍କ ବିକାଶ ଚାହୁଁଥିଲେ। କିନ୍ତୁ ନବୀନ ବାବୁଙ୍କ ଯୋଗୁ ଏଠି ତେଲଗୁତାମିଲ ଲୋକ ଆସି ଶାସନ କଲେଣି। ଓଡ଼ିଶାକୁ ଲୁଟି କୋଟି କୋଟି ଟଙ୍କା ଦିଲ୍ଲୀ ଓ ବାହାର ରାଜ୍ୟର ବ୍ୟାଙ୍କରେ ଗଚ୍ଛିତ କଲେଣି । ତେଣୁ ନବୀନ ପଟ୍ଟନାୟକ ସରକାର ପ୍ରତି ଲୋକ ବିମୁଖ ହେଲେଣି। ପରିବର୍ତ୍ତନ ଜଳଜଳ ହୋଇ ଦିଶିଲାଣି ଓ ନିର୍ବାଚନ ପରେ ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ହେବ।

Advertisment

ସେ ଖୋର୍ଦ୍ଧାର ଛଣଗିରି ଅଂଚଳରେ ହୋଇଥିବା ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ବିଜେପିର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ସହ ସେ ଖୋର୍ଦ୍ଧାର ଛଣଗିରି ଅଂଚଳରେ ଜନସମ୍ପର୍କ ପଦଯାତ୍ରା କରୁଥିବାବେଳେ ବିଜେଡି ନେତାଙ୍କ ଦ୍ୱାରା ପ୍ରାୟୋଜିତ ଜଣେ ବ୍ୟକ୍ତି ନିଜକୁ ସାମ୍ବାଦିକ କହି ଭିଡିଓ ଉତ୍ତୋଳନ କରୁଥିଲେ। ସେ ତାଙ୍କୁ ବାରଣ କରିଥିଲେ। ଏହା ବିଜେଡିର ପ୍ରାୟୋଜିତ ଥିଲା। କାରଣ ସମ୍ପୃକ୍ତ ବ୍ୟକ୍ତି ପୂର୍ବରୁ ଖଣି ଚୋରି ଓ ବ୍ରାଉନସୁଗାର ଆଦି କାରବାରେ ଲିପ୍ତ ଥାଇ ଏସଟିଏଫ ହାତରେ ଧରାପଡ଼ିଥିଲେ। ସାମ୍ବାଦିକ କହୁଥିବା ବ୍ୟକ୍ତି ମଦ ପିଇ ଜାଣିଶୁଣି ବିବାଦ କରୁଥିଲେ। ସେ ବିଜେଡି ବିଧାୟକ ରାଜେନ୍ଦ୍ର ସାହୁ, ମାନସ ମଙ୍ଗରାଜ ଓ କାଳୁ ଖଣ୍ଡାୟତଙ୍କ ଇସାରାରେ ଜାଣିଶୁଣି ଏଭଳି ବିବାଦ କରିଥିବା ଶ୍ରୀ ଜଗଦେବ କହିଛନ୍ତି। ତାଙ୍କ ବିରୁଦ୍ଧରେ ଜଙ୍କିଆ ଥାନାରେ ହୋଇଥିବା ମାମଲା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହି ସେ ନିଜଆଡ଼ୁ ଥାନାକୁ ଯାଇଥିଲେ। ଯେଉଁ ଗାଁରେ ଏହି ଘଟଣା ହୋଇଥିଲା ସେଠାର ଲୋକମାନେ ମଧ୍ୟ ସନ୍ଧ୍ୟାରେ ଥାନାକୁ ଯାଇ ପ୍ରକୃତ ଘଟଣା କହିଥିଲେ। ଗାଁରେ ଷ୍ଟ୍ରିଟଲାଇଟ୍ ଜଳୁନଥିବା ନେଇ ଲୋକେ ଅଭିଯୋଗ କରିଥିଲେ ଓ ସେଠାରେ ତାଙ୍କ ହସ୍ତକ୍ଷେପ ଯୋଗୁ ଉକ୍ତ ଲାଇଟ୍ ସନ୍ଧ୍ୟା ପୂର୍ବରୁ ଜଳିଥିଲା ବୋଲି ଶ୍ରୀ ଜଗଦେବ କହିଛନ୍ତି।

ଅନ୍ୟପକ୍ଷରେ ବିଜେପି ସୂତ୍ରରୁ ଜଣାପଡ଼ିଛି ଯେ, ଶ୍ରୀଜଗଦେବଙ୍କ ନାଁରେ ୧୦ରୁ ଅଧିକ ମାମଲା ଥିବାରୁ ଦଳ ତାଙ୍କ ପତ୍ନୀ ସ୍ୱାଗତିକାଙ୍କୁ ଖୋର୍ଦ୍ଧା କିମ୍ବା ବେଗୁନିଆ ବିଧାନସଭା ଆସନରୁ ପ୍ରାର୍ଥୀ କରିବ।

BjD Bjp