Advertisment

Bihar Election: ବିହାର ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ପ୍ରଶାନ୍ତ କିଶୋର

ପ୍ରଶାନ୍ତ କିଶୋରଙ୍କ କହିବା କଥା ନିର୍ବାଚନ ପରେ ନୀତୀଶ କୁମାର ଆଉ ମୁଖ୍ୟମନ୍ତ୍ରୀ ପଦକୁ ଫେରିବେ ନାହିଁ। ବିହାରରେ ବିଜେପି ନେତୃତ୍ୱାଧୀନ ଏନଡିଏ ହାରିବାକୁ ଯାଉଥିବା ସେ ଦମ୍ଭୋକ୍ତି କରିଛନ୍ତି।

author-image
Hemant Lenka
PK

ପ୍ରଶାନ୍ତ କିଶୋର

ଜନ ସୁରାଜ ପାର୍ଟି(ଜେଏସ୍‌ପି)ର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଓରଫ ପିକେ ବିହାର ବିଧାନସଭା ନିର୍ବାଚନ(Bihar Election) ପୂର୍ବରୁ ବଡ଼ ଘୋଷଣା କରିଛନ୍ତି। କ୍ଷମତାସୀନ ଏନଡିଏ ଓ ବିରୋଧୀ ମହାଗଠବନ୍ଧନ ଠାରୁ ଦୂରେଇ ରହିଥିବା ପିକେ ବିହାର ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି।

Advertisment

ବ୍ୟାପକ ଦଳୀୟ ସ୍ୱାର୍ଥ ପାଇଁ ସେ ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ତେବେ ୪୮ ବର୍ଷୀୟ ପିକେ ନିଜ ଦଳ ଜନ ସୁରାଜ ପାଇଁ ୧୫୦ ଆସନ ବିଜୟର ଟାର୍ଗେଟ ସେଟ କରିଛନ୍ତି। ଏହାଠାରୁ ଯେକୌଣସି କମ ସଂଖ୍ୟାକୁ ପରାଜୟ ଭାବେ ବିବେଚନା କରାଯିବ ବୋଲି ପିକେ କହିଛନ୍ତି। 

ଜେଏସ୍‌ପି ପକ୍ଷରୁ ୨ଟି ପର୍ଯ୍ୟାୟରେ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦୁଇଟି ଯାକ ପ୍ରାର୍ଥୀ ତାଲିକାରେ ପିକେ କେଉଁ ଆସନରୁ ଲଢ଼ିବେ, ସେକଥା ସ୍ପଷ୍ଟ ହୋଇ ନଥିଲା। ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ପିକେ ନଜ ତରଫରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

Advertisment

ଅକ୍ଟୋବର ୧୦ରେ ପ୍ରଶାନ୍ତ କିଶୋର ନିଜ ଦଳର ପ୍ରଚାର କାର୍ଯ୍ୟକ୍ରମ ରାଘୋପୁରରୁ ଆରମ୍ଭ କରିଥିଲା। ଏହା ହେଉଛି ତେଜସ୍ୱୀ ଯାଦବଙ୍କ ନିର୍ବାଚନ ମଣ୍ଡଳୀ। ୨୦୧୫ରୁ ତେଜସ୍ୱୀ ଏଠାରୁ ଜିତି ଆସୁଛନ୍ତି। ଏଠାରୁ ପ୍ରଚାର ଆରମ୍ଭ କରି ପିକେ ସିଧାସଳଖ ତେଜସ୍ୱୀଙ୍କୁ ଚ୍ୟାଲେଞ୍ଜ କରିଥିଲେ। ପିକେଙ୍କ ସମର୍ଥକମାନେ ତାଙ୍କୁ ଏଠାରେ ଲଢ଼ିବାକୁ ପରାମର୍ଶ ଦେଇଥିଲେ। କୁହାଯାଉଥିଲା ଯେ ତେଜସ୍ୱୀ ଓ ପିକେଙ୍କ ମଧ୍ୟରେ ବୈଶାଳୀ ଜିଲ୍ଲାର ଏହି ଆସନରେ ଲଢ଼େଇ ହେବ। କିନ୍ତୁ ଲଢ଼େଇ ପୂର୍ବରୁ ଅସ୍ତ୍ର ଛାଡ଼ି ଦେଇଛନ୍ତି ପ୍ରଶାନ୍ତ କିଶୋର।

ମଙ୍ଗଳବାର ଜେଏସ୍‌ପି ପକ୍ଷରୁ ଚଞ୍ଚଲ ସିଂହଙ୍କୁ ରାଘୋପୁର ଆସନରୁ ଟିକେଟ ଦିଆଯାଇଛି। ସେ ଏଠାରେ ତେଜସ୍ୱୀଙ୍କୁ ଟକ୍କର ଦେବେ। ଏସବୁ ପ୍ରଶାନ୍ତ କିଶୋର କହିଛନ୍ତି, “ଦଳର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ଯଦି ମୋତେ ନିର୍ବାଚନ ଲଢ଼ିବାକୁ ପଡ଼ି ଥାଆନ୍ତା, ତା’ହେଲେ ଆବଶ୍ୟକ ସାଂଗଠନିକ କାର୍ଯ୍ୟରୁ ମୁଁ ଦୂରେଇ ଯାଇଥାଆନ୍ତି।”

ଦଳ ପାଇଁ ସେଟ କରିଥିବା ଟାର୍ଗେଟ ସମ୍ପର୍କରେ ପିକେ କହିଛନ୍ତି, “୧୫୦ରୁ କମ ଯେକୌଣସି ସଂଖ୍ୟା, ଯଦି ଏହା ୧୨୦ କିମ୍ବା ୧୩୦ ହେବ, ତା’ହେଲେ ମଧ୍ୟ ମୋ ପାଇଁ ପରାଜୟ। ଆମେ ଯଦି ଭଲ କରିବାକୁ ଚାହୁଁଛୁ, ତା’ହେଲେ ଆମ ପାଖରେ ଜନାଦେଶ ରହିବା ଦରକାର।

ଏହାଦ୍ୱାରା ଆମେ ବିହାରକୁ ଦେଶର ଶ୍ରେଷ୍ଠ ୧୦ ଅତ୍ୟାଧୁନିକ ରାଜ୍ୟରେ ପରିଣତ କରିପାରିବୁ। ଯଦି ଆମେ ଭଲ ନ କରିବୁ, ତା’ହେଲେ ଏହାର ଅର୍ଥ ହେଲା ଲୋକଙ୍କ ଭରସା ଆମ ଉପରେ ନାହିଁ। ଆମକୁ ଆମର ସମାଜ ଓ ସଡ଼କ ରାଜନୀତି ଜାରି ରଖିବାକୁ ହେବ।” 

ପ୍ରଶାନ୍ତ କିଶୋରଙ୍କ କହିବା କଥା ନିର୍ବାଚନ ପରେ ନୀତୀଶ କୁମାର ଆଉ ମୁଖ୍ୟମନ୍ତ୍ରୀ ପଦକୁ ଫେରିବେ ନାହିଁ। ବିହାରରେ ବିଜେପି ନେତୃତ୍ୱାଧୀନ ଏନଡିଏ ହାରିବାକୁ ଯାଉଥିବା ସେ ଦମ୍ଭୋକ୍ତି କରିଛନ୍ତି।

Bihar Election