Advertisment

‘ମାହାଙ୍ଗାରେ ନାବାଳିକା ମୃତ୍ୟୁ ଘଟଣାରେ ପ୍ରତାପ ଜେନା ମୁଖ୍ୟ ଷଡ଼ଯନ୍ତ୍ରକାରୀ, ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ’

ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ସବୁ ଦିଗକୁ ନେଇ ତଦନ୍ତ ହେବ ବୋଲି କଟକ ଗ୍ରାମାଞ୍ଚଳ ଏସପି ମିହିର ପଣ୍ଡା କହିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
lekhashree samantsinghar

lekhashree samantsinghar

ମାହାଙ୍ଗାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଷଡ଼ଯନ୍ତ୍ରକାରୀ। ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ରାଜ୍ୟ ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦାବି କରିଛନ୍ତି।

Advertisment

ସେ କହିଛନ୍ତି, ବିଜେଡି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶରତ ନାୟକ ପ୍ରତାପ ଜେନାଙ୍କ ସହଯୋଗୀ ଥିଲେ। ସେ ପୁଲିସକୁ ଲଗାଇ ପୂରା ଘଟଣାକୁ ଚାପି ଦେବାକୁ ଷଡ଼ଯନ୍ତ୍ର ରଚିଥିଲେ। ଗତକାଲି ଶରତ ନାୟକଙ୍କୁ ବିଜେଡିରୁ ନିଲମ୍ବିତ କରାଗଲା। କିନ୍ତୁ ଯେଉଁ ପୁଲିସ ଅଧିକାରୀମାନେ ଦୀର୍ଘ ୨ମାସ କାଳ ଘଟଣାକୁ ଚାପି ରଖିଥିଲେ ଓ ଆଗକୁ ଚାପି ଦେବାକୁ ଚେଷ୍ଟା କରୁଥିଲେ, ଆଉ ଛାତ୍ରୀର ମୃତଦେହକୁ ଶବ ବ୍ୟବଚ୍ଛେଦ କଲେ ନାହିଁ, ସେମାନଙ୍କ ଉପରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏହା ସହ ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ପ୍ରତାପ ଜେନାଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯାଇ ନାହିଁ। ସେ ମଧ୍ୟ ତଦନ୍ତ ଭିତରକୁ ଆସିବା ଆବଶ୍ୟକ। ଏହି କଥା ଆମେ ରାଜ୍ୟ ସରକାରଙ୍କ ପାଖରେ ଦାବି କରୁଛୁ।

ଅନ୍ୟପକ୍ଷରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ସବୁ ଦିଗକୁ ନେଇ ତଦନ୍ତ ହେବ ବୋଲି କଟକ ଗ୍ରାମାଞ୍ଚଳ ଏସପି ମିହିର ପଣ୍ଡା କହିଛନ୍ତି।

Advertisment

ସେ କହିଛନ୍ତି, ଏହି ଘଟଣାରେ ତଦନ୍ତକୁ ବ୍ୟାପକ କରାଯିବ। ବିଭିନ୍ନ ଦିଗକୁ ନେଇ ତଦନ୍ତ ହେବ। କୌଣସି ବି ଦିଗ ଛଡ଼ାଯିବନି। ଏହି ଘଟଣାରେ ଯେଉଁମାନେ ସଂପୃକ୍ତ ଥିବେ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। ତଦନ୍ତ ପରେ ଯାହା ରେଜଲ୍ଟ ଆସିବ ସେହି ଅନୁସାରେ ପଦକ୍ଷେପ ନିଆଯିବ।

ଏହି ମାମଲାରେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କ ବୟାନ ପୁଲିସ ରେକର୍ଡ କରିଥିବା ଏସପି ସୂଚନା ଦେଇଛନ୍ତି।

ଗତକାଲି ନାବାଳିକା ପଢୁଥିବା ସ୍କୁଲର କ୍ରୀଡ଼ା ଶିକ୍ଷକ ଅନୁପମ ରାୟ ଓ ତାଙ୍କ ମା’ଙ୍କୁ ପୁଲିସ ପଚରାଉଚରା କରିଥିଲା। ଏସବୁ ଭିତରେ ରାଜ୍ୟ ମହିଳା କମିଶନ ଓ ଶିଶୁ ଅଧିକାର ସୁରକ୍ଷା କମିଶନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି।

ସୂଚନାଯୋଗ୍ୟ, ନାବାଳିକା ଜଣଙ୍କ ଦଶମ ଶ୍ରେଣୀରେ ପଢୁଥିଲେ। ୨ ମାସ ତଳେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଏବେ ଏକ ଅଡିଓ ଓ ଚିଠି ଭାଇରାଲ ହେବା ପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।

BjD Bjp Cuttack