Advertisment

ପଦ୍ମ ଧରିଲେ ପ୍ରେମାନନ୍ଦ ନାୟକ, ରାଜୁ ଦାସ ଓ ନରେନ ପଲେଇ

ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ଏହି ନେତାମାନଙ୍କ ସାମିଲ ହେବା ଦ୍ୱାରା ଦଳର ସଂଗଠନ ସେସବୁ ଅଂଚଳରେ ଅଧିକ ସୁଦୃଢ଼ ହେବ ବୋଲି ଚର୍ଚ୍ଚା ହେଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
BJP merger festival

BJP merger festival

ସାଧାରଣ ନିର୍ବାଚନ ପୂର୍ବରୁ ଭୁଷୁଡିବାରେ ଲାଗିଛି କଂଗ୍ରେସ ଓ ବିଜେଡି ଶିବିର। କଂଗ୍ରେସ ଓ ବିଜେଡିର ଅନେକ ହେଭିୱେଟ୍ ନେତାମାନେ ବିଜେପିରେ ଯୋଗ ଦେଉଛନ୍ତି। ଯାହା କଂଗ୍ରେସ ଓ ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଛି।

Advertisment

ଆଜି ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଭଦ୍ରକ ଧାମନଗରର ପୂର୍ବତନ ବିଧାୟକ ରାଜୁ ଦାସ ଓ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ। ନିଜର ସମର୍ଥକଙ୍କ ସହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମସ୍ତେ ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଓ ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ଓ ବିଜେପି ନେତାମାନେ ଉପସ୍ଥିତି ଥିଲେ।  ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ଏହି ନେତାମାନଙ୍କ ସାମିଲ ହେବା ଦ୍ୱାରା ଦଳର ସଂଗଠନ ସେସବୁ ଅଂଚଳରେ ଅଧିକ ସୁଦୃଢ଼ ହେବ ବୋଲି ଚର୍ଚ୍ଚା ହେଉଛି।

ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ। ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ପ୍ରେମାନନ୍ଦ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏବେ ସେ ତେଲକୋଇର ବିଧାୟକ ଅଛନ୍ତି। 

Advertisment

ସେହିପରି ଭଦ୍ରକ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓରଫ୍ ରାଜୁ ଦାସ ପଦ୍ମ ଧରିଛନ୍ତି। ଧାମନଗର ଉପନିର୍ବାଚନ ବେଳେ ବେଶ୍ ଚର୍ଚ୍ଚାରେ ଥିଲେ ରାଜେନ୍ଦ୍ର ଦାସ। ଉପନିର୍ବାଚନ ବେଳେ ରାଜୁ ବିଜେଡି ଟିକେଟ୍ ପାଇଁ ଆଶାୟୀ ଥିଲେ। ତେବେ ବିଜେଡି ପ୍ରାର୍ଥୀ ନକରିବାରୁ ଶେଷରେ ବିଦ୍ରୋହୀ ସାଜିଥିଲେ। ଏପରିକି ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ ଓ ପରାଜୟ ହୋଇଥିଲେ। 

କଂଗ୍ରେସ ଛାଡ଼ିବା ପରେ ଆଜି ବିଜେପିରେ ମିଶିଛନ୍ତି ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ। ବ୍ୟକ୍ତିଗତ କାରଣ ଦର୍ଶାଇ ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ନରେନ ପଲେଇ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଭଦ୍ରକ ବିଧାୟକ ଥିଲେ। ଗତ ନିର୍ବାଚନରେ କଂଗ୍ରେସ ଟିକେଟ ପାଇଁ ଆଶାୟୀ ଥିଲେ ନରେନ। ତେବେ ଶେଷ ମୁହୂର୍ତ୍ତରେ ସେଥିରୁ ବଞ୍ଚିତ ହୋଇଥିଲେ। ସେବେଠୁ କଂଗ୍ରେସରେ ଥାଇ ମଧ୍ୟ ସକ୍ରିୟ ରାଜନୀତି ଠାରୁ ଦୂରରେ ଥିଲେ ନରେନ। ତେବେ ଚଳିତ ନିର୍ବାଚନରେ ପୁଣି ଥରେ ସେ ନିର୍ବାଚନ ଲଢ଼ିବାକୁ ଆଶା ରଖିଥିବା, ତାଙ୍କ ସମର୍ଥକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି।

Bhubaneswar Bjp