/odisha-reporter/media/post_attachments/uploadimage/library/16_9/16_9_0/President__1725969470.jpg)
President
ଦିଲ୍ଲୀର କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍) ସରକାରୁ ବରଖାସ୍ତ କରିବା ପାଇଁ ବିଜେପି ବିଧାୟକମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ସରକାରକୁ ବରଖାସ୍ତ କରିବା ପାଇଁ ବିଜେପି ବିଧାୟକମାନେ ଦେଇଥିବା ଚିଠି ପାଇବା ପରେ ରାଷ୍ଟ୍ରପତି ମୁର୍ମୁ ଏହାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପାଖକୁ ପଠାଇ ଦେଇଛନ୍ତି। ଏହା ଉପରେ ବିଚାର କରିବା ପାଇଁ ରାଷ୍ଟ୍ରପତି ମୁର୍ମ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ କହିଥିବା ଜଣାପଡ଼ିଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ଥିବାରୁ ଏବେ ସାମ୍ୱିଧାନିକ ସଙ୍କଟ ଦେଖାଯାଇଛି ଓ ପ୍ରଶାସନିକ କାର୍ଯ୍ୟରେ ବିଳମ୍ବ ହେଉଛି। ତେଣୁ ଆପ୍ ସରକାରଙ୍କୁ ତୁରନ୍ତ ବରଖାସ୍ତ କରାଯାଉ ବୋଲି ବିଜେପି ବିଜେପି ପକ୍ଷରୁ ରାଷ୍ଟ୍ରପତିଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ରାଷ୍ଟ୍ରପତି ମୁର୍ମୁ ଏହି ଚିଠିକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିକଟକୁ ପଠାଇବା ପରେ ଚିହିଁକି ଉଠିଛି ଆପ୍।
ଆପ୍ ପକ୍ଷରୁ ବିଜେପିକୁ ତୀବ୍ର ସମାଲୋଚନା କରାଯାଇଛି। ଦିଲ୍ଲୀର କ୍ୟାବିନେଟ ମନ୍ତ୍ରୀ ଆତିଶୀ ଅଭିଯୋଗ କରିଛନ୍ତି ଯେ ବିଜେପି ପଛ ଦ୍ୱାରରେ କେଜ୍ରିୱାଲ ସରକାରକୁ ହଟାଇବାକୁ ଚାହୁଁଛି। ଆସନ୍ତା ବର୍ଷର ବିଧାନସଭା ନିର୍ବାଚନରେ ନିଶ୍ଚିତ ପରାଜୟକୁ ଟାଳିବା ପାଇଁ ବିଜେପି ଏପରି ଷଡ଼ଯନ୍ତ୍ର କରୁଛି ବୋଲି ସେ କହିଛନ୍ତି।
ଆତିଶୀ କହିଛନ୍ତି, “ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପରାଜୟ ସ୍ୱୀକାର କରି ସାରିଛି। ନିର୍ବାଚିତ ସରକାରକୁ ଭାଙ୍ଗିବା ହିଁ ବିଜେପିର ଏକମାତ୍ର କାମ। ବିଜେପି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭୟ କରୁଛି। ଏହା ବିଜେପିର ନୂଆ ଷଡ଼ଯନ୍ତ୍ର। ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଖାତା ଖୋଲିପାରିବ ନାହିଁ।”
ଆପ୍ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି ଓ ତାଙ୍କ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି। ସେ କହିଛନ୍ତି, “ଯଦି ବିଜେପି ଶୀଘ୍ର ହାରିବାକୁ ଚାହୁଁଛି, ତା’ହେଲେ ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରୁ। ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ।”
ବିଜେପି ବିଧାୟକମାନେ ରାଷ୍ଟ୍ରପତିଙ୍କ ପାଖକୁ ଲେଖିଥିବା ଚିଠିରେ ଦିଲ୍ଲୀ ସରକାରଙ୍କ ବିଫଳତା କଥା ଉଲ୍ଲେଖ କରିଛନ୍ତି। ଦିଲ୍ଲୀ ସରକାର ୬ଷ୍ଠ ଦିଲ୍ଲୀ ଅର୍ଥ କମିଶନ ଗଠନ କରି ନାହାନ୍ତି ଓ ସିଏଜି ଦେଇଥିବା ରିପୋର୍ଟ ଆଧାରରେ କାର୍ଯ୍ୟ କରିନାହାନ୍ତି ବୋଲି ଏଥିରେ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
