Advertisment

ଚାଲି ଚାଲି ଯାଇ କଳା ଠାକୁରଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ବଡ଼ଦାଣ୍ଡରେ ପହଞ୍ଚିବା ପରେ ଆତ୍ମ ବିଭୋର ହୋଇ ପଡ଼ିଥିଲେ ଦେଶର ପ୍ରଥମ ନାଗରିକ।

author-image
Tapaswini Nayak
ଅଦ୍ୟତନ ହୋଇଛି
Puri

Puri

ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରୁ ଚାଲି ଚାଲି ଯାଇ କଳା ଠାକୁରଙ୍କୁ ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଓ ପୁରୀ ସାଂସଦ ସମ୍ବିତ ପାତ୍ର ମଧ୍ୟ ଚାଲି ଚାଲି ଯାଇ ଶ୍ରୀଜିଉଙ୍କ ଆର୍ଶୀବାଦ ନେଇଛନ୍ତି।

Advertisment

ରାଷ୍ଟ୍ରପତି ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଆଜି ଦ୍ୱିତୀୟ ଦିନ। ଆଜି ସକାଳ ପ୍ରାୟ ୯ଟା ସମୟରେ ରାଜଭବନରୁ ପୁରୀ ଅଭିମୁଖେ ବାହାରିଥିଲେ ରାଷ୍ଟ୍ରପତି। ଭୁବନେଶ୍ୱର ବିମାନବନ୍ଦରରୁ ବାୟୁ ସେନାର ସ୍ୱତନ୍ତ୍ର ବିମାନରେ ପ୍ରାୟ ୧୦ଟା ସମୟରେ ପୁରୀରେ ଅବତରଣ କରିଥିଲେ ରାଷ୍ଟ୍ରପତି। ସେଠାରେ ତାଙ୍କୁ ସ୍ୱାର୍ଗତ କରାଯାଇଥିଲା। ଏହାପରେ ସେଠାରୁ ସେ କଡ଼ା ସୁରକ୍ଷା ବଳୟରେ ସେ ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲେ। ହେଲେ ହଠାତ୍ ରାଷ୍ଟ୍ରପତି ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ କାର୍‌ରୁ ଓହ୍ଲାଇ ପଡ଼ିଥିଲେ। ବଡ଼ଦାଣ୍ଡରେ ପହଞ୍ଚିବା ପରେ ଆତ୍ମ ବିଭୋର ହୋଇ ପଡ଼ିଥିଲେ ଦେଶର ପ୍ରଥମ ନାଗରିକ।  ପରେ ବଡ଼ଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ। ଅରୁଣ ସ୍ତମ୍ଭଙ୍କୁ ସ୍ପର୍ଶ କରି ନମସ୍କାର କରିଥିଲେ ରାଷ୍ଟ୍ରପତି।

ରାଷ୍ଟ୍ରପତିଙ୍କ ସ୍ୱାଗତ ନିମନ୍ତେ ସିଂହଦ୍ୱାର ନିକଟରେ ଗଜପତି ମହାରାଜ, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ, ପରିଚାଳନା କମିଟି ସଦସ୍ୟ, କୌଳିକ ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ବହୁ ଉତ୍ସୁକତାର ସହ ଅପେକ୍ଷା କରିଥିଲେ। ଗଜପତି ମହାରାଜା ପୁଷ୍ପଗୁଚ୍ଛ ଦେଇ ରାଷ୍ଟ୍ରପତି ମୁର୍ମୁଙ୍କ ସ୍ୱାଗତ ଜଣାଇଥିଲେ।

Advertisment

ପରେ ରାଷ୍ଟ୍ରପ଼ତି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ପ୍ରଥମେ କାଶୀ ବିଶ୍ୱନାଥଙ୍କ ଦର୍ଶନ କରିଥିଲେ। ପରେ ୨୨ ପାହାଚ ଦେଇ ଗରୁଡ ସମ୍ଭରେ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଥିଲେ। ପରେ ଭିତରେ କାଠ ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ଆଳତି କରିଥିଲେ ରାଷ୍ଟ୍ରପତି । ପରେ ବ୍ରାହ୍ମଣ ମହାସଭାରେ ଆର୍ଶୀବାଦ ନେଇ ମା’ ବିମଳାଙ୍କୁ ଦର୍ଶନ କରିଥିଲେ। ମା’ ବିମଳାଙ୍କ ମନ୍ଦିରରେ କିଛି ସମୟ ବସିବା ପରେ ମା’ ଲକ୍ଷ୍ମୀ ମନ୍ଦିରରକୁ ଯାଇ ଦର୍ଶନ କରିଥିଲେ। ସେଠାରେ କିଛି ସମୟ ବସିବା ପରେ ପରେ ଫେରିଥିଲେ ରାଷ୍ଟ୍ରପତି ।

ମହାପ୍ରଭୁଙ୍କ ଦର୍ଶନ କରି ଫେରିବା ପରେ ଗୋପବନ୍ଧୁ ଆୟୁର୍ବେଦ କଲେଜର ୭୫ତମ ପ୍ରତିଷ୍ଠା ଦିବସ ଓ ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ମଧ୍ୟାହ୍ନ ୧୨ଟାରେ ପୁରୀ ରାଜଭବନ ଫେରି ଭୋଜନ କରିବେ ରାଷ୍ଟ୍ରପତି।

ଅପରାହ୍ଣରେ ପୁରୀ ବ୍ଳୁ ଫ୍ଳାଗ୍ ବିଚରେ ଆୟୋଜିତ ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ରାଷ୍ଟ୍ରପତି। ସେଠାରେ ସଂଧ୍ୟା ୫ଟା ୪୫ ମିନିଟ ଯାଏଁ ନୌବୀରଙ୍କ ପରାକ୍ରମ ଦେଖିବେ ମହାମହିମ।

Puri Shreemandir Puri President Of India