ଜନ୍ମମାଟିକୁ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୫ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନିଜ ଗାଁ ମୟୂରଭଞ୍ଜର ଉପରବେଡା ଗସ୍ତରେ ଯିବେ। ଏହା ପୂର୍ବରୁ ସକାଳେ ଭୁବନେଶ୍ୱରରେ କିଛି କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି।
ସୂଚନା ଅନୁସାରେ ଆଜି ସକାଳ ୮ଟା ୫୫ରେ ରାଜଭବନରୁ ବାହାରି ଏଜି ଛକରେ ଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମହାପରିନିର୍ବାଣ ଦିବସ ଅବସରରେ ପୁଷ୍ପମାଲ୍ୟାର୍ପଣ କରିବେ। ପରେ ଭୁବନେଶ୍ୱର ବିମାନ ବନ୍ଦରରୁ ପଶ୍ଚିମବଙ୍ଗର କଲେଇକୁଣ୍ଡା ବିମାନ ବନ୍ଦରକୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଉଡ଼ାଣ ଭରିବେ।
କଲେଇକୁଣ୍ଡା ବିମାନ ବନ୍ଦରରୁ ଏମଆଇ 17 ବିମାନ ଯୋଗେ ସେ ମଯୂରଭଞ୍ଜ ବାଦାମପାହାଡ ସ୍ଥିତ ରଙ୍ଗମାଟିଆ ହେଲିପ୍ୟାଡରେ ପହଞ୍ଚିବେ। ସେଠାରୁ ସେ ସଡକପଥରେ ଉପରବେଡ଼ା ସରକାରୀ ୟୁପି ସ୍କୁଲ ପରିଦର୍ଶନରେ ଯିବେ। ଏହା ପରେ ସେ ଉରବେଡା ସ୍ଥିତ ନିଜ ବାସଭବନକୁ ଯିବେ। ପରେ ସେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ।
ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଓ ବାଙ୍ଗିରିପୋଷି ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ପୁଲିସ ଏଡିଜି। ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଙ୍ଗିରିପୋଷି ଠାରେ ୩ଟି ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ବାଙ୍ଗିରିପୋଷି-ଗୋରୁମହିସାଣି, ବୁଢ଼ାମରା-ଚକୁଳିଆ ଏବଂବାଦାମପାହାଡ଼-କେନ୍ଦୁଝର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ। ସେଥିପାଇଁ ରେଳ ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ରାଜେଶ କୁମାର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।