ଚଳିତ ମୌସୁମୀ ଅଧିବେଶନ ବେଳେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ୪ଟି ବିଲ୍ ଉପରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି। ଏହାର ଅର୍ଥ ଏହି ବିଲ୍ଗୁଡ଼ିକ ଆଇନରେ ପରିଣତ ହୋଇଛି।
ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକସନ ବିଲ୍, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ(ସଂଶୋଧନ) ବିଲ୍, ଜନ ବିଶ୍ୱାସ(ସଂଶୋଧନ) ବିଲ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ୍ ମୌସୁମୀ ଅଧିବେଶନ ବେଳେ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା।
ତେବେ ଆଇନରେ ପରିଣତ ହୋଇଥିବା ୪ଟି ବିଲ୍ ମଧ୍ୟରୁ ୨ଟିକୁ ବିରୋଧୀ କଡ଼ା ବିରୋଧ କରିଥିଲେ। ଉକ୍ତ ଦୁଇ ବିଲ୍ ଆଇନରେ ପରିଣତ ହୋଇଥିଲେ ହେଁ ବିବାଦ ଶେଷ ହୋଇନାହିଁ।
ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ୍ ଦ୍ୱାରା କେନ୍ଦ୍ର ସରକାର ଦିଲ୍ଲୀର ପ୍ରଶାସନିକ ସେବାକୁ ନିୟନ୍ତ୍ରଣ କରିବାକୁ ଯୋଜନା କରିଛନ୍ତି। ସୁପ୍ରିମକୋର୍ଟ ପ୍ରଥମେ ଦିଲ୍ଲୀର ପ୍ରଶାସନିକ ବଦଳି ଓ ନିଯୁକ୍ତି ଅଧିକାର ରାଜ୍ୟ ସରକାରଙ୍କ ବୋଲି କହିଥିଲେ। ଏହାକୁ ମାତ ଦେବା ପାଇଁ କେନ୍ଦ୍ର ସରକାର ପ୍ରଥମେ ଅଧ୍ୟାଦେଶ ଆଣିଥିଲେ।
ଏହାପରେ ମୌସୁମୀ ଅଧିବେଶନରେ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ୍କୁ ପାସ କରାଯାଇଛି। ବିରୋଧୀ ମେଣ୍ଟ ଏହାକୁ ବିରୋଧ କରିଥିବା ବେଳେ ପ୍ରଥମେ ଏହି ବିଲ୍ ବେଶ ସହଜରେ ଲୋକସଭାରେ ପାରିତ ହୋଇଥିଲା। ରାଜ୍ୟସଭାରେ ବିଜେପି ପାଖରେ ବିଲ୍ ପାସ କରାଇବାକୁ ସଂଖ୍ୟା ନଥିଲା। ହେଲେ ବିଜେଡି ଓ ୱାଇଏସ୍ଆର କଂଗ୍ରେସ ଭଳି ଦଳ ବିଲ୍କୁ ସମର୍ଥନ କରିବାରୁ ବିରୋଧୀ ରାଜ୍ୟସଭାରେ ମଧ୍ୟ ଫେଲ ମାରିଥିଲେ।
ସରକାର ଏହାକୁ ଦିଲ୍ଲୀ ସରକାର କରୁଥିବା ଦୁର୍ନୀତିକୁ ରୋକିବା ପାଇଁ ଅଣାଯାଇଥିବା ଯୁକ୍ତି ରଖିଛନ୍ତି। ହେଲେ ଗଣତାନ୍ତ୍ରିକ ପରମ୍ପରା ଓ ସୁପ୍ରିମକୋର୍ଟଙ୍କ ନିଦ୍ଦେର୍ଶକୁ ମାତ ଦେବା ପାଇଁ କେନ୍ଦ୍ର ସରକାର ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ୍କୁ ପାରିତ କରିଥିବା କହିଛନ୍ତି।
ଆଉ ଗୋଟିଏ ବିଲ ଯାହା ଏବେ ଆଇନରେ ପରିଣତ ହୋଇଛି, ସେଇଟା ହେଲେ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକସନ ବିଲ୍। ମଣିପୁର ପ୍ରସଙ୍ଗରେ ବିରୋଧୀ ଆଲୋଚନା କରିବା ପାଇଁ ନାରାବାଜୀ କରୁଥିବା ବେଳେ ଭୟସ ଭୋଟ ବା ବାଚନିକ ଭୋଟରେ ଏହି ବିଲ୍ ପାରିତ ହୋଇଥିଲା। ବିରୋଧୀ ବିଲ୍ରେ କିଛି ସଂଶୋଧନ କରିବାକୁ ଦାବି କରିଥିଲେ ମଧ୍ୟ ଏହା ମଧ୍ୟ ଫେଲ ମାରିଥିଲା।
ଅନଲାଇନ ପ୍ଲାଟଫର୍ମରେ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ ସରକାର ଏହି ବିଲ୍ ଆଣିଥିବା କହିଛନ୍ତି। ତଥ୍ୟ ସାର୍ବଜନୀନ ହେଲେ ଦୋଷୀକୁ ୨୫୦ କୋଟି ଯାଏ ଜୋରିମାନା ଦେବାର ବ୍ୟବସ୍ଥା ଏଥିରେ ରହିଛି। ବିରୋଧୀଙ୍କ କହିବା କଥା ଏପରି ଆଇନ ଦ୍ୱାରା ସରକାର ଦେଶକୁ ଗୋଟିଏ ସର୍ଭେଲାନ୍ସ ଷ୍ଟେଟରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି।