Advertisment

ଯୋଗ୍ୟ ହିତାଧିକାରୀଙ୍କୁ କେବେ ବାଂଟିବ ‘ଆବାସ’ଘର, ଚେତାବନୀ ଦେଲା ବିଜେପି

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇସାରିଛି ବୋଲି କହିଥିବାବେଳେ ଆଜି ତାଲିକା ପ୍ରସ୍ତୁତ ହୋଇନଥିବା କଥା କହୁଛନ୍ତି ।

Prithiviraj Harichandan

Prithiviraj Harichandan

Advertisment

ରାଜ୍ୟର ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ରେ ଆବଂଟିତ କରିଥିବା ପକ୍କାଘର କାହିଁକି ହିତାଧିକାରୀମାନଙ୍କୁ ଦିଆଯାଉନି ବୋଲି ବିଜେପି ପ୍ରଶ୍ନ କରିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି । ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇସାରିଛି ବୋଲି ବିଧାନସଭାରେ କହୁଥିବା ବିଭାଗୀୟ ମନ୍ତ୍ରୀ କାହିଁକି ବିଧାନସଭା ବାହାରେ ଓଲଟା କଥା କହୁଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି ।

Advertisment

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃ୍‌ଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ରାଜ୍ୟର ଗରିବ ବାସହୀନ ଲୋକଙ୍କୁ ପକ୍କା ଘରଟିଏ ଦେବାପାଇଁ ରାଜ୍ୟ ସରକାର ବାରମ୍ବାର ପ୍ରବଂଚନା କରିଆସୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦି ସରକାର ଓଡ଼ିଶାକୁ ପକ୍କା ଘର ଆବଂଟନ କରିଛନ୍ତିା କିନ୍ତୁ ରାଜ୍ୟ ସରକାର ସଠିକ୍ କ୍ରିୟାନ୍ୱୟନ କରୁନଥିବାରୁ ଯୋଗ୍ୟ ହିତାଧିକାରୀ ଘରଟିଏ ପାଇବାରୁ ବଂଚିତ ହେଉଛନ୍ତି । କେନ୍ଦ୍ର ସରକାର ୩୪ ହଜାର ୬୩ କୋଟି ଟଙ୍କା ପିଏମ୍ ଆବାସ ପାଇଁ ସହାୟତା ଦେବା ସତ୍ୱେ ଓଡ଼ିଶା ଲୋକ ଘର ନପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

୨୦୧୯ ମସିହା ପରଠାରୁ ଆବାସ ଗୃହ ପାଇଁ ବାସହୀନ ଯୋଗ୍ୟ ହିତାଧିକାରୀମାନେ ଅପେକ୍ଷା କରି ବସିଛନ୍ତି ଏବଂ ବିଜେଡି ସରକାର ଯୋଗୁ ତାହା ଲୋକମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି । ପକ୍କା ଘର ପାଇଁ ରାଜ୍ୟ ସରକାରଙ୍କ ଟାର୍ଗେଟ ଥିଲା ୨୬ଲକ୍ଷ ୯୫ ହଜାର। କେନ୍ଦ୍ର ସରକାର ଆଜି ତାରିଖ ସୁଦ୍ଧା ୨୬ଲକ୍ଷ ୫୧ହଜାର ଘର ମଞ୍ଜୁରୀ କରିସାରିଛନ୍ତି । ରାଜ୍ୟ ସରକାରଙ୍କ ହିସାବ ଅନୁଯାୟୀ ୧୭ଲକ୍ଷ ୧୪ହଜାର ଘର ସମ୍ପୂର୍ଣ୍ଣ ହୋଇଛି ଏବଂ ପାଖାପାଖି ବର୍ଷେ ହେବ ମଞ୍ଜୁରୀ ମିଳିଥିବା ବଳକା ୯ଲକ୍ଷ ୫୯ହଜାର ୫୦୦ ଘର ପାଇଁ ଆଜି ପର୍ଯ୍ୟନ୍ତ ତାଲିକା ପ୍ରସ୍ତୁତ ହୋଇପାରିଲା ନାହିଁ କି ଏହାର ସଠିକ୍ କ୍ରିୟାନ୍ୱୟନ ହୋଇପାରିଲା ନାହିଁ ।

Advertisment

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୨ମସିହା ନଭେମ୍ବର ୧ ପୂର୍ବରୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଦୁଇ ଦୁଇ ଥର ତାଗିଦ୍ କରିବା ସହ ୨୦୨୩ ଜୁନ୍ ମାସ ସୁଦ୍ଧା ହିତାଧିକାରୀଙ୍କୁ ପକ୍କା ଘର ନିର୍ମାଣ ପାଇଁ ଆଦେଶ ପତ୍ର ଦେବାକୁ କେନ୍ଦ୍ର ସରକାର କହିଛନ୍ତି । ମେ’ ମାସ ସରିବାକୁ ବସିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଏ ଦିଗରେ କିଛି ଚିନ୍ତା ନାହିଁ କି ଚେତା ମଧ୍ୟ ପଶୁନି । ଅଯୋଗ୍ୟଙ୍କୁ ବାଦ୍ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବାକୁ ବିଜେପି ବାରମ୍ବାର ଦାବି କରିଆସୁଛି । ତେଣୁ ଯଦି ଅଯୋଗ୍ୟ ହିତାଧିକାରୀ ଘର ପାଏ ତା’ହେଲେ ପରିଣାମ ଅତି ଭୟଙ୍କର ହେବ ବୋଲି ସେ ସତର୍କ କରାଇ ଦେଇଛନ୍ତି ।

ଶ୍ରୀ ହରିଚନ୍ଦନ ଏହି ଅବସରରେ ୪ଟି ପ୍ରଶ୍ନ କରି ତା’ର ଉତ୍ତର ରଖିବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇସାରିଛି ବୋଲି କହିଥିବାବେଳେ ଆଜି ତାଲିକା ପ୍ରସ୍ତୁତ ହୋଇନଥିବା କଥା କହୁଛନ୍ତି । ଆବାସ ଯୋଜନାରେ କେନ୍ଦ୍ର ସରକାର ଦେଇଥିବା ପକ୍କାଘର ନିର୍ମାଣର ଆଦେଶ ପତ୍ର କେବେ ହିତାଧିକାରୀଙ୍କୁ ଦେବେ ତା’ର ତାରିଖ ଘୋଷଣା କରନ୍ତୁ?

ଦ୍ୱିତୀୟତଃ ଯେଉଁ ହିତାଧିକାରୀ ତାଲିକା ପ୍ରସ୍ତୁତ ହେବ ବା ହୋଇଛି, ସେଥିରେ ସମ୍ପୂର୍ଣ୍ଣ ଭାବେ ଅଯୋଗ୍ୟଙ୍କ ନାମ ଉଚ୍ଛେଦ କରାଯିବ ବୋଲି ସ୍ପଷ୍ଟ କରିବେ କି? ତୃତୀୟତଃ ଯୋଗ୍ୟ ହିତାଧିକାରୀଙ୍କୁ ନେଇ ଯେଉଁ ସଠିକ୍ ତାଲିକା ପ୍ରସ୍ତୁତ ହେବ ସେ ତାଲିକାକୁ ରାଜ୍ୟ ସରକାର କେବେ ସାର୍ବଜନୀନ କରିବେ ? ଚତୁର୍ଥରେ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କ ନା’କୁ କେବେ ତାଲିକାରେ ସାମିଲ କରିବେ ବୋଲି ବିଜେପି ପ୍ରଶ୍ନ କରିଛି ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଗଣମାଧ୍ୟମ ସହ ସଂଯୋଜକ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

BjD Bjp State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe