Advertisment

ବିଜେଡିକୁ ପୃଥ୍ୱୀରାଜଙ୍କ ୭ ଦିନିଆ ମହଲତ: କ୍ଷମା ମାଗ ନଚେତ୍ ଆଇନଗତ କାର୍ଯ୍ୟାନୁଷ୍ଠାନ

ବିଜେଡିର କୌଣସି ନେତା ନୁହଁନ୍ତି ବରଂ ଦଳ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଏହି ବ୍ୟକ୍ତିଗତ କୁତ୍ସାରଟନା ହୋଇଥିବାରୁ ସେ କାହା ବିରୁଦ୍ଧରେ ମାନହାନି ମକଦ୍ଦମା ରୁଜୁ କରିବେ ତାହା ଆସନ୍ତା ୭ଦିନ ପରେ ସମସ୍ତେ ଜାଣିପାରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।

author-image
Ordigital Desk
BJP

BJP

ରାଜ୍ୟରେ କ୍ଷମତାସୀନ ବିଜେଡିକୁ ଆଜି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ୭ ଦିନିଆ ମହଲତ ଦେଇଛନ୍ତି । ତାଙ୍କୁ ବ୍ୟକ୍ତିଗତସ୍ତରରେ କରିଥିବା କୁତ୍ସାରଟନା ଓ ଆକ୍ଷେପ ପାଇଁ ଯଦି ବିଜେଡି ଆସନ୍ତା ୭ଦିନ ମଧ୍ୟରେ କ୍ଷମା ନମାଗେ ତା’ହେଲେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି । ବିଜେଡିର କୌଣସି ନେତା ନୁହଁନ୍ତି ବରଂ ଦଳ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଏହି ବ୍ୟକ୍ତିଗତ କୁତ୍ସାରଟନା ହୋଇଥିବାରୁ ସେ କାହା ବିରୁଦ୍ଧରେ ମାନହାନି ମକଦ୍ଦମା ରୁଜୁ କରିବେ ତାହା ଆସନ୍ତା ୭ଦିନ ପରେ ସମସ୍ତେ ଜାଣିପାରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Advertisment

ଶ୍ରୀ ହରିଚନ୍ଦନ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭ୍ରଷ୍ଟାଚାରର ଚଷମା ପିନ୍ଧିଥିବା ବିଜେଡିକୁ ସବୁ ନୀଳ-ହଳଦିଆ ଦେଖାଯାଉଛି । ବିଜେପିଠୁ ଟଙ୍କା ଧାର ନେଇ ଯେଉଁ ଦଳ ଗଠନ ହୋଇଥିଲା ସେହି ଦଳ ଏବେ ହଜାର ହଜାର କୋଟି ଟଙ୍କାର ମାଲିକ ହେଲା କିଭଳି । ଭ୍ରଷ୍ଟାଚାର ସଂସ୍କୃତିରୁ ସେ ଆସିନାହାନ୍ତି । ତାଙ୍କ ପରିବାର ଦୀର୍ଘବର୍ଷ ଧରି ରାଜନୀତିକ ଜୀବନରେ ରହିଛନ୍ତି ଓ ସାଧୁତା ତଥା ସ୍ୱଚ୍ଛତା ପାଇଁ ତାଙ୍କ ପରିବାରର ସ୍ୱତନ୍ତ୍ର ସମ୍ମାନ ରାଜ୍ୟରେ ରହିଛି । ତାଙ୍କ ବିରୁଦ୍ଧରେ ବିଜେଡି ପକ୍ଷରୁ କପୋଳକଳ୍ପିତ, ରାଜନୀତିକ ଶିଷ୍ଟାଚାର ଓ ମର୍ଯ୍ୟାଦା ଉଲ୍ଲଘଂନ ଭଳି ବ୍ୟକ୍ତିଗତ ଆକ୍ଷେପ କରାଯାଇଛି । ଯାହାର ଜବାବ ବିଜେଡିକୁ ନିଶ୍ଚୟ ଦିଆଯିବ । ଯଦି ତାଙ୍କ ବିରୁଦ୍ଧରେ ଭ୍ରଷ୍ଟାଚାରର ଅଭିଯୋଗ ଅଛି ତା’ହେଲେ ରାଜ୍ୟ ସରକାର ଏହାର ତଦନ୍ତ କରନ୍ତୁ ଅବା ସିବିଆଇ ତଦନ୍ତ ଭାର ଦିଅନ୍ତୁ । ଭାରତର କେଉଁ ରାଜ୍ୟରେ ତାଙ୍କ ନାଁରେ ସାମାନ୍ୟତମ ଅଭିଯୋଗ ଥିଲେ ସେ ତା’ର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି ।

ସେ ଆହୁରି କହିଛନ୍ତି ଯେ, ନୀତିଶ କୁମାର ଓଡ଼ିଶା ଆସୁଛନ୍ତି ଓ ଯାହାକୁ ଭେଟିଲେ ନିଷ୍ପତ୍ତି ହୋଇପାରିବ ସେଭଳି ବ୍ୟକ୍ତିଙ୍କୁ ଭେଟନ୍ତୁ ବୋଲି ସେ ଗତକାଲି ମନ୍ତବ୍ୟ ଦେଇଥିଲେ । ଆଉ ଏହା ବିଜେଡିକୁ ବାଧିଗଲା । ଆଉ ସେମାନେ ବ୍ୟକ୍ତିଗତସ୍ତରରେ ତାଙ୍କୁ ଆକ୍ଷେପ କରିବାକୁ ପଛାଇଲେ ନାହିଁ । ଗତ ଦୁଇଦିନ ତଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ଶଶୀକଳା ସିଣ୍ଡ୍ରୋମ ଚାଲିଛି । ତାମିଲନାଡୁ ଭଳିଆ ସିଣ୍ଡ୍ରୋମ ଏଠାରେ  ରହିଛି । ଓଡ଼ିଶାରେ ସରକାର ଚଳାଇବା ଦାୟିତ୍ୱ କାହାର ଓ କିଏ ଚଳାଉଛି ତାହା ଜଣାପଡ଼ୁନି ବୋଲି ସେ କହିଛନ୍ତି ।

Advertisment

ନୀତିଶ ଓ ନବୀନଙ୍କ ଭେଟଘାଟକୁ ନେଇ ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକ ତାଙ୍କର ସ୍ୱାର୍ଥ ଯେଉଁଥିରେ ସାଧନ ହେବ ସେହିକଥା ସେ କରନ୍ତି । ଯଦି ତାଙ୍କର ସ୍ୱାର୍ଥ ସାଧନ ହେବ ବୋଲି ଭାବିବେ ତା’ହେଲେ ତୃତୀୟ ସାମ୍ମୁଖ୍ୟକୁ ଯିବେ । ନବୀନବାବୁ ସମଦୂରତ୍ୱ ରଖନ୍ତି ନାହିଁ, ନିଜର ସ୍ୱାର୍ଥ ସୁରକ୍ଷା କରନ୍ତି । ନୀତିଶ କୁମାରଙ୍କୁ କ’ଣ ଉତ୍ତର ନବୀନ ଦେବେ ତାହା ସ୍କ୍ରିପ୍ଟ ହୋଇକି ରହିଛି । ଯେତେ ସାମ୍ମୁଖ୍ର କଲେ ବି ମୋଦିଙ୍କ ସହ ତୁଳନାତ୍ମକ ହୋଇପାରିବେ ନାହିଁ । ଏଥର ଲୋକେ ମନସ୍ଥ କରିସାରିଛନ୍ତି ଜଘନ୍ୟ ଶାସନ ବ୍ୟବସ୍ଥାକୁ ବିତାଡ଼ିତ କରିବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

BjD State Bjp