ପ୍ରଥମଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା। ସେ କେରଳର ୱାୟନାଡ ଲୋକସଭା ଉପ ନିର୍ବାଚନ ଲଢ଼ିବେ। ଆଜି କଂଗ୍ରେସ ପକ୍ଷରୁ ବିଧିବଦ୍ଧ ଭାବେ ତାଙ୍କୁ ୱାୟନାଡରୁ ପ୍ରାର୍ଥୀ କରାଯାଇଛି।
ଏହାବାଦ କେରଳ ୨ଟି ବିଧାନସଭା ଉପ ନିର୍ବାଚନ ପାଇଁ ମଧ୍ୟ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କେରଳର ପାଲକ୍କଡରୁ ରାହୁଲ ଏମଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଚେଲାକାରାରୁ ରାମ୍ୟା ହରିଦାସ କଂଗ୍ରେସ ଟିକେଟ ପାଇଛନ୍ତି।
ଆସନ୍ତା ନଭେମ୍ବର ୧୩ ତାରିଖରେ ୱାୟନାଡ ସମେତ ଏହି ଦୁଇ ବିଧାନସଭା ଆସନରେ ଭୋଟ ହେବ। ଏଥିପାଇଁ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜବୀ କୁମାରଙ୍କ ଘୋଷଣା ଅନୁଯାୟୀ, କେରଳର ୱାୟନାଡ ଲୋକସଭା ଆସନରେ ଉପ ନିର୍ବାଚନ ନଭେମ୍ବର ୧୩ରେ ଅନୁଷ୍ଠିତ ହେବ।
ଏଥିପାଇଁ ଗ୍ୟାଜେଟ ନୋଟିଫିକେସନ ୧୮ ଅକ୍ଟୋବରରେ ପ୍ରକାଶ ପାଇବ। ନାମାଙ୍କନ ଦାଖଲ ଶେଷ ତାରିଖ ଅକ୍ଟୋବର ୨୫ ରହିଥିବା ବେଳେ ପ୍ରତ୍ୟାହାର ପାଇଁ ଅକ୍ଟୋବର ୩୦କୁ ଧାର୍ଯ୍ୟ କରାଯାଇଛି। ନଭେମ୍ବର ୧୩ରେ ଏଠାରେ ଭୋଟିଂ ହେବାକୁ ଥିବା ବେଳେ ନଭେମ୍ବର ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।
ଏହି ଘୋଷଣା ପରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ୨୦୧୯ରେ ରାହୁଲ ୱାୟନାଡରୁ ପ୍ରଥମଥର ନିର୍ବାଚନ ଲଢ଼ିବା ସହ ବିଜୟ ହୋଇଥିଲେ। ୨୦୨୪ରେ ସେ ୱାୟନାଡ ସହ ରାଏବରେଲୀ ଆସନରେ ନିର୍ବାଚନ ଲଢ଼ି ଦୁଇଟି ଯାକ ଆସନ ଜିତିଥିଲେ। ସେ ଦୁଇଟି ଆସନରୁ ବିଜୟ ହୋଇଥିବାରୁ ତାଙ୍କୁ ଗୋଟିଏ ଆସନ ଛାଡ଼ିବା ଅପରିହାର୍ଯ୍ୟ ରହିଥିଲା। ତେଣୁ ସେ ୱାୟନାଡ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ।
Congress President Shri @kharge has approved the proposal to nominate the following members as party candidates for the bye-elections to the Lok Sabha and Legislative Assembly from Kerala pic.twitter.com/QBFskzozEB
— Congress (@INCIndia) October 15, 2024
ଜନପ୍ରତିନିଧି ଆଇନ ଅନୁଯାୟୀ, ଜଣେ ରାଜନେତା ଅତି ବେଶୀରେ ଦୁଇଟି ନିର୍ବାଚନ ମଣ୍ଡଳୀରୁ ଲଢ଼ିପାରିବେ। ଯଦି ସେ ଉଭୟ ଆସନରେ ଜିତୁଛନ୍ତି, ତା’ହେଲେ ତାଙ୍କୁ ରେଜଲ୍ଟ ବାହାରିବାର ୧୪ ଦିନ ମଧ୍ୟରେ ଗୋଟିଏ ଆସନରୁ ଇସ୍ତଫା ଦେବାକୁ ପଡ଼ିବ। ଯଦି ଜଣେ ଗୋଟିଏ ଆସନରୁ ଇସ୍ତଫା ନ ଦିଅନ୍ତି, ତା’ହେଲେ ସେ ଉଭୟ ସିଟ୍ ମଧ୍ୟ ହରାଇବାର ଆଶଙ୍କା ରହିଛି।
ଏହାକୁ ଦୃଷ୍ଟିରେ ରଖି ରାହୁଲ ୱାୟନାଡ ଆସନ ଛାଡ଼ିଥିଲେ। ଏବେ ଉପ ନିର୍ବାଚନରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ୱାୟନାଡରୁ ପ୍ରାର୍ଥୀ ହୋଇଛନ୍ତି। ପ୍ରଥମଥର ପାଇଁ ପ୍ରିୟଙ୍କା ଗାନ୍ଧି ଭଦ୍ରା କୌଣସି ନିର୍ବାଚନରେ ଲଢ଼ିବାକୁ ଯାଉଛନ୍ତି। ଯଦି ସେ ବିଜୟୀ ହୁଅନ୍ତି, ତା’ହେଲେ ପ୍ରଥମଥର ପାଇଁ ସଂସଦରେ ରାହୁଲ, ପ୍ରିୟଙ୍କା ଓ ସୋନିଆ ଗାନ୍ଧିଙ୍କୁ ଦେଖିବାକୁ ମିଳିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।