Advertisment

ବୋଲ ବମ ଯାତ୍ରା: ଦୋକାନୀଙ୍କ ନାଁ ଉଲ୍ଲେଖ କରିବା ନିର୍ଦ୍ଦେଶକୁ ପ୍ରିୟଙ୍କାଙ୍କ ସମାଲୋଚନା

ମୁଜାଫରନଗରର ଯେଉଁ ମାର୍ଗରେ କାଉଡ଼ିଆମାନେ ଯାତ୍ରା କରିବେ, ସେଠାରେ ଥିବା ଦୋକାନ ମାଲିକଙ୍କ ପାଇଁ ନାଁ ଉଲ୍ଲେଖ କରିବା ନିର୍ଦ୍ଦେଶ ବାଧ୍ୟତାମୂଳକ କରାଯାଇଛି।

author-image
Hemant Lenka
Priyanka

Priyanka

ଉତ୍ତର ପ୍ରଦେଶର ମୁଜାଫରନଗର ପୁଲିସ୍‌ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ଦୋକାନ ଆଗରେ ମାଲିକଙ୍କ ନାଁ ଲେଖିବା ନେଇ ଦେଇଥିବା ନିର୍ଦ୍ଦେଶ ଦିନକୁ ଦିନ ଘନେଇବାରେ ଲାଗିଛି।

Advertisment

ମୁଜାଫରନଗରର ଯେଉଁ ମାର୍ଗରେ କାଉଡ଼ିଆମାନେ ଯାତ୍ରା କରିବେ, ସେଠାରେ ଥିବା ଦୋକାନ ମାଲିକଙ୍କ ପାଇଁ ନାଁ ଉଲ୍ଲେଖ କରିବା ନିର୍ଦ୍ଦେଶ ବାଧ୍ୟତାମୂଳକ କରାଯାଇଛି। ଏହାକୁ ଆଜି ପ୍ରିୟଙ୍କା ଗାନ୍ଧି ଭଦ୍ରା ସମାଲୋଚନା କରିଛନ୍ତି। ଏପରି ନିର୍ଦ୍ଦେଶ ସମ୍ବିଧାନ ବିରୋଧୀ ବୋଲି ସେ କହିଛନ୍ତି।

ସେ କହିଛନ୍ତି, “ଆମର ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଗ୍ୟାରେଣ୍ଟୀ ଦେଇଛି ଯେ ତାଙ୍କ ସହ ଜାତି, ଧର୍ମ, ଭାଷା କିମ୍ବା ଅନ୍ୟ କୌଣସି ଆଧାରରେ ଭେଦଭାବ କରାଯାଇ ପାରିବ ନାହିଁ। ଉତ୍ତର ପ୍ରଦେଶରେ ଠେଲା ଓ ଦୋକାନରେ ବ୍ୟବସାୟୀମାନଙ୍କୁ ସେମାନଙ୍କ ମାଲିକଙ୍କ ନାଁ ଉଲ୍ଲେଖ କରିବା ଭଳି ବିଭାଜନକାର ଆଦେଶ ଆମର ସମ୍ବିଧାନ, ଆମର ଗଣତନ୍ତ୍ର ଓ ଆମର ସବୁ ଐତିହ୍ୟ ଉପରେ ହମଲା ଅଟେ।

Advertisment

ସମାଜରେ ଜାତି ଓ ଧର୍ମ ଆଧାର ବିଭାଜନ ସୃଷ୍ଟି କରିବା ସମ୍ବିଧାନ ବିରୋଧୀ ଅପରାଧ। ଏପରି ଆଦେଶ ତୁରନ୍ତ ପ୍ରତ୍ୟାହାର କରାଯାଉ ଓ ଯେଉଁ ଅଧିକାରୀମାନେ ଏପରି ଆଦେଶ ଜାରି କରିଥିଲେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଉଚିତ।”

ଗୋଟିଏ ଏକ୍ସ ପୋଷ୍ଟରେ ମୁଜାଫରନଗର ପୁଲିସ୍‌ କହିଥିଲା ଯେ କୌଣସି ପ୍ରକାରର ଧାର୍ମିକ ବିଭେଦ ସୃଷ୍ଟି କରିବା ଉଦ୍ଦେଶ୍ୟ ନୁହେଁ। କିନ୍ତୁ କେବଳ ମୁଜାଫରନଗର ଦେଇ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ଭାବାବେଗକୁ ସମ୍ମାନ ଜଣାଇ ଓ ଅପ୍ରୀତିକର ପରିସ୍ଥିକୁ ଏଡ଼ାଇବା ପାଇଁ ଏପରି ପଦକ୍ଷେପ ନିଆଯାଇଛି।

ଦିଲ୍ଲୀ ଓ ହରିଦ୍ୱାର ମଧ୍ୟରେ ମୁଜାଫରନଗର ରହିଛି। ଏହି ଜିଲ୍ଲା ଦେଇ ଲକ୍ଷାଧିକ ଶ୍ରଦ୍ଧାଳୁ ଶ୍ରାବଣମାସରେ ଯାତ୍ରା ଆରମ୍ଭ କରନ୍ତି। ପୁଲିସ୍‌ କହିଛି, “ପବିତ୍ର ଶ୍ରାବଣମାସରେ ଅଧିକାଂଶ ଲୋକ ବିଶେଷ କରି କାଉଡ଼ିଆମାନେ କିଛି ନିର୍ଦ୍ଦିଷ୍ଟ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତି।

ପୂର୍ବରୁ ଦେଖିବାକୁ ମିଳିଛି ଯେ କାଉଡ଼ିଆମାନଙ୍କ ମାର୍ଗରେ ଏମିତି କିଛି ଦୋକାନ ରହିଛି, ଯେଉଁଠାରେ ସବୁ ପ୍ରକାରର ଖାଦ୍ୟ ବିକ୍ରି କରନ୍ତି। ସେମାନେ ଏମିତି ଭାବେ ନିଜ ନାଁକୁ ଚିତ୍ରଣ କରନ୍ତି ଯେ କାଉଡ଼ିଆମାନେ ଦ୍ୱନ୍ଦ୍ୱରେ ପଡ଼ି ଯାଆନ୍ତି।

ଏଥିଯୋଗୁ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଏହାକୁ ରୋକିବା ପାଇଁ ରାସ୍ତା କଡ଼ରେ ଥିବା ରେଷ୍ଟୁରାଣ୍ଟ, ଢାବା, ହୋଟେଲ ଓ ଦୋକାନଗୁଡ଼ିକ ସେମାନଙ୍କ ମାଲିକ ଏବଂ କର୍ମଚାରୀଙ୍କ ନାଁ ବଡ଼ବଡ଼ ଅକ୍ଷରରେ ଉଲ୍ଲେଖ କରିବାକୁ କୁହାଯାଇଛି।”

Uttar Pradesh Priyanka Gandhi Vadra