Advertisment

୫୦% ଟିକେଟ୍ ମହିଳାଙ୍କୁ ଦେଉ ପ୍ରଦେଶ କଂଗ୍ରେସ : ଅଳକା ଲାମ୍ବା

ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ହୋଇଛି କିନ୍ତୁ କଂଗ୍ରେସ ଓଡ଼ିଶାରେ ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେଉ

author-image
Ordigital Desk
Alka Lamba

Alka Lamba

ଆଗାମୀ ସାଧାରଣ ନିର୍ବାଚନରେ ୫୦ ପ୍ରତିଶତ ଟିକେଟ୍ ମହିଳାଙ୍କୁ ଦିଆଯାଉ । ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ହୋଇଛି କିନ୍ତୁ କଂଗ୍ରେସ ଓଡ଼ିଶାରେ ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେଉ । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରସ୍ତାବ ଦିଅନ୍ତୁ ବୋଲି ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ମହିଳା ସଭାନେତ୍ରୀ ଅଳକା ଲାମ୍ବା ଆଜି ଦଳର ମହିଳା ନ୍ୟାୟ ସମାବେଶକୁ ଉଦଘାଟନ ଅବସରରେ ଦାବି କରିଛନ୍ତି।

Advertisment

ଏଆଇସିସି ଜାତୀୟ କଂଗ୍ରେସ ମହିଳା ସଭାନେତ୍ରୀ ଶ୍ରୀମତୀ ଲାମ୍ବା ଆଜି କଂଗ୍ରେସ ଭବନଠାରେ ଦଳର ଆଗଧାଡ଼ିର ମହିଳା ପଦାଧିକାରୀ, ନେତ୍ରୀ ଓ କର୍ମୀମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଓଡ଼ିଶାରେ ମହିଳାମାନଙ୍କ ସ୍ଥିତି ଅତ୍ୟନ୍ତ ଉଦବେଗଜନକ । ମହିଳାମାନେ ଦେଶର ଜନସଂଖ୍ୟାର ୫୦ ପ୍ରତିଶତ । ତେଣୁ ମହିଳାମାନଙ୍କର ପ୍ରତିନିଧିତ୍ୱ ସପକ୍ଷରେ କଂଗ୍ରେସ ଅଛି । ମାର୍ଚ୍ଚ ପ୍ରଥମ ସପ୍ତାହରେ ଓଡ଼ିଶାରେ ଟିକେଟ୍ ଘୋଷଣା ହେବ ବୋଲି ସେ ଶୁଣିଛନ୍ତି । ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ ୫୦ ପ୍ରତିଶତ ଟିକେଟ୍ ମହିଳାମାନଙ୍କୁ ଦିଆଯାଉ ବୋଲି ସେ ଦାବି କରୁଛନ୍ତି ।

ଓଡ଼ିଶାର ମହିଳା ଯେତେ ଅଧିକ ଶକ୍ତିଶାଳୀ ହେବେ ଓଡ଼ିଶା ସେତେ ଅଗ୍ରସର ହେବ । ଉଭୟ କେନ୍ଦ୍ରର ନରେନ୍ଦ୍ର ମୋଦି ଓ ଓଡ଼ିଶାର ବିଜେଡ଼ି ସରକାର ମହିଳାମାନଙ୍କ ବିରୋଧି । ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ କଥା କହି ମିଛ ପ୍ରଚାର କରାଯାଉଛି ଏହାର ସତ୍ୟତା ଖୁବଶୀଘ୍ର ଲୋକଙ୍କୁ ଜଣାଯିବ । କଂଗ୍ରେସ ସରକାର ସମୟରେ ମହିଳାମାନଙ୍କ ପ୍ରଗତି ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଥିଲା । ୟୁପିଏ ସରକାର ସମୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଧିକ ପ୍ରୋତ୍ସାହିତ କରିବା ସହିତ ସେମାନେ କିଭଳି ଆଗକୁ ବଢ଼ିବେ ସେଥିପାଇଁ ସ୍ୱତନ୍ତ୍ର ଯୋଜନାମାନ ପ୍ରସ୍ତୁତ କରାଯାଇଥିଲା । ରାଜ୍ୟ ସରକାର ସ୍ୱଂୟସହାୟକ ଗୋଷ୍ଠୀର ମହିଳାମାନଙ୍କୁ କେବଳ ଭୋଟ୍ ପାଇଁ ବ୍ୟବହାର କରୁଛନ୍ତି । ପ୍ରକୃତରେ ସେମାନଙ୍କର କୌଣସି ଅର୍ଥନୀତିକ ବିକାଶ ହୋଇନାହିଁ କିମ୍ବା ହେଉନାହିଁ । ମିଛରେ ମହିଳାମାନଙ୍କର ବିକାଶ ଘଟୁଛି ବୋଲି ଡିଣ୍ଡିମ ପିଟାଯାଉଛି । ଏବେ ବାସ୍ତବରେ ରାଜ୍ୟର ସ୍ୱୟଂସହାୟିକା ଗୋଷ୍ଠୀର ମହିଳା ସଦସ୍ୟମାନଙ୍କ ଦିନକର ଆୟ ମାତ୍ର ୧୭.୬୬ ଟଙ୍କା । ରାଜ୍ୟରେ ଏକ ପ୍ରଚାରସର୍ବସ୍ୱ ସରକାର ଚାଲିଛି ବୋଲି ସେ କହିଥିଲେ ।

Advertisment

ଏହି ନ୍ୟାୟ ସମାବେଶରେ ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଓ ଅନ୍ୟ ବରିଷ୍ଠ ନେତାମାନେ ମତ ରଖିଥିଲେ । ପରେ ମିନାକ୍ଷୀଙ୍କ ନେତୃତ୍ୱରେ ଦଳର ମହିଳା କର୍ମୀ ଓ ନେତାମାନେ ନବୀନ ନିବାସ ଘେରାଉ ପାଇଁ ଯିବା ସମୟରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲେ । ପୁଲିସ ମହିଳା କଂଗ୍ରେସ ନେତ୍ରୀମାନଙ୍କୁ ପ୍ରଥମେ ଅଟକ ରଖି ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି ।

Congress