ଆଇନର ପରିଭାଷା କାହା ପାଇଁ କେମିତି । କିଏ ନିଜର ପରିଚିତ ବ୍ୟକ୍ତି ସହ କଥା ହେବାକୁ ଯାଇ ଦଣ୍ଡ ପାଉଛି ତ କିଏ ନିଜ ବର୍ଦ୍ଦି ଓ ଚାକିରି ସହ ପ୍ରତାରଣା କରି ପୁରସ୍କାର ପାଉଛି । ଏପରିକି ଯେଉଁ ସର୍ବଭାରତୀୟ ଆଇନର ଆଳ ଦେଖାଇ ଜଣେ ବରିଷ୍ଠ ଆଇପିଏସ ଅଫିସରଙ୍କ ଦଣ୍ଡ ଅବଧିକୁ ରାଜ୍ୟ ସରକାର ତୃତୀୟଥର ପାଇଁ ବଢ଼ାଇଛନ୍ତିି, ସେହି ଆଇନ ଅନୁସାରେ ଅନ୍ୟ ଜଣେ ଆଇପିଏସ୍ ଖୋଲାଖୋଲି ଦୋଷ କରିଥିବାର ପର୍ଯ୍ୟାପ୍ତ ପ୍ରମାଣ ଥାଇ ମଧ୍ୟ ତାଙ୍କୁ ଛୁଇଁବାକୁ ଏପର୍ଯ୍ୟନ୍ତ ସାହାସ କରୁନାହାନ୍ତି । ଏହା ଫିଲ୍ମର ସଂଳାପ ନୁହେଁ କି କୌଣସି ଗପ ନୁହେଁ । ଏହା ଓଡ଼ିଶା କ୍ୟାଡ଼ରର ୩ଜଣ ଚର୍ଚ୍ଚିତ ଆଇପିଏସ୍ ଅଫିସର ଡିଏସ କୁଟ୍ଟେ,ଆଶୀଷ ସିଂ ଓ ପଣ୍ଡିତ ରାଜେଶ ଉତ୍ତମରାଓଙ୍କ ପ୍ରତି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଥିବା ଅଭିଯୋଗ ଏବଂ ରାଜ୍ୟ ସରକାରଙ୍କ ସେମାନଙ୍କ ପ୍ରତି ଆଭିମୁଖ୍ୟର ନଗ୍ନ ଚିତ୍ର ।
ସୂଚନା ଅନୁସାରେ, ଗୃହ ବିଭାଗ ପକ୍ଷରୁ ଶୁକ୍ରବାର ଜାରି ନିର୍ଦ୍ଦେଶନାମା ଅନୁସାରେ ୨୦୦୭ ବ୍ୟାଚ୍ ଆଇପିଏସ୍ ପଣ୍ଡିତ ରାଜେଶ ଉତ୍ତମରାଓଙ୍କ ନିଲମ୍ବନ ଅବଧିକୁ ପୁଣିଥରେ ୬୦ଦିନ ପାଇଁ ବୃଦ୍ଧି କରାଯାଇଛି । ରାଜ୍ୟ ଅଗ୍ନିଶମ ବାହିନୀର ଡିଆଇଜି ପଣ୍ଡିତ ରାଜେଶଙ୍କୁ ସରକାରୀ ଚାକିରିରୁ ପ୍ରଥମେ ୬୦ଦିନ ନିଲମ୍ବିତ ଓ ପରେ ଆଉ ୧୨୦ଦିନ ନିଲମ୍ବନ କରାଯାଇଥିଲା । ଏବେ ତାଙ୍କର ନିଲମ୍ବନ ଅବଧିକୁ ଜାନୁୟାରୀ ୨୬ରୁ ପୁଣିଥରେ ୬୦ଦିନ ପାଇଁ ବଢ଼ାଇ ଦିଆଯାଇଛି । ମୁଖ୍ୟ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତା ବିଶିଷ୍ଟ ରିଭ୍ୟୁ କମିଟି ଚଳିତମାସ ୨୨ ତାରିଖରେ ପଣ୍ଡିତ ରାଜେଶଙ୍କ ନିଲମ୍ବନ ଅବଧି ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ ।
ଗୃହ ବିଭାଗର ଚାର୍ଜସିଟ୍ ଅନୁସାରେ, ବରିଷ୍ଠ ଆଇପିଏସ୍ ରାଜେଶପଣ୍ଡିତ ୨୦୨୪ ଜୁଲାଇ ୨୭ତାରିଖ ରାତିରେ ନିଜର ଜଣେ ସହଯୋଗୀ ତଥା ପରିଚିତ ମହିଳା ଇନ୍ସପେକ୍ଟର ସ୍ୱର୍ଣ୍ଣଲତା ପାଣିଗ୍ରାହୀଙ୍କ ସରକାରୀ କ୍ୱାର୍ଟର୍ସକୁ ଯାଇ ତାଙ୍କ ସହ କୌଣସି ପ୍ରସଙ୍ଗରେ କଥା ହେବାକୁ ଚାହିଁଥିଲେ । କିନ୍ତୁ ଶ୍ରୀମତୀ ପାଣିଗ୍ରାହୀଙ୍କ ସ୍ୱାମୀ ଏଥିରେ ଆପତ୍ତି ଉଠାଇବା ପରେ ଉଭୟଙ୍କ ମଧ୍ୟରେ ଜୋର୍ ଯୁକ୍ତିତର୍କ ହୋଇଥିଲା । ପରିସ୍ଥିତି ଅଣାୟତ୍ତ ହେବାରୁ ଶ୍ରୀମତୀ ପାଣିଗ୍ରାହୀଙ୍କ ଭାଇ ପୁଲିସ କଂଟ୍ରୋଲରୁମକୁ ଜଣାଇଥିଲେ ଓ ପିସିଆର ରାତି ପ୍ରାୟ ୯ଟା ୧୭ରେ ଉକ୍ତ କ୍ୱାର୍ଟର୍ସରେ ପହଂଚି ରାଜେଶ ପଣ୍ଡିତଙ୍କୁ ବୁଝାସୁଝା କରିଥିଲା । ଆଉ ସବଇନ୍ସପେକ୍ଟର ଦିଗବିଜୟିନୀ ବାଗ ଓ ନିରଞ୍ଜନ ବେହେରାଙ୍କ ହସ୍ତକ୍ଷେପ ପରେ ରାଜେଶ ପଣ୍ଡିତ ସେଠାରୁ ପଳାଇଥିଲେ । ଆଉ ଏହି ଘଟଣା ଗଣମାଧ୍ୟମରେ ଆସିବା ପରେ ରାଜ୍ୟ ସରକାର ଆକ୍ଟିଭ ମୋଡକୁ ଆସିଥିଲେ । ଆଉ ସର୍ବଭାରତୀୟ ସେବା ରୁଲସ-୧୯୬୯ର ଧାରା-୮ରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇ ଏହି ରୁଲସର ଧାରା-୩(୧) ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ସହ ଉକ୍ତ ରୁଲସର ଧାରା-୧୮ରେ ରାଜେଶ ପଣ୍ଡିତ ଦୋଷୀ ବୋଲି ଗୃହ ବିଭାଗ ତା’ର ଚାର୍ଜଫ୍ରେମରେ ଉଲ୍ଲେଖ କରିଥିଲା ।
ଅନ୍ୟପକ୍ଷରେ ୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ୍ କୁଟ୍ଟେ ଓ ୨୦୦୪ ବ୍ୟାଚ୍ ଆଇପିଏସ୍ ଆଶୀଷ ସିଂ ଏବେ କେନ୍ଦ୍ରକୁ ଡେପୁଟେସନରେ ଯାଇ ଯଥାକ୍ରମେ ବିଏସଏଫ ଆଇଜି ଓ ଆଇଟିବିପି ଆଇଜି ଭାବେ କାର୍ଯ୍ୟରତ ଅଛନ୍ତି । ଉଭୟଙ୍କ ନାଁରେ ରାଜ୍ୟ ସରକାର ଚାର୍ଜଫ୍ରେମ କରିଛନ୍ତି । ସର୍ବଭାରତୀୟ ସେବା ରୁଲସ-୧୯୬୯ର ଧାରା-୧୮କୁ ଉଲ୍ଲଘଂନ କରିବା ଯୋଗୁ ଚାର୍ଜଫ୍ରେମ କରିଛି ଗୃହ ବିଭାଗ । ଉଭୟଙ୍କ ବିରୁଦ୍ଧରେ ସର୍ବଭାରତୀୟ ସେବା ରୁଲସ-୧୯୬୯ର ଧାରା-୮ରେ ପ୍ରାରମ୍ଭିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଥିଲା । କୁଟ୍ଟେଙ୍କୁ ୨୦୨୪ ଅଗଷ୍ଟ ୨୧ରେ ଓ ଆଶୀଷଙ୍କୁ ଅଗଷ୍ଟ ୬ରେ ୩୦ଦିନିଆ ନୋଟିସ୍ ଜାରି କରି ଜବାବ ମଧ୍ୟ ତଲବ କରିଥିଲା । ଏହି ଦୁଇ ଆଇପିଏସ୍ ଅଫିସର ଧାର୍ଯ୍ୟ ଅବଧି ମଧ୍ୟରେ ଲିଖିତ ଭାବେ ସେମାନଙ୍କ ପକ୍ଷ ଗୃହ ବିଭାଗକୁ ଜଣାଇଥିଲେ ମଧ୍ୟ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନଥିବା ଜଣାପଡ଼ିଛି । ଆଶ୍ଚର୍ଯ୍ୟର କଥା ହେଉଛି, କୁଟ୍ଟେ ନିଜ କ୍ଷମତାର ଦୁରୂପଯୋଗ କରି ସାଧାରଣ ନିର୍ବାଚନକୁ ପ୍ରଭାବିତ କରୁଥିବାର ପୁଳାପୁଳା ପ୍ରମାଣ ନିର୍ବାଚନ କମିଶନ ଓ ରାଜ୍ୟ ସରକାରଙ୍କ ପାଖରେ ରହିଛି । ଏପରିକି ଦୁଇଜଣ ବରିଷ୍ଠ ଆଇଏଏସ୍ ତତକାଳୀନ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏନ୍ ଥିରୁମାଳା ନାଏକ ଓ ଖୋର୍ଦ୍ଧା ଜିଲ୍ଲାପାଳ ଚଂଚଳ ରାଣା ଲିଖିତ ଭାବେ କୁଟ୍ଟେଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଗୃହ ବିଭାଗ ପକ୍ଷରୁ ଯେଉଁ ଚାର୍ଜଫ୍ରେମ କୁଟ୍ଟେଙ୍କୁ ଜାରି ହୋଇଥିଲା ସେଥିରେ କୁଟ୍ଟେ କିଭଳି ବିଜେପିର ବିଜ୍ଞାପନ ପ୍ରକାଶ ନପାଇବ ସେଥିପାଇଁ ଚାପ ପକାଇଥିବା ଓ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିବାକୁ କହିଥିବା ଉଭୟ ଅଫିସର ଲିଖିତ ଭାବେ ଜଣାଇଥିଲେ । ଏହାସତ୍ତ୍ୱେ ରାଜ୍ୟ ସରକାର କୁଟ୍ଟେଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦୂରର କଥା ତାଙ୍କୁ ପୁରସ୍କାର ଦେଇ କେନ୍ଦ୍ରକୁ ଡେପୁଟେସନରେ ପଠାଇଦେଲେ । ଆଉ ତାଙ୍କ ବିରୁଦ୍ଧରେ ଏତେସବୁ ଅଭିଯୋଗ ଥିବା ସତ୍ତ୍ୱେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ମଧ୍ୟ ଆରମ୍ଭ କଲେ ନାହିଁ । କୁଟ୍ଟେଙ୍କୁ କ୍ଲିନଚିଟ୍ ଦେଇ ରାଜ୍ୟ ସରକାର ପରୋକ୍ଷରେ ଯେଉଁ ଦୁଇ ଆଇଏଏସ୍ ଅଫିସର ତାଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ ସେମାନଙ୍କୁ ପରୋକ୍ଷରେ ମିଛୁଆ ପ୍ରମାଣିତ କରିଛନ୍ତି । ଅବଶ୍ୟ ଆଶୀଷ ସିଂଙ୍କ ବିରୁଦ୍ଧରେ ଥିବା ଅଭିଯୋଗ ସେତେ ଗୁରୁତର ନୁହେଁ । ସେ ସ୍ୱାସ୍ଥ୍ୟ ଖରାପର ମିଛ ବାହାନା ଦେଖାଇ ଛୁଟିରେ ଥିବା ଯୋଗୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ଏବେ ପ୍ରଶ୍ନ ଉଠୁଛି, ଜଣେ ଅଫିସର ନିଜର ପରିଚିତ ସହକର୍ମୀଙ୍କ ସହ କଥା ହେବା ପାଇଁ ଘରକୁ ଯାଇ କୌଣସି କାରଣରୁ ଉଚ୍ଚବାଚ ହେବାରୁ ତାଙ୍କୁ ଚାକିରିରୁ ନିଲମ୍ବିତ ହେବାକୁ ପଡ଼ୁଛି । ମୁଖ୍ୟ ସଚିବ ନିଜେ ରିଭ୍ୟୁ କମିଟିର ଅଧ୍ୟକ୍ଷ ହୋଇ ତାଙ୍କର ଦଣ୍ଡାଦେଶ ବଢ଼ାଇ ଚାଲିଛନ୍ତି । କିନ୍ତୁ କୁଟ୍ଟେଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏପର୍ଯ୍ୟନ୍ତ ଫାଇଲ ବି ଆଗକୁ ବଢ଼ି ପାରିଲା ନାହିଁ । ମୁଖ୍ୟ ସଚିବ କିମ୍ବା ଗୃହ ସଚିବ କ’ଣ ଏସବୁ ଆଇନଗତ ଦିଗ ପ୍ରତି ସଚେତନ ନାହାନ୍ତି କି? ନା ଏଠି ଆଇନକୁ ଯିଏଯେମିତି ଚାହିଁବ ମୋଡ଼ିମକଚି ନିଜ ସୁରକ୍ଷାରେ ଉପଯୋଗ କରିପାରିବ ସେଭଳି ସନ୍ଦେଶ ଦେବାକୁ ରାଜ୍ୟ ପ୍ରଶାସନ ଚାହୁଁଛି ବୋଲି ସାଧାରଣରେ ଚର୍ଚ୍ଚା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।