Advertisment

ବିରୋଧ ପରେ ବି ରାଲି କଲେ ସିଦ୍ଧୁ, କହିଲେ- ପଞ୍ଜାବରେ ଚାଲିଛି ଚୋରଙ୍କ ଶାସନ

ରାଲିକୁ ସମ୍ବୋଧିତ କରି ସେ ଆପ୍‌ ସରକାର ଉପରେ ବର୍ଷିଛନ୍ତି।

author-image
Madhupriya Mistry
Navjot Singh Sidhu

Navjot Singh Sidhu

ବାରମ୍ବାର ବିରୋଧ ପରେ ବି ସୁଧୁରୁ ନାହାନ୍ତି ପୂର୍ବତନ କ୍ରିକେଟର୍‌ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ପୁଣି ଥରେ ସେ ପଞ୍ଜାବର ଶାସକ ତଥା ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ସିଂହ ମାନଙ୍କ ସରକାର ଉପରକୁ ଟାର୍ଗେଟ୍‌ କରିଛନ୍ତି। ପଞ୍ଜାବରେ ଚୋରଙ୍କ ଶାସନ ଚାଲିଥିବା ସେ କହିଛନ୍ତି।

Advertisment

ଦଳ ବିରୋଧ କରୁଥିଲେ ବି ଏହାକୁ ଖାତିର ନକରି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ରବିବାର ପଞ୍ଜାବର ମୋଗାରେ 'ଜିତେଗା ପଞ୍ଜାବ, ଜିତେଗା କଂଗ୍ରେସ'ର ଚତୁର୍ଥ ରାଲି କରିଛନ୍ତି। ଏହି ରାଲିକୁ ସମ୍ବୋଧିତ କରି ସେ ଆପ୍‌ ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି, 'ବର୍ତ୍ତମାନ ପଞ୍ଜାବରେ ଚୋରଙ୍କ ଶାସନ ଚାଲିଛି।'

ଏଥିସହ ରାଜ୍ୟର ଋଣଭାର, ଆଇନ ବ୍ୟବସ୍ଥା ସମେତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରିଥିଲେ। ସେ କହିଥିଲେ, 'ଯଦି ମୁଁ ଏହି ଆଲୋଚନାରେ ହାରି ଯାଏ ତେବେ ସ୍ଥାୟୀ ରୂପେ ରାଜନୀତି ଛାଡି ଦେବି। ଆପଣଙ୍କର ସାହାସ ଅଛି କି? ଆପଣ ଚୋର ଓ ଆପଣଙ୍କ ମନ୍ତ୍ରୀମାନେ ମଧ୍ୟ ଚୋର। ଲୋକେ ରାଜ୍ୟରେ ଶାନ୍ତି ଚାହୁଁଛନ୍ତି। ବ୍ୟବସାୟୀ ଅନ୍ୟ ରାଜ୍ୟକୁ ଯାଉଛନ୍ତି।'

Advertisment

ଏହି ରାଲିକୁ ମୋଗାର ପୂର୍ବତନ ଜିଲ୍ଲା ଅଧ୍ୟକ୍ଷ ମହୋସିନ୍ଦର ସିଂହ ଦ୍ୱାରା ଆୟୋଜିତ କରାଯାଇଥିଲା। କଂଗ୍ରେସକୁ ନ ଜଣାଇ ଏହି ରାଲି କରାଯାଇଥିବାରୁ ଦଳ ମହୋସିନ୍ଦର ଓ ତାଙ୍କ ପୁଅଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଯଦି ଏହି ନୋଟିସର ଉତ୍ତର ନ ମିଳେ ତେବେ ଏମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଏହାପୂର୍ବରୁ ମଧ୍ୟ ଅନେକ କଂଗ୍ରେସ ନେତା ନ ଜଣାଇ ବ୍ୟକ୍ତିଗତ ଭାବେ ରାଲି ଆୟୋଜିତ କରିବା ପାଇଁ ସିଦ୍ଧୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିସାରିଛନ୍ତି। ଏହାକୁ ନେଇ ଦଳ ପକ୍ଷରୁ ତାଙ୍କୁ ତାଗିଦ କରାଯାଇଥିଲେ ସୁଦ୍ଧା ସିଦ୍ଧୁ ଏହାକୁ ଖାତିର କରି ନାହାନ୍ତି। 

Congress Navjot Singh Sidhu Punjab Politics Punjab