Advertisment

ନିରପେକ୍ଷ ତଦନ୍ତକୁ ନେଇ ପ୍ରଶ୍ନ: ପ୍ରକୃତିଙ୍କ ଭଳି ପ୍ରିଶା ଆତ୍ମହତ୍ୟା ମାମଲାର ତଦନ୍ତକୁ ଚାପି ଦେବକି କିଟ୍‌?

ନେପାଳୀ ଛାତ୍ରୀ ପ୍ରକୃତି ଲାମସଲ ଫେବୃୟାରୀ ୧୬ରେ ଆତ୍ମହତ୍ୟା କରିବା ପରେ ରାଜ୍ୟ ସରକାର ସେହି ମାସ ୧୮ତାରିଖରେ ଗଢ଼ିଥିବା ଉଚ୍ଚସ୍ତରୀୟ କମିଟିର ଯାଂଚ ରିପୋର୍ଟକୁ ନେଇ ଏବେ ପୁଣିଥରେ ପ୍ରଶ୍ନ ଉଠିଛି । ଗୃହସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ତଦନ୍ତ ରିପୋର୍ଟ କୁଆଡ଼େ ଗଲା ଓ ସରକାର ଏହାଉପରେ କ’ଣ ଆକ୍ସନ ନେଇଛନ୍ତି ତାହା ମଧ୍ୟ ଜଣାପଡ଼ିନି ।

author-image
Ordigital Desk
ଅଦ୍ୟତନ ହୋଇଛି
KIIT

KIIT

ନେପାଳୀ ଛାତ୍ରୀ ପ୍ରିଶା ଶାହ ହଷ୍ଟେଲ ରୁମରେ ଆତ୍ମହତ୍ୟା ଘଟଣାକୁ ନେଇ ପୁଣିଥରେ କିଟ୍ ବିଶ୍ୱବିଦ୍ୟାଳୟ ବିବାଦରେ । ମାତ୍ର ୩ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଚକିତ କରିଥିବାବେଳେ କାହିଁକି ଛାତ୍ରଛାତ୍ରୀଙ୍କ ନିମନ୍ତେ ଶୈକ୍ଷିକ ପରିବେଶ ସୃଷ୍ଟି କରିବାରେ କିଟ୍ କର୍ତ୍ତୃପକ୍ଷ ଫେଲ୍ ମାରିଛନ୍ତି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଗତ ଫେବୃୟାରୀରେ ଆତ୍ମହତ୍ୟା କରିଥିବା ନେପାଳୀ ଛାତ୍ରୀ ପ୍ରକୃତି ଲାମସଲଙ୍କ ଭଳି ପ୍ରିଶା ଆତ୍ମହତ୍ୟା ଘଟଣାକୁ କିଟ୍ କର୍ତ୍ତୃପକ୍ଷ ଚପାଇ ଦେବେ ନାହିଁ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି । କାରଣ ପ୍ରକୃତି ଲାମସଲ ଆତ୍ମହତ୍ୟା ମାମଲାରେ ନେପାଳଠୁ ଭୁବନେଶ୍ୱର ପର୍ଯ୍ୟନ୍ତ ଯେଭଳି ହୋ-ହାଲ୍ଲା ହେଲା ଏବଂ ବିଭିନ୍ନ ମହଲରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯିବା ସତ୍ତ୍ୱେ କିଟ୍ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଏନେଇ ସାମାନ୍ୟତମ ଆକ୍ସନ ନେବାରେ ରାଜ୍ୟ ସରକାର ସକ୍ଷମ ହୋଇପାରିନାହାନ୍ତି। ଏପରିକି ସରକାରଙ୍କ ଦ୍ୱାରା ଗୃହସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ତଦନ୍ତ କମିଟିର ରିପୋର୍ଟ କ’ଣ ହେଲା ତାହା ମଧ୍ୟ ଏବେ ସନ୍ଦେହଘେରରେ ରହିଛି ।

Advertisment

ସ୍ୱର୍ଗଦ୍ୱାରରେ ପ୍ରିଶାଙ୍କ ଅନ୍ତିମସଂସ୍କାର

ମେ’ ୧ତାରିଖରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ପ୍ରିଶାଙ୍କର ଶନିବାର ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ନେପାଳରୁ ତାଙ୍କ ପିତାମାତା ଭୁବନେଶ୍ୱରରେ ଆସି ପହଂଚିବା ପରେ ଏମସ ହସ୍ପିଟାଲରେ ପ୍ରିଶାଙ୍କ ପୋଷ୍ଟମର୍ଟମ କରାଯାଇଥିଲା । ଏହାପରେ ପ୍ରଶାସନର ସହଯୋଗରେ ଏହି ଅନ୍ତିମସଂସ୍କାର ହୋଇଛି । ତେବେ ଅନ୍ତିମସଂସ୍କାର ପାଇଁ ପୁରୀ ନେବାବେଳେ ପ୍ରିଶାଙ୍କ ପିତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ “ମୋତେ ନ୍ୟାୟ ଦରକାର । ପୁଲିସ କେବଳ ମୃତଦେହ ଜବତ କରିଛି । ପୁଲିସ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଆମେ ତାକୁ ଅପେକ୍ଷା କରିଛୁ । ଏପର୍ଯ୍ୟନ୍ତ ମୃତ୍ୟୁ ପଛର ରହସ୍ୟ ଜଣାପଡ଼ିନାହିଁ ।” ପ୍ରିଶାଙ୍କ ଆତ୍ମହତ୍ୟାକୁ ପ୍ରେମଜନିତ ବ୍ୟାପାର ଭାବେ ରଙ୍ଗ ଦେବାକୁ ଚାଲିଥିବା ଉଦ୍ୟମକୁ ତାଙ୍କ ପିତା ନାପସନ୍ଦ କରିଛନ୍ତି ।

ଫେବୃୟାରୀ ୧୬ତାରିଖରେ ନେପାଳୀ ଛାତ୍ରୀ ପ୍ରକୃତି ଲାମସଲ ଯେଭଳି ଢଙ୍ଗରେ କିଟ୍ ବିଶ୍ୱବିଦ୍ୟାଳୟର ଯେଉଁ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଥିଲେ ବିଟେକ୍ ପ୍ରଥମବର୍ଷ ଛାତ୍ରୀ ପ୍ରିଶା ମଧ୍ୟ ସେଭଳି ଢଙ୍ଗରେ ସେହି ହଷ୍ଟେଲରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପ୍ରିଶାଙ୍କ ମୃତଦେହକୁ ପୁଲିସ ଉପସ୍ଥିତିରେ ମେ’ ୧ତାରିଖ ରାତି ୮ଟା ୧୦ମିନିଟରେ ଜବତ କରାଯାଇଥିଲା ।

Advertisment

ଏନଏଚଆରସିଙ୍କ ରିପୋର୍ଟ ତଲବ, ୟୁଜିସି ଗଢ଼ିଲେ କମିଟି

ନେପାଳୀ ଛାତ୍ରୀ ପ୍ରିଶାଙ୍କ ଆତ୍ମହତ୍ୟା ଘଟଣାକୁ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) ଗୁରୁତ୍ୱର ସହ ନେଇ ରାଜ୍ୟ ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କୁ ରିପୋର୍ଟ ତଲବ କରିଛନ୍ତି । ତଦନ୍ତର କାର୍ଯ୍ୟାନୁଷ୍ଠାନ ରିପୋର୍ଟ, ଏଫଆଇଆର କପି ଓ ପୋଷ୍ଟମର୍ଟମ ରିପୋର୍ଟ ସହ ପୋଷ୍ଟମର୍ଟମ ପ୍ରକ୍ରିୟାର ଭିଡିଓଗ୍ରାଫି କରିବାକୁ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି ।  ଆସନ୍ତା ମେ’ ୯ ତାରିଖ ସୁଦ୍ଧା ଦେବାକୁ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ସେହିପରି ୟୁଜିସି କର୍ତ୍ତୃପକ୍ଷ ମଧ୍ୟ ଏହି ମାମଲାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ପ୍ରଫେସର ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ୟୁଜିସି କମିଟିକୁ ଏହି ମାମଲାର ତଦନ୍ତ କରି ୧୦ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ସେହିପରି ଶନିବାର ନୂଆଦିଲ୍ଲୀସ୍ଥିତ ନେପାଳ ଦୂତାବାସ ପକ୍ଷରୁ ପ୍ରିଶା ଆତ୍ମହତ୍ୟା ଘଟଣା ସହ ଜଡ଼ିତ ମାମଲାର ବିସ୍ତୃତ ରିପୋର୍ଟ ଦେବାକୁ କିଟ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିବା ଜଣାପଡ଼ିଛି ।

ଓଡ଼ିଶା ସରକାରଙ୍କ ତଦନ୍ତ ରିପୋର୍ଟ କୁଆଡ଼େ ଗଲା

ନେପାଳୀ ଛାତ୍ରୀ ପ୍ରକୃତି ଲାମସଲ ଫେବୃୟାରୀ ୧୬ରେ ଆତ୍ମହତ୍ୟା କରିବା ପରେ ରାଜ୍ୟ ସରକାର ସେହି ମାସ ୧୮ତାରିଖରେ ଗଢ଼ିଥିବା ଉଚ୍ଚସ୍ତରୀୟ କମିଟିର ଯାଂଚ ରିପୋର୍ଟକୁ ନେଇ ଏବେ ପୁଣିଥରେ ପ୍ରଶ୍ନ ଉଠିଛି । ଗୃହସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ତଦନ୍ତ ରିପୋର୍ଟ କୁଆଡ଼େ ଗଲା ଓ ସରକାର ଏହାଉପରେ କ’ଣ ଆକ୍ସନ ନେଇଛନ୍ତି ତାହା ମଧ୍ୟ ଜଣାପଡ଼ିନି । କେବଳ ସେତିକି ନୁହେଁ କିଟ୍ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରକ୍ଷା ଓ ଅନୁକୂଳ ଶୈକ୍ଷିକ ପରିବେଶ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ମାର୍ଚ୍ଚ ପ୍ରଥମ ସପ୍ତାହରେ ଗଠିତ ୪ଜଣିଆ ପ୍ରଫେସର ପ୍ୟାନେଲଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏହି ପ୍ୟାନେଲରେ ଉତ୍କଳ ବିଶ୍ୱବିଦ୍ୟାଳୟର ୨ଜଣ ବରିଷ୍ଠ ପ୍ରଫେସର ଓ ରମାଦେବୀ ବିଶ୍ୱବିଦ୍ୟାଳୟର ୨ଜଣ ପ୍ରଫେସର ସାମିଲ ଥିଲେ ଯେଉଁମାନେ ପ୍ରତି ୧୫ଦିନରେ ଥରେ(୩ମାସ ପର୍ଯ୍ୟନ୍ତ) କିଟକୁ ଯାଇ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହ ଭେଟି ଶୈକ୍ଷିକ ପରିବେଶର ଯାଂଚ କରିବେ ।  ଏହି ପ୍ୟାନେଲ ଯଦି କିଟ୍ ପରିସରକୁ ଯାଉଥିଲେ ତା’ହେଲେ ବିଦେଶୀ ଛାତ୍ରୀମାନେ କେଉଁ ପରିସ୍ଥିତିରେ ରହିଛନ୍ତି ତା’ର ସୂଚନା କିଭଳି ପାଇଲେ ନାହିଁ? ରାଜ୍ୟ ସରକାର ମଧ୍ୟ କିଟ୍ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ଯେଭଳି ନରମ ଆଭିମୁଖ୍ୟ ପୋଷଣ କରିଚାଲିଛନ୍ତି ତାହା ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଅଧିକ ବେପରୁୱା କରାଇଛି ଓ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି ।

ହାଇକୋର୍ଟରେ ଦାମୀ ଓକିଲ ଲଢ଼ୁଛନ୍ତି କିଟ୍ ମାମଲା

ପ୍ରକୃତି ଲାମସଲ ଆତ୍ମହତ୍ୟା ମାମଲାରେ ଏନଏଚଆରସି ଯାଂଚ କରି କିଟ୍ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ସରକାର, ଖୋର୍ଦ୍ଧା ଜିଲ୍ଲାପାଳ ଓ ୟୁଜିସି କର୍ତ୍ତୃପକ୍ଷଙ୍କୁ ମାର୍ଚ୍ଚ ୨୭ତାରିଖରେ ନିର୍ଦ୍ଦେଶ ଦେବାପରେ ଏହାକୁ ଓଡ଼ିଶା ହାଇକୋର୍ଟରେ କିଟ୍ କର୍ତ୍ତୃପକ୍ଷ ଚ୍ୟାଲେଞ୍ଜ କରିଥିଲେ । ଦେଶର ନାମୀ ଓକିଲଙ୍କୁ ଆଣି କିଟ୍ ନିଜର ଏହି ମାମଲା ଲଢ଼ିଛି । ନୂଆଦିଲ୍ଲୀର ଏହି ଓକିଲଙ୍କ ଫି’ ବହୁତ ଅଧିକ ବୋଲି ଜଣାପଡ଼ିଛି । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଏପ୍ରିଲ ୭ତାରିଖରେ ଏନଏଚଆରସିଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଜାରି କରିଥିଲେ । ଏହାସହିତ ମାମଲାର ଶୁଣାଣି ଏପ୍ରିଲ ୨୯ତାରିଖକୁ ଧାର୍ଯ୍ୟ କରିବା ସହ ସବୁପକ୍ଷଙ୍କୁ ରିପୋର୍ଟ ମାଗିଥିଲେ । କିନ୍ତୁ ହାଇକୋର୍ଟରେ ନିଜର ନିଜର ପକ୍ଷ ରଖିବାକୁ ଏନଏଚଆରସି କର୍ତ୍ତୃପକ୍ଷ ଅଧିକ ସମୟ ମାଗିବା ପରେ  ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୩୦ତାରିଖକୁ ଧାର୍ଯ୍ୟ କରାଯାଇଛି ।

ତେବେ ଇତିମଧ୍ୟରେ ଆଉଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିବାରୁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ୟୁଜିସି ଓ ଏନଏଚଆରସିଙ୍କ ଭୂମିକା ଉପରେ ସମସ୍ତଙ୍କ ନଜର ରହିଛି । କିଟ୍ ବିଶ୍ୱବିଦ୍ୟାଳୟରେ କାହିଁକି ବିଦେଶୀ ଛାତ୍ରୀମାନେ ବାରମ୍ବାର ଆତ୍ମହତ୍ୟା କରୁଛନ୍ତି ଓ ବିଦେଶୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା-ନିରାପତ୍ତା ଦିଗରେ କର୍ତ୍ତୃପକ୍ଷ ବିଶେଷ ଦୃଷ୍ଟି ନଦେବା ପଛରେ କ’ଣ କାରଣ ରହିଛି ତାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଛି ।

KIIT Bhubaneshwar