ପାଣ୍ଡିଆନଙ୍କ ଖାସ୍ ରବିକାନ୍ତ ବିଦା, ବିଶାଳ ଗଗନ ହେଲେ ଆବାସିକ କମିଶନର

୧୯୯୮ ବ୍ୟାଚ୍ ଆଇପିଏସ୍ ରବିକାନ୍ତଙ୍କୁ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ପଦବୀରୁ ହଟାଇ ତତ୍କାଳ ପ୍ରଭାବରୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି ।

ଲୋକସେବା ଭବନ

  • Published: Monday, 15 July 2024
  • , Updated: 15 July 2024, 07:32 PM IST

ରାଜ୍ୟର ବିଜେପି ସରକାର ଆଜି ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ପଦବୀରୁ ଆଇପିଏସ୍ ରବିକାନ୍ତଙ୍କୁ ହଟାଇ ଦେଇଛନ୍ତି । ନୂଆଦିଲ୍ଲୀରେ କାର୍ଯ୍ୟରତ ଆଇଏଏସ୍ ବିଶାଳ ଗଗନଙ୍କୁ ଆବାସିକ କମିଶନର ଭାବେ ନିଯୁକ୍ତି ମିଳିଛି । ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଖାସ୍ ଅନୁଗତ ଭାବେ ରବିକାନ୍ତ ପରିଚିତ । ନୂଆଦିଲ୍ଲୀରେ ପାଣ୍ଡିଆନ ଓ ବିଜେଡିର ପ୍ରତିନିଧି ଭାବେ ରବିକାନ୍ତ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଥିଲା ।

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୯୮ ବ୍ୟାଚ୍ ଆଇପିଏସ୍ ରବିକାନ୍ତଙ୍କୁ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ପଦବୀରୁ ହଟାଇ ତତ୍କାଳ ପ୍ରଭାବରୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ନୂଆଦିଲ୍ଲୀରେ ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ(ଓଆଇଇପିଓ) ଭାବେ କାର୍ଯ୍ୟରତ ୧୯୯୮ ବ୍ୟାଚ୍ ଆଇଏଏସ୍ ବିଶାଳ ଗଗନଙ୍କୁ ନୂଆ ଆବାସିକ କମିଶନର ଭାବେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ କୁହାଯାଇଛି ।

ଆଇପିଏସ୍ ରବିକାନ୍ତ ଦୀର୍ଘବର୍ଷ ଧରି ଦିଲ୍ଲୀରେ ଡେପୁଟେସନରେ ଅଛନ୍ତି ଓ କେନ୍ଦ୍ରୀୟ ଡେପୁଟେସନ ସମାପ୍ତ ହେବାପରେ ତାଙ୍କୁ ବିଜେଡି ସରକାର ଆବାସିକ କମିଶନର ଭାବେ ଅବସ୍ଥାପିତ କରିଥିଲା । ପାଣ୍ଡିଆନଙ୍କ ଖାସ୍ ଭାବେ ରବିକାନ୍ତଙ୍କ ପ୍ରଭାବ ବେଶ୍ ଅଧିକ ରହିଥିଲା ଓ ବିଜେଡିର ନେତାମାନେ ଦିଲ୍ଲୀରେ ତାଙ୍କୁ ହିଁ ରିପୋର୍ଟ କରୁଥିଲେ ବୋଲି ଚର୍ଚ୍ଚା ହୁଏ । ଏପରିକି ନିର୍ବାଚନ କମିଶନଙ୍କ ଛାଟ ଯୋଗୁ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କୁ ନିଲମ୍ବନ ସହ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିଲା । କିନ୍ତୁ ଏହି ନିଲମ୍ବନ ଅବଧି ମଧ୍ୟରେ ତାଙ୍କୁ ଆବାସିକ କମିଶନଙ୍କ କାର୍ଯ୍ୟାଳୟର ମୁଖ୍ୟ ଭାବେ ରବିକାନ୍ତ ୧୦ଦିନ ଛୁଟି ଦେଇଥିଲେ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, ରବିକାନ୍ତଙ୍କ ଓଡ଼ିଶା କ୍ୟାଡ଼ରର ଆଇପିଏସ୍ ପତ୍ନୀ ଏବେ ଇଣ୍ଟିଲେଜିନ୍ସେସ ବ୍ୟୁରୋ(ଆଇବି)ରେ କାର୍ଯ୍ୟରତ ଅଛନ୍ତି ।

ପାଣ୍ଡିଆନଙ୍କ ଅନ୍ୟତମ ଖାସ୍ ଆଇପିଏସ୍ ଆଶୀଷ ସିଂଙ୍କୁ ଗତ ସପ୍ତାହରେ ଗୃହ ବିଭାଗର ଓଏସଡି ଭାବେ ବଦଳି ହୋଇଥିଲା । ରବିକାନ୍ତଙ୍କୁ ମିଶାଇ ଏବେ ଗୃହ ବିଭାଗରେ ଓଏସଡି ସଂଖ୍ୟା ୪କୁ ବୃଦ୍ଧି ପାଇଛି । ବିଜେଡି ସରକାର ଅମଳରେ ବରିଷ୍ଠ ଆଇପିଏସ୍ ଏସଏମ୍ ନରୱଣେ ଓ ରୀତୁ ଅରୋରାଙ୍କୁ ଗୃହ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରାଯାଇଥିଲା । ଏହି ସମସ୍ତ ଆଇପିଏସ୍ ଘରେ ବସି ବିନା କାର୍ଯ୍ୟରେ ସରକାରୀ ତହବିଲରୁ ଦରମା ନେଉଛନ୍ତି ।

Related story