/odisha-reporter/media/post_attachments/uploadimage/library/16_9/16_9_0/IMAGE_1752226750.jpg)
Rahul Gandhi
ସମ୍ବିଧାନ ରକ୍ଷା, ଆଦିବାସୀ ଓ ଚାଷୀଙ୍କ ଅଧିକାର, ମହିଳା ନିର୍ଯାତନା ଓ ରୋଜଗାର ସୃଷ୍ଟି ଭଳି ପ୍ରସଙ୍ଗକୁ ନେଇ ସାଧାରଣ ଲୋକଙ୍କୁ ଏକଜୁଟ ହେବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆହ୍ଵାନ ଦେଇଛନ୍ତି। ସେ ବିଜେପି ଓ ବିଜେଡ଼ି ସରକାରଙ୍କ ନୀତି ଓ କାର୍ଯ୍ୟକୁ ତୀବ୍ର ସମାଲୋଚନା କରି ଓଡ଼ିଶାରେ କଂଗ୍ରେସର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାର ସଙ୍କେତ ଦେଇଛନ୍ତି। ରାହୁଲଙ୍କ ଏହି ଗସ୍ତ ଓଡ଼ିଶାରେ କଂଗ୍ରେସର ସଙ୍ଗଠନକୁ ନୂଆ ଦିଗ ଦେବ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି।
ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଆଜି ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଏକ ବିଶାଳ ଜନସଭାରେ ଭାଗ ନେଇଛନ୍ତି। କଂଗ୍ରେସ ପକ୍ଷରୁ ଆୟୋଜିତ ‘ସମ୍ବିଧାନ ବଚାଓ ସମାବେଶ’ରେ ରାହୁଲ ରାଜ୍ୟ ଓ କେନ୍ଦ୍ରରେ ଶାସକ ବିଜେପି ସରକାର ଉପେକ୍ଷିତ ଓ ଅନ୍ୟାୟ ବିରୋଧରେ ଜନତାଙ୍କୁ ଏକଜୁଟ ହେବାକୁ ଆହ୍ଵାନ ଦେଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପରେ ରାହୁଲଙ୍କର ଏହା ଓଡ଼ିଶାକୁ ପ୍ରଥମ ଗସ୍ତ, ଯାହା ରାଜ୍ୟରେ କଂଗ୍ରେସକୁ ପୁନଃ ସଙ୍ଗଠିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚିତ ହେଉଛି।
ସମ୍ବିଧାନ ରକ୍ଷା ପାଇଁ ଜନସଭା
ରାହୁଲ ଗାନ୍ଧୀ ଆଜି ବରମୁଣ୍ଡା ପଡ଼ିଆରେ ଏକ ବିଶାଳ ଜନସଭାରେ କହିଛନ୍ତି ଯେ, ସମ୍ବିଧାନ ଗରିବ, ଚାଷୀ ଓ ଶ୍ରମିକମାନଙ୍କ ରକ୍ଷା କରେ, ନା କି ଆଦାନୀ କିମ୍ବା ଅମ୍ବାନୀଙ୍କୁ। ବିଜେପି ସରକାର ସମ୍ବିଧାନ ଉପରେ ଆକ୍ରମଣ କରୁଛି । ମହାରାଷ୍ଟ୍ରରେ ନିର୍ବାଚନ ଚୋରି ହୋଇଛି। ବିହାରରେ ମଧ୍ୟ ଏହା କରିବାକୁ ଚେଷ୍ଟା ଚାଲିଛି, କିନ୍ତୁ ଆମେ ଏହାକୁ ହେବାକୁ ଦେବୁ ନାହିଁ। ନିର୍ବାଚନ କମିଶନ ମଧ୍ୟ ବିଜେପିର ଇସାରାରେ କାମ କରୁଥିବା ଅଭିଯୋଗ କରି ସେ ଭୋଟର ତାଲିକା ଓ ଭିଡିଓ ମାଗିଥିବା କହିଛନ୍ତି, ଯାହାକି ଏପର୍ଯ୍ୟନ୍ତ ମିଳିନାହିଁ।
ବିଜେଡ଼ି ଓ ବିଜେପି ସରକାରଙ୍କ ଉପରେ ଆକ୍ରମଣ
ରାହୁଲ ଗାନ୍ଧୀ ଓଡ଼ିଶାରେ ପୂର୍ବତନ ବିଜେଡ଼ି ସରକାର ଓ ବର୍ତ୍ତମାନର ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଓଡ଼ିଶାରେ ଲୋକଙ୍କ ଜଳ, ଜଙ୍ଗଲ ଓ ଜମି ଚୋରି ହେଉଛି। ପୂର୍ବରୁ ବିଜେଡ଼ି ଏହା କରୁଥିଲା, ଏବେ ବିଜେପି ସରକାର ତାହା ଜାରି ରଖିଛି। ସେ ଆଦାନୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଓଡ଼ିଶା ସରକାର ଆଦାନୀଙ୍କ ପାଇଁ କାମ କରୁଛି, ନା ସାଧାରଣ ଜନତାଙ୍କ ପାଇଁ। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଆଦାନୀ ପରିବାର ପାଇଁ ରଥ ଅଟକାଇ ଦିଆଗଲା ବୋଲି ଅଭିଯୋଗ କରି ବିଜେପି ସରକାରଙ୍କୁ କଟାକ୍ଷ କରିଛନ୍ତି।
ଆଦିବାସୀ ଓ ଚାଷୀଙ୍କ ପାଇଁ ସମର୍ଥନ
ରାହୁଲ ଗାନ୍ଧୀ ଓଡ଼ିଶାରେ ଆଦିବାସୀ ଓ ଚାଷୀଙ୍କ ଅଧିକାର ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି, “ଓଡ଼ିଶାରେ ଜଳ, ଜଙ୍ଗଲ ଓ ଜମି ଆଦିବାସୀଙ୍କର ଥିଲା ଓ ରହିବ। କିନ୍ତୁ ପେସା ଆଇନ ଲାଗୁ ନକରି ଆଦିବାସୀଙ୍କୁ ସେମାନଙ୍କ ଜମିରୁ ହଟାଇ ଦିଆଯାଉଛି। ବିକାଶ କେବଳ ୨-୩ ପ୍ରତିଶତ ଧନୀ ଲୋକ କିମ୍ବା ଅରବପତିଙ୍କ ପାଇଁ ନୁହେଁ, ବରଂ ଗରିବ ଓ ଚାଷୀଙ୍କୁ ନେଇ ହେବା ଉଚିତ। ସେ ମୋଦୀ ସରକାରଙ୍କ ଫସଲ ବୀମା ଯୋଜନାକୁ ସମାଲୋଚନା କରି କହିଛନ୍ତି ଯେ, ଏହା ଗରିବ ଚାଷୀଙ୍କ ଠାରୁ ପଇସା ନେଇ ବଡ଼ କମ୍ପାନୀଙ୍କୁ ଦେଉଛି, କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଚାଷୀଙ୍କୁ କୌଣସି ସହାୟତା ମିଳୁନାହିଁ।
ମହିଳା ନିର୍ଯାତନା ଓ ରୋଜଗାର ଉପରେ ପ୍ରଶ୍ନ
ରାହୁଲ ଗାନ୍ଧୀ ଓଡ଼ିଶାରେ ମହିଳା ନିର୍ଯାତନା ଓ ରୋଜଗାର ଅଭାବ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ୪୦ ହଜାରରୁ ଅଧିକ ମହିଳା ନିଖୋଜ ହୋଇଛନ୍ତି ଏବଂ ପ୍ରତିଦିନ ୧୫ ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି। କିନ୍ତୁ ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ଏହି ସରକାର ୫-୬ ଜଣ କୋଟିପତିଙ୍କ ପାଇଁ କାମ କରୁଛି, ନା ସାଧାରଣ ଜନତାଙ୍କ ପାଇଁ କାର୍ଯ୍ୟ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ଜାତି ଜନଗଣନା ପାଇଁ ଜୋରଦାର ଦାବି
ରାହୁଲ ତେଲେଙ୍ଗାନାରେ କଂଗ୍ରେସ ସରକାର ଦ୍ୱାରା କରାଯାଇଥିବା ଜାତି ଜନଗଣନାର ସଫଳତାକୁ ଉଲ୍ଲେଖ କରି କହିଛନ୍ତି ଯେ, ଓଡ଼ିଶାରେ ମଧ୍ୟ ଜାତି ଜନଗଣନା କରାଯିବା ଉଚିତ, ଯାହା ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବ। ସେ ଓଡ଼ିଶା କଂଗ୍ରେସ ନେତା ଭକ୍ତ ଦାସ ଓ ଅଜୟ ଲଲୁଙ୍କୁ ଜନତାଙ୍କୁ ଜାତି ଜନଗଣନାର ଗୁରୁତ୍ୱ ବୁଝାଇବାକୁ ନିର୍ଦ୍ଦେଶ ଦେବା ସହ ଏହା ଆମ ପାଇଁ ବଡ଼ ଅସ୍ତ୍ର ବୋଲି କହିଛନ୍ତି।
ଡ୍ରାଇଭର ସଂଘର ଆନ୍ଦୋଳନକୁ ସମର୍ଥନ
ରାହୁଲ ଗାନ୍ଧୀ ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ସରକାର ଡ୍ରାଇଭର ସଂଘ ଉପରେ ଚାପ ପକାଇ ସେମାନଙ୍କୁ ଡରାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ କଂଗ୍ରେସର ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି। ସେ ଡ୍ରାଇଭର ସଂଘର ସମସ୍ତ ଦାବି ପୂରଣ ହେବା ଉଚିତ ବୋଲି କହିଛନ୍ତି।
କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ
ବରମୁଣ୍ଡା ପଡ଼ିଆରେ ଆୟୋଜିତ ଜନସଭାରେ ରାହୁଲ ଗାନ୍ଧୀଙ୍କୁ ଦେଖିବା ପାଇଁ ହଜାର ହଜାର କଂଗ୍ରେସ କର୍ମୀ ଓ ସମର୍ଥକ ଏକତ୍ରିତ ହୋଇଥିଲେ। କଂଗ୍ରେସ କର୍ମୀମାନେ ରାହୁଲଙ୍କୁ କ୍ଷୀରରେ ‘ମହାସ୍ନାନ’ କରାଇ ତାଙ୍କୁ ସ୍ୱାଗତ କରିଥିଲେ, ଯାହା ଓଡ଼ିଶାରେ ନାରୀ ନିର୍ଯାତନା ଭଳି ଘଟଣା ବିରୋଧରେ ଏକ ପ୍ରତୀକାତ୍ମକ ପ୍ରତିବାଦ ବୋଲି କୁହାଯାଇଛି।
ସରକାରଙ୍କ ନିଷ୍କ୍ରିୟତାକୁ ନେଇ ବର୍ଷିଲେ ଖଡଗେ
ଗଞ୍ଜାମରେ ଦଳିତଙ୍କ ଉପରେ ଆକ୍ରମଣ ହେଲା। ଅଫିସରଙ୍କୁ ବିଜେପି ସମର୍ଥକଙ୍କ ଦ୍ବାରା ଆକ୍ରମଣ କରାଯାଉଛି । ଓଡ଼ିଶାରେ ବାଲି ଓ ଜଙ୍ଗଲ ବିକି ଏ ସରକାର କମିଶନ ଖାଉଛନ୍ତି ବୋଲି
ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରେ ୧୧ ମାସରେ ୨୮ହଜାର ମହିଳା ଓ ଶିଶୁଙ୍କ ଉପରେ ଅତ୍ୟାଚାର ହୋଇଛି। ରାଜ୍ୟ ସରକାର ବାଲି ଓ ଜଙ୍ଗଲ ବିକ୍ରି କରି କମିଶନ ଖାଉଛନ୍ତି। ରଥଯାତ୍ରାରେ ତିନି ଜଣଙ୍କ ମୃତ୍ୟୁ ଓ ଅନେକଙ୍କ ଆହତ ହେଲେ। ଧନୀ ଲୋକଙ୍କ ପାଇଁ ରଥ ଅଟକିଗଲା। ଭଗବାନ କ'ଣ କେବଳ ଧନୀଙ୍କ ପାଇଁ ବୋଲି ଖଡଗେ ଅଭିଯୋଗ କରିବା ସହ ବିଜେପି ସରକାରଙ୍କୁ ସମ୍ବେଦନହୀନ ବୋଲି କହି ବର୍ଷିଛନ୍ତି । ଓଡ଼ିଶାରେ କଂଗ୍ରେସ ଏକତା ରକ୍ଷା ପାଇଁ ଲଢୁଛି ଓ ଜନତାଙ୍କ ପାଇଁ ସ୍ୱର ଉଠାଉଛି ବୋଲି ଖଡଗେ କହିଛନ୍ତି।
ରାଜ୍ୟ କଂଗ୍ରେସ ପାଇଁ ନୂଆ ଉଦ୍ୟମ
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ କହିଛନ୍ତି ଯେ, ରାହୁଲଙ୍କ ଏହି ଗସ୍ତ ରାଜ୍ୟରେ କଂଗ୍ରେସକୁ ମଜବୁତ କରିବାରେ ଏକ ‘ବୁଷ୍ଟର ଡୋଜ’ ଭାବେ କାମ କରିବ। ବିଜେପି ସରକାର ଅନେକ ବିବାଦରେ ଜଡ଼ିତ ଥିବା ସେ ଅଭିଯୋଗ କରି କହିଛନ୍ତି ଯେ, ବିଜେଡ଼ି ମୁଖ୍ୟ ବିରୋଧୀ ଦଳ ଭାବେ ନିଜ ଭୂମିକା ତୁଲାଇବାରେ ବିଫଳ ହୋଇଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହେବାକୁ ଚେଷ୍ଟା କରୁଛି।
ରାହୁଲଙ୍କ ଓଡ଼ିଶା ଗସ୍ତକୁ ବିଜେପିର କଟାକ୍ଷ: ଏହା ‘ସମ୍ବିଧାନ ବଞ୍ଚାଅ’ ନୁହେଁ, କଂଗ୍ରେସ ବଞ୍ଚାଅ’ ଅଭିଯାନ
ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ କଟାକ୍ଷ କରି କହିଛନ୍ତି ଯେ, ଏହା କଂଗ୍ରେସର ସମ୍ବିଧାନ ବଞ୍ଚାଅ ନୁହେଁ ବରଂ କଂଗ୍ରେସ ବଞ୍ଚାଅ ଅଭିଯାନ। କଂଗ୍ରେସ ଓଡ଼ିଶାରେ ହତାଶ ଓ ଜନତାଙ୍କଠାରୁ ଦୂରେଇ ଯାଇଛି। ନିର୍ବାଚନରେ କଂଗ୍ରେସର ଭୋଟ ପ୍ରତିଶତ କମୁଛି, ସାଂସଦ ସଂଖ୍ୟା ତିନି ଅଙ୍କରେ ପହଞ୍ଚି ପାରୁନି। କଂଗ୍ରେସ ଗଣତନ୍ତ୍ରର କଥା କହୁଛି, କିନ୍ତୁ ନିଜ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ। ନେହେରୁଙ୍କ ସମୟରୁ ଇନ୍ଦିରା, ରାଜୀବ ଓ ଏବେ ଗାନ୍ଧୀ ପରିବାର ଦଳକୁ ନିୟନ୍ତ୍ରଣ କରୁଛି। ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ସମ୍ବିଧାନକୁ ଦୁର୍ବଳ କରାଯାଇଥି ଲା। ୪୨ତମ ସଂଶୋଧନରେ ସମ୍ବିଧାନର ମୁଖବନ୍ଧ ବିନା ଆଲୋଚନାରେ ବଦଳାଯାଇଥିଲା। ରାହୁଲ କ୍ୟାବିନେଟ ଅଧ୍ୟାଦେଶ ଚିରି ଫାଡ଼ିଥିବା ଅଭିଯୋଗ ସହ କଂଗ୍ରେସ ସମ୍ବିଧାନର ଅପବ୍ୟବହାର କରି ରାଜ୍ୟ ସରକାରମାନଙ୍କୁ ଭାଙ୍ଗିଛି। ମୋଦୀ ସରକାର ଓଡ଼ିଶାକୁ ସମର୍ଥନ କରୁଥିବାବେଳେ ମନମୋହନ ସରକାର ଓଡ଼ିଶାକୁ ଅଣଦେଖା କରିଥିଲେ। ଖଡ଼ଗେଙ୍କ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ବୟାନ ନିନ୍ଦନୀୟ, ଓଡ଼ିଶାବାସୀଙ୍କ ଆଗରେ କ୍ଷମା ମାଗନ୍ତୁ ବୋଲି ବିଜେପି ଉପସଭାପତି ଶ୍ରୀ ତ୍ରିପାଠୀ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
