Advertisment

ଇଣ୍ଡିଆ ମେଣ୍ଟରେ ଫାଟ: ନୀତୀଶ କୁମାରଙ୍କୁ ଫୋନ କରି ବୁଝାଇଲେ ରାହୁଲ ଗାନ୍ଧି

ନୀତୀଶ ରାଗି ଥିବାରୁ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି।

INDIA

INDIA

Advertisment

ବିଜେପି ସହ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଥିବା ବିରୋଧ ମେଣ୍ଟ ଇଣ୍ଡିଆରେ ସବୁ କିଛି ଠିକ ଠାକ ଚାଲି ନାହିଁ। ନିକଟରେ ମେଣ୍ଟର ୪ର୍ଥ ବୈଠକରେ ବିଭିନ୍ନ ଦଳର ସଦସ୍ୟଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଖବର ମିଳିଥିଲା। ବିଶେଷ କରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୈଠକରେ ଡିଏମକେ ସଦସ୍ୟଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରିଥିଲେ। ନୀତୀଶ କୁମାର ଖପ୍ପା ହୋଇଥିବାରୁ ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ଯୋଗ ଦେଇ ନଥିଲେ।

Advertisment

ନୀତୀଶ ରାଗି ଥିବାରୁ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଗୁରୁବାର ସନ୍ଧ୍ୟାରେ ରାହୁଲ ଗାନ୍ଧି ଫୋନ କରି ବେଶ କିଛି ସମୟ ନୀତୀଶ କୁମାରଙ୍କ ସହ କଥା ହୋଇଛନ୍ତି। ତେବେ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ। କିନ୍ତୁ କୁହାଯାଉଛି ଯେ ବୁଧବାର ବୈଠକରେ ହୋଇଥିବା ତିକ୍ତତା ସମ୍ପର୍କରେ ଉଭୟ କଥାବାର୍ତ୍ତା ହୋଇଛନ୍ତି।

ନୀତୀଶ କୁମାର ଇଣ୍ଡିଆ ମେଣ୍ଟର ଗଠନ ପଛରେ ଥିବା ବେଳେ ତାଙ୍କ ନାଁକୁ ଆବାହକ କିମ୍ବା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ବିଚାରକୁ ନିଆଯାଇ ନାହିଁ। ବୁଧବାର ବୈଠକରେ ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିୱାଲ ଖୋଲାଖୋଲି ଭାବେ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କଂଗ୍ରେସ ବସ୍‌ ମଲ୍ଲିକାର୍ଜୁନ ଖଡଗେ ହେବା ଦରକାର ବୋଲି କହିଥିଲେ। ଅବଶ୍ୟ ଏହାକୁ ଖଡଗେ ବିନମ୍ରତାର ସହ ଅଗ୍ରାହ୍ୟ କରି ଦେଇଛନ୍ତି। ତଥାପି ବୈଠକରେ ଖଡଗେଙ୍କ ସପକ୍ଷରେ ଆସିଥିବା ପ୍ରସ୍ତାବ ନୀତୀଶଙ୍କୁ ବ୍ୟଥିତ କରିଛି।

Advertisment

ଏହାବାଦ ଇଣ୍ଡିଆ ମେଣ୍ଟର ସଦସ୍ୟଙ୍କ ସହ ବିଭିନ୍ନ କାରଣ ପାଇଁ ବୈଠକରେ ନୀତୀଶ କୁମାରଙ୍କ ତିକ୍ତତା ଦେଖିବାକୁ ମିଳିଥିଲା। ନୀତୀଶ କୁମାର ଇଣ୍ଡିଆ ମେଣ୍ଟର ନାଁ ଭାରତ କରିବାକୁ ଚାହୁଁଥିଲେ। କିନ୍ତୁ ଏହାକୁ ସୋନିଆ ଗାନ୍ଧି ଅଗ୍ରାହ୍ୟ କରି ଦେଇଥିଲେ। ଆରଜେଡି ନେତା ମନୋଜ ଝା ଓ ଡିଏମକେ ନେତାଙ୍କ ଉପରେ ମଧ୍ୟ ନୀତୀଶ କୁମାର ଖପ୍ପା ହୋଇଥିଲେ।

ନୀତୀଶ କୁମାର ହିନ୍ଦୀରେ କହୁଥିବା ବେଳେ ଏହାକୁ ତାମିଲ ଭାଷାରେ ଅନୁବାଦ କରି ଶ୍ରୀ ଝା ଡିଏମକେ ନେତାଙ୍କୁ ବୁଝାଉଥିଲେ। ଏହାକୁ ନୀତୀଶ କୁମାର ବିରୋଧ କରିବା ସହ ଡିଏମକେ ନେତାମାନଙ୍କୁ ହିନ୍ଦୀ ଶିଖିବା ପାଇଁ କହିଥିଲେ।

ନିକଟରେ ଶେଷ ହୋଇଥିବା ହିନ୍ଦୀ ହାର୍ଟଲ୍ୟାଣ୍ଡ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଓ ଇଣ୍ଡିଆ ମେଣ୍ଟର ସଦସ୍ୟଙ୍କ ସହ ତିକ୍ତତା ପାଇଁ ନୀତୀଶ କୁମାର ହାତ ଦଳ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସକୁ ହାରିବାକୁ ପଡ଼ିଥିଲା।

ହେଲେ ନୀତୀଶ କୁମାରଙ୍କ କହିବା କଥା ଯେ ଯଦି ସିଟ ଶେୟାରିଂ ଫର୍ମୁଲା ଠିକ ଭାବେ କାର୍ଯ୍ୟକାରୀ ହୋଇଥାଆନ୍ତା, ତା’ହେଲେ ବିଜେପି ହାରି ଥାଆନ୍ତା। କଂଗ୍ରେସ ପାଇଁ ସିଟ ଶେୟାରିଂ ଫର୍ମୁଲା କାର୍ଯ୍ୟକାରୀ ହୋଇ ନଥିଲା ବୋଲି ନୀତୀଶ କୁମାର ମତ ରଖିଥିଲେ। 

ବୈଠକରେ ଜେଡିୟୁ, ଟିଏମସି ଓ ସମାଜବାଦୀ ପାର୍ଟି ମିଳିତ ଭାବେ କଂଗ୍ରେସକୁ ସିଟ ଶେୟାରିଂ ଫର୍ମୁଲା ଉପରେ କାମ କରିବାକୁ କହିଛନ୍ତି। ବିଶେଷ କରି ଆଞ୍ଚଳିକ ଦଳ ଗୁଡ଼ିକ ସହ ବୁଝାମଣା କରିବାକୁ କଂଗ୍ରେସକୁ କୁହାଯାଇଛି।

ଅନ୍ୟପକ୍ଷରେ ନୀତୀଶ କୁମାର ରାଗିଥିବା କୁହାଯାଉଥିଲେ ହେଁ ଏହାକୁ ଜେଡିୟୁ ଖଣ୍ଡନ କରିଥିଲା। କିନ୍ତୁ ଏବେ ରାହୁଲ ଗାନ୍ଧି ଫୋନ କରି ନୀତୀଶଙ୍କ ସହ କଥା ହୋଇଥିବାରୁ ବୈଠକରେ ସବୁ କିଛି ଠିକଠାକ ନଥିଲା ବୋଲି କୁହାଯାଉଛି।

Rahul Gandhi Nitish Kumar Opposition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe