Rahul Gandhi
ଦେହରେ ନାଲି ଶାର୍ଟ, ମୁଣ୍ଡରେ ଠେକା ଓ ବାହୁରେ କଳା ବ୍ୟାଚ୍ ପିନ୍ଧି ଆଜି କୁଲି ବନିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଆଜି ସେ ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନକୁ ଯାଇ କୁଲି ବନିବା ସହ ମୁଣ୍ଡରେ ସୁଟକେସ୍ ମଧ୍ୟ ବୋହିଛନ୍ତି। ଏଥିସହ ସେଠାରେ କାର୍ଯ୍ୟ କରୁଥିବା କୁଲିମାନଙ୍କ ସହ ବେଶ କିଛି ସମୟ କଥା ବାର୍ତ୍ତା ହୋଇଛନ୍ତି।
ଆଜି ମଧ୍ୟାହ୍ନ ସମୟରେ ରାହୁଲ ଗାନ୍ଧି ହଠାତ୍ ଆନନ୍ଦ ବିହାର ଷ୍ଟେସନରେ କାମ କରୁଥିବା କୁଲିମାନଙ୍କ ପାଖରେ ପହଞ୍ଚିଥିଲେ। ତାଙ୍କୁ ସେଠାକାର କର୍ମଚାରୀ ମଧ୍ୟ ସ୍ୱାଗତ କରିଥିଲେ।
କୁଲିମାନେ କ’ଣ ସବୁ ସମସ୍ୟା ଭୋଗୁଛନ୍ତି ଓ ସେମାନେ କ’ଣ ସବୁ ଦାବି କରୁଛନ୍ତି, ସେକଥା ରାହୁଲ ଗାନ୍ଧି ବେଶ କିଛି ସମୟ ଧରି ରାହୁଲ ଶୁଣିଥିଲେ। ସେମାନଙ୍କ ଭଲ ମନ୍ଦ କଥା ମଧ୍ୟ ପଚାରି ବୁଝିଥିଲେ। ଏହାପରେ ସେ କୁଲିଙ୍କ ଭଳି ନାଲି ଶାର୍ଟ ଓ କଳା ବ୍ୟାଚ୍ ପିନ୍ଧି ଗୋଟିଏ ସୁଟକେସକୁ ମୁଣ୍ଡରେ ରଖି ବେଶ କିଛି ବାଟ ଚାଲିଥିଲେ।
କଂଗ୍ରେସ ପକ୍ଷରୁ ଏହାର ଫଟୋକୁ ଅଫିସିଆଲ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରାଯାଉଛି। ଏଥିରେ ରାହୁଲ ଗାନ୍ଧି ପ୍ରବଳ ଭିଡ଼ ଭିତରେ ଜଣେ ସାଧାରଣ କୁଲିଙ୍କ ଭଳି ସମସ୍ତଙ୍କ ସହ ହସଖୁସିରେ ମିଶୁଥିବା ଦେଖିବାକୁ ମିଳୁଛି। ସେ କୁଲି ଭାଇମାନଙ୍କ ସବୁ କଥା ଶୁଣୁଥିବା ଫଟୋ ବି ରହିଛି। କଂଗ୍ରେସ କହିଛି ଯେ “ଲୋକଙ୍କ ହିରୋ ରାହୁଲ ଗାନ୍ଧିଜୀ ତାଙ୍କ କୁଲି ବନ୍ଧୁମାନଙ୍କୁ ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନରେ ଆଜି ଭେଟିଛନ୍ତି।
ନିକଟରେ ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ କୁଲି ଭାଇମାନେ ରାହୁଲ ଗାନ୍ଧି ସେମାନଙ୍କୁ ଭେଟନ୍ତୁ ବୋଲି ବେଶ ଇଚ୍ଛା ପ୍ରକାଶ କରିଥିଲେ। ଆଜି ରାହୁଲ ଗାନ୍ଧି ସେମାନଙ୍କ ଗ୍ରହଣରେ ପହଞ୍ଚିଛନ୍ତି ଓ ସେମାନଙ୍କ କଥା ସବୁ ଶୁଣିଛନ୍ତି। ଭାରତ ଯୋଡ଼ୋ ଯାତ୍ରା ଜାରି ରହିଛି।”
ଏହାପୂର୍ବରୁ ରାହୁଲ ଗାନ୍ଧି ମେକାନିକମାନଙ୍କୁ ଭେଟିଥିବା ବେଳେ ଟ୍ରକ୍ ଡ୍ରାଇଭରଙ୍କ ସହ ମଧ୍ୟ ଯାତ୍ରା କରିଥିଲେ। ସେହିପରି ସେ ଲେହ-ଲଦାଖ ଯାଇ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥା ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1695291918.jpg)