Advertisment

କାଗଜପତ୍ର ଦେଖାଇ ‘ଭୋଟ ଚୋରି’ର ସବୁଠାରୁ ବଡ଼ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧି

ନିର୍ବାଚନ କମିଶନ ପକ୍ଷରୁ କଂଗ୍ରେସକୁ ୭ ଫୁଟ ଉଚ୍ଚର ଭୋଟରଙ୍କ ସହ ଜଡ଼ିତ କାଗଜପତ୍ର ଦିଆଯାଇଥିଲା। ଦୀର୍ଘ ୬ ମାସ ଧରି କର୍ଣ୍ଣାଟକାର ଗୋଟିଏ ନିର୍ବାଚନ ମଣ୍ଡଳୀର ତଥ୍ୟକୁ ଯାଞ୍ଚ କରି ରାହୁଲ ଗାନ୍ଧି ଆଜି କାଗଜପତ୍ର ସହ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଛନ୍ତି।

Rahul Gandhi

Rahul Gandhi

Advertisment

ଭାରତୀୟ ନିର୍ବାଚନ କମିଶନ ଓ କ୍ଷମତାସୀନ ବିଜେପି ବିରୋଧରେ ‘ଭୋଟ ଚୋରି’ର ସବୁଠାରୁ ବଡ଼ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ବିଜେପି ସହ ମିଶି ନିର୍ବାଚନ କମିଶନ ଦେଶର ନିର୍ବାଚନକୁ ଚୋରି କରିବାରେ ଲାଗିଛନ୍ତି। ନିର୍ବାଚନ କମିଶନ ଦେଶର ଗଣତନ୍ତ୍ରକୁ ଧ୍ୱଂସ କରି ଚାଲିଛନ୍ତି ବୋଲି ରାହୁଲ ଗାନ୍ଧି କହିଛନ୍ତି। ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ଯେ ଭୋଟର ତାଲିକାରେ ନକଲି ଲୋକଙ୍କୁ ସାମିଲ କରାଯାଇଥିଲା। ଏହାକୁ ପ୍ରମାଣିତ କରିବା ପାଇଁ ସେ ନିର୍ବାଚନ କମିଶନ ଦେଇଥିବା କର୍ଣ୍ଣାଟକା ଭୋଟର ତାଲିକାକୁ ମଧ୍ୟ ସର୍ବସମ୍ମୁଖରେ ଉପସ୍ଥାପନ କରିଛନ୍ତି।

Advertisment

ନିର୍ବାଚନ କମିଶନ ପକ୍ଷରୁ କଂଗ୍ରେସକୁ ୭ ଫୁଟ ଉଚ୍ଚର ଭୋଟରଙ୍କ ସହ ଜଡ଼ିତ କାଗଜପତ୍ର ଦିଆଯାଇଥିଲା। ଦୀର୍ଘ ୬ ମାସ ଧରି କର୍ଣ୍ଣାଟକାର ଗୋଟିଏ ନିର୍ବାଚନ ମଣ୍ଡଳୀର ତଥ୍ୟକୁ ଯାଞ୍ଚ କରି ରାହୁଲ ଗାନ୍ଧି ଆଜି କାଗଜପତ୍ର ସହ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଛନ୍ତି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଦାବି କରିଛନ୍ତି ଯେ ବେଙ୍ଗେଲୁରୁ ସେଣ୍ଟ୍ରାଲ ଲୋକସଭା ଆସନ ଅଧୀନରେ ଥିବା ମହାଦେବପୁରା ବିଧାନସଭା ଆସନରେ ଭୟଙ୍କର ଭୋଟ ଚୋରି ହୋଇଛି।

କର୍ଣ୍ଣାଟକା ଲୋକସଭା ନିର୍ବାଚନରେ ଚୋରି ?

ରାହୁଲ ଗାନ୍ଧି ଦାବି କରିଛନ୍ତି ଯେ ମହାଦେବପୁର ବିଧାନସଭା ଆସନର ମୋଟ ୬.୫ ଲକ୍ଷ ଭୋଟରୁ ସେଠାରେ ୧ ଲକ୍ଷରୁ ଅଧିକ ଭୋଟ ଚୋରି ହୋଇଥିଲା। ସେ କହିଛନ୍ତି, “କଂଗ୍ରେସ ପକ୍ଷରୁ କରାଯାଇଥିବା ଗୋଟିଏ ଆଭ୍ୟନ୍ତରୀଣ ଯାଞ୍ଚରୁ କର୍ଣ୍ଣାଟକାର ମହାଦେବପୁର ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷରୁ ଅଧିକ ନକଲି ଭୋଟର, ଠିକଣା ନଥିବା ଭୋଟର, ଗୋଟିଏ ଘରେ ଶତାଧିକ ଭୋଟର ଠାବ ହୋଇଛନ୍ତି। ନକଲି ଫଟୋ ଓ ଫର୍ମ ୬ର ମଧ୍ୟ ହେରଫେର କରାଯାଇଛି।”

Advertisment

ବେଙ୍ଗାଲୁରୁ ସେଣ୍ଟ୍ରାଲରେ ୨୦୨୪ ଲୋକସଭା ନିର୍ବାଚନ ବେଳେ ଜୋରଦାର ଲଢ଼େଇ ହୋଇଥିଲା। କଂଗ୍ରେସ ପ୍ରାର୍ଥୀ ମନସୁର ଅଲୀ ଖାନ ଆରମ୍ଭରୁ ଲିଡରେ ଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ବିଜେପିର ପିସି ମୋହନ ୩୨,୭୦୭ ଖଣ୍ଡ ଭୋଟରେ ବାଜି ମାରି ନେଇଥିଲେ। କଂଗ୍ରେସ ୬,୨୬,୨୦୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୬.୫୮,୯୧୫ ଖଣ୍ଡ ଭୋଟ ପାଇଥିଲା। ଶ୍ରୀ ଗାନ୍ଧିଙ୍କ କହିବା କଥା ଯେ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ଏହା ଅଧୀନରେ ଥିବା ୭ଟିରୁ ୬ଟି ଆସନ ଜିତିଥିବା ବେଳେ ମହାଦେବପୁରାରେ ହାରିଥିଲା। ଦଳ ଏଠାରେ ୧,୧୪,୦୦୦ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲା।

ଏହି ନିର୍ବାଚନ ମଣ୍ଡଳୀରେ ଫେକ ଭୋଟର ଜରିଆରେ ବିଜେପି ଜିତିଥିବା ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି। ପରାଜୟ ପରେ କଂଗ୍ରେସ ପକ୍ଷରୁ ଏଠାକାର ଭୋଟର ତାଲିକାକୁ ଯାଞ୍ଚ କରାଯାଇଥିଲା। ଏଠାରେ ୧,୦୦,୨୫୦ଟି ଭୋଟ ଚୋରି ହୋଇଥିବା ରାହୁଲ କହିଛନ୍ତି। ଏନେଇ ରାହୁଲ ପ୍ରମାଣ ମଧ୍ୟ ଦେଖାଇଛନ୍ତି। ସେ କହିଛନ୍ତି, ଏଠାରେ ୧୧,୯୬୫ ଜଣ ନକଲି ଭୋଟର ରହିଥିବା ବେଳେ ନକଲି ଓ ଅସ୍ଥିତ୍ୱ ନଥିବା ଠିକଣାରେ ୪୦,୦୦୯ ଜଣ ଭୋଟର ପଞ୍ଜିକୃତ ହୋଇଛନ୍ତି।

ସେହିପରି ଗୋଟିଏ ଠିକଣାରେ ୧୦,୪୫୨ ଜଣ ଭୋଟର ଓ ୪,୧୩୨ ଜଣ ଭୋଟରଙ୍କ ଫୋଟ ନାହିଁ। ପ୍ରଥମଥର ଭୋଟ ଦେବାକୁ ଥିବା ଯୁବଗୋଷ୍ଠୀ ପାଇଁ ଫର୍ମ ୬ର ବ୍ୟବସ୍ଥା ରହିଛି। କିନ୍ତୁ ଏହି ଫର୍ମରେ ବରିଷ୍ଠ ନାଗରିକମାନେ ନିଜକୁ ପ୍ରଥମଥର ଭୋଟର ଭାବେ ଦର୍ଶାଇଛନ୍ତି। ଫର୍ମ ୬କୁ ହେରଫେର କରିଥିବା ଭୋଟରଙ୍କ ସଂଖ୍ୟା ୩୩,୬୯୨ ବୋଲି ରାହୁଲ କାଗଜ ଦେଖାଇଛନ୍ତି।

ଏହାବାଦ ଜଣେ ଭୋଟରଙ୍କ ନାଁ କେମିତି ଏକାଧିକ ବୁଥରେ ରହିଛି, ତାଲିକାରେ ଥିମା ଜଣେ ମହିଳା କେମିତି ୨ ଥର ଭୋଟ ଦେଇଛନ୍ତି, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକାରେ ଜଣେ ବ୍ୟକ୍ତିଙ୍କ ଭୋଟର ଆଇଡି ଥିବା ମଧ୍ୟ ରାହୁଲ ସମସ୍ତଙ୍କ ଆଗରେ ଉପସ୍ଥାପନ କରିଛନ୍ତି।

ବୈଦ୍ୟୁତିକ ଫର୍ମାଟରେ ଭୋଟରଙ୍କ ତଥ୍ୟ ଦେବାକୁ ଦାବି

ରାଏବରେଲୀରୁ ସାଂସଦ ହୋଇଥିବା ରାହୁଲ ଗାନ୍ଧି ବୈଦ୍ୟୁତିକ ଫର୍ମାଟରେ ଭୋଟରଙ୍କ ତଥ୍ୟ ଦେବାକୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି ରଖିଛନ୍ତି। ନିର୍ବାଚନ କମିଶନ ବୈଦ୍ୟୁତିକ ଫର୍ମାଟରେ ଭୋଟରଙ୍କ ତଥ୍ୟ ଦେଉ ନଥିବାରୁ ରାହୁଲ ଠକେଇର ଗନ୍ଧ ବାରିଛନ୍ତି। ବୈଦ୍ୟୁତିକ ଫର୍ମାଟରେ ଭୋଟରଙ୍କ ତଥ୍ୟ ମିଳିଲେ ସବୁ ଠକେଇ ୩୦ ସେକେଣ୍ଡରେ ପର୍ଦ୍ଦାଫାସ ହୋଇଯିବ ବୋଲି ସେ କହିଛନ୍ତି।

ରାହୁଲ କହିଛନ୍ତି, “ନିର୍ବାଚନ କମିଶନ ଦେଉଥିବା ଦସ୍ତାବିଜ ବେଶ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। କାରଣ ଏହା ୭ ଫୁଟ ଉଚ୍ଚର କାଗଜ। ଯଦି ଆପଣ ଦୁଇ ଥର ଭୋଟ ଦେଇଛନ୍ତି କିମ୍ବା ଆପଣଙ୍କ ନାଁ ଦୁଇ ଥର ଭୋଟର ତାଲିକାରେ ରହିଛି କି ନାହିଁ ମୁଁ ଜାଣିବାକୁ ଚାହିଁବି, ତା’ ହେଲେ ମୋତେ ଆପଣଙ୍କ ଫଟୋ ଉଠାଇବାକୁ ପଡ଼ିବ। ଏହାପରେ ପ୍ରତିଟି କାଗଜ ସହ ଏହାକୁ ମେଳ କରିବାକୁ ପଡ଼ିବ। ଏଥିପାଇଁ କେତେ ସମୟ ଲାଗିବ ଥରେ ଭାବନ୍ତୁ।”

ସେ ଆହୁରି ଅଭିଯୋଗ କରିଛନ୍ତି ଯେ ନିର୍ବାଚନ କମିଶନ ଜାଣିଶୁଣି ଏପରି ତଥ୍ୟ ଦେଉଛନ୍ତି। କାରଣ ଭୋଟର ତଥ୍ୟ ଯାଞ୍ଚ କରା ନ ଯାଉ ବୋଲି କମିଶନ ଚାହୁଁଛନ୍ତି। ମହାଦେବପୁର ଚୋରିର ତଥ୍ୟକୁ ହାସଲ କରିବା ପାଇଁ ୬ ମାସ ସମୟ ଲାଗିଲା। ଯଦି ନିର୍ବାଚନ କମିଶନ ଆମକୁ ବୈଦ୍ୟୁତିକ ଫର୍ମାଟରେ ଭୋଟରଙ୍କ ତଥ୍ୟ ଦେବେ, ତା’ହେଲେ ସବୁ କିଛି ଯାଞ୍ଚ କରିବାକୁ ୩୦ ସେକେଣ୍ଡ ଲାଗିବ। ସେମାନେ କାହିଁକି ଏମିତି ତଥ୍ୟ ଦେଉଛନ୍ତି? ଏହାର କାରଣ ହେଲା, ସେମାନେ ଚାହୁଁ ନାହାନ୍ତି ଯେ ଆମେ ଏହାକୁ ବିଶ୍ଲେଷଣ କରୁ। ଏହି କାଗଜ ମେସିନ ଦ୍ୱାରା ଯାଞ୍ଚ ପାଇଁ ଯୋଗ୍ୟ ବିବେଚିତ ନୁହେଁ ବୋଲି ରାହୁଲ କହିଛନ୍ତି।

ଭୋଟର ତାଲିକାରେ ନକଲି ଲୋକଙ୍କୁ ସାମିଲ କରାଯାଇଛି

୨୦୨୪ ଲୋକସଭା ନିର୍ବାଚନ ବେଳେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ ଦମଦାର ପ୍ରଦର୍ଶନ କରି ବିଜେପିକୁ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଦେଇ ନଥିଲା। ବିଜେପି ୨୪୦ରେ ସୀମିତ ରହିଥିଲା। ଏଥିପାଇଁ ବିଜେପି ସରକାର ଗଠନ ପାଇଁ ନିଜର ସହଯୋଗୀଙ୍କ ଉପରେ ନିର୍ଭର କରିଥିଲା। କଂଗ୍ରେସ ୯୯ଟି ଆସନ ସହ ଇଣ୍ଡିଆ ବ୍ଲକ ମୋଟ ୨୩୫ ସିଟ ଦଖଲ କରିଛି।

ଲୋକସଭାରେ ଭଲ ପ୍ରଦର୍ଶନ କରିଥିଲେ ହେଁ କଂଗ୍ରେସ ହରିୟାଣା, ଦିଲ୍ଲୀ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଥିଲା। ଗାନ୍ଧି ଅଭିଯୋଗ କରିଛନ୍ତି ଯେ ସବୁ ରାଜନୀତିକ ଦଳ ସରକାରୀ ବିରୋଧୀ ହାୱାର ସମ୍ମୁଖୀନ ହେଉଥିବା ବେଳେ ବିଜେପି ଏହା ଦ୍ୱାରା ଆଦୌ ପ୍ରଭାବିତ ହେଉ ନାହିଁ। ସେ କହିଛନ୍ତି, “ନକଲି ଲୋକଙ୍କୁ ଭୋଟର ତାଲିକାରେ ଯୋଡ଼ା ଯାଇଥିଲା। ଏକାଧିକ କାରଣ ଯୋଗୁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ପ୍ରତିଟି ଗଣତନ୍ତ୍ରରରେ ପ୍ରତିଟି ରାଜନୀତିକ ଦଳ ବିରୋଧୀ ହାୱାର ସମ୍ମୁଖୀନ ହୁଅନ୍ତି। କିନ୍ତୁ କିଛି କାରଣ ପାଇଁ ବିଜେପି ଗଣତାନ୍ତ୍ରିକ ରାଷ୍ଟ୍ରରେ ଏକମାତ୍ର ଦଳ ଯିଏ ସରକାରୀ ବିରୋଧୀ ହାୱାର ସମ୍ମୁଖୀନ ହେଉ ନାହିଁ।

ଏକଜିଟ ପୋଲ ଠାରୁ ଆରମ୍ଭ କରି ଲୋକଙ୍କ ମତାମତ ଗୋଟିଏ କଥା କହୁଥିବା ବେଳେ ଆପଣମାନେ ହରିୟାଣା ଓ ମହାରାଷ୍ଟ୍ରରେ କ’ଣ ହେଲା, ସେକଥା ଦେଖିଲେ। ହଠାତ୍‌ ଦୁଇ ରାଜ୍ୟର ରେଜଲ୍ଟ ବଦଳି ଗଲା। ଭୋଟର ତାଲିକାରେ ଏମିତି ଲୋକ ଅଛନ୍ତି ଯେଉଁମାନଙ୍କ ନାଁ ହରିୟାଣା, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ରହିଛି। ୪ଟି ବୁଥରେ ଗୋଟିଏ ଲୋକର ନାଁ ରହୁଛି।” ରାହୁଲ ନିଜର ଦାବିକୁ ପ୍ରମାଣିତ କରିବା ପାଇଁ କାଗଜପତ୍ର ମଧ୍ୟ ଦେଖାଇଛନ୍ତି।

ରାହୁଲ ଗାନ୍ଧି ଆହୁରି କହିଛନ୍ତି ଯେ “ନିର୍ବାଚନ କମିଶନ ବିଧାନସଭା ନିର୍ବାଚନର ସେଡ୍ୟୁଲ ନିଜ ଇଚ୍ଛାରେ ବଦଳାଉ ଥିବାରୁ ଆମର ସନ୍ଦେହ ବଢ଼ିଥିଲା। ୫ ବର୍ଷ ତୁଳନାରେ ୫ ମାସରେ ମହାରାଷ୍ଟ୍ରରର ଭୋଟର ସଂଖ୍ୟା ଦୁଇ ଗୁଣ ହୋଇଯାଇଥିଲା। ଲୋକସଭା ନିର୍ବାଚନରେ ଆମ ମେଣ୍ଟ ଜିତିଥିଲା। କିନ୍ତୁ ବିଧାନସଭା ନିର୍ବାଚନରେ ଆମର ଧଜିଆ ଉଡ଼ି ଯାଇଥିଲା। ବିଧାନସଭା ନିର୍ବାଚନରେ ୧ କୋଟି ନୂଆ ଭୋଟର ଭୋଟ ଦେଇଥିଲେ। ନିର୍ବାଚନ କମିଶନ କହିଥିଲେ ଯେ ୫.୩୦ ପରେ ବହୁତ ଭୋଟିଂ ହୋଇଥିଲା। କିନ୍ତୁ ଆମ ବୁଧ ଏଜେଣ୍ଟ କହିଥିଲେ ଯେ ସେମିତି କିଛି ବି ହୋଇନି। ମହାରାଷ୍ଟ୍ରରେ ଆମେ ପ୍ରଥମଥର କିଛି ହେରଫେର ହୋଇଥିବା ଅନୁଭବ କରିଥିଲୁ। ଏହାପରେ ଯାଞ୍ଚ ଆରମ୍ଭ ହୋଇଥିଲା।

କର୍ଣ୍ଣାଟକାରେ ଆମେ ୧୬ଟି ଲୋକସଭା ଆସନ ଜିତିବୁ ବୋଲି ସର୍ଭେରୁ ଜାଣିଥିଲୁ। କିନ୍ତୁ ଆମେ ୯ଟିରେ ଜିତିଲୁ। ହଠାତ୍‌ ୭ଟିରେ ଆମକୁ ଅପ୍ରତ୍ୟାଶିତ ପରାଜୟ ମିଳିଥିଲା। ଏହାପରେ ପରାଜୟର କାରଣ ଜାଣିବା ପାଇଁ ଆମେ ଗୋଟିଏ ଲୋକସଭା ଆସନ ଚୟନ କରିଥିଲୁ। କିନ୍ତୁ ଆମ ଟିମ ଗୋଟିଏ ବିଧାନସଭା ଆସନ ଉପରେ ଫୋକସ କରିବାକୁ ପରାମର୍ଶ ଦେଇଥିଲେ।

ତେଣୁ ଆମେ ମହାଦେବପୁରର ଭୋଟର ତାଲିକା ଯାଞ୍ଚ କରିଥିଲୁ। ଏହି ସମୟରେ ୧,୦୦,୨୫୦ ଖଣ୍ଡ ଭୋଟ ୫ଟି ଉପାୟରେ ଚୋରି ହୋଇଥିବା ଜଣାପଡ଼ିଛି। ନକଲି ଭୋଟର, ନକଲି ଓ ବୈଧ ନଥିବା ଠିକଣା, ଗୋଟିଏ ଠିକଣାରେ ମେଞ୍ଚାଏ ଲୋକଙ୍କୁ ଦେଖାଇ ଭୋଟର ତାଲିକା ପ୍ରସ୍ତୁତ ଓ ଫର୍ମ ୬ର ହେରଫେର ଜରିଆରେ ଚୋରି ହୋଇଥିବା ସ୍ପଷ୍ଟ ହୋଇଛି।”

ଭୋଟ ଚୋରିର ତଥ୍ୟ ଉପସ୍ଥାପନ କରିବା ପରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ କର୍ଣ୍ଣାଟକାରେ ଗୋଟିଏ ଶୋଭାଯାତ୍ରା ହେବ ବୋଲି ରାହୁଲ ଗାନ୍ଧି ଘୋଷଣା କରିଛନ୍ତି। ଇସିଆଇଙ୍କ ବିରୋଧରେ କଂଗ୍ରେସ ଏପରି ଶୋଭାଯାତ୍ର କରିବ।

ଅନ୍ୟପକ୍ଷରେ କର୍ଣ୍ଣାଟକା ନିର୍ବାଚନ ଅଧିକାରୀ ଏପରି ଅଭିଯୋଗକୁ ଗୁରୁତ୍ୱର ସହ ନେଇଛନ୍ତି। ରାହୁଲ ଗାନ୍ଧି ଗୋଟିଏ ସତ୍ୟପାଠ ଜରିଆରେ ନିଜ ଅଭିଯୋଗ ଦାଖଲ କରନ୍ତୁ ଓ କଂଗ୍ରେସ ଭୋଟ ଚୋରି ବା ଠକେଇ ନେଇ କୌଣସି ଅଭିଯୋଗ କରି ନଥିବା ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି।

Bjp Congress Rahul Gandhi Eci
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe