Advertisment

ମହିଳା ସଂରକ୍ଷଣ ବିଲ: କଂଗ୍ରେସ ୧୦୦% ଅନୁତପ୍ତ ବୋଲି କହିଲେ ରାହୁଲ ଗାନ୍ଧି

ସୀମା ପୁନଃନିର୍ଦ୍ଧାରଣ ଓ ଜନ ଗଣନା ପରେ ବିଲ୍‌ରେ ଥିବା ବ୍ୟବସ୍ଥା ଲାଗୁ ହେବ ବୋଲି ସରକାର କହିଥିବାରୁ ଏହାକୁ ମଧ୍ୟ ବିରୋଧୀ ବିରୋଧ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

କ୍ଷମତାରେ ଥିବା ବେଳେ ମହିଳା ସଂରକ୍ଷଣ ବିଲ୍ କଂଗ୍ରେସ ପାରିତ କରି ପାରି ନଥିଲା। ଏଥିସହ ଦଳ ଆଣିଥିବାର ମହିଳା ସଂରକ୍ଷଣ ବିଲ୍‌ରେ ଓବିସିଙ୍କ କୋଟାକୁ ସାମିଲ କରିପାରି ନଥିଲା। ଏଥିପାଇଁ ଏବେ ଦଳ ୧୦୦% ଅନୁତପ୍ତ ବୋଲି କହିଛନ୍ତି ରାହୁଲ ଗାନ୍ଧି।

Advertisment

ଓବିସି ସଂପ୍ରଦାୟର ମହିଳାମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ହେଉଥିବା ଦାବିକୁ ତାଙ୍କ ଦଳ ଏବେ ଗ୍ରହଣ କରିଛି। ୨୦୧୦ରେ କଂଗ୍ରେସ ଆଣିଥିବା ବିଲରେ ଓବିସି ସଂପ୍ରଦାୟର ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା ନଥିଲା।

ରାହୁଲ ଗାନ୍ଧି କହିଛନ୍ତି, “୧୦୦%, ଆମେ ୧୦୦% ଅନୁତପ୍ତ। ତେବେ ବିଜେପି ମହିଳା ସଂରକ୍ଷଣ ବିଲ୍‌ ଲାଗୁ କରିବାକୁ ଆହୁରି ୬ ବର୍ଷ ସମୟ ନେବ। ଏହା ଠିକ ନୁହେଁ।” ୨୦୧୦ରେ କଂଗ୍ରେସ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍‌ ପାରିତ କରିଥିଲା।

Advertisment

ତେବେ ଲୋକସଭାରେ ଏହା ଆଗତ ହେବା ସମୟରେ ସମାଜବାଦୀ ପାର୍ଟି ଓ ଆରଜେଡି ଓବିସି ସଂପ୍ରଦାୟର ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଦାବି କରିଥିଲେ। କଂଗ୍ରେସ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିବାରୁ ସପା ଓ ଆରଜେଡି ସମର୍ଥନ ପ୍ରତ୍ୟାହାର କରି ନେଇଥିଲା। ଫଳରେ ଲୋକସଭାରେ ଆଉ ଏହି ବିଲ୍‌ ଆଗତ ହୋଇ ପାରି ନଥିଲା।

ଏବେ କଂଗ୍ରେସ ମହିଳା ସଂରକ୍ଷଣ ବିଲ୍‌ରେ ଓବିସିଙ୍କ ପାଇଁ ବ୍ୟବସ୍ଥା କରିବାକୁ ଦାବି କରିଛି। ଏହାକୁ କିନ୍ତୁ ବିଜେପି ଗ୍ରହଣ କରୁ ନାହିଁ। କଂଗ୍ରେସ ମଧ୍ୟ ଓବିସି ସଂରକ୍ଷଣକୁ ଗ୍ରହଣ କରି ନଥିବାରୁ ରାହୁଲ ଗାନ୍ଧି ଦୁଃଖପ୍ରକାଶ କରିଛନ୍ତି।

ଏଥିସହ ସୀମା ପୁନଃନିର୍ଦ୍ଧାରଣ ଓ ଜନ ଗଣନା ପରେ ବିଲ୍‌ରେ ଥିବା ବ୍ୟବସ୍ଥା ଲାଗୁ ହେବ ବୋଲି ସରକାର କହିଥିବାରୁ ଏହାକୁ ମଧ୍ୟ ବିରୋଧୀ ବିରୋଧ କରିଛନ୍ତି।

ରାହୁଲ ଗାନ୍ଧି ଆଜି କହିଛନ୍ତି, “ବିଲ୍‌କୁ କାର୍ଯ୍ୟକାରୀ କରିବାକୁ ୧୦ ବର୍ଷ କିମ୍ବା ତା’ ଠାରୁ ଅଧିକ ସମୟ ଲାଗି ପାରେ। ଏହା ଲାଗୁ ହେବ ନା ନାହିଁ, ସେକଥା ମଧ୍ୟ ଆମେ ଜାଣି ନାହୁଁ। କିଛି ଦିନ ତଳେ ବେଶ ରାଜକୀୟ ଷ୍ଟାଇଲରେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେଲା। ସାଂସଦମାନେ ପୁରୁଣା ବିଲଡିଂରୁ ନୂଆର ବିଲଡିଂକୁ ଗଲେ। ଏହା ଭଲ କଥା।

ତେବେ ପ୍ରଥମେ ଆମେ ସ୍ୱତନ୍ତ୍ର ଅଧିବେଶନର ଏଜେଣ୍ଡା ସମ୍ପର୍କରେ ଜାଣି ନଥିଲୁ। ପରବର୍ତ୍ତୀ ଅବସ୍ଥାରେ ଏହା ମହିଳା ସଂରକ୍ଷଣ ବିଲ୍‌ ବୋଲି ଜାଣିବାକୁ ପାଇଲୁ। ବିଲ୍‌କୁ ଜନଗଣନା ଓ ସୀମା ପୁନଃନିର୍ଦ୍ଧାରଣ ପରେ ଲାଗୁ ହେବ ବୋଲି କୁହାଯାଇଛି। ଏହା କେବଳ ଗୋଟିଏ ଭେଳିକି। ଜାତି ଭିତ୍ତିକ ଜନ ଗଣନା ଦାବିରୁ ଲୋକଙ୍କୁ ଧ୍ୟାନଚ୍ୟୁତ କରିବାକୁ ଏପରି ପଦକ୍ଷେପ ନିଆଯାଇଛି।”

ରାହୁଲ ଆହୁରି କହିଛନ୍ତି, “ଓବିସି, ଆଦିବାସୀ ଓ ଦଳିତ ଅଫିସରମାନେ ବଜେଟର ୧୫% ଅଂଶକୁ ନିୟନ୍ତ୍ରଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନିଜକୁ ଓବିସି ନେତା କହୁଛନ୍ତି। ତେଣୁ ମୁଁ ତାଙ୍କ ଠାରୁ ଜାଣିବାକୁ ଚାହୁଁଛି ଯେ ଟପ ସ୍ତରରେ କେବଳ ୩ ଜଣ ଓବିସି ସଂପ୍ରଦାୟର କାହିଁକି ଅଛନ୍ତି? ଓବିସି ସଂଖା ପାଇବାକୁ ହେଲେ ପ୍ରଥମେ ଜାତି ଭିତ୍ତିକ ଜନଗଣନା କରାଯାଉ। ଏଥିସହ ତୁରନ୍ତ ମହିଳା ସଂରକ୍ଷଣ ବିଲ୍‌କୁ ଲାଗୁ କରାଯାଉ।”

Congress Rahul Gandhi Women Rreservation Bill