Advertisment

‘ଭୋଟ ଚୋରି’ ବିକ୍ଷୋଭ: ରାହୁଲଙ୍କ ସମେତ ସବୁ ସାଂସଦଙ୍କୁ ଉଠାଇ ନେଲା ପୁଲିସ୍‌, ଚେତା ହରାଇଲେ ମହୁଆ

ଭୋଟ ଚୋରି ଅଭିଯୋଗରେ ଆଜି ବିରୋଧୀ ଦଳଗୁଡ଼ିକର ସାଂସଦମାନେ ଦିଲ୍ଲୀରେ ଗର୍ଜିଛନ୍ତି।

author-image
Hemant Lenka
Rahul Gandhi

Rahul Gandhi

କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଣିଥିବା ଭୋଟ ଚୋରି ଅଭିଯୋଗ ପ୍ରସଙ୍ଗକୁ ନେଇ ପୂରା ଦେଶରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ଭୋଟ ଚୋରି ଅଭିଯୋଗରେ ଆଜି ବିରୋଧୀ ଦଳଗୁଡ଼ିକର ସାଂସଦମାନେ ଦିଲ୍ଲୀରେ ଗର୍ଜିଛନ୍ତି। ସେମାନେ ନିର୍ବାଚନ କମିଶନଙ୍କ ବିରୋଧରେ ଭୋଟ ଚୋରି ବିକ୍ଷୋଭ ଶୋଭାଯାତ୍ରା କରୁଥିବା ବେଳେ ପୁଲିସ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ।

Advertisment

ଭୋଟ ଚୋରି ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହୋଇଥିବା ରାହୁଲ ଗାନ୍ଧିଙ୍କ ସମେତ ଶତାଧିକ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ପୁଲିସ ଉଠାଇଛି। ସେମାନଙ୍କ ଶୋଭାଯାତ୍ରା ସ୍ଥଳରୁ ଉଠାଇ ନେଇ ପୁଲିସ୍‌ ଅଟକ ରଖିଛି। ଏତେବ ବଡ଼ ବିକ୍ଷୋଭ ଶୋଭଯାତ୍ରା ପାଇଁ ପୁଲିସ୍‌ ଅନୁମତି ଦେଇ ନଥିଲା। ତଥାପି ବିରୋଧୀ ଦଳର ସାଂସଦମାନେ ଶୋଭାଯାତ୍ରା କରିବାରୁ ପୁଲିସ୍‌ ପକ୍ଷରୁ ସମସ୍ତଙ୍କୁ ଅଟକ ରଖାଯାଇଛି।

ରାହୁଲ ଗାନ୍ଧି ଓ ଅନ୍ୟ ସାଂସଦମାନଙ୍କୁ ପୁଲିସ୍‌ ବସରେ ଉଠାଇ ନେଇଛି। ଏହି ସମୟରେ ଟିଏମସି ସାଂସଦ ମହୁଆ ମୈତ୍ରା ଅଚେତ ହୋଇଯାଇଥିଲେ। ତାଙ୍କୁ ସାଥୀ ସାଂସମାନେ ପାଣି ଦେଇ ହୋସରେ ଆଣିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। 

Advertisment

ସେହିପରି ବସରେ ସାଂସଦମାନଙ୍କୁ ପୁଲିସ୍‌ ନେଇ ଯାଉଥିବା ବେଳେ ରାହୁଲ ଗାନ୍ଧି କହିଛନ୍ତି, “ଏହି ଲଢ଼େଇ ରାଜନୀତିକ ନୁହେଁ। ଏହା ସମ୍ବିଧାନକୁ ରକ୍ଷା କରିବା ପାଇଁ ଲଢ଼େଇ। ଏହା ଜଣେ ବ୍ୟକ୍ତି, ଗୋଟିଏ ଭୋଟ ପାଇଁ ଲଢ଼େଇ। ବାସ୍ତବ କଥା ହେଲା ସେମାନଙ୍କ ପାଖରେ କହିବାକୁ କିଛି ନାହିଁ। ସତ ପୂରା ଦେଶ ସାମ୍ନାରେ ରହିଛି।”

ଦିଲ୍ଲୀ ପୁଲିସ୍‌ର ଯୁଗ୍ମ କମିଶନର ଦୀପକ ପୁରୋହିତ ବିରୋଧୀ ସାଂସଦଙ୍କୁ ଅଟକ ରଖାଯାଇଥିବା ଖବରକୁ ନିଶ୍ଚିତ କରିଛନ୍ତି। କିନ୍ତୁ ସେମାନଙ୍କ ସଂଖ୍ୟା ସମ୍ପର୍କରେ କିଛି ବି କହି ନାହାନ୍ତି। ସେ କହିଛନ୍ତି, “ବିକ୍ଷୋଭ ବେଳେ ଅଟକ ରହିଥିବା ଇଣ୍ଡିଆ ବ୍ଲକ ନେତାମାନଙ୍କୁ ସ୍ଥାନୀୟ ପୁଲିସ ଷ୍ଟେସନକୁ ନିଆଯାଇଛି। ଏତେ ବଡ଼ ବିକ୍ଷୋଭ ପାଇଁ ସେମାନଙ୍କ ପାଖରେ ଅନୁମତି ନଥିଲା। କେବଳ ୩୦ ଜଣ ସାଂସଦଙ୍କୁ ଶୋଭାଯାତ୍ରାରେ ଯାଇ ନିର୍ବାଚନ କମିଶନଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଅନୁମତି ଦିଆଯାଇଥିଲା।

କିନ୍ତୁ ଶୋଭାଯାତ୍ରାରେ ୨୦୦ରୁ ଅଧିକ ନେତା ସାମିଲ ହୋଇଥିଲେ। ଆମେ ଆଇନଶୃଙ୍ଖଳା ପରିସ୍ଥିତିରୁ ସେମାନଙ୍କୁ ଅଟକାଇଥିଲା। ସେମାନଙ୍କୁ ଅଟକ ରଖିଛୁ। କିଛି ସାଂସଦ ବ୍ୟାରିକଡ ଡେଇଁବାକୁ ଚେଷ୍ଟା କରିଥିଲେ। ସେମାନଙ୍କୁ ମଧ୍ୟ ଅଟକ ରଖାଯାଇଛି।”

ସଂସଦ ବିଲଡିଂ ବାହାରେ ବିକ୍ଷୋଭକାରୀ ସାଂସଦ ଓ ଦଳୀୟ କର୍ମୀମାନେ ବିଭିନ୍ନ ପ୍ରକାରର ପ୍ଲାକାର୍ଡ ଦେଖାଇବା ସହ ନାରାବାଜୀ କରିଥିଲେ। ଏହାପରେ ପୁଲିସ୍‌ ବ୍ୟାରିକେଡ ଡେଇଁ ଆଗକୁ ଯିବାକୁ ଚେଷ୍ଟା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଦୁଇଟି ପୁଲିସ୍‌ ବ୍ୟାରିକେଡ ଡେଇଁ ଆଗକୁ ଯିବା ବେଳର ଭିଡିଓ ସାମ୍ନାକୁ ଆସିଛି। ମହୁଆ ମୈତ୍ରା ଓ ଆଉ ଜଣେ ସାଂସଦ ବିକ୍ଷୋଭ ବେଳେ ଅଚେତ ହୋଇପଡ଼ିଥିଲେ ବୋଲି ଟିଏମସି କହିଛି।

କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ଆଜି ନିର୍ବାଚନ କମିଶନ ବିରୋଧରେ ବିକ୍ଷୋଭ କରିବାକୁ ଥିବାରୁ ପୁଲିସ୍‌ ସଂସଦ ବିଲଡିଂ ରାସ୍ତାକୁ ବନ୍ଦ କରି ବ୍ୟାରିକେଡ ଲଗାଇଥିଲା। ଭୋଟ ଚୋରି ବିକ୍ଷୋଭ ଶୋଭାଯାତ୍ରାକୁ ଅଟକାଇବା ପାଇଁ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା।

ବିରୋଧୀଙ୍କ ବିକ୍ଷୋଭ ଯୋଗୁ ଉଭୟ ଗୃହର କାର୍ଯ୍ୟ ଦିନ ୨ଟା ଯାଏ ମୁତଲବୀ କରାଯାଇଛି। ବିଜେପି ଓ ନିର୍ବାଚନ କମିଶନ ମିଳିତ ଭାବେ ଭୋଟ ଚୋରି କରିଥିବା ବିରୋଧୀ ଅଭିଯୋଗ କରି ଏପରି ବିକ୍ଷୋଭ କରୁଛନ୍ତି।

ଗତବର୍ଷ ମହାରାଷ୍ଟ୍ର ନିର୍ବାଚନ ବେଳ ଠାରୁ ଭୋଟ ଚୋରି ଅଭିଯୋଗ ହୋଇ ଆସୁଥିଲା। ନିକଟରେ ରାହୁଲ ଗାନ୍ଧି କାଗତପତ୍ର ସହ କର୍ଣ୍ଣାଟକାର ମହାଦେବପୁରାରେ ଭୋଟି ଚୋରି ହୋଇଥିବା ଅଭିଯୋଗ କରିଥିଲେ। ବାସ୍ ଏହାପରେ ଭୋଟ ଚୋରି ବିକ୍ଷୋଭ ବଳ ଗୋଟାଇବାରେ ଲାଗିଛି।

Rahul Gandhi Election Commission